FIFA To Sell World Cup Final Pitch: ବିଶ୍ୱକପ୍ ଫାଇନାଲ ପିଚ୍‌ର ଘାସ ବିକ୍ରି କରିବ ଫିଫା, ଦାମ ଶୁଣି ଚମକିପଡ଼ିବେ

Jul 11, 2026 - 19:12
FIFA To Sell World Cup Final Pitch: ବିଶ୍ୱକପ୍ ଫାଇନାଲ ପିଚ୍‌ର ଘାସ ବିକ୍ରି କରିବ ଫିଫା, ଦାମ ଶୁଣି ଚମକିପଡ଼ିବେ

ଫିଫା ବିଶ୍ୱକପ୍‌କୁ ନେଇ ସବୁଠାରୁ ବଡ଼ ଖବର। ଏବେ ବିଶ୍ୱକପ୍ ଫାଇନାଲ ମ୍ୟାଚ୍‌ର ଘାସକୁ ବି ବିକିବ ଫିଫା। ଗୋଟିଏ ଛୋଟ ଖଣ୍ଡ ଘାସର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଟିକେଟ୍ ପରେ ଏବେ ଖେଳପଡ଼ିଆର ଘାସ ବିକି କୋଟି କୋଟି ଟଙ୍କା କମାଇବାକୁ ଯୋଜନା କରିଛି ଫିଫା।  

'ଫିଫା' ନିଜର ଏହି ଅଜବ ନିଷ୍ପତ୍ତି ପାଇଁ ଏବେ ଚର୍ଚ୍ଚାରେ। ଆମେରିକାର ନ୍ୟୁଜର୍ସିରେ ଥିବା ମେଟ୍‌ଲାଇଫ୍ ଷ୍ଟାଡିୟମ୍‌ରେ ଆସନ୍ତା ଜୁଲାଇ ୧୯ରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମହାଫାଇନାଲ୍‌ର ପିଚ୍ ବା ଖେଳପଡ଼ିଆର ଘାସକୁ ବିକ୍ରି କରିବାକୁ ଘୋଷଣା କରିଛି ଫିଫା। ଏହି ଐତିହାସିକ ଫାଇନାଲ୍ ମ୍ୟାଚ୍‌ର ପ୍ରତିଟି ଛୋଟ ଘାସ ଖଣ୍ଡର ମୂଲ୍ୟ ଧାର୍ଯ୍ୟ କରାଯାଇଛି ୪୫୦ ଆମେରିକୀୟ ଡଲାର, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୩,୦୦୦ ଟଙ୍କା।

ଫିଫା ରିପୋର୍ଟ ଅନୁଯାୟୀ ଘାସ ଖଣ୍ଡକୁ ଏକ ପ୍ରିମିୟମ୍ ଆକ୍ରିଲିକ୍ ବାକ୍ସ ଭିତରେ ସୁରକ୍ଷିତ କରି ରଖାଯିବ ଏବଂ ଏହା ସହିତ ଏକ ୟୁଏସ୍‌ବି କିପ୍‌ସେକ୍ ମଧ୍ୟ ଦିଆଯିବ। ଏହି ୟୁଏସ୍‌ବିରେ ଘାସର ପ୍ରମାଣିକତା ଦେଖାଉଥିବା ଏକ ଫିଲ୍ମ ମଧ୍ୟ ରହିବ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଫିଫା ଷ୍ଟୋରରେ ଏହି ଘାସର ସାଇଜ୍ ୧୭.୫ x ୧୭.୫ x ୧୭.୫ ଲେଖାଯାଇଛି, ହେଲେ ଏହା ଇଞ୍ଚ, ସେଣ୍ଟିମିଟର ନା ମିଲିମିଟର ତାହା ସ୍ପଷ୍ଟ କରାଯାଇ ନାହିଁ। 

ଏହି ଫାଇନାଲ ପିଚ୍‌ର ଘାସ କେବଳ ଆମେରିକା ଏବଂ ୟୁରୋପର ଠିକଣାରେ ହିଁ ଡେଲିଭରି କରାଯିବ ଏବଂ ଜୁଲାଇ ୧୯ ଫାଇନାଲ୍ ମ୍ୟାଚ୍ ଶେଷ ହେବା ପରେ ହିଁ ଏହାର ସିପିଂ ଆରମ୍ଭ ହେବ।

ମେଟ୍‌ଲାଇଫ୍ ଷ୍ଟାଡିୟମ୍‌ର ଏହି ପିଚ୍‌କୁ ନେଇ ପୂର୍ବରୁ ହିଁ ଖେଳାଳି ଓ କୋଚ୍‌ମାନେ ଅସନ୍ତୋଷ ପ୍ରକାଶ କରିସାରିଛନ୍ତି। ସାଧାରଣତଃ ଏହି ଷ୍ଟାଡିୟମ୍‌ରେ ଆର୍ଟିଫିସିଆଲ୍ ଟର୍ଫ ବ୍ୟବହାର ହେଉଥିବା ବେଳେ ବିଶ୍ୱକପ୍ ପାଇଁ ଏଠାରେ ପ୍ରାକୃତିକ ଘାସ ଲଗାଯାଇଛି, ଯାହାର ଗୁଣବତ୍ତା ଖରାପ ବୋଲି ଅଭିଯୋଗ ହୋଇଛି।

କେବଳ ଘାସ ନୁହେଁ, ଚଳିତ ବିଶ୍ୱକପ୍‌ରେ ଟିକେଟ୍ ମୂଲ୍ୟକୁ ନେଇ ମଧ୍ୟ ଫିଫା ଆକାଶଛୁଆଁ ଦାମ ଆଦାୟ କରୁଥିବା ଅଭିଯୋଗ ହେଉଛି। ଫାଇନାଲ୍ ମ୍ୟାଚ୍‌ର ଗୋଟିଏ ସାଧାରଣ ଟିକେଟ୍‌ର ସର୍ବାଧିକ ଦାମ ୩୨,୯୭୦ ଡଲାର (ପ୍ରାୟ ୩୧.୪ ଲକ୍ଷ ଟଙ୍କା) ରହିଛି।

ଖାଦ୍ୟ ଓ ପାନୀୟ ସାମିଲ ଥିବା ହସ୍ପିଟାଲିଟି ଟିକେଟ୍‌ର ମୂଲ୍ୟ ୩୨,୫୦୦ ରୁ ୩୪,୫୦୦ ଡଲାର (ପ୍ରାୟ ୩୩ ଲକ୍ଷ ଟଙ୍କା) ପର୍ଯ୍ୟନ୍ତ ରଖାଯାଇଛି। ଏତେ ମହଙ୍ଗା ଟିକେଟ୍ ପରେ ଏବେ ୪୩ ହଜାର ଟଙ୍କାରେ ପଡ଼ିଆର ଘାସ ବିକିବା ଫିଫାର ନୂଆ ବ୍ୟବସାୟିକ ରଣନୀତିକୁ ସ୍ପଷ୍ଟ କରୁଛି, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର୍ ଧରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।