Editorial: କରୁଣ କର୍ମ ଚକ୍ର!
"ପୁରୁଣା ଇତିହାସର ଭୂମି ଉପରେ ଛିଡ଼ା ୟୁରୋପର ଦୃଷ୍ଟିରେ ଆମେରିକା ଏକ ନିତାନ୍ତ ବସ୍ତୁବାଦୀ, ଇତିହାସବୋଧ ଶୂନ୍ୟ ହାଲୁକା ଜାତି।
ସୁତରାଂ, ଏବେ ଆମକୁ ଦେଖିବାକୁ ମିଳୁଛି କିଭଳି ଉତ୍ତାପର ତ୍ରାସରେ କ୍ଷୀର-ନୀର ଅଲଗା ହେବାକୁ ବସିଛନ୍ତି!
ଏବଂ ଏକ କରୁଣ କର୍ମ ଚକ୍ର ଭଳି ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପ-ବିପ୍ଳବର ବିହନ ପୋତିଥିବା ୟୁରୋପରେ ପହଞ୍ଚି ସତେ ଯେମିତି ପ୍ରକୃତି ତା"ର ଅବମାନନା ସକାଶେ ମୂଲ୍ୟ ଅସୁଲ କରୁଛି!Advertisment Editorial: ପ୍ରଥମ ସ୍ତମ୍ଭ: ଅବସୋସ ସଂପ୍ରତି ୟୁରୋପ ମହାଦେଶରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ରହି ସେଠାରେ ମାନବ ପ୍ରାଣହାନି, ଅରଣ୍ୟ ଅଗ୍ନି ଓ ଭିତ୍ତିଭୂମିଗତ ବିଘଟନର ଯେଉଁ ବିପର୍ଯ୍ୟୟ ସୃଷ୍ଟି କରିଛି, ତହିଁରେ ଶିକ୍ଷିତ, ସଚେତନ, ସଂପନ୍ନ, ଆରାମ-ଅଭ୍ୟସ୍ତ ଓ ବଡ଼ାଇ-ସର୍ବସ୍ବ ଶ୍ବେତାଙ୍ଗ ୟୁରୋପୀୟ ଜାତି ଦାରୁଣ ଅସ୍ତିତ୍ବ ସଂକଟର ସମ୍ମୁଖୀନ ହେଲାଣି।
ପ୍ରାୟତଃ ଶୀତପ୍ରଧାନ ଏବଂ ଭୂମଧ୍ୟ-ସାଗର ତଟବର୍ତ୍ତୀ ଚିତ୍ତରଂଜକ ନାତିଶୀତୋଷ୍ଣ ଜଳବାୟୁର ଏହି ଭୂଖଣ୍ଡ ସ୍ବଳ୍ପ କାଳ ସକାଶେ ଗ୍ରୀଷ୍ମ ଋତୁ ଦେଖିଥାଏ ଏବଂ କଦବା କେମିତି ଖରା ତାତି ସହିଥାଏ।
ଗଲା ଦୁଇ ଦଶକ ପୂର୍ବ ପର୍ଯ୍ୟନ୍ତ, ଏହି ମହାଦେଶର ଯେଉଁ ଦେଶଗୁଡ଼ିକ ଗ୍ରୀଷ୍ମ ଋତୁରେ ୨୫ରୁ ୩୫ ଡିଗ୍ରି ସେଲସିଅସ ପର୍ଯ୍ୟନ୍ତ ତାପମାତ୍ରା ଦେଖି ଆସୁଥିଲା, ଏବେ ସେହି ସବୁ ଦେଶରେ ଉତ୍ତାପ ୪୫ ଡିଗ୍ରି ସେଲସିଅସ ସ୍ପର୍ଶ କରିବାକୁ ବସିଛି।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା "ଡବ୍ଲ୍ୟୁ.ଏଚ.ଓ." ପକ୍ଷରୁ ଚେତାବନୀ ଦିଆଯାଇ ସାରିଲାଣି ଯେ ଏହି ଧାରା ଆଗକୁ ଅଧିକ ଉତ୍କଟ ହୋଇପାରେ ସିନା, ତହିଁରେ ବିରାମ ଲାଗିବାର ବିଶେଷ ସମ୍ଭାବନା ନାହିଁ; ସୁତରାଂ, ପ୍ରସ୍ତୁତ ହେବାକୁ ପଡ଼ିବ।
