Fake Employees, Real Salaries: ପୋଲିସରେ ୬.୪୧ କୋଟି ଟଙ୍କାର ଦରମା ଦୁର୍ନୀତି! ୧୦ ଜଣ 'ଭୂତ କର୍ମଚାରୀ'ଙ୍କ ନାଁରେ ଯାଉଥିଲା ଦରମା
ପୋଲିସ ବିଭାଗର ଦରମା ବ୍ୟବସ୍ଥାରେ ୬.୪୧ କୋଟି ଟଙ୍କାର ଏକ ବଡ଼ ଆର୍ଥିକ ଦୁର୍ନୀତି ସାମ୍ନାକୁ ଆସିଛି। ପୁରୁଣା 'ସେବାର୍ଥ' ବେତନ ପୋର୍ଟାଲରୁ ନୂତନ ସଫ୍ଟୱେରକୁ କର୍ମଚାରୀଙ୍କ ତଥ୍ୟ ସ୍ଥାନାନ୍ତର ବେଳେ ଏହି ଜାଲିଆତି ଧରାପଡ଼ିଛି।
ତଦନ୍ତରେ ଜଣାପଡ଼ିଛି ଯେ, ୨୦୧୯ରୁ ୨୦୨୦ ମଧ୍ୟରେ ପ୍ରତିମାସ ପ୍ରାୟ ୬.୫ କୋଟି ଟଙ୍କା ଏଭଳି ୧୦ ଜଣ 'କର୍ମଚାରୀ'ଙ୍କ ନାଁରେ ଦରମା ଭାବେ ଜମା ହେଉଥିଲା। ସେମାନେ ବାସ୍ତବରେ ପୋଲିସ ବିଭାଗର କର୍ମଚାରୀ ନଥିଲେ।ଛଅ ବର୍ଷ ପରେ ଏହି ଜାଲିଆତିର ପର୍ଦ୍ଦାଫାସ ହୋଇଛି।
ଜଣେ ପୋଲିସ ଅଧିକାରୀଙ୍କ ଅଭିଯୋଗ ଅନୁସାରେ, ୧୦ ଜଣ ଅଣ-ପୁଲିସ ବ୍ୟକ୍ତିଙ୍କୁ କାଗଜପତ୍ରରେ ପୋଲିସ କର୍ମଚାରୀ ଭାବେ ଦର୍ଶାଇ ସେମାନଙ୍କ ବ୍ୟାଙ୍କ ଖାତାକୁ ନିୟମିତ ଭାବେ ଦରମା ପଠାଯାଉଥିଲା। ମୁମ୍ୱାଇ ପୋଲିସ ବିଭାଗରେ ଏହି ଘଟଣା ଘଟିଛି ।
ଏଫଆଇଆର୍ରେ ଥିବା ୧୦ଟି ଜାଲି ନାମ ହେଲା— ରାମଦାସ ଭୋଗଲେ, ସୁଧାକର କଦମ, ସରଜୁ ଯାଦବ, ଭଗବତ ଭୋସଲେ, ଗୁଣାଜୀ ଖାଭକର, ମହାଦେବ ହାଲଦଙ୍କର, ରାଜେନ୍ଦ୍ର ସୋନାର, ଉତ୍ତମ ଥୋରାଟ, ସୂର୍ଯ୍ୟକାନ୍ତ ପାଟିଲ ଏବଂ ପାଣ୍ଡୁରଙ୍ଗ କଦମ।
ପୋଲିସର କହିବା ଅନୁସାରେ, ଡିସେମ୍ବର ୨୦୧୯ରୁ ଫେବୃଆରୀ ୨୦୨୦ ଏବଂ ଜୁନ୍ରୁ ସେପ୍ଟେମ୍ବର ୨୦୨୦ ମଧ୍ୟରେ ସର୍ବାଧିକ ଅନଧିକୃତ ଦରମା କାରବାର ହୋଇଥିଲା।
ତଦନ୍ତରେ ଅଭିଯୋଗ ହୋଇଛି ଯେ, ମନ୍ତ୍ରଣାଳୟ ସ୍ତରର କିଛି କିରାଣୀ ପରସ୍ପର ମିଶି ନକଲି ଉପସ୍ଥାନ ଖାତା ଓ କର୍ମଚାରୀଙ୍କ ରେକର୍ଡ ପ୍ରସ୍ତୁତ କରିଥିଲେ। ସେମାନେ ବାହାର ଲୋକଙ୍କ ନାଁକୁ ପେ-ରୋଲରେ ଯୋଡ଼ି ସେମାନଙ୍କୁ ଦରମା ମଞ୍ଜୁର କରିଥିବା ଅଭିଯୋଗ ହୋଇଛି।
