Editorial: କିଏ ହାରିଲା, କିଏ ଜିତିଲା?: ଜୟନ୍ତ କୁମାର ବିଶ୍ବାଳଙ୍କ ସମ୍ପାଦକୀୟ ଦିଗ୍ବଳୟର ଏ ପାଖରେ ପଢ଼ନ୍ତୁ ଏଥର...
"କିଏ ହାରିଲା, କିଏ ଜିତିଲା?
ଜୟନ୍ତ କୁମାର ବିଶ୍ବାଳଦିଗ୍ବଳୟର ଏ ପାଖରେ ଶେଷରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତାଫା ଦେଲେ।
ନିଟ୍ ପ୍ରଶ୍ନପତ୍ର ପ୍ରଘଟ, ପରୀକ୍ଷା ବାତିଲ, ଛାତ୍ରମାନଙ୍କ ହତାଶା ଏବଂ କେତେକ ଛାତ୍ରଛାତ୍ରୀଙ୍କ ଅତି ଦୁଃଖଦ ଆତ୍ମହତ୍ୟା, କକ୍ରୋଚ ଜନତା ପାର୍ଟି ନାମରେ ଏକ ବିଶାଳ ଛାତ୍ର ସମୁଦାୟର ଦିଲ୍ଲୀର ଯନ୍ତରମନ୍ତରରେ ମାସ ବ୍ୟାପୀ ପ୍ରତିବାଦ ଏବଂ ସୋନମ ୱାଙ୍ଗଚୁକଙ୍କର ଦୀର୍ଘ ଦିନର ଅନଶନ- ଏହିପରି ଏକ ସମ୍ବେଦନଶୀଳ ପରିସ୍ଥିତିରେ ହାରଜିତର ପ୍ରଶ୍ନ ଉଠେଇବା ଉଚିତ ମନେ ନ ହୋଇପାରେ।
ମାତ୍ର ଯେତେେବଳେ, କୌଣସି ଚାପ ଆଗରେ ନ ନଇଁଯିବା ଏବଂ ନିଜକୁ ଏକ ଦୃଢ଼, ଅନବଦମିତ ବୋଲି ପ୍ରତିପାଦିତ କରିବାକୁ ଚାହୁଁଥିବା ବି.ଜେ.ପି.
ସରକାର, ଛାତ୍ରମାନଙ୍କର ସମସ୍ତ ଦାବିକୁ ମାନିନେଲେ, ସେତେବେଳେ ହାରଜିତର କଥାଟି ସ୍ବାଭାବିକ ଭାବେ ମନକୁ ଆସିଥାଏ।
ବିଶେଷ କରି ଏହି ଆନ୍ଦୋଳନ ହେତୁ ଏକ ରାଜନୈତିକ ଯୁଦ୍ଧର ପରିସ୍ଥିତିରେ ବି.ଜେ.ପି.
ସରକାରର ଏହି ଆତ୍ମସମର୍ପଣକୁ ଏକ ପରାଜୟ ବୋଲି ମନେ କରାଯାଇପାରେ।
ଅନେକ ଏଥିରେ ଉଲ୍ଲସିତ ହୋଇପାରନ୍ତି ଯେ ଯାହାହେଉ ଏ ଉଦ୍ଧତ ସରକାରର ଗର୍ବ ଟିକିଏ ଚୂର୍ଣ୍ଣ ହେଲା।
ଏହି ପରିପ୍ରେକ୍ଷୀରେ ଆନ୍ଦୋଳନର ପ୍ରଭାବ ବିଷୟରେ ଏକ ମୂଲ୍ୟାଙ୍କନ କରାଯାଇପାରେ।
Advertisment ଏହା ନିଃସନ୍ଦେହ ଯେ ଏହି ଆନ୍ଦୋଳନ ହୋଇ ନ ଥିଲେ ଏହି ଦୁର୍ନୀତିଗୁଡ଼ିକ କିଛିଟା ମୃଦୁ ପ୍ରତିବାଦ ଏବଂ କିଛିଟା କାମଚଳା ଶାସନିକ ପଦକ୍ଷେପ ମଧ୍ୟରେ ସୀମିତ ହୋଇ ରହିଯାଇଥାନ୍ତା।
ଏହି ଆନ୍ଦୋଳନର ଆଉ ଏକ ବଡ଼ ଉପଲବ୍ଧି ହେଲା ଏହା ଯେ ଗଣତନ୍ତ୍ରରେ ପ୍ରତିବାଦ, ଆନ୍ଦୋଳନର ଏକ ଯଥାର୍ଥ ଭୂମିକା ଥିବାରୁ ଛାତ୍ରମାନଙ୍କର ଏହି ଦାବିଗୁଡ଼ିକୁ ଗ୍ରହଣ କରିନେବା ଭାରତୀୟ ଗଣତନ୍ତ୍ରର ବଳିଷ୍ଠତାକୁ ସୂଚେଇ ଥାଏ।
ସୁତରାଂ, ପଚରା ଯାଇପାରେ ଯେ ଏଥିରେ ବି.ଜେ.ପି.
