Dengue: ଭାରତରେ ଡେଙ୍ଗୁ ବିରୋଧୀ ପ୍ରଥମ ସଫଳ ଟିକା: ୪ରୁ ୬୦ ବର୍ଷ ବୟସ୍କଙ୍କୁ ଦିଆଯାଇପାରିବ ‘କ୍ୟୁଡେଙ୍ଗା’
ନୂଆଦିଲ୍ଲୀ: ଭାରତରେ ଡେଙ୍ଗୁ ପ୍ରତିରୋଧ ପାଇଁ ପ୍ରଥମଥର ଏକ ଟିକାକୁ ବଜାର ଅନୁମତି ମିଳିଛି। ଭାରତର ଔଷଧ ନିୟନ୍ତ୍ରକ ସଂସ୍ଥା ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ଜାପାନର ଔଷଧ କମ୍ପାନି ଟାକେଡା ପ୍ରସ୍ତୁତ ‘କ୍ୟୁଡେଙ୍ଗା’ ଟିକାକୁ ସୋମବାର ଅନୁମୋଦନ କରିଛନ୍ତି। ଏହି ଟିକା ୪ରୁ ୬୦ ବର୍ଷ ବୟସର ପିଲା ଓ ବୟସ୍କଙ୍କୁ ଦିଆଯାଇପାରିବ ବୋଲି ଟାକେଡା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଘୋଷଣା କରିଛି।
Arrest: ମୁଖ୍ୟମନ୍ତ୍ରୀ ବିଜୟଙ୍କ ନାଁରେ ଅପମାନଜନକ ମନ୍ତବ୍ୟ: ଡିଏମ୍କେ ବିଧାୟକ ଗିରଫ
‘କ୍ୟୁଡେଙ୍ଗା’ର ବୈଜ୍ଞାନିକ ନାମ ଟିଏକେ‑୦୦୩। ଡେଙ୍ଗୁ ଭୂତାଣୁର ଡିଇଏନ୍ଭି‑୧, ଡିଇଏନ୍ଭି‑୨, ଡିଇଏନ୍ଭି‑୩ ଓ ଡିଇଏନ୍ଭି‑୪, ଏହି ଚାରି ପ୍ରଜାତି ବିରୋଧରେ ସୁରକ୍ଷା ଦେବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ଡେଙ୍ଗୁ ହୋଇଥାଉ କିମ୍ବା ନ ହୋଇଥାଉ, ଉଭୟ ବର୍ଗର ଲୋକ ଏହି ଟିକା ନେଇପାରିବେ। ତେଣୁ ଟିକା ନେବା ପୂର୍ବରୁ କୌଣସି ପରୀକ୍ଷାର ଆବଶ୍ୟକତା ନାହିଁ। ଜଣେ ବ୍ୟକ୍ତିଙ୍କୁ ଏହି ଟିକାର ଦୁଇଟି ଡୋଜ୍ ଦିଆଯିବ। ପ୍ରତ୍ୟେକ ଡୋଜ୍ର ପରିମାଣ ୦.୫ ମିଲିଲିଟର ହୋଇଥିବାବେଳେ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ତିନି ମାସ ବ୍ୟବଧାନ ରହିବ। ବିଶ୍ୱର ୪୩ଟି ଦେଶରେ ଏହା ଅନୁମୋଦନ ଲାଭ କରିଥିବାରୁ ଟିକାର କାର୍ଯ୍ୟକ୍ଷମତା ଓ ସୁରକ୍ଷା ଉପରେ ବିଶ୍ବାସ ବଢ଼ିଛି। ଶେଷ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣରେ ଏହି ଟିକା ଦ୍ୱିତୀୟ ଡୋଜ୍ ପରେ ଗୋଟିଏ ବର୍ଷରେ ପ୍ରାୟ ୮୦.୨ ପ୍ରତିଶତ ପର୍ଯ୍ୟନ୍ତ ଡେଙ୍ଗୁ ସଂକ୍ରମଣ ରୋକିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ସେହିପରି ୧୮ ମାସ ପରେ ଡେଙ୍ଗୁ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବାର ବିପଦ କମାଇବାରେ ଏହା ୯୦.୪ ପ୍ରତିଶତ ପ୍ରଭାବୀ ରହିଥିବା ପ୍ରମାଣିତ ହୋଇଛି।
AssamSikkim: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର, ସେପଟେ ଭୂସ୍ଖଳନ ପରେ ସିକ୍କିମ ସୁଡ଼ଙ୍ଗରେ ଫସିଛନ୍ତି ୧୨ ଶ୍ରମିକ
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ତଥ୍ୟ ଅନୁଯାୟୀ ୨୦୨୪ରେ ବିଶ୍ୱରେ ରେକର୍ଡ ୧ କୋଟି ୪୪ ଲକ୍ଷ ଡେଙ୍ଗୁ ମାମଲା ଓ ୧୧,୨୦୧ ମୃତ୍ୟୁ ରିପୋର୍ଟ ହୋଇଥିଲା। ସେହି ବର୍ଷ ଭାରତରେ ୨,୩୨,୪୨୫ ମାମଲା ଓ ୨୩୩ ମୃତ୍ୟୁ ମାମଲା ଦରଜ ହୋଇଥିଲା। ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ରିପୋର୍ଟ ହୋଇଥିବା ଡେଙ୍ଗୁ ମାମଲା ପ୍ରାୟ ୧୧ ଗୁଣ ବଢ଼ିଥିବା ଟାକେଡା କହିଛି। ଟିକାର ଉତ୍ପାଦନ ବଢ଼ାଇବା ପାଇଁ ଟାକେଡା ୨୦୨୪ରେ ଭାରତୀୟ ଟିକା ନିର୍ମାତା ‘ବାୟୋଲଜିକାଲ୍ ଇ’ ସହ ଚୁକ୍ତି କରିଥିଲା। ତେବେ ଭାରତୀୟ ବଜାରରେ ଏହା କେବେଠାରୁ ମିଳିବ ଓ ଏହାର ମୂଲ୍ୟ କେତେ ରହିବ, ସେ ସମ୍ପର୍କରେ କମ୍ପାନି ଏ ପର୍ଯ୍ୟନ୍ତ କିଛି ଘୋଷଣା କରିନାହିଁ। ଆପୋଲୋ ହସ୍ପିଟାଲର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟା କେଏସ୍ କହିଛନ୍ତି ଯେ ‘କ୍ୟୁଡେଙ୍ଗା’ ରୋଗର ଗମ୍ଭୀରତା ଓ ଡାକ୍ତରଖାନାରେ ଭର୍ତ୍ତି ହେବାର ବିପଦକୁ କମାଇପାରିବ। ମାତ୍ର ଏଡିସ୍ ମଶା ରହିଥିବା ପର୍ଯ୍ୟନ୍ତ କେବଳ ଟିକା ଦ୍ୱାରା ଡେଙ୍ଗୁ ପ୍ରକୋପକୁ ସମ୍ପୂର୍ଣ୍ଣ ରୋକି ହେବ ନାହିଁ। ତେଣୁ ମଶା ନିୟନ୍ତ୍ରଣ ଓ ପ୍ରଜନନସ୍ଥଳ ନଷ୍ଟ କରିବା ଭଳି ପାରମ୍ପରିକ ପ୍ରତିରୋଧ ବ୍ୟବସ୍ଥା ମଧ୍ୟ ଜାରି ରଖିବାକୁ ପଡ଼ିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।