Flood Crisis : ଲଗାଣ ବର୍ଷାରେ ଉଛୁଳୁଛି ନଦୀ, ୮ ଜିଲ୍ଲାରେ ସ୍କୁଲ ଛୁଟି, ଆଜି ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା
ଭୁବନେଶ୍ୱର, ୨୯/୦୭ : ଉତ୍ତର ଓଡ଼ିଶା ଉବୁଟୁବୁ । ଉଛୁଳୁଛି ବୈତରଣୀ, ବୁଢ଼ାବଳଙ୍ଗ, ସାଳନ୍ଦୀ, ଜଳକା । ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝରର ଅନେକ ଅଞ୍ଚଳ ଜଳମଗ୍ନ । ରାସ୍ତାରେ ପାଣି ଚାଲୁଛି । ଯେଉଁଭଳି ପ୍ରଖର ବେଗରେ ବୈତରଣୀ ମାଡ଼ୁଛି, ବୁଧବାର ସକାଳ ସୁଦ୍ଧା ଯାଜପୁର, ଭଦ୍ରକର ଅନେକ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଯାଇଥିବ । ଆଶଙ୍କା କରାଯାଉଛି, ବୈତରଣୀ ଏଥର ମଧ୍ୟମ କିମ୍ବା ବଡ଼ ଧରଣର ବନ୍ୟା ସ୍ଥିତି ଆଣିପାରେ । ଘନଘନ ସମୀକ୍ଷା ଚଳାଇଛନ୍ତି ସରକାର । ପ୍ରଭାବିତ ଅଞ୍ଚଳକୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ୍ ପଠାଯାଇଛି । ବନ୍ୟା ସ୍ଥିତି ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସଙ୍କୁ ୩ ଜିଲ୍ଲାକୁ ପଠାଯାଇଛି । ସୁଧାଂଶୁ ମୋହନ ସାମଲଙ୍କୁ ଭଦ୍ରକ, କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ୱର ଓ ପି. ଅନ୍ୱେଷା ରେଡ୍ଡୀଙ୍କୁ ସ୍ୱତନ୍ତ୍ର ଭାବେ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ୮ ଜିଲ୍ଲାରେ ବୁଧବାର ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି ।
କାନ୍ଥ ପଡ଼ି ୨ ମୃତ, ୨ ଗୁରୁତର, ଭାସିଗଲେ ଜଣେ
ପ୍ରବଳ ବର୍ଷା ଭିତରେ କେନ୍ଦୁଝର ଆନନ୍ଦପୁର ରେମାଳ ଡ୍ୟାମ ଗେଟ ଖୋଲିଥିବାବେଳେ ଗାଧୋଇବାକୁ ଯାଇଥିବା ଜଣେ ଯୁବତୀ ଭାସି ଯାଇଥିବା ସୂଚନା ମିଳିଛି । ହରିଚନ୍ଦନପୁରରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସରଫାଣ୍ଡି ଅନ୍ତର୍ଗତ ଆମ୍ୱଘାଟ ଗ୍ରାମରେ କାନ୍ଥ ପଡ଼ି ଜଣେ ୩ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି । ବୌଦ୍ଧ ଜିଲ୍ଲା ବାଉଁଶୁଣୀ ବ୍ଲକରେ କାନ୍ଥପଡ଼ିବାରୁ ମା’-ଝିଅ ଗୁରୁତର ହୋଇଛନ୍ତି । ପାଣିପାଗ ବିଭାଗର ପୂର୍ବାନୁମାନ-ବୁଧବାର ସକାଳ ସୁଦ୍ଧା ପଶ୍ଚିମ ଏବଂ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବ । ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବେଶି ବର୍ଷିବ ପଶ୍ଚିମ ଓଡ଼ିଶାରେ । ଗୁରୁବାରଠାରୁ ବର୍ଷା ପରିମାଣ କମିପାରେ । ରାତି ୯ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ ଯାଜପୁର ଜିଲ୍ଲାର ୧ ଲକ୍ଷରୁ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୨୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ବାଲେଶ୍ୱର ସହର ଜଳମଗ୍ନ
