Cheteshwar Pujara: ଭାରତୀୟ ଟେଷ୍ଟ ଟିମ୍‌କୁ ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ?

ଭାରତୀୟ ଟେଷ୍ଟ ଟିମ୍‌ର ତିନି ନମ୍ବର ସ୍ଥାନରେ ଥିଲା ଚେତେଶ୍ୱର ପୂଜାରାଙ୍କ ଦଶନ୍ଧି-ବ୍ୟାପୀ ଆଧିପତ୍ୟ । ଫର୍ମ ଅଭାବରୁ ତାଙ୍କୁ ଟିମ୍‌ରୁ କଢ଼ାଯିବାର ଦୁଇ ବର୍ଷ ପରେ ବି ଏହି ସ୍ଥାନରେ କେହି ଫିଟ୍ ହୋଇପାରି ନାହାନ୍ତି । ପ୍ରଶ୍ନ ଉଠୁଛି, ତିନି ନ

29 August 2025 07:45 PM IST
Cheteshwar Pujara: ଭାରତୀୟ ଟେଷ୍ଟ ଟିମ୍‌କୁ ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ?

ଭାରତୀୟ ଟେଷ୍ଟ ଟିମ୍‌ର ତିନି ନମ୍ବର ସ୍ଥାନରେ ଥିଲା ଚେତେଶ୍ୱର ପୂଜାରାଙ୍କ ଦଶନ୍ଧି-ବ୍ୟାପୀ ଆଧିପତ୍ୟ । ଫର୍ମ ଅଭାବରୁ ତାଙ୍କୁ ଟିମ୍‌ରୁ କଢ଼ାଯିବାର ଦୁଇ ବର୍ଷ ପରେ ବି ଏହି ସ୍ଥାନରେ କେହି ଫିଟ୍ ହୋଇପାରି ନାହାନ୍ତି । ପ୍ରଶ୍ନ ଉଠୁଛି, ତିନି ନମ୍ବରରେ ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ?

ଭାରତର ଆଉ ଜଣେ ବଡ଼ ଟେଷ୍ଟ କ୍ରିକେଟର୍ ଚେତେଶ୍ୱର ପୂଜାରା ନିକଟରେ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ଯଦିଓ ପୂଜାରା ଦୁଇ ବର୍ଷ ଧରି ଟିମ୍‌ରୁ ବାହାରେ ଥିଲେ; ହେଲେ ସେ ଯେଉଁ ତିନି ନମ୍ବର ସ୍ଥାନରେ ବ୍ୟାଟିଂ କରୁଥିଲେ, ସେଠାରେ ତାଙ୍କର ଦଶନ୍ଧି-ବ୍ୟାପୀ ଆଧିପତ୍ୟ ଥିଲା ।

ପାରମ୍ପରିକ ଫର୍ମାଟ୍‌ରେ ତିନି ନମ୍ବର ବ୍ୟାଟର୍‌ଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ । ତେବେ ଚିନ୍ତାର ବିଷୟ ହେଉଛି ଯେ ଫର୍ମ ଅଭାବରୁ ପୂଜାରାଙ୍କୁ ଟେଷ୍ଟ ଟିମ୍‌ରୁ କଢ଼ାଯିବା ପରଠାରୁ ଆଜି ଯାଏଁ ଏହି ସ୍ଥାନରେ କେହି ଫିଟ୍ ହୋଇପାରି ନାହାନ୍ତି ।

ଏହି ସମୟ ମଧ୍ୟରେ ବିରାଟ କୋହଲି, ଦେବଦତ୍ତ ପଡିକ୍କଲ, ଲୋକେଶ ରାହୁଲ, ଶୁବମନ ଗିଲ୍‌, ସାଇ ସୁଦର୍ଶନ ଓ କରୁଣ ନାୟର ତିନି ନମ୍ବରରେ ଖେଳିଛନ୍ତି; କିନ୍ତୁ କାହାକୁ ଆଶାଜନକ ସଫଳତା ମିଳିପାରି ନାହିଁ । ପୂଜାରା ଏହି ସ୍ଥାନରେ ପ୍ରାୟ ୪୪ ଆଭରେଜ୍‌ରେ ରନ୍‌୍ କରିଥିଲେ, କିନ୍ତୁ ଛଅ ଖେଳାଳି ମିଶି ୩୧ ଆଭରେଜ୍‌ରେ ରନ୍ କରିଛନ୍ତି ।

