Editorial: ଚୋରିର ସରହଦ ନାହିଁ: ସରୋଜ କୁମାର ସାମଲଙ୍କ ସମ୍ପାଦକୀୟ କଲମରୁ ନିଃସୃତ...

Jul 22, 2026 - 16:22
Editorial: ଚୋରିର ସରହଦ ନାହିଁ: ସରୋଜ କୁମାର ସାମଲଙ୍କ ସମ୍ପାଦକୀୟ କଲମରୁ ନିଃସୃତ...

"ଚୋରିର ସରହଦ ନାହିଁ ସରୋଜ କୁମାର ସାମଲ ଆଗେ ସମାଜ, ତା" ପରେ ରାଷ୍ଟ୍ର।

ରାଜନୀତି ବିଜ୍ଞାନରେ ସାମାଜିକ ଚୁକ୍ତିବଦ୍ଧତା ଉଭୟ ଶୃଙ୍ଖଳିତ ସମାଜ ଓ ରାଷ୍ଟ୍ରତନ୍ତ୍ରର ଆଧାର।

ଲକ୍ଷ୍ୟ ହେଉଛି ନିରାପତ୍ତା ଓ ଘରୋଇ ଅଧିକାରର ସ୍ବୀକୃତି।

ସଂପତ୍ତିର ମାଲିକାନା ପାଇଁ ଦାର୍ଶନିକ ଜିନ୍ ଜାକ୍‌ସ ରୁଷୋ ଅଷ୍ଟାଦଶ ଶତାବ୍ଦୀରେ ଯେଉଁ ସୁନ୍ଦର ଉକ୍ତିଟି କାଳ କାଳ ପାଇଁ ଅଭିଲିଖିତ କଲେ, ତାହାର ମୂଳ ଥିଲା ଭୂ-ପରିମିତି।

ସେଇଠୁ ସୀମା ପାଇଁ ଲଢ଼େଇ।

ପ୍ରବେଶ ଅନୁପ୍ରବେଶକୁ ନେଇ ସଂଘାତର ବୟସ ଜନପଦ ତିଆରି ହେବାର କାଳରୁ ଆରମ୍ଭ ହୋଇଥିବ।

କେବଳ ସ୍ଥାବର ନୁହେଁ, ଅସ୍ଥାବର ଉପରେ ମଧ୍ୟ ଅନଧିକାରକୁ ଅଧିକାର ଭାବରେ ସାବ୍ୟସ୍ତ କରିବା ଓ ସେ ନେଇ ମନ୍ଦ ବୁଦ୍ଧି ପ୍ରୟୋଗ କରିବାର ଉତ୍ପତ୍ତି କେଉଁ ଆବହମାନ କାଳରୁ!Advertisment କଳଙ୍କର ଏକ ବୃତ୍ତି ଭାବରେ ପୁରୁଷରୁ ପୁରୁଷ ତା"ର ସ୍ଥିତି ଆଉ ମଜଭୁତି।

ମାତ୍ରା, ପ୍ରକାର ଓ ପ୍ରକରଣ ଅନୁଯାୟୀ ଆଧୁନିକ ଆଇନ ଦ୍ବାରା ତା"ର ଭିନ୍ନ ଭିନ୍ନ ବ୍ୟାଖ୍ୟା କରାଯାଇଛି।

ମୂଳଟି ହେଉଛି ଚୋରି।

ପ୍ରାଚୀନତମ ଋଗ୍‌ବେଦରେ ଅସଦ୍ ଉପାର୍ଜନ ବର୍ଜନୀୟ ବୋଲି କୁହାଯାଇଛି।

ଚୋର ଓ ଡକାୟତଙ୍କ ଠାରୁ ସୁରକ୍ଷା ପାଇଁ ଅଥର୍ବ ବେଦରେ ପ୍ରାର୍ଥନାର ଭଣିତା ରହିଛି।

ମନୁସ୍ମୃତି ଦଣ୍ଡବିଧାନର ବ୍ୟବସ୍ଥା-ପତ୍ର ପ୍ରଦାନ କରିଛି।

ନାରଦ ସ୍ମୃତିରେ ଏହି ଅପରାଧର ଆଇନଗତ ପ୍ରକାରଭେଦ ସଂକ୍ରାନ୍ତ‌େର ଆଦିମ ଅବତାରଣା ରହିଛି।

ଅର୍ଥଶାସ୍ତ୍ରରେ କୌଟିଲ୍ୟ ଚୋରିକୁ ରାଷ୍ଟ୍ର-ରାଜର ଆପଦ ଭାବରେ ଚିହ୍ନିତ କରିବା ସହିତ ଚୋରତନ୍ତ୍ରର ଅନୁସନ୍ଧାନ ପାଇଁ ରାସ୍ତା ନିର୍ଦ୍ଧାରଣ କରିଛନ୍ତି।

ଖ୍ରୀଷ୍ଟଧର୍ମର ଦଶ ଧର୍ମାଦେଶ (କମାଣ୍ଡମେଣ୍ଟ)ରେ ସିଧାସଳଖ କୁହାଯାଇଛି- "ୟୁ ସାଲ୍ ନଟ୍ ଷ୍ଟିଲ୍" ଅର୍ଥାତ୍‌ ଚୋରି କରିବ ନାହିଁ।

କୋରାନ ଓ ସୁନ୍ନୀ ସଂପ୍ରଦାୟର "ହାଦିଥ"ରେ ଚୋରିକୁ ଗୁରୁତର ଅପରାଧର ଆଖ୍ୟା ମିଳିଛି; ଦଣ୍ଡ ମଧ୍ୟ ଚରମ।

ତଥାପି ହଜାର ହଜାର ବର୍ଷ ଧରି ଚୋରିର ବୁନିଆଦି ତିଆରି ହୋଇଛି।

ଆହୁରି ପଢ଼ନ୍ତୁ- Blood Cancer in India: ବୃଦ୍ଧି ପାଉଛି ରକ୍ତ କର୍କଟ ରୋଗ: ଶରୀରରେ ଏସବୁ  ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ନିଅନ୍ତୁ ପରାମର୍ଶ ମଣିଷ ଜୀବନ ଉପରେ ଧର୍ମାଦେଶର ପ୍ରଭାବ ରହିଛି, କିନ୍ତୁ ନିୟନ୍ତ୍ରଣ ନାହିଁ।

ଏଣେ, ଶାସ୍ତ୍ରଗତ ଭାବବାଦର ପ୍ରଭାବରୁ ମୌଳବାଦ ମଧ୍ୟ ତିଆରି ହୁଏ, ଯାହା "ହେତୁ"କୁ ଉଦରସାତ୍‌ କରିଦିଏ; ଅନ୍ଧ ଆସ୍ଥା ଦୁଷ୍କୃତିକୁ ଘୋଡ଼ାଇଦିଏ।

ବିଶ୍ବାସକୁ ପଣ୍ୟ କରାଯାଏ, ଯହିଁରେ ଆଚରଣ ଗୌଣ ହୋଇଯାଏ।

ଅଦୃଶ୍ୟ ଶକ୍ତିର ଅନୁଗ୍ରହ ଆଶାୟୀମାନେ ଦିଆନିଆର ବ୍ୟବସ୍ଥାର ଲାଭାର୍ଥୀ ହୋଇ ଉଠନ୍ତି।

କେବଳ ସେତିକି ନୁହେଁ, ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାରେ ତିଆରି ହୋଇଥିବା ନିୟନ୍ତ୍ରଣ ଓ ବିଧାନକାରୀ ଅନୁଷ୍ଠାନଗୁଡ଼ିକ ସବଳ ହେବା ପରିବର୍ତ୍ତେ ଦୁର୍ବଳ ହେଉଛନ୍ତି; ଯାହା ଫଳରେ ଦୁର୍ନୀତି, ଚୋରି, ଡକାୟତି ଭଳି ଅଲକ୍ଷଣଗୁଡ଼ିକ ଉତ୍କଟ-ବାଣିଜ୍ୟର ସଂସ୍ପର୍ଶ ଦ୍ବାରା ଉଗ୍ର ରୂପ ଧାରଣ କରିବାରେ ଲାଗିଛନ୍ତି।

