DRM Inspection ରେଳମଣ୍ଡଳର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିରୀକ୍ଷଣ କଲେ ରାୟଗଡ଼ା ଡିଆରଏମ୍

Jul 30, 2026 - 20:50
DRM Inspection ରେଳମଣ୍ଡଳର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିରୀକ୍ଷଣ କଲେ ରାୟଗଡ଼ା ଡିଆରଏମ୍

"ରାୟଗଡା (ଶିବ ପ୍ରସାଦ ଦୋରା): ରାଜ୍ୟରେ ଚାଲିଥିବା ମୌସୁମୀ ଓ ଲଘୁଚାପଜନିତ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳକୁ ସୁରକ୍ଷିତ ଓ ନିରବଚ୍ଛିନ୍ନ ରଖିବା ଉଦ୍ଦେଶ୍ୟରେ ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍)  ଅମିତାଭ ସିଂଘଲ ରାୟଗଡ଼ା ରେଳ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ସମ୍ବେଦନଶୀଳ ରେଳ ବିଭାଗ ଗୁଡ଼ିକର ବ୍ୟାପକ ନିରୀକ୍ଷଣ କରିଛନ୍ତି ।

ବିଶେଷକରି ଘାଟି ସେକ୍ସନ୍‌ରେ ପ୍ରବଳ ବର୍ଷା, ଟ୍ରାକ ଉପରେ ଜଳ ଜମା ହେବା, ପାହାଡ଼ରୁ ପଥର ଖସିବା ଓ ମାଟି ଧସିବା ଭଳି ବିପଦପ୍ରବଣ ସ୍ଥାନଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।

Advertisment "ବନ୍ଦେ ଭାରତ ଏକ୍ସପ୍ରେସ୍‌" ଅଟକି ରହିବା ଘଟଣା: ବିଦ୍ୟୁତ୍ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ଡିଆର୍‌ଏମ୍‌ ନିରୀକ୍ଷଣ ସମୟରେ ଶ୍ରୀ ସିଂଘଲ ରେଳ ଅଧିକାରୀମାନଙ୍କର ପ୍ରସ୍ତୁତିର ସମୀକ୍ଷା କରିବା ସହ ବିପଦପ୍ରବଣ କଟିଂ, ଟନେଲ୍, ଜଳ ନିଷ୍କାସନ ବ୍ୟବସ୍ଥା, ସିଗ୍ନାଲିଂ ସଂସ୍ଥାପନା ଏବଂ ରେଳପଥର ସ୍ଥିତିକୁ ଯାଞ୍ଚ କରିଥିଲେ।

ସେ କହିଛନ୍ତି ଯେ, ଯାତ୍ରୀ ଓ ଟ୍ରେନ୍ ସୁରକ୍ଷା ହିଁ ରାୟଗଡ଼ା ରେଳ ମଣ୍ଡଳର ସର୍ବୋଚ୍ଚ ପ୍ରାଥମିକତା।

ବର୍ଷା ଋତୁରେ ସମସ୍ତ ସମ୍ବେଦନଶୀଳ ସ୍ଥାନ ଉପରେ ନିରନ୍ତର ନଜର ରଖିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବାମରାରେ ୧୧ ଯୋଡ଼ି ଟ୍ରେନ୍ ରହିବ, ଟିକଟ୍‌ ମିଳିବ: ଡିଆର୍‌ଏମ୍‌ ଶ୍ରୀସିଂଘଲ କହିଛନ୍ତି, ରାୟଗଡ଼ା ରେଳ ମଣ୍ଡଳ ବର୍ଷା ଋତୁ ପୂର୍ବରୁ ହିଁ କୋତ୍ତାଭାଲାସା–କିରନ୍ଦୁଲ (କେକେ), କୋରାପୁଟ–ରାୟଗଡ଼ା (କେଆର) ଏବଂ ରାୟଗଡ଼ା–ବିଜୟନଗରମ (ଆରଭି) ରେଳ ମାର୍ଗ ଘାଟି ସେକ୍ସନ୍‌ର ବିପଦପ୍ରବଣ ଅଞ୍ଚଳଗୁଡ଼ିକରେ ଭିତ୍ତିଭୂମି ସୁରକ୍ଷା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି।

ପାହାଡ଼ ଗଡାଣିଆ ଭାଗର ସ୍ଥିରତା ବୃଦ୍ଧି ପାଇଁ ରକ୍ ଫଲ୍ ବ୍ୟାରିୟର, ରକ୍ ବୋଲ୍ଟିଂ, ୱୟାର୍ ମେଶ୍ ନେଟିଂ କାର୍ଯ୍ୟ ବହୁତ ସ୍ଥାନରେ ସରିଯାଇଥିବାବେଳେ କେତେକ ସ୍ଥାନରେ ଏହି କାର୍ଯ୍ୟ ସାରିବାକୁ ଯାଉଅଛି ।

କେକେ, କେଆର ଓ ଆରଭି ରେଳ ସେକ୍ସନରେ ଏହି ସୁରକ୍ଷା କାର୍ଯ୍ୟରେ ଉଲ୍ଲେଖନୀୟ ପ୍ରଗତି ହୋଇଛି।

କେତେକ ସ୍ଥାନରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଅବଶିଷ୍ଟ ସ୍ଥାନଗୁଡ଼ିକରେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।

ଦୀର୍ଘମିଆଦୀ ସମାଧାନ ପାଇଁ ଢାଳର ସ୍ଥିରତା ବୃଦ୍ଧି ଏବଂ ରେଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଭୂତତ୍ତ୍ୱ ଓ ଭୂଭୌତିକ ଅଧ୍ୟୟନ ମଧ୍ୟ ଚାଲିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।