Editorial: ମୃତ୍ୟୁର ମୃତ୍ୟୁ ଆସନ୍ନ: ବିଜୟ ନାୟକଙ୍କ ସମ୍ପାଦକୀୟ ବହୁବଚନରେ ପଢ଼ନ୍ତୁ ଏଥର...
"ମୃତ୍ୟୁର ମୃତ୍ୟୁ ଆସନ୍ନ ବିଜୟ ନାୟକବହୁବଚନ ଜୀବନର ଅନିବାର୍ଯ୍ୟ ପରିଣତି ମୃତ୍ୟୁ ବୋଲି କାହାକୁ ବା ଅଜଣା?
ସେଥିପାଇଁ ମୁନିଋଷି ଓ ପୈଗମ୍ବରମାନେ ମୃତ୍ୟୁର ରହସ୍ୟ ଅନ୍ବେଷଣ ପାଇଁ ଯେତିକି ପ୍ରୟାସ କରିଛନ୍ତି, ତତୋଽଧିକ ଯତ୍ନଶୀଳ ହୋଇଛନ୍ତି ମରଣର ମହନୀୟତା ପ୍ରତିପାଦନ କରିବା ପାଇଁ।
କହିଛନ୍ତି ମଣିଷର କାନେକାନେ, ଜୀବନ ମାୟା, ମୃତ୍ୟୁ ସତ୍ୟ।
ଭକ୍ତମଧୁ ଯେମିତି ସଚେତନ କରାଇଛନ୍ତି ସମସ୍ତଙ୍କୁ: “ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରି।” ସଚେତନ କରାଇଛନ୍ତି ସନ୍ଥକବି ଭୀମଭୋଇ: “ଦୁର୍ଲଭ ଜୀବନ କଲୁ ଅଗାଡ଼ି।” ମୃତ୍ୟୁକୁ ଜାଣିଲେ ଜୀବନକୁ ଜିଣିହେବ ବୋଲି ମନୀଷୀମାନଙ୍କ ମତ।
ମତାନ୍ତର ରହିଛି ମଧ୍ୟ ଏ କ୍ଷେତ୍ରରେ।
ମୃତ୍ୟୁ ଯଦି ଅବଶ୍ୟମ୍ଭାବୀ, ଜୀବନର ପ୍ରତି ମୁହୂର୍ତ୍ତକୁ ମଣିଷ ଭୋଗ ନ କରିବ କାହିଁକି?
ଓମର ଖାୟାମଙ୍କ ଉକ୍ତି ଉଦାହରଣୀୟ: “ଗତକାଲି ସେ ତ ମରଣ ସେପାରେ, ଅନାଗତ କେଉଁ ସୁଦୂରେ, କି ଲାଗି ଭାବନା ଆଜି ଏ ବାସର ମଧୁମୟ ଯେବେ କରିପାର ମଧୁଋତୁରେ।”Advertisment ବିଜ୍ଞାନୀମାନେ କିନ୍ତୁ ମରଣ-ବିଜୟ ଉପରେ ଗୁରୁତ୍ୱାରୋପ କରୁଛନ୍ତି।
ଭାରତୀୟ ଚେତନାରେ ଅବଶ୍ୟ ଅମରତ୍ୱ ପ୍ରସଙ୍ଗ ଅନାଦି କାଳରୁ ରହିଆସିଛି।
ମଣିଷକୁ ଅମୃତର ସନ୍ତାନ ବୋଲି କହାଯାଇଛି ତ ସାବିତ୍ରୀ-ସତ୍ୟବାନ ଉପାଖ୍ୟାନରେ ରହିଛି ମୃତ୍ୟୁ ଜୟର ମହାଗାଥା।
କିନ୍ତୁ ଆଧୁନିକ ଦୃଷ୍ଟିଭଙ୍ଗୀଟି ଭିନ୍ନ, ବିଜ୍ଞାନ ଓ ପରିସଂଖ୍ୟାନ ଆଧାରିତ।