ଏହି ମାମଲାରେ ସେତେବେଳର ୫ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ପୂର୍ବତନ ପ୍ରଶାସନିକ ଅଧିକାରୀ ରାମକିଶନ ଗୋସ୍ୱାମୀ, ନାଗେଶ ତାଲଭାଡେକର, ବିଜୟା ଚାଭାନ, ମୁଖ୍ୟ କିରାଣୀ ଅଜୟ ରାଠୋଡ଼ ଓ ବରିଷ୍ଠ କିରାଣୀ ଅମୋଲ ମେଶ୍ରାମ ଅଛନ୍ତି।
ସେମାନଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ ଅନୁଯାୟୀ ଠକେଇ, ଜାଲିଆତି, ବିଶ୍ୱାସଭଙ୍ଗ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ମାମଲା ରୁଜୁ କରାଯାଇଛି।
ଅଭିଯୋଗ ଆଧାରରେ ବିଜୟା ଚଭାନ ଓ ଅମୋଲ ମେଶ୍ରାମଙ୍କୁ ନିଲମ୍ବିତ କରାଯାଇଛି। ସେମାନେ ଜାଲି ସର୍ଭିସ ଆଇଡି ଏବଂ DCPS (Defined Contribution Pension Scheme) ଆଇଡି ସୃଷ୍ଟି କରି ଅନଧିକୃତ ଦରମା ପ୍ରଦାନ କରିଥିବା ଅଭିଯୋଗ ରହିଛି।
ନିଲମ୍ବନ ସମୟରେ ସେମାନଙ୍କୁ କୌଣସି ବେସରକାରୀ ଚାକିରି କିମ୍ବା ବ୍ୟବସାୟ କରିବାକୁ ବାରଣ କରାଯାଇଛି। ଜୀବିକା ଭତ୍ତା ପାଇବା ପାଇଁ ନିୟମିତ ଘୋଷଣାପତ୍ର ଦାଖଲ କରିବା ସହ ପୂର୍ବ ଅନୁମତି ବିନା ବୃହନ୍ମୁମ୍ବାଇ ସୀମା ଛାଡ଼ି ଯିବାକୁ ମଧ୍ୟ ମନା କରାଯାଇଛି।
ବର୍ତ୍ତମାନ ପୋଲିସ ସେହି ୧୦ ଜଣ ଜାଲି 'କର୍ମଚାରୀ'ଙ୍କ ପରିଚୟ ଏବଂ ସେମାନଙ୍କ ନାଁରେ ଖୋଲାଯାଇଥିବା ବ୍ୟାଙ୍କ ଖାତାକୁ କିଏ ପରିଚାଳନା କରୁଥିଲା, ତାହାର ତଦନ୍ତ କରୁଛି।
ଏହାପୂର୍ବରୁ ଧୁଳେ ଏବଂ ଲାତୁର ଜିଲ୍ଲାରେ ମଧ୍ୟ ଏଭଳି ଛୋଟ ଧରଣର ପେ-ରୋଲ୍ ଜାଲିଆତି ମାମଲା ସାମ୍ନାକୁ ଆସିଥିଲା। ଏହା ପରେ ମହାରାଷ୍ଟ୍ରର ସମସ୍ତ ଦରମା ବ୍ୟବସ୍ଥାର ସୁରକ୍ଷା ଓ ତ୍ରୁଟିର ସମୀକ୍ଷା ଆରମ୍ଭ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।