Carlos Alcaraz: ବିଶ୍ୱ ଟେନିସ୍ର ଶିଖରରେ ଯୁବ ସ୍ପେନୀୟ କାର୍ଲୋସ ଅଲ୍କାରାଜ
ଇଟାଲୀୟ ତାରକା ଜାନିକ୍ ସିନରଙ୍କୁ ହରାଇ ଦ୍ୱିତୀୟ ଥର ୟୁଏସ୍ ଓପନ୍ରେ ଚାମ୍ପିଅନ୍ ହେବା ସହ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି ସ୍ପେନୀୟ ତାରକା କାର୍ଲୋସ୍ ଅଲ୍କାରାଜ । ତିନି ବର୍ଷ ମଧ୍ୟରେ ସେ ଜିତିସାରିଲେଣି ଛଅ ଗ୍ରାଣ୍ଡ୍ସ୍ଲାମ୍
ଇଟାଲୀୟ ତାରକା ଜାନିକ୍ ସିନରଙ୍କୁ ହରାଇ ଦ୍ୱିତୀୟ ଥର ୟୁଏସ୍ ଓପନ୍ରେ ଚାମ୍ପିଅନ୍ ହେବା ସହ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନକୁ ଫେରିଛନ୍ତି ସ୍ପେନୀୟ ତାରକା କାର୍ଲୋସ୍ ଅଲ୍କାରାଜ । ତିନି ବର୍ଷ ମଧ୍ୟରେ ସେ ଜିତିସାରିଲେଣି ଛଅ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ । ଏହି ଅବଧି ମଧ୍ୟରେ ତାଙ୍କ ପ୍ରଦର୍ଶନ ଓ ମନୋଭାବରେ ଆସିଥିବା ପରିପକ୍ୱତା ଆଜି ତାଙ୍କୁ ବିଶ୍ୱ ଟେନିସର ଶିଖରରେ ପହଞ୍ଚାଇଛି ।
କାର୍ଲୋସ ଅଲ୍କାରାଜ୍ଙ୍କ ପାଇଁ ୟୁଏସ୍ ଓପନ୍ ସବୁବେଳେ ସ୍ମରଣୀୟ ହୋଇରହିବ । ଏହି ସ୍ପେନୀୟ ତାରକା ନ୍ୟୁୟର୍କରେ ନିଜ କ୍ୟାରିଅର୍ର ପ୍ରଥମ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ଜିତିଥିଲେ ଏବଂ ତରୁଣାବସ୍ଥାରେ ବିଶ୍ୱ ମାନ୍ୟତାର ଏକ ନମ୍ବର ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ।
ଏହି ସଫଳତାର ତିନି ବର୍ଷ ପରେ ଏଠାରେ ଆଉ ଏକ ଫାଇନାଲ୍ ଖେଳି ଯେତେବେଳେ ଅଲ୍କାରାଜ ୨୦୨୫ ସଂସ୍କରଣରୁ ବିଦାୟ ନେଉଥିଲେ, ସେତେବେଳେ ବି ଫଳାଫଳ ସମାନ ଥିଲା । ତାଙ୍କୁ ମିଳିଥିଲା ବିଜେତା ଟ୍ରଫି ଓ ବିଶ୍ୱ ମାନ୍ୟତାର ଶୀର୍ଷ ସ୍ଥାନ । ସେ ଇଟାଲୀୟ ତାରକା ଜାନିକ୍ ସିନର୍ଙ୍କ ଠାରୁ ଏହି ଦୁଇ ଶ୍ରେୟ ଛଡ଼ାଇ ନେଇଥିଲେ ।