କହିବା ବାହୁଲ୍ୟ, ଗୋଟିଏ ଚରମ ବିନ୍ଦୁରୁ ଆଉ ଗୋଟିଏ ଚମର ବିନ୍ଦୁକୁ ପ୍ରକୃତିର ଏଭଳି ଦୋଳନକୁ ୟୁରୋପ ସହଜରେ ଗ୍ରହଣ କରି ପାରୁ ନାହିଁ ଏବଂ ବସନ୍ତସମ ମନୋରମ ଗ୍ରୀଷ୍ମ ଅପସରି ଯିବାରେ ମୁହ୍ୟମାନ ୟୁରୋପୀୟମାନେ, ପରିବର୍ତ୍ତନ ସହିତ ଖାପ ଖୁଆଇ, ନିଜକୁ "ରିସେଟ୍" ବା "ପୁନଃ ସଜାଡ଼ିବା"ର ଅନିବାର୍ଯ୍ୟତାରେ ଦ୍ବନ୍ଦ୍ବର ସମ୍ମୁଖୀନ ମଧ୍ୟ ହେବାରେ ଲାଗିଛନ୍ତି।
ପରିସଂଖ୍ୟାନରୁ ଜଣାପଡ଼ିଥାଏ ଯେ ଚଳିତ ଗ୍ରୀଷ୍ମ ପ୍ରବାହ କାରଣରୁ କେବଳ ଗଲା ଜୁନ୍ ମାସରେ ପ୍ରାଣ ହରାଇଥିବା ୟୁରୋପୀୟଙ୍କ ସଂଖ୍ୟା ୩୦୦୦ରୁ ଅଧିକ, ଯହିଁରୁ ଏକ ବଡ଼ ଅଂଶ ବୃଦ୍ଧ ବା ବୃଦ୍ଧା।
ଫ୍ରାନ୍ସରେ ଉତ୍ତାପର ତୀବ୍ରତା ସର୍ବାଧିକ ହୋଇଥିବା ବେଳେ ବେଲଜିଅମ, ହଙ୍ଗେରି, ଜର୍ମାନି, ପୋଲାଣ୍ଡ, ନେଦରଲାଣ୍ଡ୍ସ, ସ୍ପେନ ଓ ଇଟାଲି ଆଦି ଭଳି ଅନେକ ଦେଶ ଅସହ୍ୟ ତାପମାତ୍ରାର ଶିକାର ହେବାରେ ଲାଗିଛନ୍ତି; ସ୍ପେନ, ପର୍ତ୍ତୁଗାଲ ଓ ଜର୍ମାନିରେ ଅରଣ୍ୟ ଅଗ୍ନି ଅନିର୍ବାପିତ ରହି ସମସ୍ୟାକୁ ଅଧିକ ଗମ୍ଭୀର କରିଛି।
କହିବା ଅନାବଶ୍ୟକ ଯେ ୟୁରୋପୀୟ ଦେଶଗୁଡ଼ିକର ସଡ଼କ, ସେତୁ ବା ଅନ୍ୟାନ୍ୟ ଭିତ୍ତିଭୂମିଗତ ନିର୍ମାଣଗୁଡ଼ିକୁ ମୁଖ୍ୟତଃ "ଶୀତ ସହଣି" କରାଯାଇଥାଏ, ଯାହା ମାତ୍ରାଧିକ ଉତ୍ତାପ ବୃଦ୍ଧିରେ ଫାଟିଲାଣି ଅଥବା ଭୁଶୁଡ଼ିବାର ଚିହ୍ନ ଦେଖାଇଲାଣି।
କେବଳ ସେତିକି ନୁହେଁ, ଶୀତ ଦାଉରୁ ରକ୍ଷା ପାଇବା ସକାଶେ ଅଭ୍ୟନ୍ତରର ଉଷ୍ମତା ଧରି ରଖିବା ଲାଗି ବିଭିନ୍ନ ଉପାୟ ସେଠାକାର ଗୃହଗୁଡ଼ିକର ପାରଂପରିକ ଗଢ଼ଣରେ ନିହିତ ଥାଏ।
ସୁତରାଂ, ବର୍ତ୍ତମାନର ଓଲଟି ସ୍ଥିତିରେ ଘରଗୁଡ଼ିକର ଅଭ୍ୟନ୍ତର ବସ୍ତୁତଃ ଉତ୍ତପ୍ତ "ଭାଟି"ରେ ପରିଣତ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶିତ ହେଉଛି।
ଅବଶ୍ୟ, ଏଭଳି ସ୍ଥଳେ ଜୀବନକୁ ଶୀତଳ କରିବାର ସ୍ବାଭାବିକ ଉତ୍ତର ହୋଇଥାଏ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର ବା ଏ.ସି., ଯାହା ଖର୍ଦ୍ଦି କରିବା ଅଧିକାଂଶ ୟୁରୋପୀୟଙ୍କ ପକ୍ଷରେ ସମ୍ଭବ ମଧ୍ୟ।
କିନ୍ତୁ, ବିରୋଧାଭାସଟି ହେଲା, ୟୁରୋପୀୟ ଦୃଷ୍ଟିକୋଣରୁ ଏ.ସି.