ନିକଟ ଅତୀତରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସୁଦର୍ଶନ ଓ କରୁଣଙ୍କୁ ତିନି ନମ୍ବର ସ୍ଥାନରେ ପ୍ରୟୋଗ କରାଯାଇଥିଲା । ଏହି ସ୍ଥାନରେ ସୁଦର୍ଶନ ଛଅ ଇନିଂସ୍ ଖେଳି ୨୩.୩୩ ଆଭରେଜ୍‌ରେ ୧୪୦ ରନ୍ ସଂଗ୍ରହ କରିଥିବା ବେଳେ କରୁଣ ଚାରି ଇନିଂସ୍‌ରେ ୨୭.୭୫ ଆଭରେଜ୍‌ରେ ୧୧୧ ରନ୍ କରିଛନ୍ତି ।

ଏପରି ସ୍ଥଳେ ପ୍ରଶ୍ନ ଉଠୁଛି ଯେ ତିନି ନମ୍ବର ସ୍ଥାନରେ ରାହୁଲ ଦ୍ରାବିଡ଼ଙ୍କ ଉତ୍ତରାଧିକାର ସମ୍ଭାଳିଥିବା ପୂଜାରାଙ୍କ ବିକଳ୍ପ ମିଳିବା କାହିଁକି କଷ୍ଟସାଧ୍ୟ? ଏହି ଡାହାଣହାତି ବ୍ୟାଟର୍‌ଙ୍କ ମଧ୍ୟରେ ସେମିତି କ’ଣ ବିଶେଷତ୍ୱ ଥିଲା?

କାହିଁକି କୁହାଯାଏ ଟେଷ୍ଟ ଟିମ୍‌ର ‘ପ୍ରାଚୀର’

ଦ୍ରାବିଡ଼ଙ୍କ ପରେ ଟେଷ୍ଟ ଟିମ୍‌ର ‘ପ୍ରାଚୀର’ ଥିଲେ ପୂଜାରା । ତାଙ୍କ ଭଳି ଆଉ ଜଣେ ‘ପ୍ରାଚୀର’ ମିଳିବା ଏତେ ସହଜ କଥା ନୁହେଁ ।

ଭାରତୀୟ ଟିମ୍‌ର ପୂର୍ବତନ ମୁଖ୍ୟ ଚୟନକାରୀ ଚେତନ ଶର୍ମା କହିଛନ୍ତି, “ଯଦି ଆପଣ ପରିସଂଖ୍ୟାନର ଦମ୍‌ରେ ପୂଜାରାଙ୍କ ବିକଳ୍ପ ସନ୍ଧାନ କରିବେ, ତା’ହେଲେ ଆପଣଙ୍କ ସନ୍ଧାନ କେବେ ଶେଷ ହେବ ନାହିଁ । ପୂଜାରାଙ୍କ ଗୁଣାତ୍ମକତା ସେହି ପରିସଂଖ୍ୟାନ ଠାରୁ ଊର୍ଦ୍ଧ୍ୱରେ, ଯାହା ଉପରେ କ୍ରିକେଟ୍ ପ୍ରଶଂସକମାନଙ୍କ ନଜର ଥାଏ ।

ସର୍ବାଧିକ ରନ୍ କିଏ ସଂଗ୍ରହ କଲେ, ସର୍ବାଧିକ ଶତକ କାହା ନାଁରେ ହେଲା, ସବୁଠାରୁ ଅଧିକ ଚୌକା ଓ ଛକା କିଏ ଲଗାଉଛି - ଆପଣ ତା’ ଉପରେ ଧ୍ୟାନ ଦିଅନ୍ତି । ଏହି ପରିସଂଖ୍ୟାନ ଗ୍ଲାମରସ୍‌, କିନ୍ତୁ ତିନି ନମ୍ବର ପାଇଁ କିଛି ଦିଗ ଏହା ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ ।”

ଏହି ପୂର୍ବତନ କ୍ରିକେଟର୍‌ଙ୍କ ବିଚାରରେ କ୍ରିଜ୍‌ରେ କିଏ ସର୍ବାଧିକ ସମୟ ବିତାଉଛି? କିଏ ସର୍ବାଧିକ ବଲ୍ ଖେଳିପାରୁଛି? କିଏ ଶରୀର ଉପରେ ସର୍ବାଧିକ ବଲ୍ ସହ୍ୟ କରୁଛି? କିଏ ସର୍ବାଧିକ ବଲ୍ ଛାଡ଼ିପାରୁଛି? ସେଭଳି ପରିସଂଖ୍ୟାନକୁ କ୍ରିକେଟ୍‌ରେ ଗ୍ଲାମରସ୍ ବିବେଚନା କରାଯାଏ ନାହିଁ । ସେଭଳି ଖେଳାଳିଙ୍କ ଉପରେ ପ୍ରଶଂସକ କି ବିଜ୍ଞାପନଦାତାଙ୍କ ଅଧିକ ଧ୍ୟାନ ଯାଏ ନାହିଁ । ସେହି କାରଣରୁ ସେମାନେ ଅନେକ ସମୟରେ ଚୟନକାରୀଙ୍କ ରାଡାରକୁ ଆସିପାରନ୍ତି ନାହିଁ ।

