First Become Expert Mothers: ପରିବାରର ଦାୟିତ୍ୱକୁ ଅଣଦେଖା କରି କ୍ୟାରିୟର ଗଢ଼ିବା ଠିକ୍ ନୁହେଁ: ରାଜ୍ୟପାଳ

Jul 10, 2026 - 16:24
First Become Expert Mothers: ପରିବାରର ଦାୟିତ୍ୱକୁ ଅଣଦେଖା କରି କ୍ୟାରିୟର ଗଢ଼ିବା ଠିକ୍ ନୁହେଁ: ରାଜ୍ୟପାଳ

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ ଏକ ବଡ଼ ବୟାନ ଦେଇଛନ୍ତି। IAS ଅଫିସର କିମ୍ବା ଶିକ୍ଷୟିତ୍ରୀ ହେବା ପୂର୍ବରୁ ଝିଅମାନେ ଜଣେ ଦକ୍ଷ ମା’ ହେବା ଉଚିତ୍। କାନପୁରରେ ଆୟୋଜିତ ଏକ ସମାବର୍ତ୍ତନ ଉତ୍ସବରେ ସେ ଏହି ଆହ୍ୱାନ ଦେଇଛନ୍ତି।

ଆନନ୍ଦୀବେନ କାନପୁରର ୪୧ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ସେ ସେଠାରେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସମ୍ବୋଧିତ କରିଥିଲେ। ପରିବାର ଓ ଶିକ୍ଷାର ମୂଲ୍ୟବୋଧ ଉପରେ ସେ ଗୁରୁତ୍ୱ ଦେଇଥିଲେ। ଝିଅମାନେ IAS ଅଫିସର ହୁଅନ୍ତୁ କିମ୍ବା ଶିକ୍ଷୟିତ୍ରୀ ହୁଅନ୍ତୁ, ପ୍ରଥମେ ଘର କାମ ଶିଖନ୍ତୁ। ଘରେ ରୋଷେଇ କେମିତି ହୁଏ ତାହା ସମସ୍ତେ ଜାଣିବା ଉଚିତ୍। ବିବାହ ପରେ ମଧ୍ୟ ଝିଅମାନେ ପାଠପଢ଼ା ଜାରି ରଖିବା ଦରକାର। ନିଜର ଜ୍ଞାନକୁ ଦେଶ ଗଠନରେ ବ୍ୟବହାର କରିବା ଉଚିତ୍।

ସେହିପରି ପିଲାମାନଙ୍କ ଉପରେ ନଜର ରଖିବାକୁ ସେ ପିତାମାତାଙ୍କୁ ପରାମର୍ଶ ଦେଇଛନ୍ତି। ପିଲାମାନେ କଲେଜ ଗଲା ପରେ ମଧ୍ୟ ସେମାନଙ୍କ ଗତିବିଧି ଜାଣିବା ଜରୁରୀ। ସାମାନ୍ୟ ଅବହେଳା ପିଲାଙ୍କ ଭବିଷ୍ୟତ ନଷ୍ଟ କରିପାରେ। ବିଶ୍ୱବିଦ୍ୟାଳୟ ହଷ୍ଟେଲ ପାଖରେ ଡ୍ରଗ୍ସ କାରବାର ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ଅନଲାଇନ୍ ଖାଦ୍ୟ ଡେଲିଭରି ଡବାରେ ଡ୍ରଗ୍ସ ସପ୍ଲାଇ ହେଉଥିବା ରାଜଭବନ ଟିମ୍ ଧରିଛି। ପ୍ରଶାସନିକ ପଦକ୍ଷେପ ଯୋଗୁଁ ଏହି ନେଟୱର୍କ ଏବେ ଧ୍ୱଂସ ହୋଇଛି।

ଘରୋଇ ହିଂସା ଓ ମହିଳା ଅପରାଧ ବୃଦ୍ଧି ପାଇଁ ମୂଲ୍ୟବୋଧର ହ୍ରାସକୁ ସେ ଦାୟୀ କରିଛନ୍ତି। କେବଳ ଡିଗ୍ରୀ କିମ୍ବା ମାର୍କ ଦ୍ୱାରା ଶିକ୍ଷାର ମାପ ହୋଇପାରିବ ନାହିଁ। ଯଦି ସମାଜରେ ଅପରାଧ ବଢୁଛି, ତେବେ ଏହା ଆମ ଶିକ୍ଷାର ପ୍ରକୃତ ସ୍ଥିତିକୁ ଦର୍ଶାଉଛି। ଶିକ୍ଷାଗତ ଜ୍ଞାନ ସହ ମାନସିକ ଓ ନୈତିକ ବିକାଶ ଜରୁରୀ।

ରାଜ୍ୟପାଳ ବିଗତ କିଛି ଦିନ ହେବ ମହିଳା ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସ୍ୱାବଲମ୍ବନ ଉପରେ କ୍ରମାଗତ ବୟାନ ଦେଉଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ବିବାହ ପୂର୍ବରୁ ଝିଅମାନେ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବା ଉଚିତ୍। ନିଜ ଗୋଡ଼ରେ ନିଜେ ଠିଆ ହେବା ପରେ ହିଁ ବିବାହ କରିବା ଦରକାର। ରାଜ୍ୟପାଳ ଲଭ୍ ମ୍ୟାରେଜ୍‌ର ବିରୋଧୀ ନୁହନ୍ତି, କିନ୍ତୁ ଯୁବପିଢ଼ି ଚିନ୍ତା କରି ନିଷ୍ପତ୍ତି ନେବା ଉଚିତ୍। ଝିଅମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ବିଶ୍ୱବିଦ୍ୟାଳୟରେ 'ଗର୍ଭ ସଂସ୍କାର' ପାଠ୍ୟକ୍ରମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।