ଆହୁରି ପଢ଼ନ୍ତୁ- Australian Library: ୧୫୦ ବର୍ଷ ପୂର୍ବେ ନିଆଯାଇଥିବା ପୁସ୍ତକ ଅଷ୍ଟ୍ରେଲିଆ ଲାଇବ୍ରେରିକୁ ଫେରସ୍ତ ଜନ୍ମ ହେଉହେଉ ମୃତ୍ୟୁ ଅଥବା ଜନ୍ମ ଦେଉଦେଉ ମୃତ୍ୟୁ- ଏହି ନିର୍ଦ୍ଦୟ ଘଟଣା ଅତି ସାଧାରଣ ଥିଲା ଶତାବ୍ଦୀଟିଏ ଆଗରୁ।
ପ୍ରଜାପାଟକଙ୍କ ପରିବାର କଥା ଛାଡ଼ନ୍ତୁ, ରାଜପୁତ୍ରମାନେ ବି ଜନ୍ମହେବାବେଳେ ମରଣ ମୁଖରେ ପଡୁଥିଲେ ତ ରାଜବଧୂମାନେ ପ୍ରସବ କାଳରେ ପରଲୋକ ଗମନ କରୁଥିଲେ।
କିନ୍ତୁ ଇଦାନୀନ୍ତନ ପୃଥିବୀରେ ମାତୃ ଓ ଶିଶୁ ମୃତ୍ୟୁହାର ଆଶାତୀତ ଭାବରେ ହ୍ରାସ ପାଇଛି।
ଊନବିଂଶ-ବିଂଶ ଶତାବ୍ଦୀରେ ମହାମାରୀ ଥିଲା ସବୁଠାରୁ ବଡ଼ ଆତଙ୍କ।
ବସନ୍ତ, ହଇଜା ଓ ମ୍ୟାଲେରିଆରେ ଗାଁ ଗଣ୍ଡା ସଫା ହୋଇଯାଉଥିଲା।
ବ୍ୟାଧି ପୂର୍ବଜନ୍ମର କୁକର୍ମର ଫଳ ବୋଲି ଧରିନିଆଯାଉଥିଲା।
କିନ୍ତୁ ଭୂତାଣୁ ବ୍ୟାଧିର କାରଣ ବୋଲି ଜଣାପଡ଼ିଲା ଠାରୁ ବ୍ୟାଧି ନିରାକରଣର ପଥ ପରିଷ୍କାର ହୋଇପାରିଛି।
ଚିକିତ୍ସା ବିଜ୍ଞାନର ଅଭୂତପୂର୍ବ ଅଗ୍ରଗତି ଯୋଗୁଁ ମୃତ୍ୟୁ ଭୀତତ୍ରସ୍ତ।
କରୋନାର ସନ୍ତ୍ରାସ ବି ବିଜ୍ଞାନ ଦ୍ୱାରା ନିୟନ୍ତ୍ରିତ।
ପୂର୍ବରୁ ବିଶ୍ବଯୁଦ୍ଧରେ ମୃତ୍ୟୁସଂଖ୍ୟା ଥିଲା ଅଗଣିତ।
ଏବେ ଯୁଦ୍ଧଜନିତ ମୃତ୍ୟୁର ବିଭୀଷିକା ଅନେକାଂଶରେ ଅନୁପସ୍ଥିତ।
ସେମିତି ଅଭାବ, ଅନଟନ ଓ ଅନାହାର ପରି ଭୟଙ୍କର ସଙ୍କଟର ଯୁଗାବସାନ ମଧ୍ୟ ଘଟିଛି।
ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ଉତ୍ପାଦନ ଫଳରେ ଅନଟନ ନାହିଁ, ନାହିଁ ତେଣୁ "ଅନାହାର"ର ତାଣ୍ଡବ।
କୃଷି ବିଜ୍ଞାନ ଓ ଗଣତାନ୍ତ୍ରିକ ସରକାରଙ୍କ ଉଦ୍ୟମରେ ଅନାହାର ମୃତ୍ୟୁ ନିୟନ୍ତ୍ରିତ।
ଯଦି କଦାଚିତ କେଉଁଠାରେ ଅନାହାର ଜନିତ ମୃତ୍ୟୁ ଘଟୁଥାଏ, ତାହାର କାରଣ ପ୍ରାଶାସନିକ ଓ ସାମାଜିକ ଅବହେଳା ହୋଇପାରେ।
