Editorial: ଉତ୍ପୀଡ଼କ ପ୍ରଶ୍ନ: ଗୌରହରି ଦାସଙ୍କ ସମ୍ପାଦକୀୟ ଓଡ଼ିଶା ଡାଏରିରେ ପଢ଼ନ୍ତୁ ଏଥର...

Aug 01, 2026 - 17:32
Editorial: ଉତ୍ପୀଡ଼କ ପ୍ରଶ୍ନ: ଗୌରହରି ଦାସଙ୍କ ସମ୍ପାଦକୀୟ ଓଡ଼ିଶା ଡାଏରିରେ ପଢ଼ନ୍ତୁ ଏଥର...

"ଉତ୍ପୀଡ଼କ ପ୍ରଶ୍ନ ଗୌରହରି ଦାସଓଡ଼ିଶା ଡାଏରି ଗତ କିଛିଦିନ ମଧ୍ୟରେ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଦୁଇଟି ଖବର ପୁଣି ଥରେ ପୁରୁଣା ପ୍ରସଙ୍ଗକୁୁ ସ୍ମରଣ କରାଇ ଦେଇଛି।

ପ୍ରଥମଟି ହେଉଛି, ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ବାଳିକା ସ୍କୁଲର ଛାତ୍ରୀମାନଙ୍କୁ ମଧ୍ୟାହ୍ନଭୋଜନ ନାମରେ ପାଞ୍ଚଦିନ କାଳ ଶୁଖିଲା ମୁଢ଼ି ଖୁଆଇବା ଘଟଣା।

ଉଦ୍‌ବେଗର କଥା ହେଉଛି ସାରସକଣା ବ୍ଲକ୍‌ର ଏହି ୟୁଜିଏମ୍‌ଇ ବିଦ୍ୟାଳୟକୁ ଦିନେ କି ଦି"ଦିନ ନୁହେଁ ତିନି ମାସ ହେଲା ସରକାରୀ ଚାଉଳ ଯୋଗା ଯାଇ ନ ଥିଲା।

ପ୍ରଥମେ ପ୍ରଥମେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ନିଜ ନିଜ ଭିତରେ ଚାନ୍ଦା କରି ଚାଉଳ କିଣି ପିଲାଙ୍କୁ ଭାତ ଯୋଗାଉଥିଲେ।

ତିନି ମାସ ବିତିଲା ପରେ ସୁଦ୍ଧା ସରକାରୀ ଚାଉଳ ଯୋଗାଣ ଆରମ୍ଭ ହେଲାନାହିଁ।

ଶେଷକୁ ପିଲାଙ୍କୁ ବଜାରରୁ ଶୁଖିଲା ମୁଢ଼ି ପୁଡ଼ିଆଟିମାନ କିଣେଇ ଧରେଇ ଦିଆଗଲା।

ଆଶା କରାଯାଏ, ଏ ଲେଖା ଛାପା ହେବା ବେଳକୁ ସେହି ବାଳିକା ବିଦ୍ୟାଳୟର ଛାତ୍ରୀମାନଙ୍କ ଥାଳିରେ ଭାତ-ଡାଲି ପହଞ୍ଚି ଥିବ।

ଏ କଥାଟି ଆମକୁ ବେଶୀ କଷ୍ଟ ଦେବାର କାରଣ ହେଲା, ଯୋଉଦିନ ଓଡ଼ିଶା ସମ୍ବନ୍ଧରେ ଏ ଧରଣର ଖବର ପ୍ରକାଶିତ ହୋଇଥିଲା, ସେହିଦିନ ଏକ ଇଂରେଜୀ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା ଯେ କର୍ଣ୍ଣାଟକରେ ଏବେ ସପ୍ତାହକୁ ଦିନେ କି ଦି"ଦିନ ନୁହେଁ ଛଅ ଦିନଯାକ ଅଣ୍ଡା ଖାଇବାକୁ ଦିଆଯାଉଅଛି।

