Diplomatic Protest: ଚୀନ୍ର ବିରଳ ନୌସେନା ଅଭ୍ୟାସକୁ ନେଇ ଜାପାନର ଆପତ୍ତି
"ଟୋକିଓ: ଚୀନ୍ ପ୍ରଥମ ଥର ପାଇଁ ଜାପାନ ଦାବି କରୁଥିବା ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ (ଇଇଜେଡ୍) ମଧ୍ୟରେ ଓକିନୋତୋରିଶିମା ନିକଟ ସମୁଦ୍ର ଅଞ୍ଚଳରେ ସିଧାସଳଖ ଗୁଳିଚାଳନା ସହ ନୌସେନା ଅଭ୍ୟାସ କରିଛି।
ଏହି ଘଟଣାକୁ ନେଇ ଜାପାନ କଡ଼ା ଆପତ୍ତି ପ୍ରକାଶ କରିବା ସହ ବେଜିଂ ନିକଟରେ କୂଟନୈତିକ ପ୍ରତିବାଦ ଜଣାଇଛି।Advertisment ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଚୀନ୍ର ଏକାଧିକ ଯୁଦ୍ଧଜାହାଜ ଓକିନୋତୋରିଶିମାର ଦକ୍ଷିଣ-ପୂର୍ବ ସମୁଦ୍ର ଅଞ୍ଚଳରେ ପ୍ରବେଶ କରି ସିଧାସଳଖ ଗୁଳିଚାଳନା ଅଭ୍ୟାସ କରିଥିଲେ।
ଏହା ପରେ ଜାପାନ ସରକାର ଚୀନ୍ ଦୂତାବାସ ମାଧ୍ୟମରେ ଔପଚାରିକ ପ୍ରତିବାଦ କରିଛନ୍ତି।
ଜାପାନର କହିବା ଅନୁସାରେ, ଏହି ଅଞ୍ଚଳ ତାହାର ସ୍ୱତନ୍ତ୍ର ଆର୍ଥିକ ଅଞ୍ଚଳ ମଧ୍ୟରେ ରହିଛି ଏବଂ ଏଭଳି ସାମରିକ ଅଭ୍ୟାସ ଆଞ୍ଚଳିକ ସୁରକ୍ଷା ପାଇଁ ଚିନ୍ତାର ବିଷୟ।
ଅନ୍ୟପକ୍ଷରେ, ଚୀନ୍ କହିଛି ଯେ ଏହି ସମୁଦ୍ର ଅଞ୍ଚଳ ଅନ୍ତର୍ଜାତୀୟ ଜଳସୀମାର ଅଂଶ ଏବଂ ସେଠାରେ ସାମରିକ ଅଭ୍ୟାସ କରିବା ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ବୈଧ।
ଏହି ପ୍ରସଙ୍ଗରେ ଚୀନ୍ ଓ ଜାପାନ ମଧ୍ୟରେ ଦୀର୍ଘ ଦିନ ଧରି ମତଭେଦ ରହିଆସିଛି।
ବିଶେଷଜ୍ଞଙ୍କ ମତରେ, ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଚୀନ୍ର ବଢ଼ୁଥିବା ସାମରିକ ସକ୍ରିୟତା ଓ ଜାପାନର ପ୍ରତିରକ୍ଷା ପ୍ରସ୍ତୁତି ମଧ୍ୟରେ ଏହି ଘଟଣା ଦ୍ୱିପାକ୍ଷିକ ଉତ୍ତେଜନାକୁ ଆହୁରି ବଢ଼ାଇପାରେ।
ଆମେରିକା ସହ ଜାପାନର ସୁରକ୍ଷା ସହଯୋଗକୁ ନେଇ ମଧ୍ୟ ଚୀନ୍ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଆସୁଛି।
ଏହି ଘଟଣା ପରେ ଜାପାନ ସମୁଦ୍ର ଅଞ୍ଚଳରେ ନଜରଦାରି ବଢ଼ାଇଥିବାବେଳେ ଚୀନ୍ର ସାମରିକ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବ ବୋଲି କହିଛି।
ଉଭୟ ଦେଶ ମଧ୍ୟରେ ସାମୁଦ୍ରିକ ସୀମା ଓ ସୁରକ୍ଷା ପ୍ରସଙ୍ଗକୁ ନେଇ ତିକ୍ତତା ଏବେ ପୁଣି ଥରେ ସାମ୍ନାକୁ ଆସିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।