୨୨ବର୍ଷୀୟ ଅଲ୍କାରାଜଙ୍କ ଏହି ତିନି ବର୍ଷର ଯାତ୍ରାରେ ଛଅ ଗ୍ରାଣ୍ଡ୍ସ୍ଲାମ୍ ବିଜୟର ଉପଲବ୍ଧି ରହିଛି । ତେବେ ଏହି ଅବଧି ମଧ୍ୟରେ ତାଙ୍କ ପ୍ରଦର୍ଶନ ଓ ମନୋଭାବରେ ଆସିଥିବା ପରିପକ୍ୱତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଯାହା ଆଜି ତାଙ୍କୁ ବିଶ୍ୱ ଟେନିସ୍ର ଶିଖରରେ ପହଞ୍ଚାଇଛି ।
ଅଲ୍କାରାଜଙ୍କ କୋଚ୍ ତଥା ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ଜୁଆନ୍ କାର୍ଲୋସ୍ ଫେରେରୋଙ୍କ କହିବାନୁଯାୟୀ, “ସେ (ଅଲ୍କାରାଜ) ବଡ଼ ହେଉଛନ୍ତି । ଆମେ ସ୍ପଷ୍ଟ ଭାବେ ଜାଣିଛୁ ଯେ ତାଙ୍କୁ କୋର୍ଟ ଭିତରେ ଓ ବାହାରେ କ’ଣ ସୁଧାର କରିବାକୁ ହେବ । ମୋର ମନେ ହେଉଛି ଯେ ସେ ଏ କଥା ଉପରେ ବିଶ୍ୱାସ କରିବା ପାଇଁ ବହୁତ ପରିପକ୍ୱ ହୋଇସାରିଛନ୍ତି ।”
ଶୀର୍ଷ ମାନ୍ୟତାକୁ ପ୍ରତ୍ୟାବର୍ତ୍ତନ
ଚଳିତ ବର୍ଷ ୱିମ୍ବଲଡନ୍ ଫାଇନାଲ୍ରେ ସିନର୍ଙ୍କ ଠାରୁ ପରାଜିତ ହୋଇ ସେଣ୍ଟର କୋର୍ଟରୁ ବାହାରିବା ପରେ ଅଲ୍କାରାଜ ଏହି ଇଟାଲୀୟଙ୍କ ସହ ନିଜ ପରବର୍ତ୍ତୀ ମୁକାବିଲା ବିଷୟରେ ଚିନ୍ତା କରୁଥିଲେ । ସିନର୍ଙ୍କୁ ହରାଇବା ପାଇଁ ତାଙ୍କ ଖେଳରେ ସୁଧାର ଆବଶ୍ୟକ ବୋଲି ମନେ କରୁଥିଲେ ।
ଅଲ୍କାରାଜ ସିନ୍ସିନାଟି ଓପନ୍ ପୂର୍ବରୁ ଦୁଇ ସପ୍ତାହ ଧରି ତାଙ୍କ ଖେଳର ଜରୁରୀ ଦିଗ ଉପରେ ଫୋକସ୍ କରିଥିଲେ । ପ୍ରଥମେ ସିନ୍ସିନାଟି ଓପନ୍ ଓ ଏହାପରେ ୟୁଏସ୍ ଓପନ୍ରେ ତା’ର ଫଳାଫଳ ଦେଖିବାକୁ ମିଳିଥିଲା । ସିନ୍ସିନାଟି ଫାଇନାଲ୍ରେ ସିନର୍ ମୁକାବିଲା ମଝିରୁ ଓହରି ଯାଇଥିଲେ, ହେଲେ ୟୁଏସ୍ ଓପନ୍ ଫାଇନାଲ୍ରେ ଉଭୟଙ୍କ ମଧ୍ୟରେ ପୂରା ମ୍ୟାଚ୍ ଖେଳାଯାଇଥିଲା ।
ଅଲ୍କାରାଜଙ୍କ ଭିତରର ଏହି ଗତିଶୀଳତା ଓ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଉନ୍ନତ ପ୍ରଦର୍ଶନ କରିବା ନେଇ ଦୃଢ଼ ସଂକଳ୍ପ ତାଙ୍କୁ ଅନ୍ୟମାନଙ୍କ ଠାରୁ ଆଗରେ ଛିଡ଼ା କରାଇଛି । ସେ ୟୁଏସ୍ ଓପନ୍ ବିଜୟ ସହ ସିନର୍ଙ୍କୁ ଅପସାରିତ କରି ବିଶ୍ୱର ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି । ୨୦୨୩ ସେପ୍ଟେମ୍ବର ପରେ ସେ ପ୍ରଥମ ଥର ଶୀର୍ଷରେ ପହଞ୍ଚିଛନ୍ତି ।
