District Collector Sets an Example: ଉଦାହରଣ ସାଜିଲେ ଜିଲ୍ଲାପାଳ, ସରକାରୀ ସ୍କୁଲରେ ପଢ଼ାଇଲେ ନିଜ ପୁଅକୁ
ସରକାରୀ ସ୍କୁଲର ପାଠପଢ଼ାର ମାନକୁ ନେଇ ଯେତେବେଳେ ଅନେକ ପ୍ରଶ୍ନ ଉଠୁଛି, ସେତେବେଳେ ଜଣେ ଜିଲ୍ଲାପାଳଙ୍କ ପଦକ୍ଷେପ ସମସ୍ତଙ୍କ ପାଇଁ ସୃଷ୍ଟି କରିଛି ଏକ ନୂଆ ଉଦାହରଣ। ପଦର ଅହଂକାର ନୁହେଁ, ବରଂ ଜଣେ ସାଧାରଣ ବାପାର ଦାୟିତ୍ୱକୁ ଆଗରେ ରଖି ଚର୍ଚ୍ଚାରେ ରହିଛନ୍ତି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ ଜିଲ୍ଲାପାଳ ଡା. ଏନ୍. ପ୍ରଭାକର ରେଡ୍ଡୀ। ସେ ନିଜ ପୁଅକୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଯୋଗଦେଇ ସମସ୍ତଙ୍କ ମନ ଜିତିଛନ୍ତି।
ଆଜିକାଲି ଅଧିକାଂଶ ଅଭିଭାବକ ନିଜ ସନ୍ତାନଙ୍କୁ ବେସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ବତୀପୁରମ ଜିଲ୍ଲାପାଳ ଡା. ଏନ୍. ପ୍ରଭାକର ରେଡ୍ଡୀ ଏହି ଧାରଣାକୁ ବଦଳାଇବାର ପ୍ରୟାସ କରିଛନ୍ତି। ସେ ନିଜ ପୁଅକୁ ସରକାରୀ ଡି.ଭି.ଏମ୍. ହାଇସ୍କୁଲରେ ପଢ଼ାଉଛନ୍ତି।
ନିକଟରେ ଆୟୋଜିତ ଅଭିଭାବକ-ଶିକ୍ଷକ ବୈଠକରେ ସେ ଜିଲ୍ଲାପାଳ ଭାବେ ନୁହେଁ, ବରଂ ଜଣେ ସାଧାରଣ ଅଭିଭାବକ ଭାବେ ଯୋଗଦେଇଥିଲେ। ପୁଅର ପାଠପଢ଼ା, ଉପସ୍ଥାନ, ଆଚରଣ ଏବଂ ସାମଗ୍ରିକ ବିକାଶ ସମ୍ପର୍କରେ ଶିକ୍ଷକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ବିଷୟଭିତ୍ତିକ ଶିକ୍ଷକଙ୍କ ସହ ମତବିନିମୟ କରି ପୁଅର ଆଗ୍ରହ, ଦୁର୍ବଳତା ଓ ଉନ୍ନତିର ସମ୍ଭାବନା ବିଷୟରେ ଜାଣିଥିଲେ। ତାଙ୍କର ଏହି ସରଳ ବ୍ୟବହାର ଓ ଦାୟିତ୍ୱବୋଧ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ ଏବଂ ସାଧାରଣ ଲୋକଙ୍କ ପ୍ରଶଂସା ସାଉଁଟିଛି।
ପଦ ଯେତେ ବଡ଼ ହେଉ, ସନ୍ତାନର ଶିକ୍ଷା ଓ ଭବିଷ୍ୟତ ପ୍ରତି ଜଣେ ଅଭିଭାବକର ଦାୟିତ୍ୱ ସବୁଠାରୁ ବଡ଼ । ଏହି ବାର୍ତ୍ତାକୁ କାର୍ଯ୍ୟରେ ପ୍ରମାଣ କରି ଦେଖାଇଛନ୍ତି ପାର୍ବତୀପୁରମ ଜିଲ୍ଲାପାଳ। ତାଙ୍କର ଏହି ପଦକ୍ଷେପ ସରକାରୀ ବିଦ୍ୟାଳୟ ପ୍ରତି ଲୋକଙ୍କ ବିଶ୍ୱାସକୁ ଆହୁରି ଦୃଢ଼ କରିବ ବୋଲି ଆଶା କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।