FIR on Missing Inquiry Reports କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍‌ ଦେଲେ ଗୃହ ବିଭାଗ ଯୁଗ୍ମ ସଚିବ

Jun 11, 2026 - 06:29
FIR on Missing Inquiry Reports କ୍ୟାପିଟାଲ ଥାନାରେ ଏଫ୍‌ଆଇଆର୍‌ ଦେଲେ ଗୃହ ବିଭାଗ ଯୁଗ୍ମ ସଚିବ

"ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ, ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ତଦନ୍ତ କମିସନ ଫାଇଲ୍ ମିଳୁନିAdvertisment ଭୁବନେଶ୍ବର(ବିଶ୍ବଜିତ ଦାଶ): ଜୁନ୍ ୪,୨୦୨୪ରେ ବିଧାନସଭା ନିର୍ବାଚନ ଭୋଟ୍‌ ଗଣତି ଚାଲିଥିବାବେଳେ ସରକାର ବଦଳିବା ନେଇ ସ୍ପଷ୍ଟ ସଂକେତ ମିଳିଥିଲା।

ଏହାକୁ ନଜରରେ ରଖି ପୂର୍ବରୁ ଗୃହ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିବା ବିଭିନ୍ନ ଫାଇଲ୍‌, ରିପୋର୍ଟ ଆଦିକୁ ସେହିଦିନ ସିଏମ୍‌ଓ ପକ୍ଷରୁ ଗୃହ ବିଭାଗକୁ ଫେରସ୍ତ କରାଯାଇଥିଲା।

ସେତେବେଳେ ବିଭିନ୍ନ ଫାଇଲ୍‌ ଓ ରିପୋର୍ଟ ଫେରାଯାଇଥିଲେ ହେଁ ଜଲେଶପଟା ଆଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟାନ୍ୟଙ୍କ ହତ୍ୟାକାଣ୍ଡ ଉପରେ ଜଷ୍ଟିସ ଏ.ଏସ୍‌ ନାଇଡ଼ୁ କମିସନଙ୍କ ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଏବଂ ମେଡିକାଲ କଲେଜ ଅଗ୍ନିକାଣ୍ଡ ଘଟଣାରେ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ଗୃହ ବିଭାଗକୁ ଫେରାଯାଇନଥିଲା।

ଯାହା ଏବେ କେଉଁଠି ଅଛି ଜଣାପଡ଼ୁନି।

ତେଣୁ ଏହାର ତଦନ୍ତ କରିବାକୁ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଆଜି କ୍ୟାପିଟାଲ ଥାନାରେ ଏକ ଏଫ୍‌ଆ‌ଇଆର୍‌ ଦେଇଛନ୍ତି।

ଏହାପରେ କ୍ୟାପିଟାଲ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ୬୧(୨)(ବି)ରେ ଏକ ମାମଲା ରୁଜୁ କରାଯାଇଛି।

ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ହଜିଯାଇଛି।

ହେଲେ କେଉଁ ତଦନ୍ତ କମିସନଙ୍କ ରିପୋର୍ଟ ହଜିଲା, କେମିତି ହଜିଲା ସେନେଇ କିଛି ସ୍ପଷ୍ଟ ନଥିଲା।

ଆଜି ଗୃହ ବିଭାଗ ପକ୍ଷରୁ ଦୁଇଟି ଚର୍ଚ୍ଚିତ ଘଟଣାର ତଦନ୍ତ କମିସନଙ୍କ ରିପୋର୍ଟ ହଜିବା ନେଇ ଏଫ୍‌ଆଇଆର୍‌ ଦିଆଯିବା ପରେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି ଯେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଏବଂ ଅନ୍ୟାନ୍ୟଙ୍କ ହତ୍ୟାକାଣ୍ଡ ଉପରେ ଜଷ୍ଟିସ ଏ.ଏସ୍‌ ନାଇଡ଼ୁ କମିସନଙ୍କ ତଦନ୍ତ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ମେଡିକାଲ କଲେଜ ଏବଂ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ଆର୍‌ଡିସିଙ୍କ ତଦନ୍ତ ରିପୋର୍ଟ ଦୁଇ କମିସନ ବିଭିନ୍ନ ସମୟରେ ଗୃହ ବିଭାଗକୁ ଦେଇଥିଲେ।

