Former MP Family Battles Extreme Poverty: ଦୁଇଥର ବିଧାୟକ, ଥରେ ସାଂସଦ... ତଥାପି ଦାରିଦ୍ର୍ୟରେ ପରିବାର

Jul 17, 2026 - 21:02
Former MP Family Battles Extreme Poverty: ଦୁଇଥର ବିଧାୟକ, ଥରେ ସାଂସଦ... ତଥାପି ଦାରିଦ୍ର୍ୟରେ ପରିବାର

ଥରେ ବନିଥିଲେ MP, ୨ ଥର ହୋଇଥିଲେ MLA। ତଥାପି ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ପୂର୍ବତନ କନ୍ଧମାଳ ଏମପି ସ୍ବର୍ଗତ ଅନିରୁଦ୍ଧ ଦୀପଙ୍କ ପରିବାର। ଇଏ ହେଲେ ପ୍ରେମଜିନୀ ଦୀପ । ପୂର୍ବତନ କନ୍ଧମାଳ ସାଂସଦ ତଥା ବୌଦ୍ଧର ଦୁଇ ଦୁଇଥର ବିଧାୟକ ଥିବା ଅନିରୁଦ୍ଧ ଦୀପଙ୍କ ବୋହୂ । ଶ୍ବଶୁର ତାଙ୍କର ପୂର୍ବତନ ସାଂସଦ ଏବଂ ବିଧାୟକ । ଅଞ୍ଚଳ ପାଇଁ ଅନେକ କାମ କରିଛନ୍ତି । ହେଲେ ନିଜ ପାଇଁ ଘର ଖଣ୍ଡିଏ ବି କରିପାରିନାହାନ୍ତି । ଆଉ ଏବେ ଦେଖନ୍ତୁ ପୂର୍ବତନ ସାଂସଦଙ୍କ ପରିବାର ରହୁଥିବା ଘର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ ଜବଲପୁର ଗାଁର ଏହି ଦଦରା ଘରଟିରେ ରହୁଛନ୍ତି ପୂର୍ବତନ ସାଂସଦ ଅନିରୁଦ୍ଧଙ୍କ ପରିବାର । ଭଙ୍ଗା ଦଦରା ଆଜବେଷ୍ଟସ ଘରକୁ ଘୋଡ଼ାଇ ରଖିଛି କଳା ରଙ୍ଗର ଜରିପାଲ । 

ଅନିରୁଦ୍ଧଙ୍କ ପୁଅ କିଡନୀ ରୋଗରେ ମରିଯିବା ପରେ ବିଧବା ବୋହୂ ଏବଂ ନାତି ନାତୁଣୀମାନେ ଏହି ଭଙ୍ଗା ଦଦରା ଘରେ ବସବାସ କରୁଛନ୍ତି । ଘର ଚଳାଇବା ପାଇଁ ୨ ଜଣ ନାତି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲି ଯାଇଛନ୍ତି । ଘରେ ରହୁଛନ୍ତି ବିଧବା ବୋହୂ ପ୍ରେମଜିନୀ ଏବଂ ଜଣେ ଅବିବାହିତା ନାତୁଣୀ । ଅଭାବ ଅନଟନ ପାଇଁ ଝିଅ ବାହା ଦେଇପାରିନାହାନ୍ତି ପ୍ରେମଜିନୀ । ସାରା ଜିଲ୍ଲା ପାଇଁ ଅନେକ ଜନହିତକର କାର୍ଯ୍ୟ କରିଥିବା ଅନିରୁଦ୍ଧଙ୍କ ପରିବାର ଏବେ ପରଘରେ ମୂଲମଜୁରୀ ଲାଗି ଚଳୁଛନ୍ତି । ବିଧବା ବୋହୂ ମାସିକ ହଜାରେ ଟଙ୍କା ଭତ୍ତା ଏବଂ ସରକାରୀ ଚାଉଳରେ ଜୀବନ ଜିଉଁଛନ୍ତି ।  

ଅନିରୁଦ୍ଧ ଦୀପ ୧୯୬୧ରୁ ୬୭ ପର୍ଯ୍ୟନ୍ତ ବୌଦ୍ଧ ବିଧାନସଭା ଆସନରୁ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ୧୯୬୭ରୁ ୧୯୭୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଦଳରୁ କନ୍ଧମାଳ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ରାଜନୈତିକ ଜୀବନ କାଳରେ ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲାପାଇଁ ଅନେକ ଲୋକ ହିତକର କାର୍ଯ୍ୟ କରିଥିଲେ ଅନିରୁଦ୍ଧ । ଅନିରୁଦ୍ଧଙ୍କ ପାଇଁ ଜିଲ୍ଲା ଶସ୍ୟଶ୍ୟାମଳା ହୋଇପାରିଥିଲା ବେଳେ ନିଜ ପରିବାର କିନ୍ତୁ ଏବେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ଆର୍ଥିକ ଅନଟନରେ ଯୁଝୁଥିବା ଅନିରୁଦ୍ଧଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ଦାବି ହେଉଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।