ମହାମାରୀ ଛଡ଼ା ଜ୍ବର, କାଶ ଠାରୁ କ୍ୟାନସର ପର୍ଯ୍ୟନ୍ତ ସବୁ ବ୍ୟାଧିର ଗନ୍ତାଘର ମଣିଷ ଶରୀର।
କିନ୍ତୁ ଆଧୁନିକ ଭେଷଜ ବିଜ୍ଞାନ ରୋଗମୁକ୍ତିର ମାର୍ଗ ଉନ୍ମୋଚନ କରି ମୃତ୍ୟୁକୁ ଏକ ପରିହାସରେ ପରିଣତ କରିଛି।
ତେବେ ବାର୍ଦ୍ଧକ୍ୟରେ ମଣିଷ ମୃତ୍ୟୁମୁଖରେ ପଡ଼ିବାକୁ ବାଧ୍ୟ।
କାରଣ ସେହି ପର୍ଯ୍ୟାୟରେ ମଣିଷ ଉପନୀତ ହେଲାବେଳକୁ ତା" ଶରୀର ବାର୍ଦ୍ଧକ୍ୟ-ବ୍ୟାଧିରେ ପୀଡ଼ିତ ହୋଇସାରିଥାଏ।
ଶରୀରର ଶକ୍ତି କ୍ଷୟ ହୋଇସାରିଥାଏ।
ସେହି ଦୁର୍ବଳ ଗଳାବାଟ ଦେଇ ମୃତ୍ୟୁ ମଣିଷ ପାଖକୁ ଧସେଇ ପଶେ।
ସେ ବାଟ ବି ବିଜ୍ଞାନ ବନ୍ଦ କରିଦେଲାଣି।
ଯାନବାହନକୁ ମରାମତି କଲା ପରି ମଣିଷର ଆପାଦମସ୍ତକ ମରାମତି କରାଯାଇ ତା"ର ଶରୀରକ୍ଷୟକୁ ରୋକାଯାଇପାରୁଛି।
ମଣିଷ ଶରୀରକୁ କର୍କଟ ମୁକ୍ତ କରି ମୃତ୍ୟୁକୁ ପରାହତ କରିବା ପାଇଁ ଆଧୁନିକ ବିଜ୍ଞାନ ପ୍ରୟାସରତ।
କେତେକାଂଶରେ ସମର୍ଥ ମଧ୍ୟ।
ଆହୁରି ପଢ଼ନ୍ତୁ- Lord Jagannath: "ଜଗନ୍ନାଥ ସଂସ୍କୃତି ବିଶ୍ୱବନ୍ଧୁତ୍ୱର ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନ" ବିଜ୍ଞାନର ଅନୁକମ୍ପାରୁ ମଣିଷ ଦ୍ବିିଶତ ବର୍ଷ ବଞ୍ଚିବା ସମ୍ଭବ ହେବ।
ଅମରତ୍ୱ ଆଉ କ"ଣ କି?
କିନ୍ତୁ ବିଜ୍ଞାନର ହାତ ପାଉନାହିଁ ବିପର୍ଯ୍ୟୟ ପର୍ଯ୍ୟନ୍ତ।
ନୂଆନୂଆ ଦୈବଦୁର୍ବିପାକ ପୃଥିବୀକୁ ଗ୍ରାସ କରିବାରେ ଲାଗିଛି।
ମହାବାତ୍ୟା ଠାରୁ ଭୂମିକମ୍ପ ଓ ସୁନାମି ପର୍ଯ୍ୟନ୍ତ ବିପର୍ଯ୍ୟୟର ତାଲିକା ବେଶ୍ ଦୀର୍ଘ।
ମନୁଷ୍ୟକୃତ ବିପର୍ଯ୍ୟୟର ସଂଖ୍ୟା ବି ବଢ଼ିବଢ଼ି ଚାଲିଛି।
କଳକାରଖାନାରେ ଅଗ୍ନ୍ୟୁତ୍ପାତ, ଗ୍ୟାସ୍ ଲିକ୍, ଖଣିସ୍ଖଳନ ଆଦି ବିପର୍ଯ୍ୟୟରୁ ମଣିଷର ମୁକ୍ତି କାହିଁ?
