Commonwealth Games : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ କ୍ରୀଡ଼ାବିତ୍, ଜିତିଛନ୍ତି ୩ ସ୍ୱର୍ଣ୍ଣ ସହ ୧୩ ପଦକ
ଭୁବନେଶ୍ୱର, ୨୩/୦୭ : ଦୀର୍ଘ ୯୬ ବର୍ଷର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଇତିହାସରେ ଭାରତୀୟ ଦଳ ୫୬୪ଟି ପଦକ ଜିତିଛି । ଏଥିରେ ୨୦୩ଟି ସ୍ୱର୍ଣ୍ଣ, ୧୯୦ଟି ରୌପ୍ୟ ଓ ୧୭୧ଟି ବ୍ରୋଞ୍ଜ ପଦକ ସାମିଲ ରହିଛି । ଏହି ପରିପ୍ରେକ୍ଷୀରେ ଯଦି ଓଡ଼ିଶା କଥା ବିଚାରକୁ ନିଆଯାଏ ତେବେ ଏ ପର୍ଯ୍ୟନ୍ତ ୨୯ ଜଣ ଓଡ଼ିଆ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ୧୩ ଜଣ ପଦକ ଜିତିଛନ୍ତି । ଏଥିରେ ୩ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ସାମିଲ ରହିଛି ।
୧୯୮୨ରୁ ଓଡ଼ିଆଙ୍କ ଯାତ୍ରା
୧୯୮୨ ସଂସ୍କରଣରେ ପ୍ରଥମ ଓଡ଼ିଆ ଭାବେ ସ୍ୱର୍ଗତ ବିଜୟ କୁମାର ଶତପଥୀ ଭାରୋତ୍ତୋଳନରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ । ସେ ରୌପ୍ୟ ପଦକ ଜିତିଥିଲେ । ୨୦୦୨ କ୍ରୀଡ଼ାରେ ମହିଳା ହକି ଦଳରେ ସାମିଲ ହୋଇଥିଲେ ଜ୍ୟୋତି ସୁନୀତା କୁଲୁ । ଭାରତୀୟ ଦଳ ସ୍ୱର୍ଣ୍ଣ ଜିତିଥିଲା । ସେମିତି ମହିଳା ଭାରୋତ୍ତୋଳନରେ ପ୍ରସ୍ମିତା ମଙ୍ଗରାଜ ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୦୬ ମେଲବର୍ଣ୍ଣ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ଜିତିଥିଲା । ଏହି ଦଳରେ ଓଡ଼ିଶାରୁ ସୁଭଦ୍ରା ପ୍ରଧାନ, ଜ୍ୟୋତି ସୁନୀତା, ନୀଳିମା କୁଜୁର ଓ ସରିତା ଲାକ୍ରା ସାମିଲ ରହିଥିଲେ । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଭାରୋତ୍ତୋଳନରେ କେ. ରବି କୁମାର ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେମିତି ଆଥଲେଟିକ୍ସରେ ଜଉନା ମୁର୍ମୁ ସ୍ୱର୍ଣ୍ଣ ଓ ଶ୍ରାବଣୀ ନନ୍ଦ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୦୧୪ କ୍ରୀଡ଼ାରେ ରବି କୁମାର ସ୍ୱର୍ଣ୍ଣ ବଜାୟ ରଖି ପାରି ନଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ । ଭାରତୀୟ ପୁରୁଷ ହକି ଦଳ ରୌପ୍ୟ ପଦକ ଜିତିଥିଲା । ବୀରେନ୍ଦ୍ର ଲାକ୍ରା ଏହି ଦଳରେ ଏକମାତ୍ର ଓଡ଼ିଆ ରହିଥିଲେ । ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ହକି ଦଳ ରୌପ୍ୟ ଓ ମହିଳା ଦଳ ବ୍ରୋଞ୍ଜ ଜିତିଥିଲା । ପୁରୁଷ ଦଳରେ ଅମିତ ରୋହିଦାସ ଏବଂ ମହିଳା ଦଳରେ ଦୀପଗ୍ରେସ ଏକ୍କା ସାମିଲ ରହିଥିଲେ ।
କ୍ରିକେଟ୍ରେ ଦେବାଶିଷ ପ୍ରଥମ ଓଡ଼ିଆ
ରାଜ୍ୟର ପ୍ରଥମ କ୍ରିକେଟ ଖେଳାଳି ଭାବେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରତିନିଧିତ୍ୱ କରିଥିଲେ ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତି । ୧୯୯୮ କ୍ରୀଡ଼ାରେ ସେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ । ରାଜ୍ୟର ପ୍ରଥମ ଟେଷ୍ଟ ଖେଳାଳି ଦେବାଶିଷ ୩ଟି ମ୍ୟାଚ ଖେଳି ମୋଟ୍ ୮ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ । ଭାରତ ଗ୍ରୁପ୍ ରେ ପ୍ରଥମ ମ୍ୟାଚ ଆଣ୍ଟିଗୁଆ ଓ ବର୍ବୁଡା ବିପକ୍ଷରେ ଖେଳିଥିଲା । ବର୍ଷା ଯୋଗୁ ଦ୍ୱିତୀୟ ଇନିଂସରେ ୯.