ହେଉଛି ଏକ ଅନାବଶ୍ୟକ ବିଳାସ ସାମଗ୍ରୀ, ସୁତରାଂ, ବର୍ଜନୀୟ।
ତେଣୁ, ଏହାର ବହୁଳ ବ୍ୟବହାରକୁ ନେଇ ଅନେକତ୍ର ମାନସିକ ଅବରୋଧ ମଧ୍ୟ ଜାତ ହେଉଛି, ଯେଉଁ ସ୍ଥିତିରେ ଉତ୍ପନ୍ନ ଦ୍ବନ୍ଦ୍ବଗୁଡ଼ିକ ଉପରେ ଦୃଷ୍ଟିପାତ କରିବା ମଧ୍ୟ ପ୍ରାସଙ୍ଗିକ।
କହିବା ବାହୁଲ୍ୟ, ପ୍ରକୃତିର ପ୍ରସାଦରୁ ୟୁରୋପ ମହାଦେଶ ପ୍ରାୟତଃ ଏ.ସି.ର ବ୍ୟବହାରକୁ ଅନାବଶ୍ୟକ ବୋଲି ଦେଖିଆସିଥିଲା।
ଏହି କାରଣରୁ ଏବେ ସୁଦ୍ଧା ସେଠାରେ ଏ.ସି.ର ବ୍ୟବହାର ମାତ୍ର ୨୦% ଏବଂ ୟୁରୋପୀୟ ସ୍କୁଲ, କଲେଜ, ହାସପାତାଲ ଓ ଦୋକାନ ଘର ଭଳି ସାର୍ବଜନୀନ ସ୍ଥାନଗୁଡ଼ିକ ଏ.ସି.
ବିବର୍ଜିତ।
ଅବଶ୍ୟ, ଏବେ ସେଠାରେ କିଛି ପ୍ରଶସ୍ତ ସ୍ଥାନକୁ ବାତାନୁକୂଳିତ କରାଯାଇ ରୌଦ୍ର ସଂତପ୍ତଙ୍କ ସକାଶେ ଆଶ୍ରୟ ସ୍ଥଳରେ ପରିଣତ କରାଯାଇଛି।
ପ୍ରକୋଷ୍ଠର ଅଭ୍ୟନ୍ତର ଶୀତଳ ରଖୁଥିବା ଏ.ସି.
