Earthquake: ବଡ଼ ଧରଣର ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ ଟପିଲା, ୨୫୦୦ରୁ ଅଧିକ ଆହତ
ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ରେ ପହଞ୍ଚିଛି। ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି। ତାଲିବାନ ସରକାରଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେହିପରି ମିଳିତ ଜାତି
ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୮୦୦ରେ ପହଞ୍ଚିଛି। ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଛି। ତାଲିବାନ ସରକାରଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ସେହିପରି ମିଳିତ ଜାତିସଂଘ ଏବଂ ଭାରତ ଏହି ଘଟଣାରେ ଦୁଃଖ ପ୍ରକାଶ କରି ସମସ୍ତ ସମ୍ଭାବ୍ୟ ସାହାଯ୍ୟର ପ୍ରତିଶ୍ରୁତି ଦେଇଛନ୍ତି। ଭୂକମ୍ପ ପରେ ରାସ୍ତାଘାଟରେ ବିପର୍ଯ୍ୟୟର ଦୃଶ୍ୟ ଦେଖାଯାଇଛି।
ଆମେରିକୀୟ ଜିଓଲୋଜିକାଲ ସର୍ଭେ (ୟୁଏସଜିଏସ) ଅନୁଯାୟୀ, ଭୂକମ୍ପ ସ୍ଥାନୀୟ ସମୟ ରାତି ୧୧:୪୭ରେ ଆସିଥିଲା। ଏହାର କେନ୍ଦ୍ରବିନ୍ଦୁ ନଙ୍ଗରହାର ପ୍ରାନ୍ତର ଜଲାଲାବାଦଠାରୁ ୨୭ କିଲୋମିଟର ଉତ୍ତର-ପୂର୍ବରେ ଥିଲା। କୁନାର ପ୍ରାନ୍ତ ଭୂକମ୍ପରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏଠାରେ ଭୂକମ୍ପ ଧ୍ୱଂସଲୀଳା କରିଛି। ଏହା ବ୍ୟତୀତ ନୁର ଗୁଲ, ସୋକି, ଓ୍ୱାତପୁର, ମନୋଗି ଏବଂ ଚାପାଦାରେ ଜିଲ୍ଲାରେ ଶହ ଶହ ଘର କ୍ଷତିଗ୍ରସ୍ତ ଓ ଧ୍ୱଂସ ହୋଇଛି। ଭୂକମ୍ପର ଝଟକା ପାକିସ୍ତାନ ଏବଂ ଉତ୍ତର ଭାରତ ସମେତ ଅଞ୍ଚଳର ବଡ଼ ଅଂଶରେ ଅନୁଭୂତ ହୋଇଥିଲା।
ଦିଲ୍ଲୀ-ଏନସିଆର ସମେତ ଅନ୍ୟ ସହରରେ ରହୁଥିବା ଲୋକମାନେ ମଧ୍ୟ ଝଟକା ଅନୁଭବ କରିଥିଲେ। ପ୍ରାରମ୍ଭିକ ଝଟକା ପରେ ୪.୭, ୪.୩, ୫.୦ ଏବଂ ୫.୦ ତୀବ୍ରତାରେ ଏକାଧିକ ଆଫଟରସକ୍ ଅନୁଭୂତ ହୋଇଥିଲା, ଯାହା କ୍ଷତିଗ୍ରସ୍ତ ଅଞ୍ଚଳରେ ଆତଙ୍କ ଓ କ୍ଷୟକ୍ଷତିକୁ ଆହୁରି ବଢ଼ାଇ ଦେଇଥିଲା।
ଆଫଗାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, କୁନାର ପ୍ରାନ୍ତର ତିନୋଟି ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଅନେକ ଗାଁରେ ବିପୁଳ କ୍ଷତି ହୋଇଛି। ମନ୍ତ୍ରାଳୟର ମୁଖପାତ୍ର ଶରାଫତ ଜମାନ କହିଛନ୍ତି ଯେ କେବଳ କିଛି କ୍ଲିନିକରୁ ମିଳିଥିବା ତଥ୍ୟ ଅନୁଯାୟୀ ୪୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ। କୁନାରରେ ପ୍ରାନ୍ତୀୟ ସୂଚନା ମୁଖ୍ୟ ନଜିବୁଲ୍ଲା ହାନିଫ ନିଶ୍ଚିତ କରିଛନ୍ତି ଯେ ଅତି କମରେ ୨୫୦ ଜଣ ମୃତ୍ୟୁବରଣ କରିଛନ୍ତି ଏବଂ ୫୦୦ ଆହତ ହୋଇଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ଏହି ସୂଚନା ପ୍ରାରମ୍ଭିକ ଅଟେ। ପ୍ରାରମ୍ଭିକ ରିପୋର୍ଟରେ ଗୋଟିଏ ଗାଁରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। ଶହ ଶହ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅଞ୍ଚଳରେ ପକ୍କା ଘର ନିର୍ମାଣ ହୋଇ ନଥାଏ, ତେଣୁ ଭିତ୍ତିଭୂମି ଦୁର୍ବଳ ଥାଏ ଏବଂ ମାଟି ଓ ପଥରରେ ନିର୍ମିତ ଘରଗୁଡ଼ିକ ସହଜରେ ଧ୍ୱଂସ ହୋଇଯାଏ।