ସଡ଼କ ଦୁର୍ଘଟଣା ଠାରୁ ଏୟାରକ୍ରାସ୍- ଏସବୁ ବିପର୍ଯ୍ୟୟ ନିତିଦିନିଆ ଘଟଣା ପାଲଟିଛି।
ଏଥିରୁ ମଣିଷର ତ୍ରାହି କାହିଁ!
ଏଠି ବିଜ୍ଞାନ ଫେଲ୍।
ସୁତରାଂ ବିଜ୍ଞଜନଙ୍କ ମତରେ ମଣିଷ "ଇମୋର୍ଟାଲ" ନୁହେଁ, "ଆମୋର୍ଟାଲ" ହେବା ଆଉ ବିଳମ୍ବ ନାହିଁ ଅର୍ଥାତ୍ ମଣିଷ ଅମର ନହେଲେ ବି ଆୟୁଷ୍ମାନ ହୋଇ ରହିବ, ଚିରଞ୍ଜୀବୀ ନହେଲେ ବି ଦୀର୍ଘଜୀବୀ ହୋଇପାରିବ।
ସାଂପ୍ରତିକ ବିଶ୍ବ ଏକ ବିରୋଧାଭାସ ମଧ୍ୟ ଦେଇ ଗତି କରୁଛି।
ଶାରୀରିକ ସୁସ୍ଥତା କ"ଣ କେବଳ ସୁସ୍ଥତା?
ମାନସିକ ବ୍ୟାଧିର ବୃଦ୍ଧି ମଣିଷ ସମାଜ ଆଗରେ ଏକ ନୂଆ ହିମାଦ୍ରି ଠିଆ କରାଇଛି।
ସମସ୍ତ ପ୍ରାଚୁର୍ଯ୍ୟ ସତ୍ତ୍ବେ ବିଷାଦ ଓ ଅବସାଦ କାହିଁକି?
ଦୁଇଶହ ବର୍ଷ ବଞ୍ଚିରହି ମଣିଷ ମାନସିକ ବ୍ୟାଧିଗ୍ରସ୍ତ ହେଲେ ପୃଥିବୀର ଅବସ୍ଥା କ"ଣ ହେବ?
ଉଲ୍ଲେଖ ପ୍ରାସଙ୍ଗିକ ଯେ, ଶାରୀରିକ ସୁସ୍ଥତା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଉପଚାର ଯାହା ଅବଶ୍ୟ ବ୍ୟୟବହୁଳ।
କେବଳ ଧନାଢ଼୍ୟ ବା କ୍ଷମତାସୀନ ବ୍ୟକ୍ତିମାନେ ଆର୍ଥିକ ସାମର୍ଥ୍ୟ ବଳରେ ସୁଦୀର୍ଘ ଜୀବନ ଜିଇଁପାରିବେ।
ତେବେ ସ୍ବଳ୍ପାୟୁମାନଙ୍କ କ୍ରୋଧରୁ ସେମାନେ ବର୍ତ୍ତିପାରିବେ ତ?
ଏହା ଅରାଜକତାକୁ ଜନ୍ମ ଦେବ ନାହିଁ କି?
ସମାଜ ବ୍ୟବସ୍ଥାକୁ ଦୋହଲାଇ ଦେବ ନାହିଁ କି?
ଏବଂ ଏ କ୍ଷେତ୍ରରେ ଶେଷକଥାଟି ହେଉଛି ପିଢ଼ି ବ୍ୟବଧାନର ମହାସଙ୍କଟ।
ଗୋଟିଏ ସମାଜରେ ପାଞ୍ଚ ପିଢ଼ିର ଲୋକେ ଏକତ୍ର ରହିପାରିବେ ତ?
ଏ ପ୍ରଶ୍ନ ବିଜ୍ଞାନୀମାନଙ୍କ ପାଇଁ ନୁହେଁ, ସମାଜ-ବିଜ୍ଞାନୀମାନଙ୍କ ପାଇଁ ଅଭିପ୍ରେତ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୧୪୩୮୯୬ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।