୪ ଓଭର ପରେ ଖେଳ ସମ୍ଭବ ହୋଇ ନଥିଲା । ତେଣୁ ଫଳାଫଳ ବାହାରି ପାରି ନଥିଲା । ଦେବାଶିଷ ଏହି ମ୍ୟାଚରେ ୨ଟି ୱିକେଟ୍ ନେଇଥିଲେ । କାନାଡ଼ା ବିପକ୍ଷରେ ଭାରତ ୧୧୨ ରନ୍ରେ ଜିତିଥିଲା । ଦେବାଶିଷ ୧୩ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ । ଅନ୍ତିମ ଗ୍ରୁପ୍ ମ୍ୟାଚରେ ଭାରତ ୧୪୬ ରନ୍ ରେ ଅଷ୍ଟ୍ରେଲିଆଠୁ ପରାଜିତ ହୋଇଥିଲା । ଦେବାଶିଷ ୫୦ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ । ଗ୍ରୁପ୍ରେ ତୃତୀୟ ସ୍ଥାନରେ ରହି ଭାରତ ବିଦାୟ ନେଇଥିଲା ।
ପଦକ ଜିତିନଥିବା ଓଡ଼ିଆ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିଲେ କିନ୍ତୁ ସେମାନେ ପଦକ ଜିତି ପାରି ନଥିଲେ । ସେମାନେ ହେଲେ ଆଥଲେଟିକ୍ସରେ ଅନୁରାଧା ବିଶ୍ୱାଳ, ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ । କ୍ରିକେଟରେ ଦେବାଶିଷ ମହାନ୍ତି, ସାଇକେଲ ଚାଳନାରେ ଦୀନେଶ କୁମାର, ଜିମ୍ନାଷ୍ଟିକରେ ରାକେଶ କୁମାର ପାତ୍ର, ଭାରୋତ୍ତୋଳନରେ ସରସ୍ୱତୀ ରାଉତ ଏବଂ ପୁରୁଷ ହକିରେ ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ୱିଲିୟମ ଖାଲକୋ ଓ ମହିଳା ହକିରେ ବିନିତା ଟପ୍ପୋ, ଲିଳିମା ମିଞ୍ଜ, ମୁକ୍ତା ପ୍ରଭା ବାର୍ଲା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା ।
ଏଥର ୩ ଓଡ଼ିଆ
୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୩ ଜଣ ଓଡ଼ିଆ ସାମିଲ ରହିଛନ୍ତି । ସେମାନେ ହେଲେ ଜିମ୍ନାଷ୍ଟିକରେ ତପନ ମହାନ୍ତି ଓ ତପେଶ୍ୱରନାଥ ଦାସ । ସାଇକେଲ ଚାଳନାରେ ଦୀନେଶ କୁମାର ଭାରତୀୟ ଦଳରେ ସାମିଲ ହୋଇଛନ୍ତି । ସେ ସର୍ଭିସେସ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି । ଆଥଲେଟ୍ ଅନିମେଶ କୁଜୁର ଓ ଜିମ୍ନାଷ୍ଟ୍ ପ୍ରଣତୀ ନାୟକ ଓଡ଼ିଶାରୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିଥାନ୍ତି । ସେମାନେ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିକେଟ୍ ହାସଲ କରିଛନ୍ତି ।
ଅହମ୍ମଦାବାଦରେ ୨୦୩୦ କ୍ରୀଡ଼ା
ତେବେ ଆସନ୍ତା ଅଗଷ୍ଟ ୨ ତାରିଖରେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଯାପିତ ହେବ। ଉଦ୍ଯାପନୀ ଉତ୍ସବରେ ପରବର୍ତ୍ତୀ କ୍ରୀଡ଼ା ଆୟୋଜକ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପତାକା ପ୍ରଦାନ କରାଯିବ । ୧୯୩୦ ମସିହାରୁ କ୍ରୀଡ଼ା ଆୟୋଜିତ ହୋଇ ଆସୁଛି । ତେଣୁ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶତାବ୍ଦୀ ସଂସ୍କରଣ ଆୟୋଜିତ ହେବ । ଉଦ୍ଯାପନୀ ଉତ୍ସବରେ ବଲିଉଡ୍ ଗାୟକ ଶଙ୍କର ମହାଦେବନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ଭାରତୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିବେ।
ଆହୁରି ପଢନ୍ତୁ- Commonwealth Games 2026 : ଆଜିଠୁ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା, ରାତି ୧୦ଟା ୩୦ ମିନିଟରେ ଉଦ୍ଘାଟନୀ ଉତ୍ସବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।