ସରକାରର ଏକ ଅପମାନଜନକ ପରାଜୟ ହୋଇଛି ନା ଏହି ଦୃଶ୍ୟମାନ ପରାଜୟ ତଳେ ଏକ ବିଜୟ ନିହିତ ଅଛି?
ଏହି ମୁହୂର୍ତ୍ତରେ, ଜୟ ପରାଜୟର ଆବେଗର ଉପରାନ୍ତେ, ବି.ଜେ.ପି.
ସରକାରର ଏ ଆତ୍ମସମର୍ପଣର କିଛି ଗଭୀର ପ୍ରଭାବ ଭାରତୀୟ ଜନସମାଜ ଉପରେ ପଡୁଛି କି?
ଆହୁରି ପଢ଼ନ୍ତୁ- Heavy Rain: ବ୍ରାହ୍ମଣୀ ଓ ଘାଗରା ନାଳ ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ଛାତ୍ରମାନଙ୍କର ଦାବି ପ୍ରତି ପ୍ରଲମ୍ବିତ ବିମୁଖତା ପରେ ସରକାର ହଠାତ୍ ସର୍ତ୍ତହୀନ ଭାବେ ଦାବିଗୁଡ଼ିକୁ ଗ୍ରହଣ କରିନେବା ଏହି ସଂକେତ ମଧ୍ୟ ଦେଇଥାଏ ଯେ ସରକାର ଛାତ୍ରମାନଙ୍କ ପ୍ରତି ସମ୍ବେଦନଶୀଳ।
ହୁଏତ, ଏହି ନିଷ୍ପତ୍ତି ଭୟରୁ ଉତ୍ପନ୍ନ ହୋଇଥାଇପାରେ; ମାତ୍ର ସରକାର ଜିଦି, ମୁକାବିଲାର ମନୋଭାବ ଛାଡ଼ି ଶେଷକୁ ଦାବିଗୁଡ଼ିକ ଗ୍ରହଣ କରିନେବା ଏକ ସକାରାତ୍ମକ ଧାରଣା ସୃଷ୍ଟି କରିଥାଏ।
ସାଧାରଣ ଧାରଣାଟିଏ ନିଶ୍ଚୟ ସୃଷ୍ଟି ହୋଇଥିବ ଯେ ଆମ ପିଲାମାନଙ୍କ ପ୍ରତି ସରକାର ନିଷ୍ଠୁର ନୁହନ୍ତି; ସମ୍ବେଦନଶୀଳ।
ଦ୍ବିତୀୟରେ, ବି.ଜେ.ପି.