ଅଣ୍ଡା ଦର ବୃଦ୍ଧି ଯୋଗୁଁ ଓଡ଼ିଶାରେ ମଧ୍ୟାହ୍ନଭୋଜନରେ ଆଉ ଅଣ୍ଡା ଦିଆଯାଇ ପାରିବ ନାହିଁ ବା ଫାଳେ ଲେଖାଏଁ ଦେବାକୁ ଚେଷ୍ଟା କରାଯିବ ବୋଲି ଅଧିକାରୀମାନେ ଚର୍ଚ୍ଚା କଲାବେଳକୁ ‌କର୍ଣ୍ଣାଟକ ସରକାର ସପ୍ତାହ ସାରା ପିଲାଙ୍କୁ ଅଣ୍ଡା ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି, କାରଣ ସର୍ଭେରୁ ଜଣାପଡ଼ିଛି ଯେ ଅଣ୍ଡା ଖାଇବା ଦ୍ବାରା ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ତ୍ବରାନ୍ବିତ ହେଉଅଛି।

ଆମ ମନରେ ପ୍ରଶ୍ନ ଉଠୁଛି ଓଡ଼ିଶାରେ କାହିଁକି ପିଲାଙ୍କୁ ସର୍ବତ୍ର, ସବୁଦିନ ଭାତ-ଡାଲମା ସୁଦ୍ଧା ଯୋଗାଇ ଦିଆଯାଇ ପାରୁନାହିଁ?

ଅଣ୍ଡା ଯୋଗାଇବା ପାଇଁ ଅର୍ଥର ଅଭାବ ଏଠି କାହିଁକି ପଡୁଛି?

ଆମର ପ୍ରାଥମିକତା ଭାବେ କେଉଁଟି ଆଗେ ଆସିବା ଦରକାର?

ତୁଚ୍ଛା ବ୍ୟୟ ନା ଭବିଷ୍ୟତ ଗଢ଼ିବା ଲାଗି ପ୍ରୟୋଜନ ବିନିଯୋଗ?

ବହୁ ବୁଦ୍ଧିଜୀବୀ ଗୋଟିଏ କଥା ନେଇ ଚର୍ଚ୍ଚା କରୁଛନ୍ତି ଯେ, ନବୀନ ସରକାର ପରି ମୋହନ ସରକାର ମଧ୍ୟ ଇଭେଣ୍ଟ ମ୍ୟାନେଜମେଣ୍ଟ କଂପାନିଗୁଡ଼ିକ ପାଲରେ ପଡ଼ିଯାଇଛନ୍ତି।

ଆଗରୁ ନିର୍ବାଚନ ପାଖେଇ ଆସିଲେ ସରକାରୀ ଯୋଜନାର ବିଜ୍ଞାପନ ହୋର୍ଡିଂ ଦୃଶ୍ୟମାନ ହେଉଥିଲା, ଏବେ ତାହା ପାଣିପାଗ ଖବର ପରି ଦୈନନ୍ଦିନ ପ୍ରକ୍ରିୟା ହୋଇପଡ଼ିଛି।Advertisment ଏ ଖବର ପ୍ରକାଶ ସାଙ୍ଗକୁ ଆଉ ଗୋଟିଏ ଖବର ବହୁ ସାଧାରଣ ଭାରତୀୟଙ୍କ ପରି ଆମକୁ ମଧ୍ୟ ବିଚଳିତ କରିଛି।

ଜାପାନର ପୂର୍ବତନ ମନ୍ତ୍ରୀ ହିଦେକି ମାକିହରା ତାଙ୍କ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି ଯେ ଭାରତୀୟ ନେତାଗଣ ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଶତକଡ଼ା ଶହେ ଗୁରୁତ୍ବ ଦେଇଥାଆନ୍ତି; ତେଣୁ ସେମାନଙ୍କ ସହ ଦାପ୍ତରିକ ଆଲୋଚନାର ସୁଫଳ ମିଳି ନ ଥାଏ।

ଏହି ଜାପାନୀ ନେତା ଜଣକ ତାଙ୍କ ଦେଶ ସହଯୋଗରେ ଭାରତରେ ଯୋଉ ବୁଲେଟ ଟ୍ରେନ ଚାଲିବା କଥା ସ୍ଥିର ହୋଇଛି ସେହି ପ୍ରକଳ୍ପର ପ୍ରଗତି ସମ୍ବନ୍ଧରେ ମନ୍ତବ୍ୟ ଦେଇ ଏହାର ବିଳମ୍ବ ଲାଗି ଭାରତକୁ ଦୋଷ ଦେଇଛନ୍ତି।

ଆହୁରି ପଢ଼ନ୍ତୁ- Twin Brothers Marry: କେରଳରେ ନିଆରା ବିବାହ: ଯମଜ ଭାଇଙ୍କ ହାତ ଧରିଲେ ଯମଜ ଭଉଣୀ ଦୁର୍ନୀତି ଭାରତ ପାଇଁ ଆଦୌ ଏକ ପ୍ରସଙ୍ଗ ହିଁ ନୁହେଁ।

କାରଣ, ଟ୍ରାନ୍‌ସପରେନ୍‌ସି ଇଣ୍ଟରନ୍ୟାସନାଲ ରିପୋର୍ଟ ମୁତାବକ ଶହେରେ ବାଷଠି ଜଣ ଭାରତୀୟ କେତେବେଳେ ନା କୋଉଠି ବୁଲେଇବଙ୍କେଇ ନିଜ କାମ ପାଇଁ ଲାଞ୍ଚ ଦେଇଥାନ୍ତି।

ଆଉ ଗୋଟେ ରିପୋର୍ଟ ଅନୁସାରେ ଶହେରେ ପଚାଶ ଲୋକ ନିଜ ହାତରେ ଲାଞ୍ଚ ଦେଇଥିବା କଥା ସ୍ବୀକାର କରିଛନ୍ତି।

ଓଡ଼ିଶାରେ ନିୟମିତ ବ୍ୟବଧାନରେ ଯନ୍ତ୍ରୀ, ତହସିଲଦାର, ରେଭେନ୍ୟୁ ଇନ୍‌ସପେକ୍ଟରଙ୍କ ଘରୁ ପ୍ରଚୁର ଟଙ୍କା, ଗହଣା ବାହାରୁଥିବା ଓ ସେସବୁ ନୋଟ୍ ଗଣିବା ଲାଗି ମଣିଷଙ୍କ ସହ ମେସିନ କ୍ଳାନ୍ତ ହୋଇପଡୁଥିବା ଖବର ଆଉ ଉତ୍ତେଜନା ସୃଷ୍ଟି କରୁନାହିଁ।

ବରଂ ଚର୍ଚ୍ଚା ହୁଏ ଯେ, ଅଧିକାରୀମାନଙ୍କ ଘରେ ଚଢ଼ଉ ହେଉଥିବା ବେଳେ ରାଜନେତାମାନଙ୍କ ଘରେ ବି କାହିଁ ସେପରି ଚଢ଼ଉ ହେଉନାହିଁ ତ!

ବର୍ଷା ପାଣି ଯେମିତି ନାଳ, ନଈ ହୋଇ ସମୁଦ୍ରରେ ପହଞ୍ଚେ, ଲାଞ୍ଚ ଟଙ୍କାର ବଡ଼ଭାଗ ସେମିତି ରାଜନୈତିକ ନେତାମାନଙ୍କ ପାଖରେ ପହଞ୍ଚିଥାଏ।

ସେମାନେ ବିପୁଳ ପରିମାଣ ଅର୍ଥ ଆବଶ୍ୟକ କରନ୍ତି, କାରଣ ନିର୍ବାଚନ ବେଳେ ସେଥିରୁ କିଛି କିଛି ଭୋଟଦାତାଙ୍କୁ ଭେଟି‌ ଦିଅନ୍ତି।

ଭାରତର ନିର୍ବାଚନ ବ୍ୟବସ୍ଥା ଦୁର୍ନୀତିର ଜନନୀ; ବିଚାରଧାରା ଓ ଇସ୍ତାହାରର ପ୍ରସଙ୍ଗ ନିର୍ବିଶେଷରେ ସବୁ ରାଜନୈତିକ ଦଳର କାର୍ଯ୍ୟପ୍ରଣାଳୀ ଊଣାଅଧିକେ ସମାନ।

ଏହି ପ୍ରସଙ୍ଗ ଚର୍ଚ୍ଚା ବେଳେ ଲୋକପ୍ରିୟ ଲେଖକ ଚେତନ ଭଗତଙ୍କର ଗୋଟେ ବାକ୍ୟ ମନେପଡୁଛି।

ଜନ୍ତରମନ୍ତରରେ ଚାଲିଥିବା ବିକ୍ଷୋଭ ପୂର୍ବରୁ ଅଯୋଧ୍ୟାର ରାମ ମନ୍ଦିରରୁ ଚୋରି ପ୍ରସଙ୍ଗ ଥିଲା ଭାରତୀୟ ଗଣମାଧ୍ୟମର ମୁଖ୍ୟ ଖବର।

