Eleven Lives Lost Within 24 Hours: ରକ୍ତ ପିଉଛି ରାଜରାସ୍ତା, ମୁଣ୍ଡ ଗଡୁଛି ପ୍ରତିଦିନ; ସଡ଼କ ସୁରକ୍ଷାକୁ ନେଇ ବଢ଼ିଲା ଉଦବେଗ

Jul 23, 2026 - 20:09
Eleven Lives Lost Within 24 Hours: ରକ୍ତ ପିଉଛି ରାଜରାସ୍ତା, ମୁଣ୍ଡ ଗଡୁଛି ପ୍ରତିଦିନ; ସଡ଼କ ସୁରକ୍ଷାକୁ ନେଇ ବଢ଼ିଲା ଉଦବେଗ

ଏମିତି କୌଣସି ଦିନ ନାହିଁ, ଦୂର୍ଘଟଣାଶୂନ୍ୟ ରହିଛି। ଏମିତି କେଉଁ ରାସ୍ତା ନାହିଁ, ମଣିଷ ରକ୍ତରେ ରକ୍ତରଂଜିତ ହୋଇନି। ପ୍ରାୟତଃ ପ୍ରତିଦିନ ମୁଣ୍ଡ ଗଡୁଛି, ରକ୍ତ ପିଉଛି ରାଜରାସ୍ତା। ଆଜି ଆମେ ଆପଣଙ୍କୁ ୪ ଜିଲ୍ଲାରୁ ଆସିଥିବା ସଡ଼କ ଦୁର୍ଘଟଣାର ୪ଟି ଦୁର୍ଭାଗ୍ୟଜନକ କାହାଣୀ ଦେଖାଉଛୁ। କେଉଁଠି ଦ୍ରୁତଗତି ଯୋଗୁ ସନ୍ତାନ ଶୂନ୍ୟ ହୋଇଯାଇଛନ୍ତି ବାପା-ମା’ ତ ଆଉ କାହା ସଂସାର ଉଜୁଡ଼ିଯାଇଛି। ଢେଙ୍କାନାଳରୁ ଭଦ୍ରକ, କେନ୍ଦୁଝରରୁ ନୂଆପଡ଼ା। ୨୪ ଘଣ୍ଟା ଭିତରେ ୧୧ ଜଣଙ୍କ ପ୍ରାଣହାନୀ ଉଦବେଗ ବଢ଼ାଇଛି ସାରା ରାଜ୍ୟରେ।    

ଏମାନେ ବାପା ମା’ଙ୍କ ଅନ୍ଧର ଲଉଡ଼ି ଥିଲେ...ସାହା ଭରସାର କାନ୍ଧ ସାଜିଥିଲେ...ହେଲେ ଆଜି ଗୋଟି ଗୋଟି ହୋଇ ଆମ୍ବୁଲାନ୍ସରେ ବୁହା ହୋଇଯାଉଛନ୍ତି ଅଫେରା ବାଟକୁ...ଯେଉଁ ବାଟ ଦେଇ ଆଉ କେହି କେବେ ଫେରେନାହିଁ...ଆଜି ମା କାନ୍ଦୁଛି, ଗାଁ କାନ୍ଦୁଛି, ଆତ୍ମୀୟ ସ୍ବଜନଙ୍କ ଛାତି ଫାଟିଯାଉଛି। ସଡ଼କ ଦୁର୍ଘଟଣାରେ ପାଞ୍ଚ ପାଞ୍ଚ ଜଣ ଭେଣ୍ଡିଆ ଟୋକାଙ୍କ ଅକାଳ ବିୟୋଗ ଆଜି ନବ ବିବାହିତ ସାଙ୍ଗକୁ ବଡ଼ ଧକ୍କା ଦେଇଛି। ବାହାଘର ଏଇଠି ଶୋକର ସାଗର ପାଲଟିଯାଇଛି। ନିକି ୱେଡ୍ସ ରକି। ଢେଙ୍କାନାଳ ଇନ୍ଦିପୁରର ସାଙ୍ଗ ରକିର ବାହାଘରକୁ ବରଯାତ୍ରୀ ହୋଇଯାଇଥିଲେ। କିନ୍ତୁ ଫେରିଲେ ଶବ ହୋଇ। ଗୁରବାର ଭୋରରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୫ ଜଣଙ୍କ ଜୀବନ। ୨୫ରୁ ୩୧ ବର୍ଷ ବୟସ ଭିତରେ ଥିବା ଏହି ୫ ଯୁବକଙ୍କ ଏଭଳି ମରଣ ଶୋକରେ ବୁଡ଼ାଇଦେଇଛି ସମସ୍ତଙ୍କୁ।