ଆଉ ଧର୍ମ ଯେତେବେଳେ ରାଜନୀତିର ପରିବହନ ପାଇଁ ଯାନରେ ପରିଣତ ହୁଏ, ନୀତି ଓ ନୈତିକ ଆଚରଣ ମଧ୍ୟ ସଂକଟଗ୍ରସ୍ତ ହୋଇଯାଏ।

ପ୍ରଶ୍ନହୀନତାର ପରିବେଶ ତିଆରି ହୋଇଯାଏ।

ମନ୍ଦିର, ଚର୍ଚ୍ଚ, ମସ୍‌ଜିଦ୍ ଓ ୱାକଫ୍‌ର ପରିଚାଳକମାନେ ନିଜେ ପ୍ରତିଷ୍ଠାନର ବିପଦ ହୋଇ ଛିଡ଼ା ହୁଅନ୍ତି।

ସାଧାରଣତଃ ଜଣେ ଭାରତୀୟ, ସମୂହ ଓ ସମାଜ ପାଇଁ ଯେତିକି ବିମୁଖ, ମନ୍ଦିର, ମସ୍‌ଜିଦ୍, ଗୀର୍ଜା ପାଇଁ ସେତିକି ମୁଖର।

ଆଲୋଚକ ଆର୍ଥର୍ କୋଏସ୍‌ଲର୍ ପ୍ରାୟ ଛଅ ଦଶନ୍ଧି ତଳେ, ସ୍ବାଧୀନତୋତ୍ତର ଭାରତବର୍ଷରେ ଜନ ଚରିତ୍ର‌ର ମୂଲ୍ୟାଙ୍କନ କରି କହିଥିଲେ ଯେ ଭାରତୀୟମାନେ ସମାଜ ସ୍ବାର୍ଥର ପ୍ରଶ୍ନରେ ସାଧାରଣତଃ ଅନାଗ୍ରହୀ, ଅଥଚ ସେମାନଙ୍କ ଉଦ୍‌ଯୋଗ, ଭାବନା ସବୁ କିଛି ଦେବ, ଦେବତା-କୈନ୍ଦ୍ରିକ।

ପ୍ରାୟ ସବୁ ବର୍ଗର ଭାରତୀୟ ପରିବାରରେ ଯାହା ଦେଖାଯାଏ, ତା" ଉପରେ ଟିକିଏ ଆଲୋଚନା କରିବା।

ଯେତିକି ସମୟ ଠାକୁର ପୂଜା ଓ ବ୍ରତରେ ଆମେ ବ୍ୟୟ କରୁ ତା"ର କିଛି ଅଂଶ ବୁଢ଼ା ବାପା, ମାଆ କିମ୍ବା ଶାଶୂଶ୍ବଶୁରଙ୍କ ପାଇଁ ଦେଉନାହୁଁ।

ପ୍ରଶ୍ନ ହେଉଛି, ଦେବଦେବୀଙ୍କୁ ନେଇ ପୂଜା; ପୂଜା ଓ ପୂଜାରୀର ଏହି ସଂପର୍କ ମନ୍ଦିର ଚୋରି ଓ ଡକାୟତିର ନିଷେଧକ ହୋଇପାରିଛି କି?

