Facebook Friendship Ends in Horror; କାଳ ସାଜିଲା ଫେସବୁକ୍ ପ୍ରେମ; ଯିଏ ଥିଲା ବନ୍ଧୁ ସେ ହିଁ ନିଆଁ ଲଗାଇ ଜାଳିଦେଲା
କାଳ ସାଜିଲା ଫେସବୁକ ରୁ ପ୍ରେମ। ଯାହାକୁ ବନ୍ଧୁ ଭାବୁଥିଲେ ସେ ହିଁ ଜାଳିଦେଲା। ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁଇ ଦିନ ତଳେ ଯେଉଁ ଘରେ ଖାଇକି ଆସିଥିଲା ସେଇ ଘରେ ରାତି ଅଧରେ ପଶି କିରୋସିନ୍ ଢାଲି ଯୁବତୀଙ୍କୁ ଜାଳିଛି ଯୁବକ। ଏବେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବତୀଙ୍କ ପରିବାର ନ୍ୟାୟ ମାଗୁଛି।...କିନ୍ତୁ ବାରମ୍ବାର ଏଇ ହେଟଷ୍ଟୋରୀ ଟ୍ରେଣ୍ଡ ଏବେ ଚିନ୍ତା ବଢ଼ାଇଛି।
ଯାହାର ହାତ ଧରିବ ଭାବିଥିଲା ସେ ହିଁ ନିଆଁ ଲଗାଇ ଯନ୍ତ୍ରଣା ଦେଲା...ଫେସବୁକରୁ ଫ୍ରେଣ୍ଡସିପ୍, ବନ୍ଧୁତାରୁ ପ୍ରେମ ଆଉ ସେଇ ପ୍ରେମର ନିଆଁରେ ଜଳିପୋଡ଼ି ଏବେ ଜୀବନ ସହ ଲଢ଼ୁଛି ଝିଅଟି। ମହାରାଷ୍ଟ୍ର ପୁଣେ ସିଆ-କେତନ ହେଟ୍ ଷ୍ଟୋରୀ ତ ସାରା ଦେଶକୁ ଦୋହଲାଇ ଦେଇଥିଲା। କିନ୍ତୁ ଏବେ ରାଉରକେଲାରେ ଯାହା ଘଟିଛି ତାପରେ ପ୍ରେମ କରିବାକୁ ମଣିଷ ଡରିବ, କାହା ସହ ବନ୍ଧୁତା କରିବାକୁ ଶହେ ଥର ଭାବିବ।
ଏକତରଫା ପ୍ରେମର ଜ୍ବାଳାରେ ଜଳୁଥିବା ରଜତ କିରୋ, ଜାଳି ଦେଇଛି ନିଜ ବାନ୍ଧବୀଙ୍କୁ। ୨୬ ତାରିଖ ରାତି ସାଢ଼େ ୧୧ଟା... ରାଉରକେଲା ବିଶ୍ରା ଥାନା ଅଂଚଳରେ ଥିବା ଯୁବତୀଙ୍କ ଘରେ ପହଞ୍ଚିଥିଲା ରଜତ। ଝରକା ବାଟେ କିରୋସିନ୍ ଫିଙ୍ଗି ଫିଙ୍ଗି ଚାଲିଥିଲା। ନିଦରେ ଥିଲେ ପୀଡ଼ିତା, କିଛି ଜାଣିନଥିଲେ। ଆଉ ଜାଣିବା ବେଳକୁ ହୁତୁ ହୁତୁ ହେଇ ସବୁ ଜଳିବାକୁ ଲାଗିଥିଲା। ନା ବୁଝିବାକୁ ସମୟ ଥିଲା ନା ବର୍ତ୍ତିବାକୁ। ଏବେ ସେ ଗୁରୁତର, ଘରୋଇ ମେଡିକାଲରେ ମୃତ୍ୟୁ ସହ କରୁଛନ୍ତି ସଂଗ୍ରାମ।
ଦି’ ଦିନ ତଳେ ପୀଡ଼ିତାଙ୍କ ଘରକୁ ଆସିଥିଲା ଅଭିଯୁକ୍ତ ରଜତ। ଖାଇଥିଲା, ଭଲ ମନ୍ଦ କଥା ବି ହେଇଥିଲା କିନ୍ତୁ ଏଇ କୋମଳ ଚେହେରା ତଳେ ଯେ ଏତେ ବଡ଼ ଖଳନାୟକ ଲୁଚି ଥିବ ସେ କଥା କିଏ ବା ବୁଝିବେ। ଭେଦି ପାରିନଥିଲେ ଷଡ଼ଯନ୍ତ୍ରକୁ, ବୁଝି ପାରିନଥିଲେ ଏଇ ଛଳନା ଭରା ସମ୍ପର୍କକୁ। ପୀଡ଼ିତା ରଜତକୁ ବନ୍ଧୁ ଭାବୁଥିଲେ.. କିନ୍ତୁ ମନରେ ମନରେ ଅନେକ ସ୍ବପ୍ନ ଦେଖି ସାରିଥିଲା ରଜତ।
ମାସେ ହେଲା ରଜତକୁ ଏକଥା ବି ଜଣେଇ ସାରିଥିଲେ ପୀଡ଼ିତା। ତେଣୁ ଉଭୟଙ୍କ ଭିତରେ ବଢ଼ିଥିଲା ଦୂରତା।...ହେଲେ ପଛକୁ ହଟିବା ମୁଡ୍ ରେ ନଥିଲା ରଜତ। ଭୁବନେଶ୍ବରରେ ୱାର୍ଡ ବୟ୍ ଭାବେ ମେଡିକାଲରେ କାମ କରୁଥିବା ରଜତ, ଯୋଜନା ମୁତାବକ ଗଲା ଶୁକ୍ରବାର ଦିନ ଯୁବତୀଙ୍କୁ ଜାଳି ଗାଁ ପାଖ ପାହାଡ଼ ଉପରେ ଲୁଚିଥିଲା।
ସମ୍ପର୍କର ସେତୁ ଏତେ ପତଳା କାହିଁକି ଦିନକୁ ଦିନ ହେଉଛି ? ଯାହାକୁ ଦୁନିଆର ସବୁଠୁ ଅଧିକ ଭଲ ପାଇବାକୁ ମନ କହୁଛି ତାକୁ କାହିଁକି ଶେଷ କରି ଦେବାକୁ ହାତ ଯାଉଛି ? ବଢ଼ୁଥିବା ଏଇ ଟ୍ରେଣ୍ଡ ଏବେ ଚିନ୍ତାର ବିଷୟ ପାଲଟିଛି।