ଅଶାନ୍ତ ସମୁଦ୍ର: ଗୋପାଳପୁର ବନ୍ଦରରେ ଆଶ୍ରୟ ନେଲେ ଆନ୍ଧ୍ରର ୩୪ଟି ମାଛଧରା ବୋଟ୍
ନନ୍ଦିଘୋଷ ବ୍ୟୁରୋ: ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ଅଧିକ ପବନ ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଢେଉ ସୃଷ୍ଟି ହେଉଥିବାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏସଆରସି ବାରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ମଧ୍ୟ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବ୍ୟାପକ ସଚେତନ କରାଯାଉଛି।
ସମୁଦ୍ରରେ ବାତ୍ୟା ଭଳି ସ୍ଥିତି ଯୋଗୁଁ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଅଞ୍ଚଳର ୩୪ଟି ମାଛଧରା ବୋଟ୍ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଫସି ରହିଥିଲେ। ପ୍ରବଳ ଢେଉ ଯୋଗୁଁ ସେମାନେ ନିଜ ଅଞ୍ଚଳକୁ ଫେରିବା ସମ୍ଭବ ହୋଇନଥିଲା।
ମତ୍ସ୍ୟଜୀବୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିଥିଲେ। ପ୍ରଶାସନର ଅନୁମତି କ୍ରମେ ସମସ୍ତ ବୋଟ୍କୁ ଗୋପାଳପୁର ବନ୍ଦରକୁ ଅଣାଯାଇଛି।
ବର୍ତ୍ତମାନ ସେହି ସମସ୍ତ ୩୪ଟି ବୋଟ୍ ଗୋପାଳପୁର ବନ୍ଦରରେ ଲଙ୍ଗର ପକାଇ ସୁରକ୍ଷିତ ଭାବେ ରହିଛନ୍ତି। ଏହାସହ ବୋଟ୍ରେ ଥିବା ସମସ୍ତ ମତ୍ସ୍ୟଜୀବୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।