Flood in Bhadrak: ବନ୍ୟା କ୍ଷୟକ୍ଷତି, କୃଷକଙ୍କର ସମସ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଦାବିପତ୍ର ପ୍ରଦାନ
"ଭଦ୍ରକ (ହରିହର ନାୟକ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବନ୍ୟାଞ୍ଚଳରେ ଅଦ୍ୟାବଧି ବନ୍ୟା ପ୍ରଭାବିତଙ୍କ ଗହଣରେ ରହି ସେମାନଙ୍କ ସମସ୍ୟା ବୁଝିବା, ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ସହିତ ବନ୍ୟା ପରବର୍ତ୍ତୀ ସ୍ଥିତି ପରଖିବା ପରେ ବୁଧବାର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ତଥା ବରିଷ୍ଟ ବିଜେପି ନେତା ବଦ୍ରି ନାରାୟଣ ଧଳ ଭଦ୍ରକ ଜିଲ୍ଲା ଗସ୍ତରେ ଥିବା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ସାକ୍ଷାତ କରି ଭଣ୍ଡାରିପୋଖରୀ ଅଞ୍ଚଳର ବନ୍ୟା ଜନିତ କ୍ଷୟକ୍ଷତି, କୃଷକମାନଙ୍କର ସମସ୍ୟା, ବିଭିନ୍ନ ଆଞ୍ଚଳିକ ସମସ୍ୟା ସମେତ ବନ୍ୟାର ସ୍ଥାୟୀ ପ୍ରତିକାର ସମ୍ପର୍କିତ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସବିଶେଷ ଆଲୋଚନା କରିଛନ୍ତି।
ଜିଲ୍ଲା ବିଜେପି ସଭାପତି ଭଗବାନ ପଣ୍ଡାଙ୍କ ଉପସ୍ଥିତିରେ ଏହାର ଏକ ନକଲ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି।Advertisment ଚଳିତ ବୈତରଣୀ, ରେବ ଓ କପାଳୀ ନଦୀ ବନ୍ୟାରେ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୮ଟି ଗ୍ରାମ ପଞ୍ଚାୟତର ୭୮ ଟି ଗ୍ରାମର ୭୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।
ଏଥି ସହିତ ରାସ୍ତାଘାଟ, ପୋଲ, ବୈତରଣୀ ନଦୀବନ୍ଧ, ଶିକ୍ଷାନୁଷ୍ଠାନ ଏବଂ ଶହଶହ ହେକ୍ଟର ଜମିରେ ଧାନ ଓ ପନିପରିବା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ମୁଖ୍ୟତଃ ବୈତରଣୀ ବାମପର୍ଶ୍ଵ ନଦୀବନ୍ଧର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ ବଡ ବନସ୍ତା ଓ ସାନ ବନସ୍ତା ନିକଟରେ ନଦୀ ବନ୍ଧ ଧସିଯାଇ ବିପଦ ସୃଷ୍ଟି କରିଛି।
୧ ଟଙ୍କାରେ କଥା ନାହିଁ, ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ରାଶି: ପ୍ରଭାତୀ ପରିଡା ସେହିପରି ବନ୍ଦାଳୋ ନିକଟସ୍ଥ ବୈତରଣୀ ସେତୁର ସଂଯୋଗୀକରଣ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇ ଯାତାୟାତ ଅନୁପଯୋଗୀ ହୋଇଯାଇଛି।
ସେହିପରି ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ନିକଟସ୍ଥ ଗେଙ୍ଗୁଟି ସେତୁର ଉଭୟ ପାର୍ଶ୍ଵ ସଂଯୋଗୀକରଣ ରାସ୍ତା ବନ୍ୟା ସ୍ରୋତରେ କ୍ଷତିଗ୍ରସ୍ତ ହୋଇଛି।
ଗେଙ୍ଗୁଟି ନଦୀ ଉପର ମୁଡ଼ାପଦା-ବରାହ ନୂଆପଡ଼ାକୁ ସଂଯୋଗ କରୁଥିବା ସେତୁ ଦବିଯାଇ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଆଖୁଆପଦା ଠାରୁ ମଣିନାଥପୁର ପର୍ଯ୍ୟନ୍ତ ଥିବା ନଦୀବନ୍ଧର ସୃଦୁଢ଼ିକରଣ କରାଯିବା, ଧାନ ତଳି ଓ ପନିପରିବା ଚାଷ ନଷ୍ଟ ହୋଇଥିବା ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା।
ବନ୍ୟା ଯୋଗୁଁ ନଷ୍ଟ ହୋଇଥିବା ରାସ୍ତା,ସେତୁ ଓ ନଦୀ ବନ୍ଧର ତୁରନ୍ତ ମରାମତି କରିବା ସହ ଗୃହପାଳିତ ପଶୁ ମାନଙ୍କ ନିମନ୍ତେ ପର୍ଯ୍ୟାପ୍ତ ଗୋ ଖାଦ୍ୟ ଓ ଆବଶ୍ୟକୀୟ ଔଷଧ ଯୋଗାଇଦେବାକୁ ଶ୍ରୀ ଧଳ ନିବେଦନ କରିଛନ୍ତି।
ଏହାଛଡା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ବୈତରଣୀ ନଦୀର ଆଖୁଆପଦା ଠାରେ ବ୍ୟାରେଜ ନିର୍ମାଣ ସହିତ କଣ୍ଟି ଏସକେପର ଉଚ୍ଚତା ବୃଦ୍ଧି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଭଣ୍ଡାରିପୋଖରୀବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ସମସ୍ତ ପ୍ରସଙ୍ଗକୁ ଉପମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରିବେ ବୋଲି ବିଜେପି ନେତା ବଦ୍ରିନାରାୟଣ ଧଳ ଦାବିପତ୍ର ଦେଇ ଅନୁରୋଧ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।