Eleven Juang Girls Lose Their Lives: ଦିନେ ଭିଟାମାଟି ଛାଡ଼ି ପାଦେ ବି ବାହାରକୁ ଯାଉନଥିଲେ; ଆଜି ସେମାନଙ୍କ ଉପରେ ଦାଦନ ଦଲାଲଙ୍କ ନଜର
ପ୍ରକୃତି କୋଳରେ ହସୁଥିବା ସ୍ବତନ୍ତ୍ର ଆଦିମ ଜନଜାତି 'ଜୁଆଙ୍ଗ'। ଯେଉଁମାନେ ଦିନେ ଭିଟାମାଟି ଛାଡ଼ି ପାଦେ ମଧ୍ୟ ବାହାରକୁ ଯାଉନଥିଲେ, ଆଜି ସେମାନଙ୍କ ଉପରେ ପଡ଼ିଛି ଦାଦନ ଦଲାଲଙ୍କ ନଜର । କେନ୍ଦୁଝର ଛାଡ଼ି ହଜାରେ କିଲୋମିଟର ଦୂର ତାମିଲନାଡୁରେ ଜୀବନ ହାରୁଛନ୍ତି ଜଣେ ପରେ ଜଣେ ଜୁଆଙ୍ଗ ଝିଅ। ତାମିଲନାଡ଼ୁ ଗ୍ୟାସ୍ ଟ୍ରାଜେଡିରେ ୧୧ ନାବାଳିକା ଜୁଆଙ୍ଗ ଝିଅଙ୍କ ଜୀବନ ଯିବାପରେ ସାମ୍ନାକୁ ଆସିଛି ଦାଦନ ଚାଲାଣର ଭୟଙ୍କର ସତ ।
କାନ୍ଦି କାନ୍ଦି ଛାତି ଫାଟିଯାଉଛି। ଲୁହ ଶୁଖିଯାଉଛି, ହେଲେ ଛାତି ଭିତରର ଲହୁଗୁଡ଼ା କୋହ ହୋଇ ବାହାରି ଆସୁଛି। ଏଠି ଫଟୋ ହସୁଛି କିନ୍ତୁ ମାଆ କାନ୍ଦୁଛି। ନାଁ ଆଖିରେ ପଲକ ପଡ଼ୁଛି, ନା ଭୋକଶୋଷ ଲାଗୁଛି। କେମିତି ବା ଲାଗିବ...ଯୋଉ ଝିଅ ଥିଲା ପରିବାରର ଆଶାଭରସା, ସିଏ ଆଜି ଶବ ପାଲଟିଯାଇଛି। ଘରର ଦୁଃଖ ଦୂର କରିବାକୁ ଘର ଛାଡ଼ିଥିଲା, ହେଲେ ଆଉ ଘରକୁ ଫେରିଲାନି। ଘରେ ରହିଯାଇଛି ତ, କେବଳ ତାର ଫଟୋ ଖଣ୍ଡିକ...ପ୍ରତି ମୁହୂର୍ତ୍ତରେ ଫଟୋ ଭିତରେ ବଢିଲା ଝିଅକୁ ଅଣ୍ଡାଳି ଚାଲିଛି ମାଆ।
ଝିଅ ଯେ ଆଉ ଫେରିବନି, ଏକଥା ଜାଣିଥିଲେ ବି ମନ ମାନୁନି...ତାମିଲନାଡୁ ଗ୍ୟାସ ଟ୍ରାଜେଡିରେ କେନ୍ଦୁଝର ତେଲକୋଇ ଅଞ୍ଚଳର ସୁମିତ୍ରା ଜୁଆଙ୍ଗଙ୍କ ମୃତ୍ୟୁ ଖବର ପାଇବା ପରେ ଧର୍ଯ୍ୟହରା ହୋଇପଡ଼ିଛନ୍ତି ମାଆ। ଏଇ ବର୍ଷ ଝିଅ ଦଶମ ଶ୍ରେଣୀ ପାସ୍ କରିଥିଲା। ହେଲେ ପରିବାରର ଆର୍ଥିକ ଅନଟନ ତାକୁ ସଜେଇଦେଇଥିଲା ଦାଦନ। ଆଉ ଶେଷରେ ତାମିଲନାଡ଼ୁରେ ଶବ ପାଲଟିଯାଇଛି ସୁମିତ୍ରା।