ଅଯୋଧ୍ୟାର ରାମ ମନ୍ଦିରରୁ କୋଠ ସଂପତ୍ତି ଚୋରି, ପୁଣି ଲକ୍ଷ ଲକ୍ଷ ଭାବାବେଗୀ ଭକ୍ତଙ୍କ ଦାନରୁ ସଂଗୃହୀତ ଅର୍ଥର ତୋସରପାତ, ସର୍ବଗ୍ରାସୀ ନୀତିହୀନତାର କୁତ୍ସିତ ରୂପକୁ ଉନ୍ମୋଚନ କରିଛି।

ଏବଂ ଯାହା ସବୁଠାରୁ ଅଧିକ ଉଦ୍‌ବେଗଜନକ, ତାହା ହେଲା ଚୋର ହେଉଛନ୍ତି ସଂପୃକ୍ତ ଟ୍ରଷ୍ଟର ଏକ ଅଂଶ ଏବଂ ପରିଚାଳନା ଦାୟିତ୍ବରେ ଥିବା କିଛି କାର୍ଯ୍ୟକର୍ତ୍ତା।

ଦାୟବଦ୍ଧତାକୁ ନ୍ୟୂନ କରିବା ପାଇଁ ଶ୍ରୀରାମ ଭକ୍ତି, ମନ୍ଦିର ନିର୍ମାଣ ପ୍ରତି ଏକନିଷ୍ଠତାର ଦ୍ବାହି କେଉଁଠି କେଉଁଠି ଦିଆଯାଉଛି।

କିନ୍ତୁ ଏହି ଭାବପ୍ରବଣତା ଇତିହାସର ପ୍ରାଙ୍ଗଣରେ ଉତ୍‌କୀର୍ଣ୍ଣ ପ୍ରଶ୍ନର ପଥର ସ୍ତମ୍ଭଟିକୁ ଟାଳି ଦେଇପାରିବ ନାହିଁ।

ଚୋରି ଓ ଦ୍ବିଚାରିତାର ନଗ୍ନତା କେବଳ ମନ୍ଦିରର କଥାବସ୍ତୁ ନୁହେଁ; ଚର୍ଚ୍ଚ, ମସ୍‌ଜିଦ୍ ଓ ଗୁରୁଦ୍ବାର ମଧ୍ୟ ଦୁର୍ନୀତି ଆକ୍ରାନ୍ତ।

ଇଉରୋପରେ ଏବଂ ଭାରତରେ ବିଶେଷତଃ କେରଳ ଓ ଗୋଆର ଚର୍ଚ୍ଚର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଅନୁଷ୍ଠାନର ସଂପତ୍ତି ଲୁଣ୍ଠନର ଦୃଷ୍ଟାନ୍ତ ରହିଛି। "ଦକ୍ଷିଣ ଭାରତର ଚର୍ଚ୍ଚ" କର୍ତ୍ତୃତ୍ବାଧୀନ ବିଭିନ୍ନ ଅନୁଷ୍ଠାନରେ ଅର୍ଥ ହେରଫେରର ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନର ପ୍ରମାଣ ଅଛି।

ଜମି ବିକା ଦୁର୍ନୀତିରେ କୋଚିସ୍ଥିତ ସାଇଲୋ-ମାଲବାର ଚର୍ଚ୍ଚ କର୍ଦ୍ଦମାକ୍ତ।

ମୁସଲମାନ ଦେବୋତ୍ତର ସଂପତ୍ତି ତଥା ୱାକଫ୍ ପରିଚାଳନା ଦାୟିତ୍ବରେ ‌ଥିବା ଆଗୁଆ ଲୋକମାନଙ୍କ ଦ୍ବାରା ସଂପତ୍ତିର ଦୁରୁପଯୋଗ ଓ ଆତ୍ମସାତ୍‌ର ଉଦାହରଣ ଆମ ଦେଶର ବିଭିନ୍ନ ରାଜ୍ୟରେ ରହିଛି।

