Departmental Inquiry Ordered Against Gangwar: IPS ଦୟାଲ ଗଙ୍ଗୱାରଙ୍କ ଅଡ଼ୁଆ ବଢିଲା, ହେବ ବିଭାଗୀୟ ତଦନ୍ତ

Jul 01, 2026 - 09:29
Departmental Inquiry Ordered Against Gangwar: IPS ଦୟାଲ ଗଙ୍ଗୱାରଙ୍କ ଅଡ଼ୁଆ ବଢିଲା, ହେବ ବିଭାଗୀୟ ତଦନ୍ତ

GRP କନେଷ୍ଟବଳ ସୌମ୍ୟରଂଜନ ହତ୍ୟା ମାମଲାରେ ବିବାଦୀୟ ହୋଇପଡ଼ିଥିବା IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଆରମ୍ଭ ହେବ ବିଭାଗୀୟ ତଦନ୍ତ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ତାସହ ଗୃହ ବିଭାଗ ପକ୍ଷରୁ ପୋଲିସ ଡିଜିଙ୍କୁ ଚିଠି ବି ଲେଖାଯାଇଛି। 

ଗତ ୧୮ ତାରିଖରେ ଜାରି ହୋଇଥିବା ସରକାରୀ ଆଦେଶ ଅନୁଯାୟୀ ଦୟାଲ ଗଙ୍ଗୱାରଙ୍କୁ ଅଲ୍ ଇଣ୍ଡିଆ ସର୍ଭିସେସ୍ (ଡିସିପ୍ଲିନ୍ ଆଣ୍ଡ ଅପିଲ୍) ନିୟମ-୧୯୬୯ ଅନୁସାରେ ନିଲମ୍ବନ କରାଯାଇଛି। ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀଙ୍କ ପକ୍ଷରୁ ଜାରି ଚିଠିରେ କୁହାଯାଇଛି ଯେ, ଏହି ନିୟମ ଅନୁଯାୟୀ, ନିଲମ୍ବନର ୩୦ ଦିନ ମଧ୍ୟରେ ବିଭାଗୀୟ ତଦନ୍ତ ହେବ ଆବଶ୍ୟକ। 

ଏହାକୁ ଦୃଷ୍ଟିରେ ରଖି ପୋଲିସ ଡିଜିଙ୍କୁ ଅଭିଯୋଗ ପତ୍ର, ଅଭିଯୋଗର ବିବରଣୀ, ପ୍ରମାଣ ତାଲିକା ସହ ଡ୍ରାଫ୍ଟ ମେମୋରାଣ୍ଡମ ତୁରନ୍ତ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ କୁହାଯାଇଛି। ଗଙ୍ଗୱାରଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ତଦନ୍ତର ବିସ୍ତୃତ ବିବରଣୀ ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇନାହିଁ। ତେବେ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ନେଇ ସରକାରୀ ପ୍ରକ୍ରିୟା ଜୋରଦାର ହୋଇଛି।