Flood Devastation Worsens: ବନ୍ୟାଞ୍ଚଳରେ ବଢୁଛି ଲୋକଙ୍କ ଦୁର୍ଦ୍ଦଶା, ମାଟିରେ ମିଶିଛି ମାଟି କାନ୍ଥ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୋଠାର ପଞ୍ଚାୟତ ମିର୍ଗାହାଟ କୂଳ ଅବସ୍ଥା ଦେଖିଲେ ଲାଗୁଛି ସତେ ଯେମିତି ଏମାନଙ୍କ ପାଇଁ ଆବାସ ଯୋଜନା ମନା। ଗତ ଦୁଇ ଦିନ ଧରି ପାଣି ପଶି ରହିଥିଲା। ମାଟି କାନ୍ଥଥିବା ଘରେ ପଶିଥିଲା ପାଣି। କାନ୍ଥ ଭାଙ୍ଗିଛି, ଚୁଲିରେ ମଧ୍ୟ ପାଣି ପଶି ଭାଙ୍ଗି ଯାଇଛି। ଚାଳ ଉପରେ ଜରିପାଲ ଥିବାବେଳେ ତଳେ ବର୍ଷା ପାଣିରେ ବତୁରି ରହିଛି କାନ୍ଥ, ପିଣ୍ଡା ଓ ଚୁଲି। ଗେଙ୍ଗୁଟି ନଦୀର ପାଣି ଛାଡିବା ପରେ ସେମାନେ ଘର ସଜାଡିବାରେ ଲାଗିଛନ୍ତି।
ବାଙ୍କୀରେ ମାଡି ଆସୁଛି ପାଣି। ଜଳମଗ୍ନ ହେଉଛି ପରିବା ଚାଷ। ପାଖ ଜମିରେ ପାଣି ଦେଖି ପରିବା ଚାଷ କରିଥିବା ଚାଷୀ ଛାନିଆ। ପାଣିରୁ ବଞ୍ଚାଇବା ପାଇଁ କଷି ହେଉ କି ପାକଳ ସବୁ ପରିବା ବିକଳରେ ତୋଳି ପକାଉଛନ୍ତି ଚାଷୀ। ବାଙ୍କୀରେ ଶହ ଶହ ହେକ୍ଟର ଚାଷ ଜମିରେ ପାଣି ପଶିବା ଦେଖି ହତାଶ ପରିବା ଚାଷୀ।
ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଘୋସରାମାଳ ପଞ୍ଚାୟତରେ ପ୍ରବଳ ବର୍ଷା ଯୋଗୁଁ ନଦୀ ନାଳ ଫୁଲିବା ସହ ପୋଲ ଉପରେ ଚାଲିଲା ପାଣି। ଫଳରେ ପଥୁରିଆ ଠାରୁ ବଡ଼ମାଳ ରାସ୍ତା ଉପରେ ଥିବା କଟଙ୍ଗା ନାଳ ପୋଲ ଭାଙ୍ଗି ସାଇଡ ୱାଲରୁ କଂକ୍ରିଟ ମାଟି ଧସି ବଡବଡ ଖାଲ ହୋଇଛି। ବ୍ରାହ୍ମଣୀ, ବଡମାଳ, ପାଣ୍ଡିରିଶିଲା ଗାଁକୁ ଯାତାୟତ ଠପ ହୋଇଛି। ପ୍ରତିବର୍ଷ ଏଭଳି ଘଟଣା ଘଟୁଥିବାରୁ ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।