Editorial: କୁଳପତିଙ୍କ ଦାୟିତ୍ବ: ବିକ୍ରମ କେଶରୀ ଜେନାଙ୍କ ସମ୍ପାଦକୀୟ କଲମରୁ ପଢ଼ନ୍ତୁ...

Jul 23, 2026 - 17:22
Editorial: କୁଳପତିଙ୍କ ଦାୟିତ୍ବ: ବିକ୍ରମ କେଶରୀ ଜେନାଙ୍କ ସମ୍ପାଦକୀୟ କଲମରୁ ପଢ଼ନ୍ତୁ...

"କୁଳପତିଙ୍କ ଦାୟିତ୍ବ ବିକ୍ରମ କେଶରୀ ଜେନା ଏବେ ଆମ ଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ବୃଦ୍ଧି ପାଉଛି, କ୍ୟାମ୍ପସଗୁଡ଼ିକର ସମ୍ପ୍ରସାରଣ ହେଉଛି ଏବଂ କ୍ୟାମ୍ପସରେ ସୁଉଚ୍ଚ କୋଠାବାଡ଼ି ଠିଆ ହେଉଛି।

ଆକର୍ଷଣୀୟ ଫାଟକ, ଆଧୁନିକ ଅଡିଟୋରିଅମ୍, ସ୍ମାର୍ଟ କ୍ଲାସରୁମ୍, କନଭେନସନ ହଲ୍, ଡିଜିଟାଲ ସେଣ୍ଟର ଓ ପ୍ରଶାସନିକ ବ୍ଲକ ଆଦି ନେଇ ଉଚ୍ଚକୋଟୀର ବିଶ୍ବବିଦ୍ୟାଳୟର ପରିକଳ୍ପନା କରାଯାଉଛି।

ତେବେ, ଏଭଳି ଭିତ୍ତିଭୂମିଗତ ଉତ୍କର୍ଷ ସତ୍ତ୍ବେ ଏକ ଅସହଜ ପ୍ରଶ୍ନ ଦୂର ହେଉନାହିଁ ଯେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଜ୍ଞାନୋଦୀପ୍ତ ନାଗରିକ ସୃଷ୍ଟି ହେବା ପରିବର୍ତ୍ତେ ପ୍ରାୟତଃ ବୃତ୍ତିଜୀବୀ ଆଜ୍ଞାବହ କର୍ମଚାରୀମାନେ ସୃଷ୍ଟି ହେଉଛନ୍ତି କାହିଁକି?

ଏହା ପଛରେ ହୁଏତ ଏକାଧିକ କାରଣ ରହିଛି।

କିନ୍ତୁ, ତା" ମଧ୍ୟରୁ ଗୋଟିଏ ଏବଂ ପ୍ରମୁଖଟି ହେଲା ବିଶ୍ୱବିଦ୍ୟାଳୟର ନୈତିକ, ବୌଦ୍ଧିକ ଓ ଦାର୍ଶନିକ ମାର୍ଗଦର୍ଶକ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଅନେକତ୍ର କୁଳପତିମାନେ କେବଳ ଆନୁଷ୍ଠାନିକ ପରିଚାଳନା ମୁଖ୍ୟ ମାତ୍ର ହୋଇ ରହିଯାଉଛନ୍ତି।

Advertisment ଆହୁରି ପଢ଼ନ୍ତୁ- Ukraine: ଆମେରିକା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ ପାଇଁ ମସ୍କୋର ଚେତାବନୀ କେତେକ କ୍ଷେତ୍ରରେ କୁଳପତିମାନଙ୍କ ଠାରୁ ରାଜନୈତିକ ଆନୁଗତ୍ୟ ଆଶା କରାଯାଉଛି ତ ଆଉ କେତେକଙ୍କ ମୂଲ୍ୟାଙ୍କନ ବିଶ୍ବବିଦ୍ୟାଳୟର ଭିତ୍ତିଭୂମିର ସ୍ତର ଆଧାରରେ କରାଯାଉଛି।

ଅନେକ ସ୍ଥାନରେ କୁଳପତିମାନେ କେବଳ ଟେଣ୍ଡର ଅନୁମୋଦନ, ଅମଲାତାନ୍ତ୍ରିକ ରିପୋର୍ଟ ପ୍ରସ୍ତୁତି, ଇଭେଣ୍ଟ ମ୍ୟାନେଜମେଣ୍ଟ ଓ ଆନୁଷ୍ଠାନିକ ଭାଷଣବାଜି ଇତ୍ୟାଦିରେ ସୀମିତ ରହିଯାଉଛନ୍ତି ବା ରହିବାକୁ ବାଧ୍ୟ ହେଉଛନ୍ତି।

