Commonwealth Games 2026: ଭାରତର ଐତିହାସିକ ପ୍ରଦର୍ଶନ, ଶର୍ମିଳା ଧନକରଙ୍କ ସ୍ୱର୍ଣ୍ଣ ସହ ଗୋଟିଏ ଦିନରେ ୬ ପଦକ

Jul 28, 2026 - 17:25
Commonwealth Games 2026: ଭାରତର ଐତିହାସିକ ପ୍ରଦର୍ଶନ, ଶର୍ମିଳା ଧନକରଙ୍କ ସ୍ୱର୍ଣ୍ଣ ସହ ଗୋଟିଏ ଦିନରେ ୬ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ା୨୦୨୬ର ପଞ୍ଚମ ଦିନ ଭାରତ ପାଇଁ ସ୍ମରଣୀୟ ପାଲଟିଛି। ଗୋଟିଏ ଦିନରେ ଭାରତ ୬ଟି ପଦକ ଜିତି ନିଜର ପଦକ ସଂଖ୍ୟାକୁ ୧୦ରେ ପହଞ୍ଚାଇଛି। ପାରା ଆଥଲେଟିକ୍ସରେ ଶର୍ମିଳା ଧନକରଙ୍କ ଐତିହାସିକ ସ୍ୱର୍ଣ୍ଣ ପଦକ ଦିନର ସବୁଠାରୁ ବଡ଼ ଉପଲବ୍ଧି ରହିଛି।

ମହିଳା ଶଟ୍ ପୁଟ୍ F57 ବର୍ଗରେ ଶର୍ମିଳା ଧନକର ୯.୮୧ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହ ସେ କମନୱେଲ୍ଥ ଗେମ୍ସ ପାରା ଆଥଲେଟିକ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି।

ଏହି ଇଭେଣ୍ଟରେ ଭାରତର ଶିଳ୍ପା କେ. ଶୈଳା ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି। ପ୍ରଥମେ ଚତୁର୍ଥ ସ୍ଥାନରେ ଥିଲେ ଶିଳ୍ପା, ତବେ ନାଇଜେରିଆର ଖେଳାଳି ଅଯୋଗ୍ୟ ଘୋଷିତ ହେବା ପରେ କାଂସ୍ୟ  ପଦକ ଶିଳ୍ପାଙ୍କୁ ମିଳିଛି। ଏହା ଗ୍ଲାସଗୋ କମନୱେଲ୍ଥ ଗେମ୍ସରେ ଭାରତର ପ୍ରଥମ ଡବଲ୍ ପୋଡିୟମ୍ ଫିନିଶ୍ ହୋଇଛି।

ଆଥଲେଟିକ୍ସରେ ସର୍ବେଶଙ୍କ ଐତିହାସିକ ରୌପ୍ୟ

ପୁରୁଷ ହାଇଜମ୍ପରେ ସର୍ବେଶ କୁଶାରେ ଭାରତ ପାଇଁ ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି। ସେ ୨.୨୫ ମିଟର ଉଚ୍ଚତା ଅତିକ୍ରମ କରିଥିଲେ। ସମାନ ଉଚ୍ଚତା ଅତିକ୍ରମ କରିଥିଲେ ମଧ୍ୟ ଜାମାଇକାର ରୋମେନ୍ ବେକଫୋର୍ଡ କମ୍ ଚେଷ୍ଟାରେ ସ୍ୱର୍ଣ୍ଣ ଜିତିଥିଲେ।

ଭାରୋତ୍ତୋଳନରେ ଭାରତର ଦମଦାର ପ୍ରଦର୍ଶନ

ଭାରୋତ୍ତୋଳନରେ ଭାରତ ଆଉ ୩ଟି ପଦକ ଜିତିଛି। ମହିଳା ୫୩ କେଜି ବର୍ଗରେ ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି। କମନୱେଲ୍ଥ ଗେମ୍ସରେ ନିଜର ପ୍ରଥମ ଅଂଶଗ୍ରହଣରେ ସେ ମୋଟ ୧୯୯ କେଜି ଭାର ଉଠାଇଛନ୍ତି।

ମହିଳା ୫୮ କେଜି ବର୍ଗରେ ବିନ୍ଦ୍ୟାରାଣୀ ଦେବୀ କାଂସ୍ୟ ପଦକ ଜିତିଛନ୍ତି। ସେ ମୋଟ ୧୯୯ କେଜି ଭାର ଉଠାଇଥିଲେ। ପୁରୁଷ ୭୯ କେଜି ବର୍ଗରେ ଆନ୍ଧ୍ରପ୍ରଦେଶର ଭାରୋତ୍ତୋଳକ ଭାଲୁରି ଅଜୟ ବାବୁ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚରେ ୧୪୯ କେଜି ଉଠାଇ କମନୱେଲ୍ଥ ରେକର୍ଡ କରିଥିଲେ।

ଅନ୍ୟ କ୍ରୀଡ଼ାରେ ଭାରତର ପ୍ରଦର୍ଶନ

ଲଙ୍ଗ ଜମ୍ପରେ ମୁରଲୀ ଶ୍ରୀଶଙ୍କର ୮.୦୧ ମିଟର ଜମ୍ପ ସହ ଫାଇନାଲକୁ ପ୍ରବେଶ କରିଛନ୍ତି। ଲୋକେଶ ସତ୍ୟନାଥନ ମଧ୍ୟ ୭.୭୭ ମିଟର ଜମ୍ପ ସହ ଫାଇନାଲରେ ପହଞ୍ଚିଛନ୍ତି। ଅନ୍ୟପଟେ ୧୧୦ ମିଟର ହର୍ଡଲ୍ସରେ ତେଜସ ଶିର୍ସେ ଫାଇନାଲରେ ପହଞ୍ଚିଥିଲେ। ସନ୍ତରଣରେ ସାଜନ ପ୍ରକାଶ ୨୦୦ ମିଟର ବଟରଫ୍ଲାଇ ଫାଇନାଲରେ ଖେଳିଛନ୍ତି।

ବକ୍ସିଂରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ସଚିନ ସିୱାଚ୍, ଅଙ୍କୁଶ ଏବଂ ସାକ୍ଷୀ ଚୌଧୁରୀ ନିଜ ନିଜ ବର୍ଗରେ ବିଜୟ ହୋଇଛନ୍ତି। ତେବେ ସୁମିତ କୁଣ୍ଡୁ ପରାଜିତ ହୋଇ ପ୍ରତିଯୋଗିତାରୁ ବାହାରିଛନ୍ତି। 

ଦିନ ଶେଷରେ ଭାରତର ପଦକ ସଂଖ୍ୟା ୧୦ରେ ପହଞ୍ଚିଛି। ଏଥିରେ ୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଏବଂ ୩ଟି କାଂସ୍ୟ ପଦକ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।