ନୂଆ ଏଟିପି ମାନ୍ୟତାରେ ଅଲ୍କାରାଜଙ୍କ ପଏଣ୍ଟ ୧୧୫୪୦ ଥିବା ବେଳେ ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବା ସିନର୍ଙ୍କ ପଏଣ୍ଟ ୧୦୭୮୦ ରହିଛି । ତୃତୀୟ ସ୍ଥାନରେ ଥିବା ଜର୍ମାନୀର ଆଲେକ୍ଜାଣ୍ଡର ଜ୍ୱେରେଭ (୫୯୩୦) ଶୀର୍ଷ ଦୁଇ ଖେଳାଳିଙ୍କ ଠାରୁ ପଏଣ୍ଟରେ ବହୁତ ପଛରେ ଅଛନ୍ତି । ତେଣୁ ନିକଟ ଭବିଷ୍ୟତରେ ଅଲ୍କାରାଜ୍ ଓ ସିନର୍ଙ୍କୁ ଶୀର୍ଷ ଦୁଇରୁ ଅପସାରିତ କରିବା ଅନ୍ୟମାନଙ୍କ ପାଇଁ କଷ୍ଟସାଧ୍ୟ ।
ପୂର୍ବରୁ ଅଲ୍କାରାଜ ମୋଟ୍ ୩୬ ସପ୍ତାହ ଶୀର୍ଷ ସ୍ଥାନରେ ରହିଥିଲେ । ଏବେ ସେ ପଞ୍ଚମ ଥର ଏହି ସ୍ଥାନ ହାସଲ କରିଛନ୍ତି । ଏକ ନମ୍ବରରେ ନିଜ ସ୍ଥିତି ସୁଦୃଢ଼ କରିବାକୁ ହେଲେ, ତାଙ୍କୁ ନିଜ ପ୍ରଦର୍ଶନରେ ନିରନ୍ତରତା ରଖିବାକୁ ହେବ ।
ସର୍ଭିସ୍ରେ ଉଲ୍ଲେଖନୀୟ ସୁଧାର
ଅଲ୍କାରାଜ ୟୁଏସ୍ ଓପନ୍ ୨୦୨୫ର ପୂରା ଟୁର୍ଣ୍ଣାମେଣ୍ଟରେ ସର୍ବୋଚ୍ଚ ସ୍ତରର ପ୍ରଦର୍ଶନ କରିଥିଲେ । ସେ ମାତ୍ର ଗୋଟିଏ ସେଟ୍ ଫାଇନାଲ୍ରେ ସିନର୍ଙ୍କ ଠାରୁ ହାରିଥିଲେ । ତାଙ୍କ ଅଭିଯାନରେ ଦୁର୍ବଳ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଉତ୍ଥାନ-ପତନଭରା ମ୍ୟାଚ୍ କିମ୍ବା ନିଜର କଠିନ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଅସମ୍ଭବ ମନେ ହେବା ଭଳି ପ୍ରତ୍ୟାବର୍ତ୍ତନ ଦେଖିବାକୁ ମିଳି ନ ଥିଲା ।
ଫାଇନାଲ୍ରେ ଅଲ୍କାରାଜଙ୍କ ପ୍ରଦର୍ଶନ ଚମକପ୍ରଦ ଥିଲା । ସେ ଫୋର୍ହାଣ୍ଡରେ ଦମ୍ଦାର ପ୍ରଦର୍ଶନ କରିଥିଲେ, ଯାହା ଫଳରେ ପୂରା ବେସ୍ଲାଇନ୍ରେ ଖେଳ ପ୍ରଭାବିତ ହୋଇଥିଲା । ସ୍ପେନୀୟ ତାରକାଙ୍କ ରକ୍ଷଣାତ୍ମକ କ୍ଷମତା ବଳରେ ପରାଜିତ ଫାଇନାଲିଷ୍ଟ ସିନର୍ଙ୍କୁ କୋର୍ଟ ବହୁତ ଛୋଟ ମନେ ହେଉଥିଲା ।