ତିନି ନମ୍ବର ସ୍ଥାନ ପାଇଁ ଆବଶ୍ୟକ ଯାବତୀୟ ଗୁଣ କ୍ୱଚିତ ଖେଳାଳିଙ୍କ ମଧ୍ୟରେ ଦେଖିବାକୁ ମିଳେ । ଏଥିପାଇଁ ପୂଜାରାଙ୍କ ବିକଳ୍ପ ମିଳିବା କଷ୍ଟ । ଦ୍ରାବିଡ଼ଙ୍କ ଅବସର ପୂର୍ବରୁ ପୂଜାରା ପ୍ରସ୍ତୁତ ଥିଲେ । ତେଣୁ ସମସ୍ୟା ହୋଇ ନ ଥିଲା, କିନ୍ତୁ ତାଙ୍କୁ ଟିମ୍‌ରୁ କଢ଼ାଯିବା ପରେ ଆଉ ସେଭଳି ଗୁଣାବଳୀସମ୍ପନ୍ନ ବ୍ୟାଟର୍ ମିଳିପାରି ନାହାନ୍ତି ।

ପ୍ରତି ଟେଷ୍ଟ ଇନିଂସ୍‌ରେ ଆଭରେଜ୍ ସର୍ବାଧିକ ସମୟ ବିତାଇଥିବା ଭାରତୀୟ ବ୍ୟାଟର୍‌ଙ୍କ ମଧ୍ୟରେ ଦ୍ରାବିଡ଼ ସର୍ବାଗ୍ରେ ଅଛନ୍ତି, ଯିଏ ୧୫୫ ମିନିଟ୍ କ୍ରିଜ୍‌ରେ ରହିଥିଲେ । ସଚିନ ତେନ୍ଦୁଲକର ୧୨୫ ମିନିଟ୍ ସହ ଦ୍ୱିତୀୟ ଓ ପୂଜାରା ୧୨୪ ମିନିଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ସେହିପରି ପ୍ରତି ଟେଷ୍ଟ ଇନିଂସ୍‌ରେ ଆଭରେଜ୍ ସର୍ବାଧିକ ବଲ୍ ଖେଳିଥିବା ଭାରତୀୟଙ୍କ ମଧ୍ୟରେ ଦ୍ରାବିଡ଼ (୧୦୯ ବଲ୍‌) ପ୍ରଥମ, ପୂଜାରା (୯୨ ବଲ୍‌) ଦ୍ୱିତୀୟ ଓ ସଚିନ (୮୯ ବଲ୍‌) ତୃତୀୟ ସ୍ଥାନରେ ଅଛନ୍ତି ।

ଅଷ୍ଟ୍ରେଲିଆରେ ଦୁଇ ସିରିଜ୍ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା

୨୦୧୮ ପୂର୍ବରୁ ଭାରତୀୟ ଟେଷ୍ଟ ଟିମ୍ ଅଷ୍ଟ୍ରେଲିଆରେ କେବେ ସିରିଜ୍ ଜିତିପାରି ନ ଥିଲା । ୨୦୧୮-୧୯ରେ ଐତିହାସିକ ସିରିଜ୍ ବିଜୟ ପରେ ୨୦୨୦-୨୧ରେ ହୋଇଥିବା ପରବର୍ତ୍ତୀ ସିରିଜ୍‌ରେ ମଧ୍ୟ ଟିମ୍ ଇଣ୍ଡିଆ ଟ୍ରଫି ଉଠାଇଥିଲା । ଏହି ସଫଳତା ପାଇଁ ବିରାଟ କୋହଲି ଓ ରିଷଭ ପନ୍ତଙ୍କ କଥା ମନକୁ ଆସିପାରେ; କିନ୍ତୁ ବାସ୍ତବତା ହେଉଛି ଯେ ଯଦି ଉଭୟ ସିରିଜ୍‌ରେ ପୂଜାରା ନ ଥା’ନ୍ତେ, ତା’ହେଲେ ସମ୍ଭବତଃ ଭାରତ ସିରିଜ୍ ଜିତିପାରି ନ ଥା’ନ୍ତା ।