ଏଥିରୁ ସ୍ପଷ୍ଟ, ତଥାକଥିତ ଈଶ୍ବର ଭକ୍ତି ମଣିଷକୁ ଚୋରି ଓ ଲୁଣ୍ଠନରୁ ବିରତ କରିପାରୁ ନାହିଁ।

ବରଂ, ଅନେକ ଧର୍ମୀୟ ଅନୁଷ୍ଠାନ ଅସାଧୁତା ଓ ଅସାମାଜିକତାର ଖେଳପଡ଼ିଆ ହୋଇଯାଇଛନ୍ତି।

ଜ୍ୟାମିତିକ ବୃଦ୍ଧି ହାରରେ ମୁଣ୍ଡ ଟେକୁଥିବା ବିଭିନ୍ନ ପୂଜା ଓ ପ୍ରାର୍ଥନା ସ୍ଥଳୀଗୁଡ଼ିକୁ ଆଲୋଚନାକୁ ନିଆଯାଉ।

ରାସ୍ତାଘାଟରେ ସରକାରୀ ଜମି ଜବରଦଖଲ କରି କେତେ ମନ୍ଦିର ତେଳା ଚାଲିଛି।

ଗଢ଼ିଲା ବେଳେ ଦାତାଙ୍କ ସୂତ୍ର ବା ଉତ୍ସ କେହି ପଚାରୁନାହିଁ।

ଗାଁ ଗାଁରେ ମଦମାଂସର ଭୋଜି ପାଇଁ ବିଡ଼ା କାଢୁଥିବା ଠିକାଦାରମାନେ, ମନ୍ଦିର ପାଇଁ ସହଜରେ ଚେକ୍ କାଟନ୍ତି।

ଦେଉଳ ତୋଳି ନଁା କରିବାକୁ ଝୁଙ୍କ ଅଥଚ ରାସ୍ତା ବା ପୋଲର ନିମ୍ନମାନର କାମକୁ ନେଇ ପରୱା ନାହିଁ।

ଖଣି ମାଲିକ ଓ ଖଣିଜ ଉତ୍ତୋଳକମାନଙ୍କର ତଥାକଥିତ ବଦାନ୍ୟତାର ମଧ୍ୟ ଭୁରି ଭୁରି ଆଲୋଚନା।

ଏସବୁ ଆଇନସିଦ୍ଧ ସାମାଜିକ ଦାୟିତ୍ବ ନିର୍ବାହ ପାଣ୍ଠିରୁ ଉଦ୍‌ଗତ ନୁହେଁ।

ବଡ଼ ଚୋରିର ପ୍ରାୟଶ୍ଚିତ୍ତ ପାଇଁ ମନ ଗହନରେ ଜମିଥିବା ପଙ୍କର କ୍ଷାଳନ।

ହିନ୍ଦୁ ଭାବରେ ସମର୍ପଣ ମୁଦ୍ରାରେ ଖାଲି ପ୍ରଣିପାତ କରିବା ପାଇଁ ଯେଉଁମାନେ ଯାଆନ୍ତି, ସେମାନେ ସବୁବେଳେ ଧାଡ଼ିର ପଛରେ।

ପୁରୋହିତଙ୍କର ନଜର ସେ ଦିଗକୁ ନ ଥାଏ।

ପାତକ ଛଡ଼େଇବାକୁ ଛୁଟୁଥିବା ବାବୁଭାୟାଙ୍କ ଭିତରୁ କିଏ କିଏ ମନ୍ଦିରର ପୃଷ୍ଠପୋଷକ ହୁଅନ୍ତି।

ସଂପର୍କର ଏଭଳି ବନ୍ଧନରେ ଅନାବିଳତା ବଦଳରେ କାମନା ଓ ବାସନା ଉଚ୍ଚକିତ ହେବା ସ୍ବାଭାବିକ।

ସକାଳେ ଗାଧୁଆ ଶରୀରରେ ଓ ଅଧୁଆ ମନରେ ପାଟ ପରିଧାନ ପୂର୍ବକ ଗୀତା ପାଠ କରି, ସଞ୍ଜରେ ମନ୍ଦିରରେ କାମନାର ଦୀପାଳି ଜାଳୁଥିବା ମଧ୍ୟବିତ୍ତ ବାବୁ-ବାବୁଆଣୀ କ"ଣ କେବେ ହେଲେ ଗୀତାର ତୃତୀୟ ଅଧ୍ୟାୟରେ ସନ୍ନିବିଷ୍ଟ ଦ୍ବାଦଶ ଶ୍ଳୋକର ଅନୁଶୀଳନ କରନ୍ତି? ""ନିଜର ପ୍ରାପ୍ତି ହେଉଛି ପ୍ରକୃତି ଓ ସମାଜର ଦାନ।

