Doctor Found Dead: ଡାକ୍ତର ସ୍ୱାମୀକୁ ହତ୍ୟା, ୮ ବର୍ଷର ପୁଅକୁ ଛୁରୀମାଡ଼, ସ୍ତ୍ରୀ ପାଖରେ ବସି କରୁଥିଲା ମୋବାଇଲ ସ୍କ୍ରଲ୍

Jul 16, 2026 - 15:00
Doctor Found Dead: ଡାକ୍ତର ସ୍ୱାମୀକୁ ହତ୍ୟା, ୮ ବର୍ଷର ପୁଅକୁ ଛୁରୀମାଡ଼, ସ୍ତ୍ରୀ ପାଖରେ ବସି କରୁଥିଲା ମୋବାଇଲ ସ୍କ୍ରଲ୍

କର୍ଣ୍ଣାଟକର ଧାରୱାଡ଼ରୁ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଯାହା ଜାଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ। ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ଜଣେ ଡାକ୍ତର ସ୍ୱାମୀ, ପାଖରେ ମୃତ୍ୟୁ ସହ ସଂଘର୍ଷ କରୁଥିଲା ୮ ବର୍ଷର ପୁଅ। 

 ଆଉ ଏହି ଭୟଙ୍କର ଦୃଶ୍ୟ ସମୟରେ ଖଟ ଉପରେ ଶୋଇ ମୋବାଇଲ୍ ଫୋନ୍ ଦେଖୁଥିଲେ ଡାକ୍ତରଙ୍କ ପତ୍ନୀ। ତଦନ୍ତ ଆଧାରରେ ସ୍ୱାମୀଙ୍କୁ ହତ୍ୟା କରିବା ସହ ପୁଅକୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ତାଙ୍କ ବିରୋଧରେ ଉଠିଛି। ଏହି ଚାଞ୍ଚଲ୍ୟକର ଘଟଣାକୁ ନେଇ କର୍ଣ୍ଣାଟକରେ ଚର୍ଚ୍ଚା ଜୋର ଧରିଛି।

୪୫ ବର୍ଷୀୟ ଆନାସ୍ଥେସିଆ ଡାକ୍ତର କିରଣ ହୋନ୍ନାନଭର ଚିରାୟୁ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ। ପତ୍ନୀ ଡାକ୍ତର ପ୍ରିୟଙ୍କା କଟ୍ଟନାହାଲ୍ଲି ମଧ୍ୟ ଜଣେ ଚକ୍ଷୁ ଡାକ୍ତର। ସେ ତାଙ୍କ ସ୍ତ୍ରୀ  ଓ ୮ ବର୍ଷର ପୁଅ ସହ ରହୁଥିଲେ।  ପଡ଼ୋଶୀମାନେ ଏଭଳି ଘଟଣାର ସୂଚନା ପାଇ ପୋଲିସକୁ ଜଣାଇଥିଲେ, ପୋଲିସ ଫ୍ଲାଟରେ ପହଞ୍ଚି ଘର ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଘର ସାରା ରକ୍ତ । ସେଥିରେ ଡାକ୍ତର କିରଣ ମୃତ ଅବସ୍ଥାରେ ପଡ଼ିଥିବା ବେଳେ ୮ ବର୍ଷୀୟ ପୁଅ ଗୁରୁତର ଆହତ ଅବସ୍ଥାରେ ପଡିଥିଲା। ସେହି ସମୟରେ ପ୍ରିୟଙ୍କା ଖଟ ଉପରେ ଶୋଇ ମୋବାଇଲ୍ ଫୋନ ଦେଖୁଥିବା ଅଭିଯୋଗ ହୋଇଛି।

ହୁବଲ୍ଲି-ଧାରୱାଡ଼ ପୋଲିସ କମିଶନର ଏନ୍. ଶଶିକୁମାର ଘଟଣା ସ୍ଥଳରେ ପହଞ୍ଚି ଆହତ ଶିଶୁକୁ ଉଦ୍ଧାର କରି ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ। ଶିଶୁଟିର ଶରୀରରେ ଛୁରି ଆଘାତର ଗଭୀର ଚିହ୍ନ ରହିଥିବା ସେ କହିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମଙ୍ଗଳବାର ରାତି ଓ ବୁଧବାର ସକାଳେ କିରଣଙ୍କ ସମ୍ପର୍କୀୟମାନେ ଫୋନ୍ କରିବା ପରେ ପ୍ରିୟଙ୍କା ପ୍ରଥମେ କହିଥିଲେ ଯେ କିରଣ ବିଶ୍ରାମ କରୁଛନ୍ତି। ପରେ ସେ କହିଥିଲେ ଯେ ସ୍ୱାମୀ ଡ୍ୟୁଟିକୁ ବାହାରି ଯାଇଛନ୍ତି।

କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ କିରଣଙ୍କ ସହ ଯୋଗାଯୋଗ ନ ହେବାରୁ ପରିବାର ଲୋକେ ଫ୍ଲାଟରେ ପହଞ୍ଚିଥିଲେ। ସେଠାରେ ସେମାନେ କିରଣଙ୍କ ମୃତଦେହ ଏବଂ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଶିଶୁକୁ ଦେଖିଥିଲେ। ପ୍ରିୟଙ୍କା ସେତେବେଳେ ଖଟ ଉପରେ ଶୋଇ ମୋବାଇଲ୍ ଦେଖୁଥିବା ଅଭିଯୋଗ ହୋଇଛି।

ପୋଲିସ କମିଶନରଙ୍କ କହିବାନୁସାରେ, କିରଣ, ତାଙ୍କ ପତ୍ନୀ ପ୍ରିୟଙ୍କା ଓ ୮ ବର୍ଷୀୟ ପୁଅ ଧାରୱାଡ଼ର ଏକ ଆପାର୍ଟମେଣ୍ଟର ଛଅ ମହଲାରେ ରହୁଥିଲେ। ଘଟଣା ସମୟରେ ଫ୍ଲାଟ୍‌ ଭିତରେ କେବଳ ଏହି ତିନିଜଣ ଥିବା ତଦନ୍ତରୁ ଜଣାପଡିଛି। ବାହାରୁ କୌଣସି ବ୍ୟକ୍ତି ଘରକୁ ଆସିଛନ୍ତି କି ନାହିଁ ତାହାର ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ।

ଘଟଣାର ପ୍ରକୃତ କାରଣ, ହତ୍ୟାର ସମୟ ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ତାହାର ତଦନ୍ତ ଚାଲିଛି। ପ୍ରିୟଙ୍କା କାହା ସହ କଥା ହୋଇଥିଲେ ଓ ଘଟଣା ଘଟାଇବା ପରେ କଣ ପଦକ୍ଷେପ ନେଇଥିଲେ, ସେସବୁ ଦିଗରେ ପୋଲିସ ଛାନଭିନ କରୁଛି। 
 
 
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।