ଖାଲି ସୁମିତ୍ରା ନୁହଁନ୍ତି। ରାତି ପାହିଲେ ତାମିଲନାଡ଼ୁରୁ ଆସୁଛି ଗୋଟିଏ ପରେ ଗୋଟିଏ ମୃତ୍ୟୁର ଖବର। ଜଣଙ୍କର ଜୁଇ ନ ଲିଭୁଣୁ ଆଉ ଗୋଟିଏ ଶବ ଆସି ପହଞ୍ଚି ଯାଉଛି। ଗ୍ୟାସ୍ ଟ୍ରାଜେଡିରେ ଜଣ ଜଣ କରି ଚାଲିଗଲାଣି ୧୧ ଜୁଆଙ୍ଗ ଝିଅଙ୍କ ଜୀବନ। ସମସ୍ତେ କେନ୍ଦୁଝର ଜିଲ୍ଲା ତେଲକୋଇ, ବାଂଶପାଳ ଓ ହରିଚନ୍ଦନପୁର ବ୍ଲକ ଅଞ୍ଚଳର ।ପ୍ରଶ୍ନ ଉଠୁଛି- ଜୁଆଙ୍ଗ ଝିଅଙ୍କ ଭୋକର କିଏ ଉଠାଇଲା ଫାଇଦା ? ଭିଟାମାଟିରୁ ଦେଢ ହଜାର କିଲୋମିଟର ଦୂରକୁ ଏମାନଙ୍କୁ ନେଲା କିଏ ? ଆଦିବାସୀ ନାବାଳିକାଙ୍କୁ କିଏ ସଜେଇଦେଲା ଦାଦନ ?
ଶ୍ରମ ବିଭାଗ ନିକଟରେ ପଞ୍ଜିକରଣ ହୋଇଥିଲା କି ନାହିଁ ? ସ୍ଥାନୀୟ ଜୁଆଙ୍ଗ ଆଦିବାସୀଙ୍କ ଅଭିଯୋଗ, ତାଙ୍କରି ସଂପ୍ରଦାୟର କିଛି ବ୍ୟକ୍ତି ଦଲାଲ ସାଜି ଚଳାଇଛନ୍ତି ଦାଦନ ଚାଲାଣ। ଟଙ୍କା ଲୋଭ ଦେଖାଇ ତାମିଲନାଡୁ ସମେତ ଅନ୍ୟ ରାଜ୍ୟରେ ନେଇ ଖଟାଉଛନ୍ତି। ଏପରିକି ନାବାଳିକାଙ୍କ ଆଧାରକାର୍ଡରେ ଜନ୍ମତାରିଖକୁ ବଦଳାଇ ଦେଉଛନ୍ତି। ୟା ପଛରେ ଏକ ବଡ଼ ସିଣ୍ଡିକେଟ କାମ କରୁଥିବାବେଳେ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି । ସେପଟେ କେନ୍ଦୁଝର ସାଂସଦ କହିଛନ୍ତି, ଆଗକୁ ଜୁଆଙ୍ଗଙ୍କ ଜୀବୀକା ପାଇଁ ସରକାର ବିଶେଷ ଧ୍ୟାନ ଦେବେ ।
ଓଡ଼ିଶାରେ ଥିବା ୧୩ଟି ଅତି ସମ୍ବଦେନଶୀଳ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଅନ୍ୟତମ ହେଉଛନ୍ତି ଜୁଆଙ୍ଗ । ନିଜ ଭାଷା, ସଂସ୍କୃତି ଆଉ ଜଙ୍ଗଲକୁ ନେଇ ଏମାନଙ୍କ ଦୁନିଆ । ସାଧାରଣତଃ ଏମାନେ ରୋଜଗାର ପାଇଁ ବାହାର ଦୁନିଆକୁ ଯାଆନ୍ତି ନାହିଁ । ହେଲେ ଏବେ କିଛି ଦଲାଲ୍ ସେମାନଙ୍କ ସରଳପଣର ଫାଇଦା ଉଠାଇବାରେ ଲାଗିଛନ୍ତି। ପ୍ରଶ୍ନ ଉଠୁଛି- କାହିଁକି ରୋଜଗାର ପାଇଁ ଦାଦନ ପାଲଟୁଛନ୍ତି ଜୁଆଙ୍ଗ ? କଣ କରୁଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା ବା JDA ? ନାବାଳିକା ଜନଜାତିଙ୍କୁ ଚାଲାଣ ହେଉଥିବାବେଳେ ନଜର ରଖୁନି କି ଶ୍ରମ ବିଭାଗ ? ଲୋକଙ୍କ ଭିତରେ ଏନେଇ ମାଳମାଳ ପ୍ରଶ୍ନ ଉଠୁଥିବାବେଳେ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।