ପାଇଁ ଏହି ନିଷ୍ପତ୍ତି ଏକ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ।
ଅଧିକାଂଶ ଛାତ୍ର ଭୋଟର; ପୁଣି କେବଳ ଭୋଟର ମାତ୍ର ନୁହନ୍ତି, ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିପାରୁଥିବା ଭଳି ଭୋଟର।
ତେଣୁ ସେମାନଙ୍କୁ ନିଜଠାରୁ ଅଲଗା କରିଦେବା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ବିଜ୍ଞତାର କାର୍ଯ୍ୟ ନୁହେଁ।
ତୃତୀୟରେ, ଯେ କୌଣସି ଛାତ୍ରଛାତ୍ରୀ ତା" ପରିବାର ପାଇଁ ସର୍ବାଧିକ କୋମଳ, ସ୍ପର୍ଶକାତର ବିଷୟ।
ତେଣୁ ପିଲାମାନଙ୍କ କିଛି କ୍ଷତି ଘଟିଲେ ତାହା ସମସ୍ତଙ୍କ ପାଇଁ ଚରମ ଉଦ୍ବେଗର କଥା ହୋଇଯାଏ।
ଏଭଳି ସ୍ଥଳେ ପିଲାମାନଙ୍କ ପ୍ରତି ସମ୍ବେଦନଶୀଳ ବୋଲି ପ୍ରତୀତ ହେଲେ ପରିବାରମାନଙ୍କରେ ସରକାରଙ୍କ ପ୍ରତି ଏକ ଆନ୍ତରିକତାର ଭାବ ଆସିଯାଏ।
ଚତୁର୍ଥ କଥା, ଛାତ୍ରଛାତ୍ରୀମାନେ ତାରୁଣ୍ୟରେ ଥିବାରୁ ସେମାନେ ଅଧିକ ଭାବପ୍ରବଣ ଏବଂ ଉତ୍ସାହପୂର୍ଣ୍ଣ ହୋଇଥାଆନ୍ତି।
ଏହି ସମୟରେ ବିପ୍ଳବ ସହିତ କିଛିଟା ରୋମାନ୍ସ କରିବାକୁ ମଧ୍ୟ ସେମାନେ ଚାହାନ୍ତି।
କିଛି ଗୋଟିଏ ମହାନ କରିବାର ଇଚ୍ଛାକୁ ନେଇ ସେମାନେ ତତ୍କ୍ଷଣାତ୍ ସଂଗ୍ରାମକୁ ଲମ୍ଫ ପ୍ରଦାନ କରିପାରନ୍ତି।
ଅନେକଙ୍କ ଜୀବନରେ ବି ଏପରି ଘଟିଛି।
ଏହାର ସୂଚନା ମଧ୍ୟ ମିଳିଲା ଯେତେବେଳେ ଦିଲ୍ଲୀର ପ୍ରତିବାଦ ଭାରତର ଅନ୍ୟ କେତେଟି ସହରକୁ ମଧ୍ୟ ସଂକ୍ରମିତ ହେଲା।
ଏକ ଦେଶବ୍ୟାପୀ ଛାତ୍ର ଆନ୍ଦୋଳନର ଆଶଙ୍କା ଉପୁଜି ଥିଲା।
ସମସ୍ତ ସଂଯମ ସତ୍ତ୍ବେ ଯଦି ପୁଲିସ ଦମନରେ କେଉଁଠି କିଏ ପ୍ରାଣ ହେରଇଥାନ୍ତା, ତେବେ ଆନ୍ଦୋଳନ ପୂରା ଭିନ୍ନ ମୋଡ଼କୁ ଚାଲିଯାଇ ଅନିୟନ୍ତ୍ରିତ ହୋଇପଡ଼ିଥାନ୍ତା।
ଜନ ଆନ୍ଦୋଳନର ରୂପ ନେପାଳ ବା ବଙ୍ଗଳାଦେଶରେ ହେଲା ପରି ହୁଅନ୍ତା।
ତେଣୁ ବି.ଜେ.ପି.
