Commonwealth Games 2026: କମନୱେଲଥ୍ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ, ବକ୍ସିଂରେ ଭାରତର ୧୦ ପଦକ ନିଶ୍ଚିତ

Jul 30, 2026 - 15:20
Commonwealth Games 2026: କମନୱେଲଥ୍ ଗେମ୍ସରେ ଭାରତର ଦମଦାର ପ୍ରଦର୍ଶନ, ବକ୍ସିଂରେ ଭାରତର ୧୦ ପଦକ ନିଶ୍ଚିତ

କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତ ପାଇଁ ଜୁଲାଇ ୨୯ ଥିଲା ସଫଳତାର ଦିନ। ପାରା ଆଥଲେଟିକ୍ସରେ ଦିଲୀପ ମହାଦୁ ଗାଭିତ ସ୍ୱର୍ଣ୍ଣ ଜିତିବା ସହ ଭାରତକୁ ମିଳିଛି ତୃତୀୟ ସ୍ୱର୍ଣ୍ଣ ପଦକ। ଅନ୍ୟପଟେ ମୁରଲୀ ଶ୍ରୀଶଙ୍କର ଲଙ୍ଗ ଜମ୍ପରେ ରୌପ୍ୟ ଜିତିଥିବା ବେଳେ ବକ୍ସିଂରେ ଭାରତ ନିଶ୍ଚିତ କରିଛି ୧୦ଟି ପଦକ।

ଗ୍ଲାସଗୋରେ ପୁରୁଷ ୧୦୦ ମିଟର୍ ଟି-୪୭ ପାରା ସ୍ପର୍ଦ୍ଧାରେ ଦିଲୀପ ମହାଦୁ ଗାଭିତ ୧୦.୭୧ ସେକେଣ୍ଡ ସମୟ ସହ କମନୱେଲଥ୍ ଗେମ୍ସ ରେକର୍ଡ ଭାଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହମ୍ମଦ ବାସିଲ ୧୦.୮୩ ସେକେଣ୍ଡ ସମୟ ସହ ରୌପ୍ୟ ପଦକ ହାସଲ କରି ଭାରତ ପାଇଁ ଐତିହାସିକ ଏକ-ଦୁଇ ସଫଳତା ଆଣିଛନ୍ତି।

ଏହି ସ୍ୱର୍ଣ୍ଣ ସହ କମନୱେଲଥ୍ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ତିନିରେ ପହଞ୍ଚିଛି। ଏହାପୂର୍ବରୁ ମୀରାବାଇ ଚାନୁ ଓ ଶର୍ମିଳା ଧନଖଡ଼ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ପୁରୁଷ ଲଙ୍ଗ ଜମ୍ପରେ ମୁରଲୀ ଶ୍ରୀଶଙ୍କର ୮.୦୯ ମିଟର୍ ଜମ୍ପ କରି କ୍ରମାଗତ ଦ୍ୱିତୀୟ କମନୱେଲଥ୍ ଗେମ୍ସ ରୌପ୍ୟ ପଦକ ଜିତିଛନ୍ତି। ଜାମାଇକାର ତାଜେ ଗେଲ୍ ୮.୧୫ ମିଟର୍ ଜମ୍ପ ସହ ସ୍ୱର୍ଣ୍ଣ ଜିତିଥିବା ବେଳେ ଭାରତର ଲୋକେଶ ସତ୍ୟନାଥନ ପଞ୍ଚମ ସ୍ଥାନରେ ରହିଛନ୍ତି।

ବକ୍ସିଂରେ ଭାରତର ଦବଦବା ଜାରି ରହିଛି। ସାକ୍ଷୀ ଚୌଧୁରୀ, ଅରୁନ୍ଧତୀ ଚୌଧୁରୀ, ସଚିନ ସିୱାଚ, ଅଙ୍କୁଶ ପଙ୍ଘାଲ, ନରେନ୍ଦ୍ର ବେରୱାଲ ଏବଂ ବିଶ୍ୱ ଚାମ୍ପିଅନ୍ ଜୈସମିନ୍ ଲାମ୍ବୋରିଆ ସେମିଫାଇନାଲକୁ ପହଞ୍ଚି ପଦକ ନିଶ୍ଚିତ କରିଛନ୍ତି। ଏହା ସହ ବକ୍ସିଂରେ ଭାରତର ନିଶ୍ଚିତ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି, ଯାହା ବର୍ମିଂହାମ୍ ୨୦୨୨ର ମୋଟ ପଦକ ସଂଖ୍ୟାକୁ ଅତିକ୍ରମ କରିଛି।

ଆଥଲେଟିକ୍ସରେ ଆନିମେଶ କୁଜୁର ପୁରୁଷ ୨୦୦ ମିଟର୍ ସେମିଫାଇନାଲକୁ ପ୍ରବେଶ କରିଥିବା ବେଳେ ଶଟ୍ ପୁଟ୍‌ରେ ତାଜିନ୍ଦରପାଲ ସିଂହ ତୁର ଓ ସମରଦୀପ ସିଂହ ଗିଲ୍ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ୪୦୦ ମିଟର୍ ହର୍ଡଲ୍ସରେ ଯଶସ ପାଲକ୍ଷା ଓ ସନ୍ତୋଷ କେ. ତାମିଲରାସନ ମଧ୍ୟ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି।

ଲନ୍ ବଲ୍ସରେ ନବନୀତ ସିଂହ ଓ ଦିନେଶ କୁମାରଙ୍କ ପୁରୁଷ ଯୁଗଳ ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଥିବା ବେଳେ ମହିଳା ସିଙ୍ଗଲ୍ସରେ ନୟନମୋନି ସାଇକିଆ ମଧ୍ୟ ସିଧାସଳଖ ସେଟ୍‌ରେ ବିଜୟୀ ହୋଇଛନ୍ତି।

ଅନ୍ୟପଟେ, ମହିଳା ଶଟ୍ ପୁଟ୍‌ରେ ମନପ୍ରୀତ କୌର ଚତୁର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି। ପାରା ସନ୍ତରଣରେ ସୁୟଶ ନାରାୟଣ ଯାଦବ ମଧ୍ୟ ଅଳ୍ପ ବ୍ୟବଧାନରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ମହିଳା ୩୦୦୦ ମିଟର୍ ଷ୍ଟିପଲଚେଜ୍‌ରେ ପାରୁଲ ଚୌଧୁରୀ ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।