ED Raid: ଖୋଲୁଛି ଶକ୍ତି ରଞ୍ଜନଙ୍କ ସମ୍ପତ୍ତି ଗୁମର, ଚର୍ଚ୍ଚାରେ ପରିବାରର କାର ସଉକ୍
ପଦାକୁ ଆସୁଛି ଖଣି ମାଲିକ ଶକ୍ତିରଞ୍ଜନ ଦାଶଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ରହସ୍ୟ। ଋଣ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ବରରେ ରେଡ୍ କରି ଶକ୍ତିଙ୍କ ୧୩ଟି ବିଳାସପୂର୍ଣ୍ଣ କାର ଓ ସୁପରବାଇକ୍ ଜବତ କରିବା ପରେ ଚର୍ଚ୍ଚ
ପଦାକୁ ଆସୁଛି ଖଣି ମାଲିକ ଶକ୍ତିରଞ୍ଜନ ଦାଶଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ରହସ୍ୟ। ଋଣ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁବନେଶ୍ବରରେ ରେଡ୍ କରି ଶକ୍ତିଙ୍କ ୧୩ଟି ବିଳାସପୂର୍ଣ୍ଣ କାର ଓ ସୁପରବାଇକ୍ ଜବତ କରିବା ପରେ ଚର୍ଚ୍ଚାରେ ଶକ୍ତିରଞ୍ଜନଙ୍କ ପରିବାର ଲୋକଙ୍କ କାର ସଉକ।
ଖୋଲୁଛି ଖଣି ମାଲିକ ଶକ୍ତିରଞ୍ଜନ ଦାଶଙ୍କ ଗୁମର। ପଦାକୁ ଆସୁଛି କୋଟି କୋଟି ଟଙ୍କା ସମ୍ପତ୍ତିର ରହସ୍ୟ। ଋଣ ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶିମଲା ବ୍ରାଞ୍ଚ୍ ଭୁବନେଶ୍ବରରେ ରେଡ୍ କରି ଶକ୍ତିଙ୍କ ୧୩ଟି ବିଳାସପୂର୍ଣ୍ଣ କାର ଓ ସୁପରବାଇକ୍ ଜବତ କରିଛି। ତେବେ ଇଡି ରେଡ୍ ପରେ ଚର୍ଚ୍ଚାରେ ଶକ୍ତିରଞ୍ଜନଙ୍କ ପରିବାର ଲୋକଙ୍କ କାର ସଉକ। ସନ୍ଦେହରେ ଅନମୋଲ ମାଇନ୍ସ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର କାରବାର। କେବଳ ଶକ୍ତି ନୁହନ୍ତି, କମ୍ପାନୀ ନିର୍ଦ୍ଦେଶିକା ସୌମ୍ୟା ଶେଫାଳିକା ଦାଶ ମଧ୍ୟ ରହିଛନ୍ତି ଇଡି ସ୍କାନରରେ।
ବେଆଇନ୍ ମନି ଲଣ୍ଡ୍ରିଂ ଅଭିଯୋଗକୁ ନେଇ ଗତ ଶନିବାର ଭୁବନେଶ୍ବର ନ୍ୟୁ ଫରେଷ୍ଟ ପାର୍କରେ ଥିବା ଶକ୍ତିରଞ୍ଜନଙ୍କ ଏଇ ଘରେ ରେଡ୍ କରିଥିଲା ଶିମଲାସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଶାଖା। ଆଉ ତା' ପରଠାରୁ ଏହି ଘରକୁ କେହି ଆସୁ ନଥିବା ସୂଚନା ମିଳିଛି। ସେପଟେ ରେଡ୍ ପରେ ଇଡି ଶକ୍ତିରଞ୍ଜନଙ୍କୁ ପଚରାଉଚରା ପାଇଁ ନେଇଥିବା କୁହାଯାଉଛି। ହିମାଚଳ ପ୍ରଦେଶର ଇଣ୍ଡିଆନ ଟେକ୍ନୋମାକ କମ୍ପାନୀ ଲିମିଟିଡ-ITCOLର ୧୩ ହଜାର ୯୬ କୋଟି ଟଙ୍କା ଋଣ ଜାଲିଆତିର ଚେର ଖୋଜି ଖୋଜି ଭୁବନେଶ୍ବରରେ ପହଞ୍ଚିଥିଲା ଇଡିର ଶିମଲା ବ୍ରାଞ୍ଚ୍। ଇଡି ପ୍ରେସ୍ ରିଲିଜ୍ ଅନୁସାରେ, ITCOL ଏବଂ ଏହାର ସେଲ୍ କମ୍ପାନୀଗୁଡିକ, ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍-AMPLକୁ ୫୯ କୋଟି ୮୦ ଲକ୍ଷ ଟଙ୍କା ଡାଇଭର୍ଟ କରିଥିବା ଜଣାପଡିଥିଲା। AMPLର ମ୍ୟାନେଜିଂ ଡିରେକ୍ଟର ଶକ୍ତିରଞ୍ଜନ ଦାଶ ଜାଣିଶୁଣି ITCOLର ପ୍ରମୋଟର ରାକେଶ କୁମାର ଶର୍ମାଙ୍କୁ ଋଣ ଟଙ୍କାକୁ ଡାଇଭର୍ଟ କରିବାରେ ସହାୟତା କରିଥିଲେ। ଆଉ ଏହି ଟଙ୍କାକୁ ସେ ଓଡ଼ିଶାରେ ଖଣି କାର୍ଯ୍ୟକଳାପରେ ଲଗାଇଥିବା ଇଡି ପ୍ରମାଣ ପାଇଛି। ଏହାପରେ ଇଡି ଓଡ଼ିଶାରେ ଥିବା ଶକ୍ତିରଂଜନ ଘର ଓ କମ୍ପାନୀ ଉପରେ ରେଡ୍ କରିଛି।
ରେଡ୍ ବେଳେ ଇଡି ଶକ୍ତିରଞ୍ଜନ ଏବଂ ତାଙ୍କ କମ୍ପାନୀ ମାଲିକାନାରେ ଥିବା ୧୦ଟି ବିଳାସପୂର୍ଣ୍ଣ କାର ଓ ୩ଟି ସୁପର ବାଇକ୍ ଜବତ କରିଛି। ଏଥି ମଧ୍ୟରେ ରହିଛି ଅଡି, ବିଏମଡବ୍ଲୁ, ପୋର୍ସେ, ମର୍ସିଡିଜ, ମିନି କୁପର, ହୋଣ୍ଡା ଗୋଲ୍ଡ ୱିଙ୍ଗ ଭଳି ଦାମୀ କାର୍ ଓ ବାଇକ୍। ତେବେ ରୋଚକ କଥା ହେଉଛି ଏ ସବୁ କାର ଓ ବାଇକ ଏକ ସ୍ପୋର୍ଟସ କାର୍ ଓ ସୁପର ବାଇକ୍ ସୋରୁ ଜବତ ହୋଇଛି। ଶକ୍ତିରଂଜନଙ୍କ ପୁଅ ଅନମୋଲ ଏହି ସୋ ଆୟୋଜନ କରିଥିବା ଜାଣିବା ପରେ ଇଡି ଚଢାଉ କରିଥିଲା। ଠକେଇ ଟଙ୍କାରେ ଏହି ସବୁ ଗାଡି କିଣାଯାଇଥିବା ଇଡି ପ୍ରମାଣ ପାଇଛି। ଜବତ ୧୦ ଗାଡି ପରେ ମଧ୍ୟ ଆହୁରି ଅନେକ ଦାମୀ ଗାଡିର ସନ୍ଧାନରେ ରହିଛି ତଦନ୍ତକାରୀ ସଂସ୍ଥା। ଏହାରି ଭିତରେ ଚର୍ଚ୍ଚାରେ ଅନମୋଲଙ୍କ ଲାମ୍ବରୋଗିନ ଗାଡ଼ି। ପାଖାପାଖି ୬ କୋଟି ଟଙ୍କା ମୂଲ୍ୟର ଏହି ଗାଡି କେଉଁ ଟଙ୍କାରେ କିଣାଯାଇଥିଲା? ଯଦି ଅନମୋଲ ଗାଡି କିଣିଥିଲେ ତେବେ ଓଡ଼ିଶାରେ ଚଳାଇବା ଲାଗି ସେ ରାଜ୍ୟ ସରକାରଙ୍କୁ ଏ ବାବଦ ଟିକସ ଦେଇଥିଲେ କି ? ଯାହାକୁ ନେଇ ଖୋଳତାଡ଼ ଚାଲିଥିବା ଜଣାପଡିଛି। ଅନମୋଲ କମ୍ପାନୀର କୋଟି କୋଟି ଟଙ୍କାର କାରବାରର ଖୋଳତାଡ ବେଳେ ଇଡି ସ୍କାନରକୁ ଆସିଛନ୍ତି କମ୍ପାନୀର ନିର୍ଦ୍ଦେଶିକା ସୌମ୍ୟା ଶେଫାଳିକା ଦାଶ। କେବଳ ଅନମୋଲ ନୁହନ୍ତି ସୌମ୍ୟାଙ୍କ ବିଳାଶପୂର୍ଣ୍ଣ ଗାଡି ସଉକ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
୨୦୨୩ରେ ମଧ୍ୟ ଅନମୋଲ କମ୍ପାନୀ ଉପରେ ଇଡି କରିଥିଲା ରେଡ୍। ସେ ସମୟରେ ବଡବିଲରେ ଥିବା ୭ ପ୍ଲଟ, ଖୋର୍ଦ୍ଧାରେ ୬ ପ୍ଲଟ ସମେତ ଭୁବନେଶ୍ବରରେ ୪ଟି ପ୍ରପର୍ଟି ଜବତ ହୋଇଥିଲା। ତଥାପି ମଧ୍ୟ କମ୍ପାନୀର ପୋତା ଧନ ବାହାରିବା ସହ କୋଟି କୋଟି ଟଙ୍କା କାରବାର ତଦନ୍ତକାରୀ ଏଜେନ୍ସିକୁ ଆଶ୍ଚର୍ଯ୍ୟ କରିଛି। ତେବେ ଇଡି ରେଡ୍ ଉପରେ ଶକ୍ତିରଞ୍ଜନ ଦାଶ କିମ୍ବା ତାଙ୍କ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