ସରକାର ଏକ ବୁଦ୍ଧିମାନର କାର୍ଯ୍ୟ କରିଛନ୍ତି ବୋଲି ବିଚାର କରିବାକୁ ହେବ।
ଆହୁରି ପଢ଼ନ୍ତୁ- Ex-Delhi Cops Plan Protest: ଜନ୍ତରମନ୍ତରରେ ପରବର୍ତ୍ତୀ ପ୍ରତିବାଦ କରିବେ ଅବସରପ୍ରାପ୍ତ ଦିଲ୍ଲୀ ପୁଲିସ କର୍ମଚାରୀ ପଞ୍ଚମରେ, ଛାତ୍ରମାନଙ୍କ ଦାବିଗୁଡ଼ିକ ମାନିନେବା ଫଳରେ ବିରୋଧୀ ଦଳଗୁଡ଼ିକ ହଠାତ୍ ଅନାବଶ୍ୟକ ହୋଇପଡ଼ିଲେ।
ନେପଥ୍ୟରେ ପୃଷ୍ଠପୋଷକ ସାଜିଥିବା ବିରୋଧୀ ଦଳଗୁଡ଼ିକ ପାଇଁ ଆଉ କୌଣସି ଭୂମିକା ରହିଲା ନାହିଁ।
ମୋଦୀ ସରକାରଙ୍କୁ ବିରୋଧୀ ଦଳ ଯେତେ ସୈତାନ ବୋଲି କହିଲେ ବି ଅନେକ ଛାତ୍ରଙ୍କୁ ତାହା ଅଯୌକ୍ତିକର ଲାଗୁଥାଇପାରେ।
ଷଷ୍ଠ କଥା, ଅନ୍ତତଃ ବର୍ତ୍ତମାନ ମୋଦୀ ବିରୋଧୀମାନେ ମୋଦୀଙ୍କୁ ଜଣେ ଏକଛତ୍ରବାଦୀ, ଉଦ୍ଧତ ବ୍ୟକ୍ତି ବୋଲି ନ କହି ତାଙ୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରିବାକୁ ବାଧ୍ୟ ହେବେ।
ସେମାନଙ୍କ ଭିତରେ ବର୍ତ୍ତମାନ ଏକ ହତାଶା ମଧ୍ୟ ଥିବ ଯେ ମୋଦୀଙ୍କୁ ଧରାଶାୟୀ କରିବାର ଏକ ଦୁର୍ଲ୍ଲଭ ସୁଯୋଗ ଖସିଗଲା।
ସୋନମ ୱାଙ୍ଗଚୁକଙ୍କ ଅନଶନ ଭଙ୍ଗକୁ କେତେକ ନେତା ମଧ୍ୟ ତାଚ୍ଛଲ୍ୟ କରିବା ମଧ୍ୟ ଆରମ୍ଭ କରିସାରିଲେଣି।
ସପ୍ତମ କଥା ହେଲା, ବିଡ଼ମ୍ବନା ଭଳି ଲାଗୁଥିଲେ ହେଁ କକ୍ରୋଚ ଜନତା ପାର୍ଟିର ଏହି ଅପୂର୍ବ ସଫଳତା ତାହାର ସ୍ଥିତିର ବିଲୁପ୍ତିର ଏକ କାରଣ ମଧ୍ୟ ହୋଇପାରେ।
ସେମାନଙ୍କର ସମସ୍ତ ଦାବି ଗୃହୀତ ହୋଇଗଲା ପରେ ସେମାନଙ୍କ ପାଇଁ ଆଉ ସେପରି କୌଣସି ଆଲୋଡ଼ନ ସୃଷ୍ଟିକାରୀ ବିଷୟ ନାହିଁ।
କ୍ରମେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ନିଜର ସ୍ବାଭାବିକ, ଗତାନୁଗତିକ ଜୀବନକୁ ଫେରିଯିବେ।
ସି.ଜେ.ପି.