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗକୁ ନେଇ ଘନଘନ ସମୀକ୍ଷା କରିଛନ୍ତି । ଲଗାଣ ବର୍ଷା ଯୋଗୁ ବନ୍ୟା ଜଳ ପଶିବା ଆଗରୁ ବାଲେଶ୍ୱର ସହର ଜଳମଗ୍ନ ହୋଇଯାଇଛି । ବାଲେଶ୍ୱର ସହରରେ ଯୁଆଡ଼େ ଚାହିଁବ, ଖାଲି ପାଣି । ବସଷ୍ଟାଣ୍ଡ ପାଖ ନୂଆସାହି-ବାଲିଆ ରାସ୍ତାରେ ୩ ପୁଟ୍ ଉଚ୍ଚର ପାଣି ଚାଲିଛି । ଘରଦ୍ୱାର, ଦୋକାନ ବଜାରରେ ପାଣି ପଶିଯାଇଛି । ମଥାନିରେ ଜଳକା ନଦୀର ବିପଦ ସଂକେତ ୬.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୬.୫୧ ମି.ରେ ବନ୍ୟାଜଳ ପ୍ରବାହିତ ହେଉଛି। ବସ୍ତା, ବାଲିଆପାଳ, ଭୋଗରାଇ, ସଦର ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ । ବାହାନଗାରେ ଏନଏଚ୍ରେ ପାଣି ଚାଲିଛି । ବୈତରଣୀ ଓ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଉପରେ ଚାଲିଛି । ରାତି ୮ଟା ସୁଦ୍ଧା ଏନଏଚ୍-୫ ଗୋବିନ୍ଦପୁରରେ ବୁଢ଼ାବଳଙ୍ଗ ୮.୨୬ ମିଟରରେ ପ୍ରବାହିତ ହେଉଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୮.୧୩ ମିଟର । ବୈତରଣୀ ଆନନ୍ଦପୁରରେ ୪୦.୩୭ ମିଟର ଓ ଆଖୁଆପଦାରେ ୧୯.୪୧ ମିଟରରେ ପ୍ରବାହିତ ହେଉଥିଲା । ବିପଦ ସଙ୍କେତ ସ୍ତରଠାରୁ ଆନନ୍ଦପୁରରରେ ୨ ମିଟର ଏବଂ ଆଖୁଆପଦାରେ ପ୍ରାୟ ୧ ମିଟର ଉପରେ ପାଣି ଚାଲିଥିଲା ।
ସାଳନ୍ଦୀ ନଦୀରେ ବନ୍ୟା
ସୁବର୍ଣ୍ଣରେଖା ଫୁଲିଥିବାବେଳେ ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ଚିନ୍ତା ବଢ଼ାଇଛି । ବର୍ଷା ଯୋଗୁ ଭଦ୍ରକ ଜିଲ୍ଲାର ୭ ବ୍ଲକ, ପୌରପାଳିକା ଓ ଏନଏସି ଅଞ୍ଚଳ ପ୍ରଭାବିତ ହୋଇଛି । ସାଳନ୍ଦୀ, ବୈତରଣୀ ସମେତ ବାସୁଦେବପୁରରେ ଦେଇ ପ୍ରବାହିତ ଗମେଇ ନଦୀ, ଭଦ୍ରକ ବ୍ଲକର ନାଳିଆ ନଦୀ ସହ ଗେଙ୍ଗୁଟି, ରେବ, କପାଳି ନଦୀ ଉଛୁଳୁଛି । ତିହିଡ଼ି ଓ ଚାନ୍ଦବାଲିର ବ୍ୟାପକ ଅଞ୍ଚଳ ଜଳମଗ୍ନ ଅଛି । ସାଳନ୍ଦୀ ନଦୀ ଭଦ୍ରକ ରାଜଘାଟଠାରେ ବିପଦ ସଙ୍କେତ ଡେଇଁ ୧୭.୯୦ ମିଟରରେ ପ୍ରବାହିତ ହେଉଛି । ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ ସାଳନ୍ଦୀ ଓ ବୈତରଣୀରେ ବନ୍ୟା ଜଳ ଆହୁରି ବଢିପାରେ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଧାମନଗର ଏନ୍ଏସି ସମେତ ତଳିଆ ଅଞ୍ଚଳରେ ସ୍ଥିତି ବୁଲି ଦେଖିଛନ୍ତି । ଭଣ୍ଡାରିପୋଖରୀ ଓ ଧାମନଗରର ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି । ଅର୍ଣ୍ଣପାଳ ରାଜୁଆଳି ବିନ୍ଦା ଅଞ୍ଚଳର ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ଚାଲିଥିଲା । ବୈତରଣୀ ପ୍ରଖର ବେଗରେ ଫୁଲୁଥିବାରୁ ବଡ଼ ବନ୍ୟା ଆଶଙ୍କା ଘାରିଛି ଯାଜପୁର ଜିଲ୍ଲାକୁ । କୋରେଇ ବ୍ଲକ୍ର ପ୍ରାୟ ୮ଟି ପଞ୍ଚାୟତ, ଦଶରଥପୁର ବ୍ଲକ୍ର ୧୦ଟି ପଞ୍ଚାୟତ ଜଳମଗ୍ନ ହେବା ଆଶଙ୍କା ରହିଛି । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଇଛି ।
ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଓ ତନ୍ତୀଘାଇ ଫୁଲୁଛି
ଯାଜପୁର ବ୍ଲକ୍ ମାଳଆନନ୍ଦପୁର ପଞ୍ଚାୟତର କଣ୍ଟିଗଡ଼ିଆ, ବଜରପଡ଼ା ଓ ନମଟିକିରୀ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ଆଶଙ୍କା ରହିଛି । ବ୍ରାହ୍ମଣୀର ଶାଖା ନଦୀ ଖରସ୍ରୋତା ଓ ତନ୍ତୀଘାଇ ବି ଫୁଲୁଛି । ଏଥିରେ କୋରେଇ, ରସୁଲପୁର, ଯାଜପୁର ଓ ବରୀ ବ୍ଲକ ପ୍ରଭାବିତ ହେବ । କେନ୍ଦୁଝର ଜିଲ୍ଲାର ଜଗମୋହନପୁର ନିକଟସ୍ଥ ବିଛାଖଣିରେ ୪୯ ନଂ ରାଜପଥରେ ପାଣି ଚାଲିଛି । କଲିକତା-ମୁମ୍ବାଇ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ସହ ହଜାର ହଜାର ଗାଡିମୋଟର ଅଟକି ରହିଛି । କେନ୍ଦୁଝର ସହରର ଅନେକ ଅଞ୍ଚଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେନ୍ଦୁଘାଟି, ହଳଡିହି ଆଦି ଗାଁ ଜଳବନ୍ଦୀ ରହିଛନ୍ତି । ଅଁରା ବ୍ରାହ୍ମଣୀ ନାଳ ପୋଲ ଉପରେ ୭ ଫୁଟ୍ର ବନ୍ୟା ଜଳ ଚାଲିବାରୁ ୧୦ରୁ ଅଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଦଅଁଳାଠାରୁ କସଡାକୁ ଯୋଗାଯୋଗ କରୁଥିବା ନାଳ ଉପରେ ବନ୍ୟା ପାଣିର ସୁଅ ଛୁଟିଛି । ବୈତରଣୀ ନଦୀ ପୋଲ ଉପରେ ପାଣି ଚାଲିଥିବାରୁ ଗୋନାସିକା ଠାରୁ କାଞ୍ଜିପାଣିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସଦର ବ୍ଲକ ମଦରଙ୍ଗାଯୋଡି ଗ୍ରାମର ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଛି । କେନ୍ଦୁଝର ସହରର ଗ୍ରାମଶ୍ରୀ କଲୋନୀ, ପାର୍କଲାଇନ, ମଣ୍ଡୁଆ, ମାଗୁରଗାଡିଆ, ଗାୟତ୍ରୀ ମନ୍ଦିର ନିକଟ, ବୁଲାଦ୍ୱାରସାହି, ସ୍ପଞ୍ଜ କଲୋନୀ, ବଳଦେବଜୀଉ କଲୋନୀ ଭଳି ମୁଖ୍ୟ ଅଞ୍ଚଳ ଉବୁଟୁବୁ ହେଉଛି । କେନ୍ଦୁଝର କାନ୍ଝରୀ ଡ୍ୟାମର ୬ଟି ଗେଟ୍ ଓ ହଦଗଡ଼ର ୪ଟି ଗେଟ୍ ଖୋଲାଯାଇଛି ।