ଦ୍ବାରା ବାହ୍ୟ ପରିବେଶ ଅଧିକ ଉତ୍ତପ୍ତ ହେଉଥିବାରୁ ଅନେକ ୟୁରୋପୀୟ ଏହାର ବ୍ୟବହାର ନେଇ ଆପତ୍ତି କରନ୍ତି।
ଆପତ୍ତିର ଦ୍ବିତୀୟ କାରଣ ହେଲା, ଏ.ସି.ର ବହୁଳ ବ୍ୟବହାର ହେତୁ ବିଜୁଳି ଚାହିଦାରେ ବୃଦ୍ଧି ଘଟି ଅଧିକ ବିଜୁଳି ଉତ୍ପାଦନ ସକାଶେ ବାଧ୍ୟବାଧକତା ସୃଷ୍ଟି କରିବ; ଯଦ୍ଦ୍ବାରା ଅଧିକ ଜୀବାଶ୍ମ ଇନ୍ଧନ ଦହନ ଓ ତଜ୍ଜନିତ ଅଧିକ "ଗ୍ରିନ ହାଉସ ଗ୍ୟାସ"ର ଉତ୍ସର୍ଜନ ଘଟି ପ୍ରକାରାନ୍ତରେ ଏହି ଉତ୍ତପ୍ତୀକରଣକୁ ଅଧିକ ତୀବ୍ର କରିବ।
କେବଳ ସେତିକି ନୁହେଁ, ସଂପ୍ରତି ନଦୀ ଜଳର ଉତ୍ତାପରେ ବୃଦ୍ଧି ଘଟିଥିବାରୁ, ସେଠାରେ ଥଣ୍ଡା ଜଳରୁ ବିଜୁଳି ଉତ୍ପାଦନ କରୁଥିବା ପ୍ରଯୁକ୍ତି ବିଫଳ ହେଉଛି; ଯେଉଁ କାରଣରୁ ଫ୍ରାନ୍ସ, ବେଲଜିଅମ, ଜର୍ମାନି ଓ ସ୍ବିଜରଲାଣ୍ଡ ଭଳି କେତେକ ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନରେ ବ୍ୟାଘାତ ଘଟୁଛି।
ଏଭଳି ସ୍ଥଳେ ବର୍ଦ୍ଧିତ ବିଜୁଳି ଚାହିଦା ହେତୁ ଗ୍ରିଡ ଉପରେ ଅଧିକ ଚାପ ସ୍ପୃହଣୀୟ ହୋଇ ନ ଥାଏ।
ତୃତୀୟରେ, ୟୁରୋପୀୟ ଦେଶଗୁଡ଼ିକରେ ବିଜୁଳି ଦର ଉଚ୍ଚା ହୋଇଥିବାରୁ ଏ.ସି.
ଲଗାଇବା ନେଇ କୁଣ୍ଠା ସ୍ବାଭାବିକ!
ଚତୁର୍ଥରେ, ପ୍ରାଚୀନ ଐତିହ୍ୟର ନିଦର୍ଶନ ସ୍ବରୂପ ୟୁରୋପୀୟ ସହର ଓ ସୌଧଗୁଡ଼ିକର ସ୍ଥାପତ୍ୟରେ ସାମାନ୍ୟତମ ଆଞ୍ଚ ମଧ୍ୟ କୌଣସି ୟୁରୋପୀୟଙ୍କ ସକାଶେ ବରଦାସ୍ତଯୋଗ୍ୟ ହୋଇ ନ ଥାଏ; ଲଣ୍ଡନର ବକିଂହାମ ପ୍ୟାଲେସ ବା ଟାୱାର ଅଫ ଲଣ୍ଡନ ଅଥବା ପ୍ୟାରିସର ଭର୍ସାଇ ମହଲ ଆଦିରେ ଆଧୁନିକ ଏ.ସି.
ଖଞ୍ଜାଯିବାର ଅର୍ଥ ଅସଂଖ୍ୟ ୟୁରୋପୀୟଙ୍କ ଦୃଷ୍ଟିରେ କେବଳ ଔଚିତ୍ୟର ହନନ ନୁହେଁ, ଶାଳୀନତା ଓ ପବିତ୍ରତାର ଉଲ୍ଲଂଘନ।
ତେଣୁ, କକ୍ଷ ଅଭ୍ୟନ୍ତରରେ ଅଧିକ ବାୟୁ ଚଳାଚଳର ବ୍ୟବସ୍ଥା କରି ବା ଅଧିକ ଛାୟାପ୍ରଦ ସ୍ଥାନ ସୃଷ୍ଟି କରି କିମ୍ବା ସର୍ବାନନୀନ ସ୍ଥାନରେ ପାଣି ଫୁଆରାର ବନ୍ଦୋବସ୍ତ କରି ଉତ୍ତାପରୁ ମୁକ୍ତି ପାଇବା ସକାଶେ ସେଠାରେ ପ୍ରଚେଷ୍ଟା କରାଯାଉଛି।
ଅବଶ୍ୟ, ତାତି ବଢ଼ିବା ସହିତ ଏ.ସି.