ଆନୁଷ୍ଠାନିକ ଭାବରେ ଗୋଟିଏ ୱେବ୍ସାଇଟରେ ତା"ର ସ୍ଥିତି ବଜାୟ ରଖିପାରେ; କିନ୍ତୁ ଆଉ ଥରେ ଆନ୍ଦୋଳନକୁ ଓହ୍ଲେଇ ନିଜ ସାମର୍ଥ୍ୟର ପରିଚୟ ଦେବା ଏହା ପାଇଁ ସମ୍ଭବପର ହୋଇ ନ ପାରେ।
ଇତିହାସରେ ଯାହା ଦ୍ବିତୀୟ ଥର ଘଟେ, ତାହା ହାସ୍ୟାସ୍ପଦ ("ଫାର୍ସ") ହୋଇ ହିଁ ଘଟେ।
ତେଣୁ ବି.ଜେ.ପି.
ସରକାର କକ୍ରୋଚ ଜନତା ପାର୍ଟିର ଭୟରୁ ମୁକ୍ତ ବୋଲି ହୁଏତ ବିଚାର କରାଯାଇପାରେ।
ଅଷ୍ଟମ କଥା, ଏହି ଆନ୍ଦୋଳନ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକାକୁ ଆଲୋଚନା କରାଯାଉ।
ପ୍ରଶ୍ନପତ୍ର ପ୍ରଘଟ ପରେ ଆଉ ଥରେ ଉତ୍ତମ ଭାବେ ପରୀକ୍ଷା କରେଇବା ଏବଂ ତା"ର ଫଳ ପ୍ରକାଶ କରିବା, ଦେଶର ଶିକ୍ଷାମନ୍ତ୍ରୀ ଭାବେ ତାଙ୍କର ସେତେବେଳେ ପ୍ରଥମ କର୍ତ୍ତବ୍ୟ ଥିଲା, ଯାହାକୁ ସେ ସୁଚାରୁ ରୂପେ ସଂପନ୍ନ କରିଥିଲେ।
ଏହା ପୂର୍ବରୁ, ସମସ୍ତ ନିନ୍ଦା, ସମାଲୋଚନା ସତ୍ତ୍ବେ ତାଙ୍କର ଇସ୍ତଫା ଦେବାର କୌଣସି ଔଚିତ୍ୟ ନ ଥିଲା।
ସେମିତି କରିଥିଲେ, ସେ ଏକ ନିର୍ବୋଧ, ଭାବପ୍ରବଣ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଥାଆନ୍ତା।
ତେବେ, ଆନ୍ଦୋଳନକାରୀ ନେତାମାନଙ୍କ ସହ ସରକାରଙ୍କର ଆଲେଚନାର ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ତଫା ଦେଇ ସେ ଶାନ୍ତି, ସୌହାର୍ଦ୍ଦ୍ୟର ବାତାବରଣକୁ ଫେରାଇ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ନବମରେ, ସୋନମ ୱାଙ୍ଗଚୁକଙ୍କ ଅନଶନ ଏହି ଆନ୍ଦୋଳନକୁ ଗୁରୁତ୍ବ ଓ ଗାମ୍ଭୀର୍ଯ୍ୟ ପ୍ରଦାନ କରିଥିଲା।
ସେ ମଧ୍ୟ ପ୍ରଥମରୁ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ଅଡ଼ି ବସିଥିଲେ।
ମାତ୍ର ପରେ ଏକ ପରିପକ୍ବ ବାସ୍ତବବାଦୀ ଦୃଷ୍ଟିକୋଣ ନେଇ ସେ ବ୍ୟକ୍ତି ବଦଳରେ ବ୍ୟବସ୍ଥାର ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ବ ଦେଲେ।
ଫଳରେ, କଷ୍ଟକର ମନେ ହେଉଥିବା ପରିସ୍ଥିତିରେ କିଛିଟା ସୌହାର୍ଦ୍ଦ୍ୟ ଓ ଆଶାର ସଞ୍ଚାର ଘଟିପାରିଲା।