ଅଲ୍କାରାଜଙ୍କ କହିବାନୁଯାୟୀ, “ସତ କହିବାକୁ ଗଲେ, ମୋତେ ଲାଗୁଛି ଯେ ମୁଁ କୋର୍ଟରେ ସବୁକିଛି କରିପାରିବି - ସ୍ଲାଇସ୍, ଡ୍ରପ୍ସଟ୍, ଟପ୍ସ୍ପିନ୍, ଫ୍ଲାଟ୍ ।”
ଅଲ୍କାରାଜଙ୍କ ସଫଳତାର ସବୁଠାରୁ ବଡ଼ କାରଣ ହେଉଛି, ତାଙ୍କ ସର୍ଭିସ୍ରେ ଉଲ୍ଲେଖନୀୟ ସୁଧାର । ଦୀର୍ଘ ଦିନ ଯାଏଁ, ଏହି ଯୁବ ସ୍ପେନୀୟଙ୍କ ସର୍ଭିସ୍ ତାଙ୍କ ଖେଳର ଏକ ସାଧାରଣ ଅଂଶ ଥିଲା । ବିଶେଷକରି ଗୁରୁତ୍ୱପୂର୍ଣ୍ଣ ପଏଣ୍ଟରେ ଏହା ସଠିକ୍ ନ ଥିଲା, ଯାହାଫଳରେ ସେ ଶ୍ରେଷ୍ଠ ଖେଳାଳିଙ୍କ ବିପକ୍ଷରେ ଟିକେ ଦୁର୍ବଳ ମନେ ହେଉଥିଲେ ।
ଏହାସତ୍ତ୍ୱେ ସେ ୨୦୨୨ରେ ପ୍ରଥମ ଥର ୟୁଏସ୍ ଓପନ୍ ରୂପରେ କୌଣସି ଗ୍ରାଣ୍ଡ୍ସ୍ଲାମ୍ ଜିତିଥିଲେ, ହେଲେ ପୂରା ଟୁର୍ଣ୍ଣାମେଣ୍ଟରେ ସେ ୨୪ ସର୍ଭିସ୍ ଗେମ୍ ହରାଇଥିଲେ । କିନ୍ତୁ ଏଥର ୟୁଏସ୍ ଓପନ୍ରେ ସେ ମାତ୍ର ତିନି ଥର ସର୍ଭିସ୍ ହରାଇଥିଲେ । ୧୯୯୧ ଠାରୁ କେବଳ ଖ୍ୟାତନାମା ଆମେରିକୀୟ ପିଟ୍ ସାମ୍ପ୍ରସ (ୱିମ୍ବଲଡନ୍ ୧୯୯୭) କୌଣସି ମେଜର୍ ମୁକୁଟ ବିଜୟ ଅଭିଯାନରେ ଏହାଠାରୁ କମ୍ (ଦୁଇ ଥର) ସର୍ଭିସ୍ ହରାଇଥିଲେ ।
ଟେନିସ୍ରେ ଶୀର୍ଷ ସ୍ତରରେ ଖୁବ୍ ପ୍ରତିଭାଶାଳୀ ଖେଳାଳିମାନଙ୍କ ମଧ୍ୟରେ ବି ସୁଧାରର ଆବଶ୍ୟକତା ଥାଏ । ଅଲ୍କାରାଜ ନ୍ୟୁୟର୍କରୁ ଯେଉଁ ଟ୍ରଫି ନେଇକି ଯାଇଛନ୍ତି, ତାହା ତା’ର ପ୍ରମାଣ । ତେବେ ଏହି ସୁଧାର ଆଗାମୀ ଦିନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସମସ୍ୟା ବଢ଼ାଇପାରେ ।
ସିନର୍ଙ୍କ ସ୍ୱୀକାରୋକ୍ତି ଓ ସଂକଳ୍ପ
ଏକ ଗ୍ରାଣ୍ଡ୍ସ୍ଲାମ୍ ମୁକୁଟ ଓ ବିଶ୍ୱର ଶୀର୍ଷ ସ୍ଥାନ ହରାଇଲେ, ଜଣେ ଖେଳାଳିଙ୍କୁ ସେହି ଯନ୍ତ୍ରଣାସିକ୍ତ ଅନୁଭୂତିରୁ ମୁକୁଳିବା ପାଇଁ କିଛି ଦିନ ସମୟ ଲାଗିବା ସ୍ୱାଭାବିକ, କିଛି ସପ୍ତାହ ବି ଲାଗିପାରେ । କିନ୍ତୁ ସିନର୍ ୟୁଏସ୍ ଓପନ୍ ଫାଇନାଲ୍ ଶେଷ ହେବା ପରେ ସେ ବିଷୟରେ ଭାବିବା ପରିବର୍ତ୍ତେ ନିଜ କ୍ୟାରିଅର୍ର ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂକଳ୍ପ ନେଇଛନ୍ତି ।
ସିନର୍ଙ୍କର ହୃଦ୍ବୋଧ ହୋଇଛି ଯେ ଅଲ୍କାରାଜଙ୍କ ତୁଳନାରେ ତାଙ୍କ ଖେଳ ବହୁତ ଅଧିକ ପୂର୍ବାନୁମାନିତା ଥିଲା, କାରଣ ସ୍ପେନୀୟ ତାରକାଙ୍କ ସଟ୍ର ବିବିଧତା ତାଙ୍କୁ ଅଶ୍ୱସ୍ତି ଅନୁଭବ କରାଇଥିଲା ଏବଂ କୋର୍ଟରେ ସେ ଲୟ ହାସଲ କରିପାରି ନ ଥିଲେ ।
୨୪ବର୍ଷୀୟ ସିନର୍ ଏକ ଉତ୍ତମ ଓ ସମ୍ପୂର୍ଣ୍ଣ ଟେନିସ୍ ଖେଳାଳି ହେବା ଏବଂ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସମକକ୍ଷତା ବଜାୟ ରଖିବା ପାଇଁ ନିଜ ଖେଳରେ ବଡ଼ ପରିବର୍ତ୍ତନ କରିବାକୁ ସ୍ଥିର କରିଛନ୍ତି । ଏଥିପାଇଁ ସେ ସାମୟିକ କ୍ଷତି ସହିବାକୁ ବି ପ୍ରସ୍ତୁତ ଅଛନ୍ତି ।
ସିନର୍ କହିଛନ୍ତି, “ମୁଁ ଏବେଠାରୁ ସମ୍ଭବତଃ କିଛି ମ୍ୟାଚ୍ ହାରିବାର ଲକ୍ଷ୍ୟ ରଖିବି; କିନ୍ତୁ କିଛି ପରିବର୍ତ୍ତନ କରିବାର ପ୍ରୟାସ କରିବି, ଯାହା ଫଳରେ ମୁଁ ଆଉ ଟିକେ ଅପ୍ରତ୍ୟାଶିତ ହୋଇପାରିବି । କାରଣ ମୋତେ ଲାଗୁଛି ଯେ ମୋର ଏହା କରିବାର ଅଛି । ମୁଁ ଜଣେ ଉତ୍ତମ ଖେଳାଳି ହେବାକୁ ଚେଷ୍ଟା କରିବି ।”
ବିଶେଷକରି ଦୁଇ ବର୍ଷ ହେଲା ତାଙ୍କ ଆଧିପତ୍ୟକୁ ଦୃଷ୍ଟିରେ ରଖିଲେ, ଏହାକୁ ଏକ ବଡ଼ ସ୍ୱୀକାରୋକ୍ତି ବୋଲି କୁହାଯାଇପାରିବ ।
ନିଜ ବିରୋଧୀମାନଙ୍କୁ ପଛରେ ପକାଇ ସିନର୍ କ୍ରମାଗତ ୬୫ ସପ୍ତାହ ଧରି ଏକ ନମ୍ବର ସ୍ଥାନକୁ ନିଜ ଦଖଲରେ ରଖିଥିଲେ । ଏବେ କେବଳ ଜଣେ ଖେଳାଳି ଏହି ଇଟାଲୀୟଙ୍କୁ ନିଜ ଖେଳରେ ପରିବର୍ତ୍ତନ କରିବାକୁ ବାଧ୍ୟ କରିଛନ୍ତି । ସେ ହେଲେ ଅଲ୍କାରାଜ - ବର୍ତ୍ତମାନ ସମୟରେ ତାଙ୍କର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ସମ୍ଭବତଃ ଆଗକୁ ମଧ୍ୟ ରହିବେ ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
