Dilip Joshi dismisses Taarak Mehta exit rumours: 'ତାରକ ମେହେଟ୍ଟା' ଛାଡ଼ୁଛନ୍ତି କି ଜେଠାଲାଲ? ସ୍ପଷ୍ଟ କଲେ ଦିଲୀପ ଯୋଶୀ...

Jul 18, 2026 - 12:11
Dilip Joshi dismisses Taarak Mehta exit rumours: 'ତାରକ ମେହେଟ୍ଟା' ଛାଡ଼ୁଛନ୍ତି କି ଜେଠାଲାଲ? ସ୍ପଷ୍ଟ କଲେ ଦିଲୀପ ଯୋଶୀ...

ଲୋକପ୍ରିୟ ଟେଲିଭିଜନ ଧାରାବାହିକ 'ତାରକ ମେହେଟ୍ଟା କା ଉଲଟା ଚଷମା'ରୁ 'ଜେଠାଲାଲ' ଭୂମିକାରେ ଘରେ ଘରେ ପରିଚିତ ଅଭିନେତା ଦିଲୀପ ଯୋଶୀ ଶୋ' ଛାଡ଼ୁଛନ୍ତି ବୋଲି କିଛିଦିନ ଧରି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଥିଲା। ଏହି ଖବର ପରେ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା।

ତେବେ ଏହି ଗୁଜବ ଉପରେ ନିଜେ ମୁହଁ ଖୋଲିଛନ୍ତି ଦିଲୀପ ଯୋଶୀ। ସେ ସ୍ପଷ୍ଟ କରିଛନ୍ତି ଯେ ଶୋ' ଛାଡ଼ିବାର ତାଙ୍କର କୌଣସି ଯୋଜନା ନାହିଁ। 'ତାରକ ମେହେଟ୍ଟା କା ଉଲଟା ଚଷମା' ସେଟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା ମିଥ୍ୟା ପ୍ରଚାର ବୋଲି ଦିଲୀପ ଯୋଶୀ କହିଛନ୍ତି। ଅନଲାଇନରେ ବିଭିନ୍ନ ପ୍ରକାର ମିଥ୍ୟା ଖବର ପ୍ରଚାର ହେଉଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ।

ସେ କହିଥିଲେ, "ଆଜିକାଲି କେବଳ ଭ୍ୟୁ ପାଇବା ପାଇଁ ବିଭିନ୍ନ ପ୍ରକାରର ମିଛ କାହାଣୀ କରି ପ୍ରଚାର କରାଯାଉଛି। କୌଣସି ଖବର ପ୍ରକାଶ କରିବା ପୂର୍ବରୁ ଦୟାକରି ପ୍ରଡକ୍ସନ୍ ହାଉସ କିମ୍ବା ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ପ୍ରଥମେ ସତ ଜାଣନ୍ତୁ।"

ପ୍ରାୟ ୧୮ ବର୍ଷ ଧରି 'ଜେଠାଲାଲ ଗଡା' ଚରିତ୍ରରେ ଅଭିନୟ କରୁଥିବା ଦିଲୀପ ଯୋଶୀ ଶୋ'ର ଲମ୍ବା ଯାତ୍ରାକୁ ନେଇ ମଧ୍ୟ ଖୁସି ପ୍ରକାଶ କରିଥିଲେ। ଗୋଟିଏ କମେଡି ଶୋ'ର ଏତେ ବର୍ଷ ଧରି ଲୋକପ୍ରିୟ ରହିବା ଏକ ବଡ଼ ସଫଳତା।

"ଏକ କମେଡି ଶୋ' ୧୮ ବର୍ଷ ଧରି ଚାଲିବା ଅବିଶ୍ୱସନୀୟ ପରି ମନେ ହୁଏ। ଆମେ ୪,୭୫୦ରୁ ଅଧିକ ଏପିସୋଡ୍ ପୂରଣ କରିଛୁ। ଆଜି ମଧ୍ୟ ସମାନ ଉତ୍ସାହର ସହ ସୁଟିଂ କରୁଛୁ ଓ ଦର୍ଶକଙ୍କୁ ହସାଇବା ପାଇଁ ଚେଷ୍ଟା କରୁଛୁ।"

ଶୋ'ର ସଫଳତା ପଛରେ ପ୍ରଯୋଜକ ଅସିତ କୁମାର ମୋଦୀ ଓ ସ୍କ୍ରିପ୍ଟିଙ୍ଗ ଟିମର ପରିଶ୍ରମ କଥା ମଧ୍ୟ ଦିଲୀପ କହିଥିଲେ। ଏତେ ବର୍ଷ ଧରି ନୂଆ କାହାଣୀ ଓ ଏପିସୋଡ୍ ପ୍ରସ୍ତୁତ କରିବା ସହଜ କାମ ନୁହେଁ। ଶେଷରେ ଗଣମାଧ୍ୟମକୁ ଦିଲୀପ ଅନୁରୋଧ କରି କହିଥିଲେ ଯେ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଖବରକୁ ସିଧାସଳଖ ପ୍ରକାଶ ନକରି ପ୍ରଡକ୍ସନ୍ ଟିମ୍ ସହ ଯୋଗାଯୋଗ କରନ୍ତୁ।

"ପ୍ରତ୍ୟେକ ସୋସିଆଲ ମିଡିଆ ପୋଷ୍ଟକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ। କିନ୍ତୁ ସମ୍ମାନିତ ଗଣମାଧ୍ୟମ ଯଦି ଫୋନ୍ କରି ତଥ୍ୟର ଯାଞ୍ଚ କରନ୍ତି, ତେବେ ଅନେକ ଭୁଲ ଖବର ପ୍ରଚାର ହେବାରୁ ରୋକା ଯାଇପାରିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।