ସତ୍‌ ପଥରେ କର୍ତ୍ତବ୍ୟ ନ ନିଭାଇ ସେହି ପ୍ରାପ୍ତିକୁ ଭୋଗ କରିବା ମଧ୍ୟ ଚୌର୍ଯ୍ୟ ପ୍ରବୃତ୍ତି।"" ଆହୁରି ପଢ଼ନ୍ତୁ- Vigilance Raid: ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ୧୦ ହଜାର ନେଉଥିଲେ ଲାଞ୍ଚ ସାଧୁତାର ଆନ୍ତର୍ଜାତିକ ସୂଚ୍ୟାଙ୍କରେ ଭାରତର ସ୍ଥାନ ଛୟାନବେ।

ବହୁ ଛୋଟ ଛୋଟ ବିକାଶୋନ୍ମୁଖୀ ଦେଶ ଆମଠାରୁ ଆଗରେ।

ପୁଣି ଏହି ମୂଲ୍ୟାୟନ କେବଳ ଜାତୀୟ ଓ ରାଷ୍ଟ୍ରାୟତ୍ତ ଉଦ୍ୟମିତା କ୍ଷେତ୍ରରେ ସାଧନ ଉପରେ ପର୍ଯ୍ୟବସିତ।

ଏହିସବୁ ସାମୂହିକ କ୍ଷେତ୍ରର ବାହାରେ ଅସାଧୁତା ଆହୁରି ବ୍ୟାପକ।

ଆମ ନିଜର ବ୍ୟକ୍ତିଗତ ଜୀବନଚର୍ଯ୍ୟାରେ ମଧ୍ୟ ତାହା ଆସ୍ଥାନ ଜମେଇଛି।

ସେଥିପାଇଁ ମନ୍ଦିରର ଅର୍ଥ ତୋସରପାତ ବାଦ୍‌ ପଡ଼ିବ କିଭଳି?

ସେହି ଦୃଷ୍ଟିରୁ ସମାଜ ହିଁ ହେଉଛି ବିଚ୍ୟୁତିର ନିଦାନ, ପ୍ରତିଷେଧ ଓ ଆରୋଗ୍ୟ ପାଇଁ ଏକମାତ୍ର ପ୍ରୟୋଗଶାଳା।

କେବଳ ଆବଶ୍ୟକ, ବିଧାନ ଓ ଆ‌ଇନ ତିଆରିବା ଓ ସେ ସବୁର ପ୍ରୟୋଗ ଲାଗି ବିଭିନ୍ନ ଅନୁଷ୍ଠାନ।

ପାଶ୍ଚାତ୍ୟରେ ମ୍ୟାକ୍ସ ୱେବର ଏବଂ ଆମ ଦେଶରେ ଲୋକ ପ୍ରଶାସନର ଶାସ୍ତ୍ରୀମାନେ ସେଥି ପାଇଁ ସେହି ଅନୁଷ୍ଠାନଗୁଡ଼ିକର ଶକ୍ତି ଓ ସ୍ବାୟତ୍ତତା ଉପରେ ଜୋର ଦେଇଛନ୍ତି।

ଯେଉଁ ଦେଶ ଯେତେ ଉଦାର ଗଣତନ୍ତ୍ର ଓ ଜାଗରଣର ମନ୍ତ୍ର ଅନୁଗ୍ରାହୀ, ସେ ଦେଶ ସେତେ ଆଧୁନିକତା ଦ୍ବାରା ଆଲୋକିତ।