ଭଗତ ଏହି ଚୋରି ପ୍ରସଙ୍ଗ ଆଲୋଚନା କଲାବେଳେ ଗୋଟେ ଉତ୍ପୀଡ଼କ ପ୍ରଶ୍ନ ପଚାରିଥିଲେ ‌ଯାହା ଅଧିକାଂଶ ଭାରତୀୟ ନାଗରିକଙ୍କୁ ଅପମାନଜନକ ମନେ ହୋଇଥିବ।

ସେ ପଚାରିଥିଲେ- ଭାରତର ଲୋକଗୁଡ଼ିକ କ"ଣ ଜନ୍ମରୁ ଦୁର୍ନୀତିଗ୍ରସ୍ତ?

ଅଯୋଧ୍ୟାର ରାମ ମନ୍ଦିରରୁ ଚୋରି ହୋଇଥିବା ଚିଜଗୁଡ଼ିକ ଭିତରୁ ସବୁଠୁ ଅମୂଲମୂଲ ଚିଜଟି କଥା ଆଲୋଚିତ ହୋଇନାହିଁ।

ସେହି ଦୁର୍ମୂଲ୍ୟ ଚିଜଟି ହେଉଛି, ଲକ୍ଷ ଲକ୍ଷ ଭକ୍ତଙ୍କ ମନରେ ଥିବା ଏଇ ବିଶ୍ବାସ ଯେ ପ୍ରଭୁ ରାମଚନ୍ଦ୍ର ଅମିତ ଶକ୍ତିଶାଳୀ- ସର୍ବତ୍ର ବିଦ୍ୟମାନ ଓ ସର୍ବଶକ୍ତିମାନ।

ତାଙ୍କରି ମନ୍ଦିରରୁ ତାଙ୍କରି ଭକ୍ତଙ୍କ ପ୍ରାୟୋଜିତ ଚୋରି ପରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିବ ଯେ, ଅନ୍ୟମାନଙ୍କ କଥା ଦୂରେ ଥାଉ, ମନ୍ଦିରର ପରିଚାଳନାରେ ଥିବା ବ୍ୟକ୍ତିମାନେ ମଧ୍ୟ ବିଶ୍ବାସ ରଖନ୍ତି ନାହିଁ ଯେ ପ୍ରଭୁ ରାମଚନ୍ଦ୍ର ଏସବୁ ଦେଖୁଛନ୍ତି।

ତାହା ବିଶ୍ବାସ କରୁଥିଲେ ତାଙ୍କ ଆଖି ଆଗରୁ ସେମା‌େନ ଦୁର୍ମୂଲ୍ୟ ଅଳଙ୍କାର ବା ଟଙ୍କାପଇସା ଚୋରି କରିଥାନ୍ତେ କିପରି?

ଏବେ ଭଗତ ପଚାରିଥିବା ପ୍ରଶ୍ନ- ଭାରତୀୟମାନେ କ"ଣ ସ୍ବଭାବରେ ଦୁର୍ନୀତିଗ୍ରସ୍ତ?

ଆମର ଉତ୍ତର- ନା।

ଭାରତୀୟ କାହିଁକି, ପୃଥିବୀର କୌଣସି ଦେଶର ନାଗରିକ ଜନ୍ମରୁ ଦୁର୍ନୀତିଗ୍ରସ୍ତ ହୋଇ ଜନ୍ମ ହୋଇ ନଥାନ୍ତି।

ପରିସ୍ଥିତି ଓ ବ୍ୟବସ୍ଥା ତାଙ୍କୁ ସେଭଳି କରିଦିଏ।

କିଛି ଲୋକ ସୁବିଧା ସୁଯୋଗ ପାଇ ତାହାର ଲାଭ ଉଠାନ୍ତି, ଆଉ କିଛି ଲୋକ ବଞ୍ଚିବା ଲାଗି ବ୍ୟବସ୍ଥା ସହ ସନ୍ଧି କରିନିଅନ୍ତି।

ଏଥିପାଇଁ କେତେକେତେ କଥା ଦାୟୀ- ଅମଲାତାନ୍ତ୍ରିକ ଶାସନ, ଅଳ୍ପ ଲୋକଙ୍କ ହାତରେ ବେଶୀ କ୍ଷମତା, ରାଜନୀତିସର୍ବସ୍ବ ଶାସନ ବ୍ୟବସ୍ଥା, ବିଳମ୍ବିତ ନ୍ୟାୟବ୍ୟବସ୍ଥା ଓ ରାଜନୀତିର ଅପରାଧୀକରଣ ଇତ୍ୟାଦି।

