Daily Labourer to Commonwealth Silver: ଋଷିକାନ୍ତଙ୍କ ପ୍ରେରଣାଦାୟକ ଯାତ୍ରା, ଏହି କାହାଣୀ ଆପଣଙ୍କୁ ଭାବୁକ କରିଦେବ
ଦିନକୁ ୧୫୦ ଟଙ୍କାର ଦିନମଜୁରୀରୁ କମନୱେଲଥ୍ ଗେମ୍ସରେ ରୌପ୍ୟ ପଦକ। ସଂଘର୍ଷ, ପରିଶ୍ରମ ଓ ଅଦମ୍ୟ ଇଚ୍ଛାଶକ୍ତିର ଏକ ପ୍ରେରଣାଦାୟକ କାହାଣୀ ଲେଖିଛନ୍ତି ଭାରତୀୟ ଭାରୋତ୍ତୋଳକ ଋଷିକାନ୍ତ ସିଂହ। ଗ୍ଲାସଗୋରେ ଭାରତ ପାଇଁ ଦ୍ୱିତୀୟ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ମଣିପୁରର ଏହି ଖେଳାଳି।
ଗ୍ଲାସଗୋ କମନୱେଲଥ୍ ଗେମ୍ସରେ ପୁରୁଷ ୬୦ କେଜି ଭାରୋତ୍ତୋଳନ ବର୍ଗରେ ଭାରତର ଋଷିକାନ୍ତ ସିଂହ ରୌପ୍ୟ ପଦକ ଜିତିଛନ୍ତି। ସ୍ନାଚ୍ରେ ୧୨୧ କେଜି ଓ କ୍ଲିନ୍ ଆଣ୍ଡ ଜର୍କରେ ୧୪୩ କେଜି ସହ ମୋଟ ୨୬୪ କେଜି ଭାର ଉଠାଇ ସେ ଭାରତକୁ ଦେଇଛନ୍ତି ଗେମ୍ସର ଦ୍ୱିତୀୟ ପଦକ। ସ୍ନାଚ୍ରେ ସେ ନୂଆ କମନୱେଲଥ୍ ଗେମ୍ସ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସ୍ୱର୍ଣ୍ଣ ପଦକ ପାଇଁ ଲଢ଼ିଥିଲେ ମଧ୍ୟ ଶେଷରେ ୯ କେଜି ବ୍ୟବଧାନରେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।
କିନ୍ତୁ ଏହି ସଫଳତା ପଛରେ ରହିଛି ଏକ ଲମ୍ବା ସଂଘର୍ଷର କାହାଣୀ। ୨୦୧୭ରେ ଜୁନିୟର କମନୱେଲଥ୍ରେ ପଦକ ଜିତିବା ପରେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ତାଙ୍କୁ ଭାରୋତ୍ତୋଳନ ଛାଡ଼ିବାକୁ ପଡ଼ିଥିଲା। ଇମ୍ଫାଲରେ ନିର୍ମାଣ କାମରେ ଦିନମଜୁରିଆ ଓ ଢାବାରେ କାମ କରି ଦିନକୁ ମାତ୍ର ୧୫୦ରୁ ୨୦୦ ଟଙ୍କା ରୋଜଗାର କରି ପରିବାର ଓ ଛୋଟ ଭାଇଙ୍କ ପଢ଼ା ଖର୍ଚ୍ଚ ବହନ କରୁଥିଲେ।।
କିନ୍ତୁ ଭାଗ୍ୟ ବଦଳାଇ ଦେଇଥିଲା ଗୋଟିଏ ଫୋନ୍ କଲ୍। ମଣିପୁର ୱେଟଲିଫ୍ଟିଂ ଫେଡେରେସନର ସଚିବ ସୁନୀଲ ଏଲାଙ୍ଗବମ୍ ତାଙ୍କୁ ପୁଣି ଥରେ ଖେଳକୁ ଫେରିବାର ସୁଯୋଗ ଦେଇଥିଲେ। ଇମ୍ଫାଲର ଟାକ୍ୟେଲ୍ ୱେଟଲିଫ୍ଟିଂ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପ୍ରଶିକ୍ଷଣ ଆରମ୍ଭ କରିବା ପରେ ଋଷିକାନ୍ତଙ୍କ କ୍ୟାରିୟର ପୁଣି ନୂଆ ଦିଗ ପାଇଥିଲା।
ଏହାପରେ ସେ ଜାତୀୟ ସ୍ତରରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତୀୟ ନୌସେନାରେ ଚାକିରି ପାଇଥିଲେ। ୨୦୨୫ ବିଶ୍ୱ ଚାମ୍ପିଅନ୍ଶିପ୍ରେ ଜାତୀୟ ରେକର୍ଡ ସୃଷ୍ଟି କରିଥିବା ଋଷିକାନ୍ତ ଏବେ କମନୱେଲଥ୍ ଗେମ୍ସରେ ରୌପ୍ୟ ଜିତି ନିଜ ସଂଘର୍ଷକୁ ସଫଳତାରେ ପରିଣତ କରିଛନ୍ତି।
ଋଷିକାନ୍ତଙ୍କ ଏହି କଥା ତାଙ୍କ ସଂଘର୍ଷର ଗଭୀରତାକୁ ବୟାନ କରୁଛି। ଆଜି ଦିନମଜୁରିଆ ଭାବେ ନୁହେଁ, ବରଂ କମନୱେଲଥ୍ ଗେମ୍ସ ପଦକ ବିଜେତା ଭାବେ ସାରା ଦେଶ ତାଙ୍କୁ ସମ୍ମାନ କରୁଛି। ତାଙ୍କ ଜୀବନ କାହାଣୀ ପ୍ରମାଣ କରିଛି ସୁଯୋଗ ମିଳିଲେ ସଂଘର୍ଷ କେବେ ବି ବ୍ୟର୍ଥ ଯାଏନି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।