ଏହା ସମସ୍ତେ ସ୍ବୀକାର କରିବେ ଯେ ପ୍ରକୃତ ପକ୍ଷରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଗଭୀର ଚିନ୍ତନର କେନ୍ଦ୍ର, ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ସକାଶେ ଚୁମ୍ବକୀୟ କ୍ଷେତ୍ର ହେବା କଥା।

କୁଳପତିଙ୍କ ସଂଦର୍ଭରେ ଆମ ବିଶ୍ବବିଦ୍ୟାଳୟଗୁଡ଼ିକର ମଧ୍ୟ ଏକ ଚମକପ୍ରଦ ପରଂପରା ରହିଛି, ଯେଉଁଠି ସାର୍‌ ଆଶୁତୋଷ ମୁଖାର୍ଜୀ, ସର୍ବପଲ୍ଲୀ ରାଧାକୃଷ୍ଣନ, ଡକ୍ଟର ଜାକୀର ହୁସେନ, କେଆର ନାରାୟଣ, ହନସା ମେହଟ୍ଟା, ମୁନୀସ ରାଜା ଇତ୍ୟାଦିଙ୍କ ଭଳି ବ୍ୟକ୍ତିତ୍ବଙ୍କୁ ଦେଖିବାକୁ ମିଳିଥାଏ।

କହିବା ଅନାବଶ୍ୟକ ଯେ କୁଳପତିମାନେ ଏକା ସଙ୍ଗେ ଜଣେ ପଣ୍ଡିତ, ମଧ୍ୟସ୍ଥି, ଅନୁଷ୍ଠାନ ନିର୍ମାତା, ଜନବିଦ୍ବାନ୍‌, ନୈତିକ ଅଭିଭାବକ ଓ ସମାଜ ସଂସ୍କାରକର ଭୂମିକା ନିର୍ବାହ କରିବା ଉଚିତ।

ସଂପ୍ରତି କେତେକ ବିଶ୍ବବିଦ୍ୟାଳୟ ସେମାନଙ୍କ ଗୁଣବତ୍ତାର ପ୍ରତୀକ ସ୍ବରୂପ ଗର୍ବର ସହ ସେମାନଙ୍କର ଉଚ୍ଚକୋଟୀର ଭିତ୍ତିଭୂମିର ପ୍ରଦର୍ଶନ କରୁଛନ୍ତି।

କିନ୍ତୁ ସେଠାକାର ଶ୍ରେଣୀଗୃହଗୁଡ଼ିକ ବୌଦ୍ଧିକ ଭାବେ କେତେ ପ୍ରାଣବନ୍ତ ତାହା ପ୍ରଣିଧାନର ବିଷୟ ହେବା କଥା।

ସେହି ସବୁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନେ ଚିନ୍ତନ, ବିତର୍କ ଓ ମୁକ୍ତ ମତ ପ୍ରକାଶରେ ବ୍ରତୀ ହେଉଛନ୍ତି ନା ନାହିଁ, ତାହା ପରଖାଯିବା କଥା।

ସେଠାରେ ଯୁଗାନ୍ତକାରୀ ଉଚ୍ଚାଙ୍ଗ ବୈଜ୍ଞାନିକ ଗବେଷଣା ବା ସାମାଜିକ ପ୍ରାସଙ୍ଗିକତା ଥିବା ଗବେଷଣା ସଂପାଦିତ ହେଉଛି ନା ନାହିଁ, ଦେଖାଯିବା ଉଚିତ।

ଆମ ଦେଶର ଏକ ସୌଭାଗ୍ୟ ହେଲା ଏଠାରେ ସର୍ବାଧିକ ବଡ଼ ଯୁବ ଜନସଂଖ୍ୟା ବିଦ୍ୟମାନ।

ସେମାନଙ୍କୁ କେବଳ ସଫଳ ପେସାଦାର ବା ବୃତ୍ତିଜୀବୀରେ ପରିଣତ ନ କରି କିଭଳି ବିଭିନ୍ନ କ୍ଷେତ୍ରରେ ଧ୍ରୁବତାରାରେ ପରିଣତ କରିହେବ; ସେ ଦାୟିତ୍ବ ବିଶ୍ବବିଦ୍ୟାଳୟଗୁଡ଼ିକ ନେବା କଥା, ଯାହା ଦୂରଦ୍ରଷ୍ଟା ଓ ପ୍ରାଜ୍ଞ କୁଳପତିମାନଙ୍କ ଦ୍ବାରା ହିଁ ସମ୍ଭବ।

ଆହୁରି ପଢ଼ନ୍ତୁ- Indian Railways: ଓଡ଼ିଶାରେ ବର୍ତ୍ତମାନ ଜାରି ରହିଛି ୨୬ଟି ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ  ପୃଥ‌ିବୀର ପ୍ରଖ୍ୟାତ ବିଶ୍ୱବିଦ୍ୟାଳୟଗୁଡ଼ିକ ରାଜନୈତିକ ଆଜ୍ଞାବହତା ପାଇଁ ନୁହେଁ, ବରଂ ବୌଦ୍ଧିକ ସ୍ବାଧୀନତା ଓ ଅବିଭାଜ୍ୟ ସାଧୁତା ରକ୍ଷା କରିଥିବାରୁ ପ୍ରଭାବଶାଳୀ ହୋଇପାରିଛନ୍ତି।

ନିକଟରେ ପାଲେଷ୍ଟାଇନ ଗଣସଂହାର ପରିପ୍ରେକ୍ଷୀରେ ଇସ୍ରାଏଲକୁ ନିନ୍ଦା କରି ଛାତ୍ର ଆନ୍ଦୋଳନକୁ ପ୍ରଶ୍ରୟ ‌ଦେଇଥିବାରୁ ହାର୍ଭାର୍ଡ ବିଶ୍ବବିଦ୍ୟାଳୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ରିପବ୍ଲିକାନ ଶାସକଙ୍କ ଚକ୍ଷୁଶୂଳ ହୋଇଛି।

କହିବାର ମର୍ମ ହେଲା ବିଶ୍ବବିଦ୍ୟାଳୟଟି ସରକାରଙ୍କ ଆଜ୍ଞାବହ ହେବାକୁ ରାଜି ନୁହେଁ, ଯାହା ତା"ର ସ୍ବାତନ୍ତ୍ରୢକୁ ଅଧିକ ପ୍ରଗାଢ଼ କରିଛି।

ଏହା କେବଳ ଜଣେ ସାହସୀ ଓ ପ୍ରତିବଦ୍ଧକୁଳପତି(ଅନୁଷ୍ଠାନର ମୁଖ୍ୟ)ଙ୍କ ନେତୃତ୍ବରେ ସମ୍ଭବ ହୋଇପାରେ।

ଦେଖାଯାଏ ଯେ ଆମେରିକୀ ଓ ୟୁରୋପୀୟ ବିଶ୍ବବିଦ୍ୟାଳୟରୁ କେବଳ ଉଚ୍ଚକୋଟୀର ଗବେଷକ, ବୈଜ୍ଞାନିକ  ଓ ଉଦ୍ଭାବକ ସୃଷ୍ଟି ହୋଇ ନାହାନ୍ତି, ବିଶ୍ବସ୍ତରୀୟ ଖେଳାଳିମାନେ ମଧ୍ୟ ବାହାରିଛନ୍ତି।

ଏହାର ଅର୍ଥ ସେହି ଶିକ୍ଷାନୁଷ୍ଠାନଗୁଡ଼ିକ ତରୁଣମାନଙ୍କଠାରେ ଥିବା ସମ୍ଭାବନାର ସଂପୂର୍ଣ୍ଣ ପରିପ୍ରକାଶ କରି ଆପଣା ମହତ୍ତ୍ବ ସାବ୍ୟସ୍ତ କରିଛନ୍ତି।

ଭାରତରେ ମଧ୍ୟ ସେଭଳି ଦୃଷ୍ଟାନ୍ତମାନ ସ୍ଥାପିତ ହେବା ଆବଶ୍ୟକ, ଯାହା କେବଳ ସମର୍ଥ ଓ ସାର୍ଥକ କୁଳପତିମାନଙ୍କ ନେତୃତ୍ବ ଓ ମାର୍ଗ ଦର୍ଶନ ଦ୍ବାରା ସମ୍ଭବ ହେବ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୮୧୭୬୨୩୫ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।