ଭୂକମ୍ପର ସର୍ବାଧିକ ପ୍ରଭାବ ମହିଳା ଓ ଶିଶୁମାନଙ୍କ ଉପରେ ପଡ଼ିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁରୁଷମାନଙ୍କ ତୁଳନାରେ ବହୁତ କମ ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରକ୍ଷଣଶୀଳ କୁନାର ପ୍ରାନ୍ତରେ ରୀତିନୀତି କାରଣରୁ ମହିଳାମାନଙ୍କୁ ଚିକିତ୍ସା କରାଇବାରେ ବିଳମ୍ବ ହେଉଛି। କିଛି ପରିବାର ସେମାନଙ୍କୁ ଡାକ୍ତରଖାନା ନେବା ପାଇଁ ସକାଳ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ୨୦୨୨ରେ ପାକ୍ତିକା ଭୂକମ୍ପ ସମୟରେ ମଧ୍ୟ ଏହିପରି ଦୃଶ୍ୟ ଦେଖାଯାଇଥିଲା। ସେତେବେଳେ କିଛି ଦିନ ପରେ ଡାକ୍ତରଖାନାରେ ଆହତ ମହିଳାମାନଙ୍କ ସଂଖ୍ୟା ବଢ଼ିଯାଇଥିଲା। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକମାନେ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମହିଳା ଉଦ୍ଧାରକର୍ମୀ ଘଟଣାସ୍ଥଳରେ ନାହାନ୍ତି।
ମିଳିତ ଜାତିସଂଘ କହିଛି ଯେ ତାଙ୍କ ଟିମ୍ଗୁଡ଼ିକ ପୂର୍ବରୁ ଘଟଣାସ୍ଥଳରେ ଜରୁରୀ ଓ ଜୀବନ ରକ୍ଷାକାରୀ ସାହାଯ୍ୟ ପହଞ୍ଚାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଭୂକମ୍ପରେ ପ୍ରଭାବିତ ଲୋକମାନଙ୍କ ପ୍ରତି ସମର୍ଥନ ଓ ସମବେଦନା ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି,
“ଆଫଗାନିସ୍ତାନରେ ଭୂକମ୍ପ କାରଣରୁ ହୋଇଥିବା ଜୀବନ ଓ ସମ୍ପତ୍ତିର କ୍ଷତିରେ ମୁଁ ଗଭୀର ଭାବେ ଦୁଃଖିତ। ଏହି କଠିନ ସମୟରେ ଆମର ସମବେଦନା ଓ ପ୍ରାର୍ଥନା ଶୋକସନ୍ତପ୍ତ ପରିବାରଙ୍କ ସହ ରହିଛି। ଆମେ ଆହତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛୁ। ଭାରତ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଓ ରିଲିଫ ଯୋଗାଇବା ପାଇଁ ପ୍ରସ୍ତୁତ ଅଛି।”
ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳା ଭୂବୈଜ୍ଞାନିକ ଦୃଷ୍ଟିରୁ ଅତ୍ୟନ୍ତ ସକ୍ରିୟ। ଏଠାରେ ପ୍ରତିବର୍ଷ ଭୂକମ୍ପ ଆସିଥାଏ। ଏହି ଅଞ୍ଚଳ ଭାରତୀୟ ଓ ୟୁରେସିଆନ ଟେକ୍ଟୋନିକ ପ୍ଲେଟ୍ଗୁଡ଼ିକର ସଂଯୋଗସ୍ଥଳୀରେ ଅବସ୍ଥିତ, ଯେଉଁଠାରେ ଏକ ଫଲ୍ଟ ଲାଇନ ସିଧାସଳଖ ହେରାତ ଦେଇ ଗତି କରିଥାଏ। ଗତ ମାସରେ ମଧ୍ୟ ଏଠାରେ ଏକାଧିକ ଝଟକା ରେକର୍ଡ ହୋଇଥିଲା। ୨ ଅଗଷ୍ଟରେ ୫.୫ ତୀବ୍ରତାର ଭୂକମ୍ପ ଆସିଥିଲା, ଯାହାର ଗଭୀରତା ୮୭ କିଲୋମିଟର ଥିଲା। ସେହିପରି ୬ ଅଗଷ୍ଟରେ ୪.୨ ତୀବ୍ରତାର ଭୂକମ୍ପ ଆସିଥିଲା।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