ଏହା ସତ୍ତ୍ବେ ଦୁଇ ବର୍ଷ ଭିତରେ ସାଧୁତା ତାଲିକାରେ ଭାରତ ଉପରକୁ ଉଠିଛି।

ଆଗରୁ ଆମ ଦେଶ ଶହେରୁ ଅଣଚାଳିଶ ନମ୍ବର ପାଇଥିଲା, ଏବେ ଏହି ମାର୍କ ୪୨।

୨୦୨୫ ଆଗରୁ ଭାରତର ଅବସ୍ଥା ଖରାପ ଥିଲା।

ସାଧୁତା ତାଲିକାରେ ଭାରତର ଏହି ଯୋଉ ସାମାନ୍ୟ ଉନ୍ନତି ହେଉଛି, ତାହାର ବଡ଼ କାରଣ ଡିଜିଟାଲ ପ୍ଲାଟଫର୍ମର ବିକାଶ।

ଟୋଲଗେଟ୍‌ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଅନଲାଇନ ଦେୟ ପୈଠ ବ୍ୟବସ୍ଥା ଆମର ସ୍ବଭାବରେ ଟିକିଏ ସ୍ବଚ୍ଛତା ଆଣିଛି।

ଆହୁରି ପଢ଼ନ୍ତୁ- natural remedies for masquito: ଏହି ପ୍ରାକୃତିକ ଉପାୟରେ କମାଇଦିଅନ୍ତୁ ମଶା ଉପଦ୍ରବ ଭଗତଙ୍କର ପ୍ରଶ୍ନ କଥା ଚିନ୍ତା କଲାବେଳେ ସମାଜଶାସ୍ତ୍ରୀମାନେ ଭାରତୀୟମାନଙ୍କ ସମ୍ବନ୍ଧରେ ଯାହା କହନ୍ତି ତାହା ଉଲ୍ଲେଖନୀୟ।

ସେମାନେ କହନ୍ତି- ଭାରତ ‌ହେଉ କି ଓଡ଼ିଶା, ଆମେମାନେ ପିଲାଦିନୁ ଗୋଟିଏ ଭୁଲ୍ ଶୁଣିଶୁଣି ଏଠି ବଡ଼ ହୋଇଥାଉ।

ଆମର ତୀର୍ଥ, ମଠ, ମନ୍ଦିରକୁ ଗଲେ ଶୁଣୁ- ସୁବର୍ଣ୍ଣ, ଗାଭୀ, ଭୂମି, ଅର୍ଥ ଦାନ କଲେ ସର୍ବପାପ ଖଣ୍ଡନ ହେବ।

ଚୋର ତସ୍କରମାନେ ହନୁମାନ ମନ୍ଦିର ହୁଣ୍ଡିରୁ ଚୋରି ଆଗରୁ ହନୁମାନ ଚାଳିଶା ପଢ଼ି ଚୋରି ଟଙ୍କାରୁ ଚଉଠେ ଦେବାର ସଂକଳ୍ପ କରୁଛନ୍ତି।

ଭୋଗ, ବଳି କି ଦାନ ଦ୍ବାରା ପୂର୍ବର ଚୋରି, ତୋସରପାତ କି ଦୁର୍ନୀତି ଦୋଷରୁ ମୁକ୍ତ ହେବା ସମ୍ଭବ ଏ ଧାରଣା ଆମ ମୁଣ୍ଡ ଭିତରେ ଭର୍ତ୍ତି କରାଯାଇଛି।

୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକରେ ଦିନ ଦି"ପହରେ ଜଣେ ସୁରକ୍ଷା କର୍ମଚାରୀ ସେତେବେଳକାର ଓଡ଼ିଶାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କଲା।

ଏ ଘଟଣାର ଆଠ ଦିନ ଆଗରୁ ନବ ଦାସ ମହାରାଷ୍ଟ୍ରର ପ୍ରସିଦ୍ଧ ଶନିମନ୍ଦିରକୁ ଯାଇ, ସେଠାରେ ଗୋଟେ ସୁନାକଳସ ଦାନ କରିଥିଲେ।

ଚର୍ଚ୍ଚା ହୁଏ, ସେ କଳସରେ ପାଞ୍ଚ କିଲୋ ରୁପା ଓ ୧ କିଲୋ ୭୦୦ ଗ୍ରାମ ସୁନା ଲାଗିଥିଲା, ଯାହାର ମୂଲ୍ୟ ୧ କୋଟି ଟଙ୍କାରୁ କମ୍ ହେବ ନାହିଁ।

ଅବଶ୍ୟ ନବ ଦାସଙ୍କ ପରିବାର ପକ୍ଷରୁ କୁହାଯାଇଥିଲା ଯେ ଏହାର ମୂଲ୍ୟ ଦଶ ଲକ୍ଷ ଟଙ୍କା!

ସୁନାକଳସର ମୂଲ୍ୟ ଅପେକ୍ଷା ଯୋଉ ପ୍ରସଙ୍ଗଟି ବଡ଼, ତାହା ହେଲା- ଶନିଦେବଙ୍କୁ ଦାନ ଦେଲେ ପୂର୍ବ ପାପ କଟିଯିବ ବୋଲି ତାଙ୍କର ବିଶ୍ବାସ ଏବଂ ଦ୍ବିତୀୟ, ଠାକୁରଠାକୁରାଣୀଙ୍କ ପାଇଁ ଅର୍ଥ ବ୍ୟୟ କଲେ ସେମାନେ ବେପାରବଣିଜ, ରାଜନୀତି ଓ ଶତ୍ରୁଦମନ ଭଳି କାର୍ଯ୍ୟରେ "ଅଂଶୀଦାର" ସାଜି ସହଯୋଗ କରିବେ।

ଗୋଟିଏ ପଟେ ନିର୍ବାଚନରୁ ନିର୍ବାଚନ ମହଙ୍ଗା ହୋଇଚାଲିଛି, ଯୋଉଥିରୁ ମୁକ୍ତିର ବାଟ କୌଣସି ରାଜନୈତିକ ଦଳ ଖୋଜୁନାହାନ୍ତି।

ଦ୍ବିତୀୟ, ପିଲାଟି ଦିନରୁ ଆମେ ବିଶ୍ବାସ କରୁଛୁ ଯେ ଠାକୁର ତ ନିଜେ ଭୋଗ, ବଳି ଉପହାର ନେଉଛନ୍ତି, ଆମେ ମଣିଷ ନେଲେ କ୍ଷତି କ"ଣ?

ବରଂ ଠାକୁରଙ୍କ ସହ ଉପର ଅଧିକାରୀ ବା ନେତାଙ୍କୁ ଆମ ଅନୁଚିତ ଆୟର କିଛି ଭାଗ ଦେଲେ ଦୁର୍ନୀତି ମଧ୍ୟ ନୀତି ରୂପେ ସ୍ବୀକୃତି ପାଇବ।

ଏ ଅବସ୍ଥାକୁ ଅଧିକାଂଶ ଭାରତୀୟ ଗ୍ରହଣ କରିନେଲେଣି, ଆମେ ବି କରିନିଅନ୍ତୁ - ଯଦି ମଝିରେ ମଝିରେ ଆମେ ଏମିତି ଖବର ନ ପଢ଼ନ୍ତୁ ଯେ - ଭୋକିଲା ପେଟରେ ଥିବା ଝିଅମାନେ ଶୁଖିଲା ମୁଢ଼ି ଖାଇ ସ୍କୁଲରେ ପାଠ ପଢୁଛନ୍ତି କି ବିଦେଶର କୋଉ ନେତା ଆମର ମନ୍ତ୍ରୀମାନଙ୍କ ସଂପର୍କରେ ଅରୁଚିକର ଟିପ୍ପଣି ଦେଉଛନ୍ତି ବା ଭଗତଙ୍କ ପରି ଲୋକପ୍ରିୟ ଲେଖକ ଉତ୍ପୀଡ଼କ ପ୍ରଶ୍ନ ପଚାରୁଛନ୍ତି ଯେ ଭାରତୀୟମାନେ କ"ଣ ସବୁ ଜନ୍ମରୁ ଦୁର୍ନୀତିଗ୍ରସ୍ତ?(ମତାମତ ଲେଖକଙ୍କ ନିଜସ୍ବ)  ମୋ: ୯୪୩୭୦୭୭୨୮୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।