ଏହାପରେ ଗୃହ ବିଭାଗ ପକ୍ଷରୁ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସିଏମ୍‌ଓକୁ ପଠାଯାଇଥିଲା।

ନାଇଡୁ କମିସନଙ୍କ ରିପୋର୍ଟ ଗୃହ ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୬, ୨୦୧୬ରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରେ ଦିଆଯାଇଥିବାବେଳେ ସେଠାରୁ ସେପ୍ଟେମ୍ବର ୧୯, ୨୦୧୬ରେ ସିଏମ୍‌ଓକୁ ଯାଇଥିଲା।

ସେହିପରି ଆର୍‌ଡିସି ତଦନ୍ତ ରିପୋର୍ଟ ମେ" ୨୩, ୨୦୧୮ରେ ମୁଖ୍ୟସଚିବଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିବାବେଳେ ସେଠାରୁ ମେ" ୨୪‌, ୨୦୧୮ରେ ସିଏମ୍‌ଓକୁ ଯାଇଥିଲା।

ଏବେ ଗୃହ ବିଭାଗ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ମିଳୁନଥିବା ଜାଣିବା ପରେ ବହୁତ ଖୋଜାଖୋଜି କରାଯାଇଥିଲା।

କିନ୍ତୁ କମିସନଙ୍କ ରିପୋର୍ଟ ମିଳିଲାନି।

ଏଫ୍‌ଆଇଆର୍‌ରେ କୁହାଯାଇଛି ଯେ ଏହି ଦୁଇଟି ରିପୋର୍ଟ ଯେଉଁ ପରିସ୍ଥିତିରେ ହଜିଛି, ବିଶେଷକରି ଅନ୍ୟ ଫାଇଲଗୁଡ଼ିକ ଫେରି ଆସିଥିଲେ ହେଁ ଏହା ନମିଳିବା ଅନେକ ଦିଗ ଉପରେ ସନ୍ଦେହ ସୃଷ୍ଟି କରୁଛି।

ଏହି ତଦନ୍ତ ରିପୋର୍ଟଗୁଡ଼ିକୁ ଉଦ୍ଦେଶ୍ୟମୂଳକ ଭାବେ ହଜାଇ ଦିଆଯାଇଛି, ନଷ୍ଟ କରାଯାଇଛି, ଲୁଚାଇ ରଖାଯାଇଛି କିମ୍ବା ବେଆଇନ ଭାବେ ବ୍ୟବହାର କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଉକ୍ତ ରିପୋର୍ଟଗୁଡ଼ିକ ନ୍ୟାୟିକ ତଦନ୍ତ କମିସନ ଦ୍ୱାରା ପ୍ରସ୍ତୁତ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅଭିଲେଖ ଅଟେ।

ସରକାରୀ ହେପା‌ଜତରୁ ସେଗୁଡ଼ିକ ନିଖୋଜ ହେବା ଚିନ୍ତାର ବିଷୟ।

ତେଣୁ ଏହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଆବଶ୍ୟକ।

ଉପରୋକ୍ତ ତଥ୍ୟ ଓ ପରିସ୍ଥିତି ଦର୍ଶାଉଛି ଯେ ଅନଧିକୃତ ଭାବେ ସରକାରୀ ରେକର୍ଡ ହଟାଇବା, ଅପରାଧୀକ ବିଶ୍ୱାସଭଙ୍ଗ, ସରକାରୀ ରେକର୍ଡ ଲୁଚାଇବା କିମ୍ବା ନଷ୍ଟ କରିବା ସମ୍ବନ୍ଧୀୟ ସଂଗୀନ ଅପରାଧ।

ତେଣୁ ଉପରୋକ୍ତ ତଥ୍ୟଗୁଡ଼ିକୁ ଦୃଷ୍ଟିରେ ରଖି, ରିପୋର୍ଟଗୁଡ଼ିକ ନିଖୋଜ ହେବାର ପରିସ୍ଥିତିର ତଦନ୍ତ କରିବା ସହ ଦାୟୀ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।