ସେଇଥିପାଇଁ କ୍ୟାଥଲିକ ଦକ୍ଷିଣ ଇଉରୋପ ଓ ଲାଟିନ ଆମେରିକାରେ ନ ହୋଇ ପ୍ରୋଟେଷ୍ଟାଣ୍ଟ ଉତ୍ତର ଇଉରୋପରେ ଶିଳ୍ପବିପ୍ଳବର ପ୍ରଥମ ପଦପାତ ହୋଇଥିଲା।

ଭାବବାଦୀ ଧର୍ମୀୟତାରୁ ମୁକ୍ତ ହୋଇ ଆମକୁ ମନେ ରଖିବାକୁ ହେବ ଯେ ଚୋରିର କିଛି ନିଷିଦ୍ଧ ଚତ୍ବର ନାହିଁ।

ନିରୋଧ ନ ହେଲେ ବି, ଯଥାସମ୍ଭବ ତାକୁ ରୋଧ କରିବାକୁ ପ୍ରତିଷେଧର ପରିମଣ୍ଡଳ ତିଆରି କରିବାକୁ ହେବ।

ବିଧାନର ଶକ୍ତି ପ୍ରୟୋଗ ପାଇଁ ସଂବିଧାନ ଓ ଆଇନର ଅନୁଷ୍ଠାନଗୁଡ଼ିକୁ ସ୍ବାଧୀନ ଓ ସ୍ବୟଂକ୍ରିୟ କରିବାକୁ ପଡ଼ିବ।

ଉପାସନା ପୀଠଗୁଡ଼ିକରୁ ଚୋରି ଏମିତି କିଛି ଗୋଟିଏ ଆଶ୍ଚର୍ଯ୍ୟକର ଖବର ନୁହେଁ; ଖାଲି ଯାହା ଯାହା ଏହା ଅଯୋଧ୍ୟା ଘଟଣାରେ ଧରାପଡ଼ିଗଲା।

ମନ୍ଦିରର ଚତ୍ବର ଭାବନାର ସ୍ବର୍ଗପୁରୀ ନୁହେଁ, ଆମେ ଆତଯାତ ହେଉଥିବା ସମାଜର ଅଂଶ।

ଧର୍ମ ସଂହିତା, ଯେହେତୁ ମଣିଷର ଆଚରଣଗତ ବିଚ୍ୟୁତିକୁ ରୋକି ପାରୁନାହିଁ, ଧର୍ମୀୟ ପୀଠଗୁଡ଼ିକ ମଧ୍ୟ ଚୋରିର ଛାୟାରୁ ବାହାରି ପାରିବେ ନାହିଁ।

ଆମ ପୂଜା ଓ ପ୍ରାର୍ଥନାର ବିଧି ଶାସ୍ତ୍ରରେ ଅଭିଲିଖିତ ହେଉଥିବା ବେଳେ ବେବିଲୋନାର ଶାସକ ହାମୁରାବି ଚୌର୍ଯ୍ୟ ବୃତ୍ତି ନିବାରଣ ସଂହିତା ଲେଖି ଚାଲିଥିଲେ।

ଆଧୁନିକ ଆଇନ ବ୍ୟବସ୍ଥାର ପ୍ରତିଷ୍ଠାନଗୁଡ଼ିକ ହେଉଛନ୍ତି ତା"ର ବିବର୍ତ୍ତିତ ପ୍ରତିରୂପ।

ଏହି ପ୍ରତିଷ୍ଠାନଗୁଡ଼ିକର ପ୍ରାଧାନ୍ୟ ଓ ଗରିମାରେ ହିଁ ଆମର ସାଫଲ୍ୟ।

ଅପର ପକ୍ଷରେ ମନ୍ଦିର ଆମ ଆସ୍ଥାର ଆସ୍ଥାନ ହୋଇପାରେ, କିନ୍ତୁ ଏହା ଦୁରାଚାର ମୁକ୍ତ ନୁହେଁ।(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୨୨୬୬୪୪ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।