କ୍ରେତାଙ୍କ ସଂଖ୍ୟାରେ ମଧ୍ୟ ବିପୁଳ ବୃଦ୍ଧି ଘଟିବାରେ ଲାଗିଛି, କିନ୍ତୁ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଅନେକ ସ୍ଥାନରେ ପଡ଼ୋଶୀଙ୍କ ବିରୋଧ ହେତୁ ତାହା ଲଗାଇବାରେ ମଧ୍ୟ ବାଧା ଉତ୍ପନ୍ନ ହେଉଛି, ଯେମିତି ଘଟିଛି ପ୍ୟାରିସରେ, ଯେଉଁଠି ନିୟମାନୁସାରେ ଏ.ସି.
ଖଞ୍ଜିବା ପୂର୍ବରୁ ପ୍ରତିବେଶୀମାନଙ୍କ ଅନୁମୋଦନ ଆବଶ୍ୟକ ହୋଇଥାଏ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଉତ୍କଟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତର ଆବିର୍ଭାବରେ କିଂକର୍ତ୍ତବ୍ୟବିମୂଢ଼ ୟୁରୋପ ସକାଶେ ଅଧିକ ଜଟିଳତା ସୃଷ୍ଟି କରିଛି ଏହି ଦ୍ବନ୍ଦ୍ବ! editorial: ହଲୋକଷ୍ଟ ୨.୦ ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଅତ୍ୟନ୍ତ ତୀବ୍ର, ଅଥଚ ସେଠାରେ ୯୦% ସ୍ଥାନ ବାତାନୁକୂଳିତ ହୋଇ ନାଗରିକମାନଙ୍କୁ ଆରାମପ୍ରଦ ଶୀତଳତା ପ୍ରଦାନ କରୁଛି।
ଏଭଳି ସ୍ଥଳେ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ପାରୁ ନ ଥିବା ୟୁରୋପକୁ ଏଲନ ମସ୍କଙ୍କ ସମେତ କେତେକ ବିଶିଷ୍ଟ ଆମେରିକୀୟ ସାମାନ୍ୟ କଟାକ୍ଷ ମଧ୍ୟ କରିଛନ୍ତି।
ସ୍ବାଭାବିକ ଭାବେ ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପ୍ୟାରିସ ନଗରୀର ଡେପୁଟି ମେୟର ଅଡ୍ରି ପୁଲଭର ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଛନ୍ତି "ଗ୍ରିନ ହାଉସ ଗ୍ୟାସ"ର ଦ୍ବିତୀୟ ବୃହତ୍ତମ ନିର୍ଗମନକାରୀ ଆମେରିକା ହେତୁ ଆମେ ଫ୍ରାନ୍ସରେ ଏହା ଭୋଗୁଛୁ!" ଆଟଲାଣ୍ଟିକ ମହାସାଗରର ଏ ପଟେ ଥିବା ଆମମାନଙ୍କୁ ପାଶ୍ଚାତ୍ୟ ପୃଥିବୀ ଏକକ ଶ୍ବେତାଙ୍ଗ ସଭ୍ୟତା ଭଳି ଦିଶୁଥିଲେ ହେଁ ୟୁରୋପ ଓ ଆମେରିକା ମଧ୍ୟରେ ବୈଚାରିକ ଓ ସାଂସ୍କୃତିକ ପ୍ରଭେଦ ରହିଥାଏ।
ପୁରୁଣା ଇତିହାସର ଭୂମି ଉପରେ ଛିଡ଼ା ୟୁରୋପର ଦୃଷ୍ଟିରେ ଆମେରିକା ଏକ ନିତାନ୍ତ ବସ୍ତୁବାଦୀ, ଇତିହାସବୋଧ ଶୂନ୍ୟ ହାଲୁକା ଜାତି।
ସୁତରାଂ, ଏବେ ଆମକୁ ଦେଖିବାକୁ ମିଳୁଛି କିଭଳି ଉତ୍ତାପର ତ୍ରାସରେ କ୍ଷୀର-ନୀର ଅଲଗା ହେବାକୁ ବସିଛନ୍ତି!
ଏବଂ ଏକ କରୁଣ କର୍ମ ଚକ୍ର ଭଳି ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପ-ବିପ୍ଳବର ବିହନ ପୋତିଥିବା ୟୁରୋପରେ ପହଞ୍ଚି ସତେ ଯେମିତି ପ୍ରକୃତି ତା"ର ଅବମାନନା ସକାଶେ ମୂଲ୍ୟ ଅସୁଲ କରୁଛି!"