ଗୁରୁବାର, ଭୋର ପ୍ରାୟ ୩ଟା। ବାଙ୍ଗୁରସିଂହ ଗାଁର ଚନ୍ଦ୍ରକାନ୍ତ ସ୍ୱାଇଁଙ୍କ ଏହି କାରରେ ଥିଲେ ରାକେଶ ସାହୁ, ଶ୍ରୀରାମ ସାହୁ, ଅବିନାଶ ସାହୁ ଢେଙ୍କାନାଳ ବନମାଳୀପ୍ରସାଦର ଅଭିଜିତ ସାହୁ, ବାଙ୍ଗୁରସିଂହର ସୌମ୍ୟରଞ୍ଜନ ସାହୁ ଓ ବବୁଲ ସାହୁ। ଇନ୍ଦିପୁରରେ ଥିବା ସାଙ୍ଗ ରକିଙ୍କ ବାହାଘରକୁ ଯାଇଥିଲେ ବରଯାତ୍ରୀ ସାଜି। ଖାଇପିଇ ନିଜ ନିଜ ଗାଁକୁ ଫେରିଯିବା କଥା। ତାହା ନକରି ଅଧବାଟରେ ପୁଣି କାରକୁ ଫେରାଇ ଇନ୍ଦିପୁର ମୁହାଁ ହୋଇଥିଲେ। କିନ୍ତୁ ଦୁର୍ଭାଗ୍ୟ, ଛାଟିଆ ଗାଁ ନିକଟ ବୁଲାଣିରେ ଭାରସାମ୍ୟ ହରାଇ କାରଟି ପୋଖରୀ ଭିତରକୁ ସିଧା ପଶି ଯାଇଥିଲା। ସୌଭାଗ୍ୟକୁ ଡୋର୍ ଖୋଲି ସୌମ୍ୟରଞ୍ଜନ ଓ ବବୁଲ ନିଜ ନିଜ ଜୀବନ ବଞ୍ଚାଇ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ। ତଥାପି ସମ୍ଭବ ହୋଇପାରିଲାନି। ଫଳରେ କାର ଚାଳକ ଚନ୍ଦ୍ରକାନ୍ତଙ୍କ ସହ ରାକେଶ, ଶ୍ରୀରାମ, ଅବିନାଶ ଏବଂ ଅଭିଜିତ କାର୍ ଭିତରେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। 

ବୁଧବାରର ଅଶୁଭ ରାତିରେ ଅନ୍ୟାନ୍ୟ ସ୍ଥାନରେ ବି ଭୟଙ୍କର ସଡ଼କ ଦୁର୍ଘଟଣାରେ ଯାଇଛି ଅନ୍ୟ ୬ ଜଣଙ୍କ ଜୀବନ। ଦେଖନ୍ତୁ ଭଦ୍ରକ ୧୬ ନମ୍ୱର୍ ଏନଏଚର ଏହି ଦୃଶ୍ୟକୁ। ଭଣ୍ଡାରିପୋଖରୀ ଥାନା ମଶୋଟିକିରିରେ ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ୨ ବୁଲେଟ୍ ଆରୋହୀ।...ତେଣେ କେନ୍ଦୁଝର ଚମ୍ପୁଆ ଥାନା ରଜିଆ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ କାର୍ ପିଟି ହୋଇ ଗୋଟିଏ ପରିବାରର ୩ ଜଣ ଜୀବନ ହରାଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି।...ଆଉ ନୂଆପଡ଼ା ସଦର ମହକୁମାର ଏକ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଦାୟିତ୍ବହୀନ ଡ୍ରାଇଭିଂର ଦୃଶ୍ୟ ତ ଛାତି ଥରାଇ ଦେଉଛି। ବାଇକରେ ତେଲ ପକାଇ ଗୋଟିଏ ବାଇକରେ ୩ ଜଣ ବସି NHକୁ ଯିବାବେଳେ ଏକ ମାଲ ବୋଝେଇ ଟ୍ରକ ସହ ଧକ୍କା ଖାଇଥିଲେ। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଆରୋହୀ ମରଣ ସହ ସଂଘର୍ଷ କରୁଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତଥ୍ୟ କହୁଛି,

୨୦୨୦ରୁ ୨୦୨୪ ମଧ୍ୟରେ ଅର୍ଥାତ ୫ ବର୍ଷରେ ଓଡ଼ିଶାର ରାଜପଥରେ ୨୧ ହଜାର ୨୧୯ଟି ଦୁର୍ଘଟଣାରେ ଗଲାଣି ୧୦ ହଜାର ୪୯୫ ଜଣଙ୍କର ଜୀବନ। ବ୍ୟାପକ ସଚେତନତା ସତ୍ତ୍ବେ ରାଜ୍ୟରେ ଏଭଳି ଦୁର୍ଘଟଣା, ଜନସୁରକ୍ଷା ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।