ମହାନଦୀରେ ବନ୍ୟା ଆଶଙ୍କା ନାହିଁ
ପ୍ରବଳ ବର୍ଷା ଯୋଗୁ ମହାନଦୀରେ ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗ ଆକଳନ କରିଛି । ତେବେ ଜଳସ୍ତର ବଢ଼ୁଥିବାରୁ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକର ବିଭିନ୍ନ ତଳିଆ ଗାଁଗୁଡ଼ିକକୁ ବନ୍ୟା ଆଶଙ୍କା ଘାରିଛି । ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଛି । ଗଭୀର ଅବପାତ ଛତିଶଗଡ଼ ମୁହାଁ ହେଉଥିବାରୁ ସେଠାରେ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବୁଧବାର ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର, ବରଗଡ଼, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଧାମନଗର ବ୍ଲକରେ ବୁଧବାର ଓ ଗୁରୁବାର ସ୍କୁଲ, କଲେଜ, ଅଙ୍ଗନବାଡ଼ି ବନ୍ଦ ରହିବ । ଏହି ଦୁଇ ବ୍ଲକରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇଁର ଅଡ଼ାଡିହି ସେତୁ ଉପରେ ୨ ଫୁଟ୍ର ପାଣି ଚାଲିଛି । ଗୁରୁଣ୍ଡିଆ, ବଣାଇଁ, ଲହୁଣୀପଡ଼ା, ରାଜାମୁଣ୍ଡା ଓ କୋଇଡ଼ା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି । ସହରାଞ୍ଚଳର ତଳି ଅଞ୍ଚଳ ସମେତ ରାସ୍ତାଘାଟ ପାଣିରେ ବୁଡ଼ିଛି । ମନ୍ଦିରା ଡ୍ୟାମର ୧୧ଟି ଗେଟ୍ରୁ ୫ଟି ଗେଟ୍ ଖୋଲାଯାଇଛି । ଶଙ୍ଖ ନଦୀର ପାଣି ମିଶିବା ପରେ ବ୍ରାହ୍ମଣୀର ଜଳପତ୍ତନ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଓ ସମସ୍ତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଲୋକମାନେ ଭୟଭୀତ ନ ହୋଇ ସତର୍କ ଓ ସୁରକ୍ଷିତ ରହିବାକୁ ସେ ନିବେଦନ କରିଛନ୍ତି । ବନ୍ୟା କ୍ଷତିଗ୍ରସ୍ତ ବାସଗୃହ ଓ ଚାଷଜମି ନେଇ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାଣିପାଗ ବିଭାଗ ଆକଳନ ଅନୁସାରେ ବୁଧବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ । ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାରଠାରୁ ବର୍ଷା ପରିମାଣ କମିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।