ଆହୁରି ପଢ଼ନ୍ତୁ- Telkoi Cuts Off ତେଲକୋଇ ବାହ୍ୟ ଜଗତରୁ ବିଛିନ୍ନ, ୨୪ ଘଣ୍ଟାରେ ୨୫୪.୧୪ ମିମି ବର୍ଷା ଦଶମ ଓ ଶେଷରେ, ଆନ୍ଦୋଳନ ସରିଲା ପରେ ଗୋଟିଏ ପ୍ରଶ୍ନ ବାରମ୍ବାର ମନକୁ ଆସେ ଯେ ଏଥିରେ ନେରନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଲା ନା ଉଜ୍ଜ୍ବଳ ହେଲା।
ପ୍ରତିପକ୍ଷର ମହୁଆ ମୈତ୍ର କହିଲେ ଯେ ଧର୍ମେନ୍ଦ୍ରଙ୍କୁ ଇସ୍ତଫା ପତ୍ର ଲେଖିବା ଜଣାନାହିଁ; ଆର୍.ଏସ୍.ଏସ୍., କେବଳ ତାଙ୍କୁ ଦୟା ପାଇଁ ଆବେଦନ ପତ୍ର ଲେଖିବା ଶିଖେଇଛି।
ନସିରୁଦ୍ଦିନ ଶାହ ମନ୍ତବ୍ୟ ଦେଲେ ଯେ ସେ ମୋଦୀଙ୍କୁ ବିଲ୍କୁଲ ଗୁରୁତ୍ବର ସହ ନିଅନ୍ତି ନାହିଁ।
ଯାହାର ଶିକ୍ଷାଗତ ଯୋଗ୍ୟତା ନାହିଁ, ସେ ଶିକ୍ଷା କଥା କ"ଣ ବୁଝିବ?
ଆନ୍ଦୋଳନ ସମୟରେ ମୋଦୀଙ୍କୁ ବ୍ୟକ୍ତିଗତ ଭାବରେ ଏହିପରି ନିନ୍ଦା କରାଯାଇଥିଲା।
ଅପର ପକ୍ଷରେ ସରକାର ଏବଂ ପ୍ରଧାନମନ୍ତ୍ରୀଙ୍କ ତରଫରୁ ସମସ୍ତ ସଂଯମ ଓ ଧୈର୍ଯ୍ୟ ରକ୍ଷା କରାଯାଉଥିଲା।
ସୋନମ ୱାଙ୍ଗୁଚକଙ୍କ ଅନଶନ ଭଙ୍ଗ ପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତାଭରା ପତ୍ର ଏବଂ ତା" ପରେ ପ୍ରସାରିତ ହୋଇଥିବା ଦୁଇଟି ଭିଡିଓ, ତାଙ୍କୁ ବିପକ୍ଷର ରୁକ୍ଷ, ଅଶାଳୀନ ନେତାମାନଙ୍କ ତୁଳନାରେ ଜଣେ ପରିପକ୍ବ ଓ ଉଦାର ମଣିଷ ଭାବେ ଉପସ୍ଥାପନ କରିପାରିଛି।
ଏହି ମୂଲ୍ୟାଙ୍କନ କେବଳ ଏହି ଆନ୍ଦୋଳନକୁ ନେଇ।
ଏହି ଆନ୍ଦୋଳନର ପରିସୀମା ବାହାରେ ଆଉ ଏକ ବିଶାଳ ଛାତ୍ର, ତରୁଣ ସମୁଦାୟ ଅଛି, ଯେଉଁମାନେ ଅସହାୟ ବିଦ୍ୟାଳୟମାନଙ୍କରେ ପଢୁଛନ୍ତି ଅବା ମଝିରୁ ପଢ଼ା ଛାଡ଼ିଦେଉଛନ୍ତି।
ସେହି ସମୁଦାୟର ସ୍ବର କ୍ଷୀଣ; ଆନ୍ଦୋଳନ କରିବା ପାଇଁ ସେମାନଙ୍କର ସାମର୍ଥ୍ୟ ନାହିଁ।
ସେମାନଙ୍କର ବି ଭଲ ଭାବେ ବଞ୍ଚିବା ପାଇଁ ଆକାଂକ୍ଷା ଅଛି!(ମତାମତ ଲେଖକଙ୍କ ନିଜସ୍ବ) ମୋ: ୯୪୩୭୨୯୨୧୧୩ ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।