CJP Demand Dharmendra Pradhan Resignation: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଅଡ଼ିଲା ସିଜେପି, ସମୟ ମାଗିଲେ ସରକାର
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରୁ ପଛକୁ ହଟିବ ନାହିଁ ବୋଲି ସ୍ପଷ୍ଟ କରିଛି ସିଜେପି (CJP)। କେନ୍ଦ୍ର ସରକାର ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଦଳ କହିଛି, ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହିଁ ସେମାନଙ୍କର ମୁଖ୍ୟ ଓ ଅପରିବର୍ତ୍ତନୀୟ ଦାବି।
ଶୁକ୍ରବାର ସମ୍ବିଧାନ କ୍ଲବ୍ରେ ପ୍ରାୟ ୨ ଘଣ୍ଟା ଧରି ହୋଇଥିବା ବୈଠକରେ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଓ ପିଏମ୍ଓର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଯୋଗଦେଇଥିଲେ। ସିଜେପି ପକ୍ଷରୁ ଜାତୀୟ ମୁଖପାତ୍ର ସୌରଭ ଦାସ ଓ ଆଶୁତୋଷ ରଙ୍କା ଆଲୋଚନାରେ ସାମିଲ ହୋଇଥିଲେ।
ବୈଠକ ପରେ ଜେ.ପି. ନଡ୍ଡା କହିଛନ୍ତି, ସିଜେପି ୩ଟି ମୁଖ୍ୟ ଦାବି ଏବଂ ପରୀକ୍ଷା ବ୍ୟବସ୍ଥାର ସଂସ୍କାର ପାଇଁ ୫ଟି ପ୍ରସ୍ତାବ ରଖିଛି। ସରକାର ଏହା ଉପରେ ଆଲୋଚନା କରି ଶନିବାର ଅପରାହ୍ନରେ ପୁଣିଥରେ ସେମାନଙ୍କୁ ଜବାବ ଦେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ, ସିଜେପି ଦାବି କରିଛି ଯେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କିମ୍ବା ବହିଷ୍କାର ବିନା ଆନ୍ଦୋଳନର ସମାଧାନ ସମ୍ଭବ ନୁହେଁ। ଏହି ଦାବି ଉପରେ ସରକାର ଶନିବାର ପର୍ଯ୍ୟନ୍ତ ସମୟ ମାଗିଥିବା ବୋଲି ଦଳ ପକ୍ଷରୁ କୁହାଯାଇଛି।
ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ମଧ୍ୟ କହିଛନ୍ତି, NEET ପ୍ରଶ୍ନପତ୍ର ଲିକ୍ ଘଟଣାର ନୈତିକ ଦାୟିତ୍ୱ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ହିଁ ଆନ୍ଦୋଳନର ଏକମାତ୍ର ସମାଧାନ। ସେହିପର୍ଯ୍ୟନ୍ତ ଛାତ୍ର ଆନ୍ଦୋଳନ ଜାରି ରହିବ ବୋଲି ସିଜେପି ସ୍ପଷ୍ଟ କରିଛି।
ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ ନିଜର ୨୬ ଦିନିଆ ଅନଶନ ଭଙ୍ଗ କରିଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର CJP ନେତାଙ୍କ ସହ ଏହି ଆଲୋଚନା କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।