Complaint Filed Against Andhra Police: ମିଛ କେସରେ ଅଟକ ରଖି ୫ ଦିନ ନିର୍ଯାତନା, ଆନ୍ଧ୍ର ପୋଲିସ ବିରୋଧରେ ଓଡ଼ିଶା ଥାନାରେ ଏତଲା
ଆନ୍ଧ୍ର ପୋଲିସ ବିରୋଧରେ ଓଡ଼ିଶା ଥାନାରେ ଏତଲା। କୋରାପୁଟ ଜିଲ୍ଲାର ଦୁଇ ଯୁବକଙ୍କୁ ଆନ୍ଧ୍ରପ୍ରଦେଶର ମୁଚିମପୁଟ ପୋଲିସ ଅଟକ ରଖ ୫ ଦିନ କାଳ ନିର୍ଯାତନା ଦେଇଛି। ଏନେଇ ନନ୍ଦପୁର ବ୍ଲକ ସୁରୁମୀ ଗ୍ରାମର ପୀଡ଼ିତ ରାମମୂର୍ତ୍ତି ନିରିକି ଓ ଗୋଡ଼ିହଞ୍ଜର ଗ୍ରାମର ସୁରେଶ ଖିଲ ମାଛକୁଣ୍ଡ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁସାରେ ଜଣେ ଅସୁସ୍ଥ ସମ୍ପର୍କୀୟଙ୍କୁ ଦେଖି ଫେରୁଥିବା ବେଳେ ମୁଚିମପୁଟ ପୋଲିସ ସେମାନଙ୍କୁ ଅଟକାଇ ଗାଡି ଯାଞ୍ଚ କରିଥିଲା। ହେଲେ ଗାଡ଼ିରୁ କୌଣସି ଆପତ୍ତିଜନକ ସାମଗ୍ରୀ ମିଳିନଥିଲା। ତଥାପି ପୋଲିସ ଉଭୟଙ୍କୁ ପାଞ୍ଚ ଦିନ ଧରି ଏକ ପରିତ୍ୟକ୍ତ ଘରେ ଅଟକ ରଖି ମାଡ଼ ମାରିଥିଲା।
ଏପରିକି ଗଞ୍ଜେଇ ଚାଲାଣ କରୁଥିବା ସ୍ୱୀକାର କରିବାକୁ ଚାପ ପକାଇଥିଲା। ପରିବାର ଲୋକଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ନେବା ପରେ ସେମାନଙ୍କୁ ଛାଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି। ଚିକିତ୍ସା ପରେ ପୀଡ଼ିତମାନେ ମାଛକୁଣ୍ଡ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।