Drone Attack: ଡ୍ରୋନ୍ ଆକ୍ରମଣରେ ଦୁଇ ବର୍ଷର ଶିଶୁ କନ୍ୟା ସମେତ ୪ ମୃତ

କିଭ୍/ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୁରୁବାର ବିଳମ୍ବିତ ରାତିରେ ୟୁକ୍ରେନର ଉତ୍ତର-ପୂର୍ବ ସୁମି ଅଞ୍ଚଳରେ ଋଷ ପକ୍ଷରୁ କରାଯାଇଥିବା ଏକ ବଡ଼ ଧରଣର ଆକ୍ରମଣରେ ଏକ ଦୁଇ ବର୍ଷରୁ କମ୍ ବୟସର ଶିଶୁ କନ୍ୟା ଓ ତାର ମାଆଙ୍କ ସମେତ ସମୁଦାୟ ଚାରି ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି।
ସୁମି ଆଞ୍ଚଳିକ ସାମରିକ ପ୍ରଶାସନର ମୁଖ୍ୟ ଓଲେଗ୍ ଗ୍ରୀଗୋରୋଭ୍ ସୋସିଆଲ ମିଡିଆରେ ସୂଚନା ଦେଇ କହିଛନ୍ତି ଯେ, ଋଷର ଏକ ବିସ୍ଫୋରକ ଡ୍ରୋନ୍ ସିଧାସଳଖ ରୋମନି ଅଞ୍ଚଳର ଏକ ଆବାସିକ ଆପାର୍ଟମେଣ୍ଟ ଉପରେ ପଡ଼ିବାରୁ ସେଠାରେ ନିଆଁ ଲାଗିଯାଇଥିଲା। ଏଥିରେ ଦୁଇ ଜଣ ମହିଳା, ଜଣେ ବୃଦ୍ଧ ଓ ଛୋଟ ଶିଶୁ କନ୍ୟାଟିର ଜୀବନ ଯାଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ସେପଟେ ୟୁକ୍ରେନ ମଧ୍ୟ ଏହାର କଡ଼ା ଜବାବ ଦେଇ ଋଷର ସୀମାନ୍ତ ଅଞ୍ଚଳ ଉପରେ ମିସାଇଲ ଓ ଡ୍ରୋନ୍ ମାଡ଼ କରିଛି। ଶୁକ୍ରବାର ସକାଳେ ୟୁକ୍ରେନ ପକ୍ଷରୁ ଋଷର ବେଲଗୋରୋଡ୍ ସହର ଉପରେ କରାଯାଇଥିବା ରକେଟ୍ ମାଡ଼ରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଏବଂ ସହରର ବିଦ୍ୟୁତ ଓ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେହିପରି ବ୍ରାୟନସ୍କ ଅଞ୍ଚଳରେ ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।
Russia Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ୨୦ ଲକ୍ଷରୁ ଅଧିକ ସୈନିକ ମୃତାହତ: ରୁଷ ସହିଛି ଅଧିକ କ୍ଷତି
ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ଗୁରୁବାର ରାତିରୁ ଶୁକ୍ରବାର ମଧ୍ୟରେ ସେମାନଙ୍କ ସେନା ୟୁକ୍ରେନର ପ୍ରାୟ ୧୫୫ଟି ଆକ୍ରମଣକାରୀ ଡ୍ରୋନକୁ ଆକାଶ ମାର୍ଗରେ ଖସାଇ ଦେବାରେ ସଫଳ ହୋଇଛି। ୨୦୨୨ ଫେବୃଆରୀରେ ଯୁଦ୍ଧ ଆରମ୍ଭ ହେବା ପରେ ଏହାକୁ ସବୁଠାରୁ ବଡ଼ ଏବଂ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି।