Commonwealth Games 2026: ମ୍ୟାଚ୍ ନଖେଳି ଭାରତ ପାଇଁ ପ୍ରଥମ ପଦକ ସୁନିଶ୍ଚିତ କଲେ ଲଭଲିନା
କମନୱେଲଥ ଗେମ୍ସ ୨୦୨୬ ଆନୁଷ୍ଠାନିକ ଭାବେ ଆରମ୍ଭ ହେବା ପୂର୍ବରୁ ହିଁ ଭାରତ ପାଇଁ ଆସିଛି ଏକ ବଡ଼ ଓ ଖୁସିର ଖବର। ଉଦ୍ଘାଟନୀ ଉତ୍ସବ ପୂର୍ବରୁ ହିଁ ଭାରତ ନିଜର ପ୍ରଥମ ପଦକ ପକ୍କା କରିନେଇଛି। ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଆୟୋଜିତ ଏହି ୨୩ତମ କମନୱେଲଥ ଗେମ୍ସରେ ଭାରତୀୟ ତାରକା ବକ୍ସର ଲଭଲିନା ବୋରଗୋହେନ୍ ପଦକ ସୁନିଶ୍ଚିତ କରି ଦେଶ ପାଇଁ ଶୁଭାରମ୍ଭ କରିଛନ୍ତି।
ଅଲମ୍ପିକ ପଦକ ବିଜେତା ତଥା ଆସାମର ବକ୍ସର ଲଭଲିନା ବୋରଗୋହେନ୍ ମହିଳା ୭୫ କିଗ୍ରା ବର୍ଗର ସେମିଫାଇନାଲରେ ସିଧାସଳଖ ସ୍ଥାନ ହାସଲ କରିଛନ୍ତି। ଏହି ବର୍ଗରେ ମାତ୍ର ୫ ଜଣ ବକ୍ସର ଭାଗ ନେଇଥିବାରୁ ଡ୍ର' ଅନୁସାରେ ଲଭଲିନାଙ୍କ ସମେତ ୩ ଜଣ ଆଥଲେଟ୍ଙ୍କୁ ସିଧାସଳଖ ସେମିଫାଇନାଲ୍ 'ବାଏ' ମିଳିଥିଲା। କମନୱେଲଥ ଗେମ୍ସ ବକ୍ସିଂ ନିୟମାବଳୀ ଅନୁଯାୟୀ, ସେମିଫାଇନାଲରେ ପରାଜିତ ହେଉଥିବା ଉଭୟ ଖେଳାଳିଙ୍କୁ କାଂସ୍ୟ ପଦକ ପ୍ରଦାନ କରାଯାଏ। ଫଳରେ ଗ୍ଲାସଗୋରେ ଗୋଟିଏ ହେଲେ ମ୍ୟାଚ୍ ନଖେଳି ଲଭଲିନା ଅତିକମରେ କାଂସ୍ୟ ପଦକ ପକ୍କା କରିଛନ୍ତି।
ଲଭଲିନା ସେମିଫାଇନାଲ୍ରେ 'ତାଫାକି'ଙ୍କ ସାମ୍ନା କରିବେ। ଏହି ମ୍ୟାଚ୍ ଜିତିଲେ ସେ ଫାଇନାଲ୍ରେ ପ୍ରବେଶ କରିବା ସହ ଅତିକମରେ ରୌପ୍ୟ ପଦକ ନିଶ୍ଚିତ କରିବେ, ଆଉ ପରାଜିତ ହେଲେ ବି କାଂସ୍ୟ ପଦକ ଧରି ଘରକୁ ଫେରିବେ।
ଚଳିତ କମନୱେଲଥ ଗେମ୍ସରେ ଭାରତର ୧୨୪ ଜଣିଆ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି। ଗୁରୁବାର ଉଦ୍ଘାଟନୀ ଉତ୍ସବ ପୂର୍ବରୁ ଭାରତୀୟ ଦଳ ଦୁଇଟି 'ଲନ୍ ବୋଲ୍ସ' ମ୍ୟାଚ୍ ସହ ନିଜର ଆନୁଷ୍ଠାନିକ କ୍ରୀଡ଼ା ଅଭିଯାନ ଆରମ୍ଭ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।