ବିଧାୟକଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ଅଭିଯୋଗ
ନନ୍ଦିଘୋଷ ବ୍ୟୁରୋ : ଭରା ସଭାରେ ଅଙ୍ଗନବାଡି କର୍ମୀଙ୍କ ପ୍ରତି ବିଧାୟକ ଅପଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଗଞ୍ଜାମ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅଙ୍ଗନବାଡି କର୍ମୀଙ୍କୁ ଅପଶବ୍ଦ ପ୍ରୟୋଗ କରିବା ପରେ ସେଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗତକାଲି ଗଞ୍ଜାମ ପୁରୁଷୋତ୍ତମପୁର ଠାରେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସରକାରୀ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀଙ୍କୁ ମୋବାଇଲ୍ ବଣ୍ଟନ କରାଯାଉଥିଲା। ତେବେ ଜଣେ ଅଙ୍ଗନବାଡି କର୍ମୀ ନିଜ ସମସ୍ୟାକୁ ନେଇ ବିଧାୟକଙ୍କୁ ଗୁହାରି କରୁଥିବା ବେଳେ ବିଧାୟକ ହଠାତ୍ ଉତେଜିତ୍ତ ହୋଇପଡ଼ିଥିଲେ। ସେ ରୋକ୍ ଠୋକ୍ କହିଥିଲେ, “ଭୋଟ୍ ବେଳେ ତୁମେ ଯାହାପାଇଁ ଆଣ୍ଠେଇ ଥିଲ ତାକୁ କୁହ।”
ବିଧାୟକଙ୍କ ଏଭଳି କଟୁ ମନ୍ତବ୍ୟ ଶୁଣିବା ପରେ ସଂପୃକ୍ତ ଅଙ୍ଗନବାଡି କର୍ମୀ ଜଣକ କାନ୍ଦି କାନ୍ଦି ଏହାର ପ୍ରତିବାଦ କରିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସାଧାରଣ ଜନପ୍ରତିନିଧି ହୋଇ ଜଣେ ମହିଳା କର୍ମୀଙ୍କ ପ୍ରତି ବିଧାୟକଙ୍କ ଏ କି ପ୍ରକାର ଆଚରଣ ବୋଲି ସମାଜସେବୀମାନେ ପ୍ରଶ୍ନ କରିଛନ୍ତି। ସେପଟେ ନିଜ ଉପରେ ଲାଗିଥିବା ଏହି ସମସ୍ତ ଅଭିଯୋଗକୁ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି।