Editorial: ଅନେକ କାହାଣୀ!
ଅତୀତକୁ ନେଇ ଅନେକ ଦୃଷ୍ଟିକୋଣରୁ ଅନେକ କାହାଣୀ ଲେଖାଯାଇପାରେ; ଯେମିତି କାଶ୍ମୀର ଫାଇଲ୍ସ ବା କେରଳ ଫାଇଲ୍ସ ବା ଶତଲୁଜ! ଏହି ସରଳ କଥାଟିକୁ ବୁଝିବା ଓ ବୁଝାଇବାର ଆବଶ୍ୟକତା ରହିଛି; ଚଳଚ୍ଚିତ୍ରକୁ ନିଷେଧ କରିଦେବା ସମାଧାନର ସୂତ୍ର ନୁହେଁ ଓ ତାକୁ ନେଇ ରାଜନୀତି କରିବା ହେଉଛି ପରମ ଅବିମୃଶ୍ୟକାରିତା।
Editorial: ନେତାଙ୍କ ଯୋଗାସନ: ଶ୍ୟାମସୁନ୍ଦର ଅଗ୍ରୱାଲାଙ୍କ ସମ୍ପାଦକୀୟ ସତ କହୁଛିରେ ପଢ଼ନ୍ତୁ ଏଥର...
ଗଲା ୩ ତାରିଖ ଦିନ ଏକ ଓଟିଟି ପ୍ଲାଟଫର୍ମରେ ‘ଶତଲୁଜ’ ନାମକ ସିନେମା ପ୍ରଦର୍ଶିତ ହେବାର ମାତ୍ର ଅଠଚାଳିଶ ଘଣ୍ଟା ମଧ୍ୟରେ ସେହି ଚ୍ୟାନେଲରେ ନିଖୋଜ ହୋଇଯିବା ଭଳି ଘଟଣା ତୀବ୍ର ବିବାଦକୁ ଜନ୍ମ ଦେଇଛି। ଉଲ୍ଲେଖ ରହୁ କି ୧୯୯୫ ମସିହାରେ, ପଞ୍ଜାବ ପୁଲିସ ଦ୍ବାରା ସୁଖ୍ୟାତ ଶିଖ ମାନବ ଅଧିକାର କର୍ମୀ ଯଶୱନ୍ତ ସିଂହ ଖାଲଡ଼ାଙ୍କ ଅପହରଣ ଓ ହତ୍ୟା ହେଉଛି କାହାଣୀର ଭିତ୍ତି, ଯାହାର ପୃଷ୍ଠଭୂମିରେ ରହିଛି ନବମ ଦଶକରେ ସମଗ୍ର ଦେଶକୁ ଥରାଇ ଦେଇଥିବା ଶିଖ ସନ୍ତ୍ରାସବାଦ ଏବଂ ତାହାର ବିଲୋପନର ନିର୍ମମ କାହାଣୀ। ତେବେ ଏହି ନିଷେଧ ଉଦ୍ୟମକୁ ନେଇ ସୃଷ୍ଟ ବିବାଦର କାରଣ ବିବିଧ; ଯେମିତି କି କୌଣସି କଳାତ୍ମକ ଅଭିବ୍ୟକ୍ତିକୁ ନିଷେଧ କରାଯିବାର ଔଚିତ୍ୟ, ଏଭଳି ଉଦ୍ୟମ ପଛରେ ଥିବା ସନ୍ଦିଗ୍ଧ ରାଜନୈତିକ ଅଭିସନ୍ଧି, ବିଷୟବସ୍ତୁର ସ୍ପର୍ଶକାତରତା ଦୃଷ୍ଟିରୁ ଏହି ଚଳଚ୍ଚିତ୍ର ନିର୍ମାଣ ପଛରେ ଥିବା ପ୍ରକୃତ ଉଦ୍ଦେଶ୍ୟ ଇତ୍ୟାଦି! କିନ୍ତୁ, ଯେଉଁ ମୂଳ ପ୍ରସଙ୍ଗଟି ଆଲୋଚନାର ବିଷୟ ହେବା କଥା, କିନ୍ତୁ ହେଉ ନାହିଁ, ତାହା ହେଲା ଅପ୍ରୀତିକର ଓ ବେଦନାଦାୟକ ଇତିହାସକୁ ଠିକଣା ଭାବେ ନିରୀକ୍ଷଣ କରିବା ସକାଶେ ପରିଷ୍କାର ଓ ପରିପକ୍ବ ଦୃଷ୍ଟି ଆମ ନିକଟରେ ଅଛି କି?
୧୯୯୪ ମସିହା ବେଳକୁ ପଞ୍ଜାବରେ ଭୟାବହ ଖଲିସ୍ତାନୀ ଆତଙ୍କବାଦର ଅବସାନ ପ୍ରାୟ ଘଟିବାର ସଂକେତ ଦେଖାଇ ସାରିଥାଏ। ତା’ ପର ବର୍ଷ, ଅର୍ଥାତ୍ ୧୯୯୫ ମସିହାରେ, ୪୩ ବର୍ଷ ବୟସ୍କ ଯଶୱନ୍ତ ସିଂହ ଖାଲଡ଼ା, ପଞ୍ଜାବର ତିନିଟି ପୌରାଞ୍ଚଳ (ଅମୃତସର, ମାଜିଥା ଓ ତରନ ତାରନ) ଶ୍ମଶାନରେ ଥିବା ନଥି ବା ରେଜିଷ୍ଟର ଏବଂ ଶବ ଦାହ ଲାଗି ବ୍ୟବହୃତ କାଠର ପରିମାଣ ଆଦି ଯାଞ୍ଚ କରି ଏହି ଉପସଂହାରରେ ପହଞ୍ଚନ୍ତି ଯେ, ସନ୍ତ୍ରାସବାଦର ତୀବ୍ରତମ ପର୍ଯ୍ୟାୟରେ ସେଠାରେ ଅନ୍ୟୂନ ୨୦୫୯ଟି ଅଚିହ୍ନା ଶବ ଦାହ କରାଯାଇଛି, ଯାହାର ହାରାହାରି ଆଧାରରେ ପୂରା ପଞ୍ଜାବ ସକାଶେ ତାଙ୍କ ହିସାବ କହିଥିଲା ଯେ ସର୍ବମୋଟ ଅଚିହ୍ନା ଶବ ସଂଖ୍ୟା ୨୫,୦୦୦ ହୋଇଥିବା ସମ୍ଭବ। ଏହାର ଇଙ୍ଗିତ ସ୍ପଷ୍ଟ ଯେ ସନ୍ତ୍ରାସବାଦ ନିୟନ୍ତ୍ରଣ କ୍ରମରେ ପଞ୍ଜାବ ପୁଲିସ ହାତରେ ନିର୍ବିଚାର ନର ସଂହାର କରାଯାଇଛି। ଅବଶ୍ୟ, ଜାତୀୟ ମାନବାଧିକାର କମିସନ ଏହି ମୃତ୍ୟୁ ସଂଖ୍ୟାକୁ ୨୦୯୬ ବୋଲି କହିଛନ୍ତି। ତେବେ ସେ ଯାହା ହେଉ, ଖାଲଡ଼ାଙ୍କ ଏଭଳି ଦାବି ଓ ନ୍ୟାୟ ଲାଗି ଅଭିଯାନ ପଞ୍ଜାବ ପୁଲିସକୁ ସୁନିଶ୍ଚିତ ଭାବେ ରୁଷ୍ଟ କରିଥିବ। ଏଭଳି ଏକ ସମୟରେ, ଅର୍ଥାତ୍ ୧୯୯୫, ଅଗଷ୍ଟ ୩୧ ତାରିଖରେ ଘଟିଯାଏ ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ପଞ୍ଜାବର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିୟନ୍ତ ସିଂହ ନିହତ ହୁଅନ୍ତି। ତା’ର ପାଞ୍ଚ ଦିନ ପରେ ଖାଲଡ଼ା ମଧ୍ୟ ନିଖୋଜ ହୋଇଯାଆନ୍ତି। ତିନି ଦିନ ପରେ ତାଙ୍କ ପତ୍ନୀଙ୍କ ଦ୍ବାରା ଦାଖଲ ‘ହେବିୟସ କର୍ପସ’ ପିଟିସନ ପରେ ସୁପ୍ରିମ କୋର୍ଟଙ୍କ ଆଦେଶରେ ହୋଇଥିବା ସି.ବି.ଆଇ. ତଦନ୍ତରୁ ସ୍ପଷ୍ଟ ହୁଏ ଯେ କିଛି ପୁଲିସ କର୍ମଚାରୀ ଖାଲଡ଼ାଙ୍କୁ ଅପହରଣ କରି ହତ୍ୟା କରିଛନ୍ତି, ଯହିଁରେ ଦୋଷୀ ସାବ୍ୟସ୍ତ ଏହି ପୁଲିସ କର୍ମଚାରୀମାନେ ଏ ଯାବତ୍ ଆଜୀବନ କାରାବାସ ଭୋଗୁଛନ୍ତି। କହିବାରେ ସାମାନ୍ୟତମ ଦ୍ବିଧା ନାହିଁ ଯେ ଯଶୱନ୍ତ ସିଂହ ଖାଲଡ଼ା ଜଣେ ଅସାମାନ୍ୟ ଭାବେ ସାହସୀ ଓ ସଂବେଦନଶୀଳ ବ୍ୟକ୍ତିତ୍ବ, ଯିଏ ପୁଲିସର ଯଥେଚ୍ଛାଚାରକୁ ପ୍ରକାଶ୍ୟ କରିବାକୁ ଯାଇ ପ୍ରାଣବଳି ଦେଇଥିଲେ। କିନ୍ତୁ, ପ୍ରଶ୍ନ ମଧ୍ୟ ଉଠିଥାଏ ଯେ ଏହା କ’ଣ ସମଗ୍ର କାହାଣୀ? ଏଠାରେ ଗୁରୁତ୍ବ ପାଇଥାଏ ଅତୀତକୁ ସଂଦର୍ଭରେ ରଖି ପରଖିବାର କୌଶଳ।
୧୯୮୧ ମସିହାରେ ପଞ୍ଜାବରେ ଖଲିସ୍ତାନୀ ଆତଙ୍କବାଦର ସୂତ୍ରପାତ ଘଟିଥିଲା, ଯାହାର ଭୟାବହତା ତୀବ୍ରତମ ସୋପାନରେ ପହଞ୍ଚିଥିଲା ୧୯୮୯ରୁ ୧୯୯୩ ମସିହା ମଧ୍ୟରେ, ଯହିଁରେ ପଞ୍ଜାବ ସତେ ଯେମିତି ଏକ ଗୃହ ଯୁଦ୍ଧକୁ ପ୍ରତ୍ୟକ୍ଷ କରୁଥିଲା। ଏଭଳି ସ୍ଥଳେ ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ଲାଗି ଆସାମ କ୍ୟାଡରର ଆଇପିଏସ ଅଧିକାରୀ କେ.ପି.ଏସ. ଗିଲଙ୍କୁ ପଞ୍ଜାବ ପୁଲିସ ବାହିନୀର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଥିଲା। କହିବା ଅନାବଶ୍ୟକ ଯେ ଏହି ନିଦାରୁଣ ସମୟରେ ସାଧାରଣ ପ୍ରଶାସନ ବ୍ୟବସ୍ଥା ଅସ୍ତିିତ୍ବ ହରାଇଥିଲା; କେବଳ ଉପସ୍ଥିତ ଥିଲେ ଦୁଇ ପକ୍ଷରେ ନିଘଞ୍ଚ ଭାବେ ଅସ୍ତ୍ର-ସଜ୍ଜିତ ପୁଲିସ ଓ ସନ୍ତ୍ରାସବାଦୀ ଏବଂ ସେମାନଙ୍କ ମଝିରେ ନିଷ୍ପେଷିତ ସାଧାରଣ ନାଗରିକ। ସେ ସମୟର ଭୟାବହତାର ଏକ ଧାରଣା ମିଳିପାରେ, ୧୯୮୯ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଚାରି ବର୍ଷର ଅବଧିରେ ନିହତ ହୋଇଥିବା ନାଗରିକ, ପୁଲିସ ଓ ଆତଙ୍କବାଦୀଙ୍କ ସଂଖ୍ୟାରୁ; ଯାହା ହେଲା ଯଥାକ୍ରମେ ୧୧୬୮, ୨୧୬୭, ୨୫୯୧, ୧୫୧୮ (ନାଗରିକ); ୨୦୧, ୪୭୬, ୪୯୭, ୨୫୨ (ପୁଲିସ); ୭୦୩, ୧୩୨୦, ୨୧୭୭, ୨୧୧୩ (ସନ୍ତ୍ରାସବାଦୀ)। ୧୯୯୩ ମସିହାରୁ ଏହି ଭୀଷଣତା ହ୍ରାସ ପାଇବାର ସଂକେତ ଦିଶିଥିଲା ଏବଂ ୧୯୯୪ ମସିହାରେ ମୃତ ନାଗରିକଙ୍କ ସଂଖ୍ୟା ଥିଲା ମାତ୍ର ୨, ସନ୍ତ୍ରାସବାଦୀ ୧୨ ଏବଂ କୌଣସି ପୁଲିସ କର୍ମଚାରୀ ହତାହତ ହୋଇ ନ ଥିଲେ। ସେ ସମୟରେ ପଞ୍ଜାବକୁ ଅତି ନିକଟରୁ ଦେଖି ଖବର ଲେଖୁଥିବା ଶେଖର ଗୁପ୍ତା ବା ତବଲିନ ସିଂହଙ୍କ ଭଳି ପୁରୁଖା ସାମ୍ବାଦିକମାନେ କହିଥାଆନ୍ତି ଯେ ତତ୍କାଳୀନ ପଞ୍ଜାବର ଗଣମାଧ୍ୟମ, ଆକାଶବାଣୀ ଓ ଦୂରଦର୍ଶନ, ସ୍କୁଲ ଓ କଲେଜର ଶିକ୍ଷାର ବିଷୟ, ଛାତ୍ରୀମାନଙ୍କ ପୋଷାକ, ସର୍ବସାଧାରଣ ସ୍ଥାନରେ ଚାଲିଚଳଣ, ସିନେମା ଓ ମନୋରଂଜନ ଇତ୍ୟାଦି ଭଳି ସମସ୍ତ ବିଷୟ ସନ୍ତ୍ରାସବାଦୀଙ୍କ ନିର୍ଦ୍ଦେଶରେ ନିୟନ୍ତ୍ରିତ ହେଉଥିଲା, ଯାହାକୁ ଆଫଗାନିସ୍ତାନର ‘ତାଲିବାନୀକରଣ’ ସହିତ ତୁଳନା କରାଯାଇପାରେ। ସୁତରାଂ, ଏକ ଯୁଦ୍ଧ ସଦୃଶ ସ୍ଥିତିରେ ଆତଙ୍କବାଦର ମୂଳୋତ୍ପାଟନ ସକାଶେ ଅତ୍ୟନ୍ତ କଠୋର ପଦକ୍ଷେପର ଆବଶ୍ୟକତା ମଧ୍ୟ ଥିଲା, ଯହିଁରେ ସୁରକ୍ଷା ବଳର ଯଥେଚ୍ଛାଚାରିତାର ସମ୍ଭାବନା ମଧ୍ୟ ରହିଥାଏ; ଯେମିତି ପୁରସ୍କାର ବା ପଦୋନ୍ନତି ଲାଗି କେତେକ ପୁଲିସ ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ବୋଲି ଦର୍ଶାଇ ହତ୍ୟା କରିଥିଲେ। ଯଶୱନ୍ତ ସିଂହ ଖାଲଡ଼ା ଏଭଳି ଅବିଚାରିତ ମୃତ୍ୟୁର ଅନୁମାନ ଲଗାଇିବାକୁ ଚାହିଁଥିଲେ। କିନ୍ତୁ, ଏହା ମଧ୍ୟ ସତ ଯେ ପୁଲିସ ଯଥେଚ୍ଛାଚାରିତା ବିଷୟ କହିବାକୁ ଉଦ୍ୟମ କରିଥିବା କଥନିକାରେ ସେହି ୧୭୪୬ (୧୯୮୧ରୁ ୧୯୯୬ ମଧ୍ୟରେ) ଜଣ ପୁଲିସ କର୍ମଚାରୀଙ୍କ ଉଲ୍ଲେଖ ନ ଥାଏ, ଯେଉଁମାନେ ନାଗରିକଙ୍କ ସୁରକ୍ଷା ସକାଶେ ସୈନିକଙ୍କ ଭଳି ଲଢ଼ି ପ୍ରାଣବଳି ମଧ୍ୟ ଦେଇଥିଲେ!
Editorial: ଏକତା ଓ ପ୍ରଗତି ପାଇଁ ସମର୍ପିତ ଜୀବନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପାଦକୀୟ କଲମରୁ....
‘ଶତଲୁଜ’ ହେଉଛି ଯଶୱନ୍ତ ସିଂହ ଖାଲଡ଼ାଙ୍କ କାହାଣୀ। ସେହିଭଳି ପାତିଆଲା ନିକଟସ୍ଥ ରାଜପୁରା ସରକାରୀ ସ୍କୁୁଲର ପ୍ରଧାନ ଶିକ୍ଷୟିତ୍ରୀ ନିବଲ କାନ୍ତାଙ୍କୁ ନେଇ ମଧ୍ୟ ଅକୁହା କାହାଣୀଟିଏ ଅଛି, ଯାହା ଶେଖର ଗୁପ୍ତାଙ୍କ ଲିଖିତ ପଞ୍ଜାବ ଆତଙ୍କବାଦ ସଂବଳିତ ସମ୍ବାଦରେ ସ୍ଥାନ ପାଇଥିଲା। ତାହା ହେଲା, ସ୍କୁଲରେ ପଢୁଥିବା ଝିଅମାନେ ସ୍କର୍ଟ ପରିବର୍ତ୍ତେ ସାଲୱାର ପିନ୍ଧନ୍ତୁ ବୋଲି ସନ୍ତ୍ରାସବାଦୀଙ୍କ ଆଦେଶ ପରିପ୍ରେକ୍ଷୀରେ ମାତ୍ର କେଇ ଦିନର ମହଲତ ଲାଗି ବିନତି କରିଥିଲେ ନିବଲ କାନ୍ତା; କାରଣ ସେହି ସ୍କୁଲରେ ଅଧ୍ୟୟନରତା ବାଳିକାମାନଙ୍କ ଅତ୍ୟନ୍ତ ଦରିଦ୍ର ଅଭିଭାବକଙ୍କ ସକାଶେ ସହସା ନୂଆ ପୋଷାକ ତିଆରିବା ଅସମ୍ଭବ ଥିଲା। ଏହି ବିନତିର ଉତ୍ତରରେ ଆତଙ୍କବାଦୀଙ୍କ ଦୁଇଟି ଗୁଳି ତାଙ୍କୁ ବିଦ୍ଧ କରିଥିଲା। ସେହିଭଳି ଆଉ ଏକ ହୃଦୟ ବିଦାରକ ଅକୁହା କାହାଣୀ ଅଛି, ଯହିଁରେ ଗୃହସ୍ବାମୀମାନେ ସେମାନଙ୍କ ପୋଷା କୁକୁରମାନଙ୍କୁ ବିଷ ଦେଇ ବା ଗୁଳି କରି ମାରି ଦେବାକୁ ବାଧ୍ୟ ହେଉଥିଲେ, କାରଣ ରାତିରେ ବିଚରଣ କରୁଥିବା ସନ୍ତ୍ରାସବାଦୀଙ୍କ ଲାଗି ପୋଷା କୁକୁରଙ୍କ ଭୁକା ଅସହନୀୟ ଥିଲା ଏବଂ ଯାହାର ପରିଣାମ ସ୍ବରୂପ କୁକୁରର ମାଲିକମାନଙ୍କ ସକାଶେ ଅପେକ୍ଷା କରି ରହୁଥିଲା ବୁଲେଟ। କହିବାର ମର୍ମ ହେଲା ଅତୀତକୁ ନେଇ ଅନେକ ଦୃଷ୍ଟିକୋଣରୁ ଅନେକ କାହାଣୀ ଲେଖାଯାଇପାରେ; ଯେମିତି କାଶ୍ମୀର ଫାଇଲ୍ସ ବା କେରଳ ଫାଇଲ୍ସ ବା ଶତଲୁଜ! ଏହି ସରଳ କଥାଟିକୁ ବୁଝିବା ଓ ବୁଝାଇବାର ଆବଶ୍ୟକତା ରହିଛି; ଚଳଚ୍ଚିତ୍ରକୁ ନିଷେଧ କରିଦେବା ସମାଧାନର ସୂତ୍ର ନୁହେଁ ଓ ତାକୁ ନେଇ ରାଜନୀତି କରିବା ହେଉଛି ପରମ ଅବିମୃଶ୍ୟକାରିତା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।