Welcome!

Unlock your personalized experience.
Sign Up

Digital Media : ଡିଜିଟାଲ୍ ମିଡିଆ ପାଇଁ ଆସୁଛି କି ନୂଆ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ ?

Jul 17, 2026 - 15:40
Digital Media : ଡିଜିଟାଲ୍ ମିଡିଆ ପାଇଁ ଆସୁଛି କି ନୂଆ ନିୟମ, ଜାଣନ୍ତୁ କଣ ହେବ ପରିବର୍ତ୍ତନ ?

ନୂଆଦିଲ୍ଲୀ, ୧୭/୦୭ : ଭାରତରେ ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଲଗାତର ନିୟମ କଠୋର ହେଉଛି। କେନ୍ଦ୍ର ସରକାର ଖୁବଶୀଘ୍ର ଡିଜିଟାଲ୍ ମିଡିଆ ସହ ଜଡ଼ିତ ଆଇଟି ନିୟମ ୨୦୨୧ରେ ବଡ଼ ସଂଶୋଧନ କରିବାକୁ ଯାଉଛନ୍ତି। ଏହି ପ୍ରସ୍ତାବିତ ପରିବର୍ତ୍ତନ ପାଇଁ ସରକାର ପରାମର୍ଶ ଲୋଡ଼ିଛନ୍ତି। ନିକଟରେ ଦିଲ୍ଲୀ ହାଇକୋର୍ଟଙ୍କ ଏକ ଟିପ୍ପଣୀ ଏହି ସମ୍ଭାବନାକୁ ଆହୁରି ଦୃଢୀଭୂତ କରୁଛି। 

ଦିଲ୍ଲୀ ହାଇକୋର୍ଟଙ୍କ ଅନୁଯାୟୀ, ପାରମ୍ପରିକ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ ମିଡିଆ ଠାରୁ ଡିଜିଟାଲ୍ ମିଡିଆ ଖୁବ୍ ଭିନ୍ନ। ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ପ୍ରସାରିତ ହେଉଥିବା ସମାଚାର ଖୁବଶୀଘ୍ର ଲକ୍ଷ ଲକ୍ଷ ଲୋକଙ୍କ ନିକଟକୁ ପହଞ୍ଚିଯାଉଛି। ଏହାଦ୍ଵାରା ଏକ ଭୁଲ୍ ଖବର ଖୁବଶୀଘ୍ର ପ୍ରସାରିତ ହୋଇଯାଉଛି। କୋର୍ଟ କହିଛନ୍ତି ଯେ ବର୍ତ୍ତମାନର ଆଇନ ବ୍ୟବସ୍ଥା ପରିବର୍ତ୍ତିତ ଡିଜିଟାଲ୍ ପରିବେଶର ସମସ୍ତ ଚ୍ୟାଲେଞ୍ଜକୁ ସମାଧାନ କରିବାକୁ ସକ୍ଷମ ନୁହେଁ। ତେଣୁ ସଂସଦକୁ ଏକ ଆଇନଗତ ଢାଞ୍ଚା ପ୍ରଣୟନ କରିବା ଉଚିତ୍ ଯାହା ଡିଜିଟାଲ୍ ମିଡିଆରେ ବୃତ୍ତିଗତ ମାନଦଣ୍ଡ, ଦାୟିତ୍ୱ ଏବଂ ନୈତିକାତାକୁ ସୁନିଶ୍ଚିତ କରିବ। 

ଏବେ ଭାରତରେ ଡିଜିଟାଲ୍ ମିଡିଆ ପାଇଁ କେଉଁ ନିୟମ ରହିଛି ?

୧. ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ (ଆଇଟି ଆଇନ, ୨୦୦୦) 
ସୂଚନା ପ୍ରଯୁକ୍ତି ଆଇନ ୨୦୦୦, ଭାରତ ସରକାରଙ୍କ ମୁଖ୍ୟ ସାଇବର ଆଇନ। ୨୦୦୦ ମସିହା ଅକ୍ଟୋବର ୧୭ରେ ଏହାର ପ୍ରଣୟନ କରାଯାଇଥିଲା। ଏହି ଆଇନ ଡିଜିଟାଲ୍ ଡକ୍ୟୁମେଣ୍ଟ୍, ଇଲେକ୍ଟ୍ରୋନିକ୍ସ କାରବାର (ଇ-କମର୍ସ) ଏବଂ ଡିଜିଟାଲ୍ ସ୍ୱାକ୍ଷରକୁ ଆଇନଗତ ମାନ୍ୟତା ଦିଏ। ଏହା ସାଇବର ଅପରାଧକୁ ରୋକେ ଏବଂ ଦଣ୍ଡ ଧାର୍ଯ୍ୟ କରେ।

୨. ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ନୀତିଶାସ୍ତ୍ର କୋଡ୍) ନିୟମ, ୨୦୨୧ 
 ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ୨୦୨୧ରେ ଏହି ନିୟମ କରାଯାଇଥିଲା। ଏହା ସୋସିଆଲ ମିଡିଆ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ମିଡିଆ ପ୍ରକାଶକମାନଙ୍କ ପାଇଁ ଏକ ଆଚାର ସଂହିତା ଏବଂ ଏକ କଠୋର ଅଭିଯୋଗ ସମାଧାନ ବ୍ୟବସ୍ଥା ସ୍ଥାପିତ କରେ।

୩. ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, ୨୦୨୩ 
ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍, ୨୦୨୩ ନାଗରିକଙ୍କ ତଥ୍ୟ ସୁରକ୍ଷା ସହିତ ଜଡିତ ବିଷୟଗୁଡ଼ିକୁ ନିୟନ୍ତ୍ରଣ କରେ। ଏହା ନାଗରିକଙ୍କ ବ୍ୟକ୍ତିଗତ ଡିଜିଟାଲ୍ ସୂଚନାକୁ ସୁରକ୍ଷା ଦିଏ। ଆପଣଙ୍କର ବ୍ୟକ୍ତିଗତ ସୂଚନା, ଯେପରିକି ନାମ, ମୋବାଇଲ୍ ନମ୍ବର ଏବଂ ଇମେଲ୍, ସୁରକ୍ଷିତ ଅଛି ବୋଲି ସୁନିଶ୍ଚିତ କରେ। କମ୍ପାନୀଗୁଡ଼ିକ ଆପଣଙ୍କ ସମ୍ମତି ବିନା ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ବ୍ୟବହାର କରିପାରିବେ ନାହିଁ। 

ଆହୁରି ପଢନ୍ତୁ- ଭୋଟର ନୁହଁ କହି ତଡ଼ିଦେଲେ ବିଧାୟକ, ରାଗରେ ବିଜେପି ନେତାଙ୍କ କାର୍ ବୋନେଟ୍‌ରେ ପିଲାକୁ ଶୁଆଇଦେଲେ ବାପା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।