୨୦୧୮-୧୯ ବର୍ଡର-ଗାଭାସ୍କର ଟ୍ରଫିରେ ପୂଜାରା ଚାରି ମ୍ୟାଚ୍‌ରେ ତିନି ଶତକ ସହାୟତାରେ ସର୍ବାଧିକ ୫୨୧ ରନ୍ କରିଥିଲେ । ସିରିଜ୍‌ରେ ସେ ୧୨୦୦ରୁ ଅଧିକ ବଲ୍ ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟର୍ ୭୦୦ ବଲ୍ ବି ଖେଳିପାରି ନ ଥିଲେ ।

୨୦୨୦-୨୧ ସିରିଜ୍‌ରେ ପୂଜାରା ଚାରି ମ୍ୟାଚ୍‌ରେ ୨୭୧ ରନ୍ କରିଥିଲେ । ବେଶୀ ସ୍କୋର୍ କରି ନ ଥିଲେ ବି ସିରିଜ୍‌ରେ ତାଙ୍କ ଲଢ଼ୁଆ ପ୍ରଦର୍ଶନ ପ୍ରଶଂସାଯୋଗ୍ୟ ଥିଲା । ସେ ମୋଟ୍ ୯୨୮ ବଲ୍ ଖେଳିଥିଲେ । ବିଶେଷକରି ବ୍ରିସ୍‌ବେନ୍ ଟେଷ୍ଟରେ ପୂଜାରାଙ୍କ ଶରୀର ଅନେକ ବଲ୍ ସହ୍ୟ କରିଥିଲା । ସେ ଆହ୍ୱାନପୂର୍ଣ୍ଣ ପିଚ୍‌ରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇ ଅଷ୍ଟ୍ରେଲୀୟ ପେସର୍‌ଙ୍କ ଘାତକ ବୋଲିଂର ସାମ୍ନା କରିଥିଲେ ।

ୱେଷ୍ଟଇଣ୍ଡିଜ୍ ସିରିଜ୍‌ରେ ନଂ.୩ରେ କାହାକୁ ମିଳିବ ସୁଯୋଗ

ଭାରତୀୟ ଟେଷ୍ଟ ଟିମ୍‌ରେ ତିନି ନମ୍ବର ସ୍ଥାନକୁ ନେଇ ପ୍ରୟୋଗ ଆଗକୁ ବି ଜାରି ରହିପାରେ, କାରଣ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ କରାଯାଇଥିବା ପ୍ରୟୋଗ ସଫଳ ହୋଇ ନ ଥିଲା । ଭାରତ ପରବର୍ତ୍ତୀ ଟେଷ୍ଟ ସିରିଜ୍ ଘରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ, ଯାହାକି ଅକ୍ଟୋବର ୨ରୁ ଆରମ୍ଭ ହେବ ।

ଏବେ ଭାରତ ପାଖରେ ତିନି ନମ୍ବର ସ୍ଥାନ ପାଇଁ ଶ୍ରେୟାସ ଆୟର ଓ ଅଭିମନ୍ୟୁ ଈଶ୍ୱରନ୍‌ଙ୍କ ରୂପରେ ଆଉ ଦୁଇ ବିକଳ୍ପ ରହିଛନ୍ତି । ଦୁଇ ମ୍ୟାଚ୍ ବିଶିଷ୍ଟ କାରିବୀୟ ସିରିଜ୍‌ରେ ଏହି ଦୁଇ ବିକଳ୍ପଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନ ମିଳିବ ନା ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ଖେଳିଥିବା ସୁଦର୍ଶନ କି କରୁଣଙ୍କୁ ଆଉ ଥରେ ସୁଯୋଗ ଦିଆଯିବ? ଭାରତୀୟ ଥିଙ୍କ୍‌ଟ୍ୟାଙ୍କ୍‌କୁ ଭାବିଚିନ୍ତି ଏହାର ନିଷ୍ପତ୍ତି ନେବାକୁ ହେବ ।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ତିନି ନମ୍ବରରେ ଯିଏ ବି ବ୍ୟାଟିଂ କରନ୍ତୁ, ତାଙ୍କୁ ଏହି ସ୍ଥାନର ମନସ୍ତତ୍ତ୍ୱକୁ ବୁଝିବାକୁ ହେବ । ଦ୍ରାବିଡ଼ ଓ ପୂଜାରାଙ୍କ ଭଳି କ୍ରିଜ୍‌ରେ ‘ପ୍ରାଚୀର’ ଭଳି ଛିଡ଼ା ହୋଇ ବିପକ୍ଷ ବୋଲର୍‌ଙ୍କ ସାମ୍ନା କରିବାକୁ ପଡ଼ିବ ।

 

Disclaimer: This content has been automatically aggregated from television for informational purposes. To read the original article, please visit television.