Call to Brace for Greater Challenges: ମୋହନ ସରକାରକୁ ଦୁଇବର୍ଷ ପୂରିଲା, ଆଗକୁ ଅଗ୍ନିରେ ଚାଲିବାର ଆହ୍ୱାନ

Jun 10, 2026 - 19:12
Call to Brace for Greater Challenges: ମୋହନ ସରକାରକୁ ଦୁଇବର୍ଷ ପୂରିଲା, ଆଗକୁ ଅଗ୍ନିରେ ଚାଲିବାର ଆହ୍ୱାନ


ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଓଡ଼ିଶା ସରକାର ଇତି ମଧ୍ୟରେ ଦୁଇ ବର୍ଷ ପୂରଣ କରିଛି । ଏହି ଦୁଇବର୍ଷ ସମୟକୁ ସରକାରଙ୍କ ପାଇଁ ଏକ ଶିକ୍ଷା, ଅନୁଭବ ଓ ଅନୁକୂଳନର ପର୍ଯ୍ୟାୟ ବୋଲି କୁହାଯାଇପାରେ । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରିଥିବା ବିଜୁ ଜନତା ଦଳକୁ ପରାସ୍ତ କରି ଭାରତୀୟ ଜନତା ପାର୍ଟି ୨୦୨୪ରେ ଏକ ଐତିହାସିକ ବିଜୟ ହାସଲ କରିଥିଲା । ଏହି ବିଜୟ କେବଳ ଏକ ସରକାର ପରିବର୍ତ୍ତନ ନୁହେଁ, ବରଂ ଓଡ଼ିଶାର ରାଜନୀତିରେ ଏକ ନୂତନ ଅଧ୍ୟାୟର ଆରମ୍ଭ ଥିଲା । 

ତେବେ ଦୁଇ ବର୍ଷ ମଧ୍ୟରେ ସରକାର ଧାନର ସହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ବୋନସ ପ୍ରଦାନ କରିବା, ଅନେକ ଗୁଡ଼ିଏ ନିର୍ବାଚନ ପୂର୍ବ ପ୍ରତିଶ୍ରୁତି ପାଳନ କରିଛନ୍ତି, ସୁଭଦ୍ରା, ମାଧୋ ସିଂହ ହାତପାଣ୍ଠି ଏବଂ ଗୋଦାବରୀଶ ବିଦ୍ୟାଳୟ ଭଳି ନୂଆ ଯୋଜନାମାନ ଆରମ୍ଭ କରିଛନ୍ତି ।  କିନ୍ତୁ ଏବେ ବି ସରକାରଙ୍କ ନିକଟରେ ଅନେକଗୁଡ଼ିଏ ଆହ୍ୱାନ ରହିଛି । ସେ ଆହ୍ୱାନଗୁଡ଼ିକୁ ସରକାରଙ୍କୁ ସାମ୍ନା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଆଉ ମାତ୍ର ଦୁଇ ବର୍ଷ ରହିଛି ।

ଶେଷ ବର୍ଷ ସରକାର ନିର୍ବାଚନ ମୁଡ୍‌ରେ ରହିବେ ଏବଂ ରଚନାତ୍ମକ ଜନମଙ୍ଗଳ କରିବା ପାଇଁ ସରକାରଙ୍କ ନିକଟରେ ସୀମିତ ସୁଯୋଗ ରହିବ । ଏବେ ସରକାରଙ୍କ ସମ୍ମୁଖରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଆହ୍ୱାନଗୁଡ଼ିକୁ କିପରି ସଫଳତାର ସହିତ ସମ୍ମୁଖୀନ ହୋଇ ସେଗୁଡ଼ିକୁ ଶେଷ ନିର୍ଯ୍ୟାସ ପର୍ଯ୍ୟନ୍ତ ନେଇ ପାରିବେ ତ? ।

ଗତ ଦୁଇ ବର୍ଷ ମଧ୍ୟରେ ମୋହନ ମାଝୀ ସରକାର କେତେକ କ୍ଷେତ୍ରରେ ସକ୍ରିୟ ପଦକ୍ଷେପ ନେଇଛନ୍ତି । ମହିଳା ସଶକ୍ତିକରଣ, ଗ୍ରାମୀଣ ବିକାଶ, ଧାର୍ମିକ ପର୍ଯ୍ୟଟନ, ଶିଳ୍ପ ନିବେଶ ଓ ପ୍ରଶାସନିକ ସଂସ୍କାର ଭଳି କ୍ଷେତ୍ରରେ ସରକାର ନିଜର ଉପସ୍ଥିତି ଜଣାଇଛି । ବିଶେଷ କରି “ଉତ୍କର୍ଷ ଓଡ଼ିଶା-ମେକ୍‌-ଇନ୍‌-ଓଡ଼ିଶା” ଭଳି ଦ୍ୱିବାର୍ଷିକ ବାଣିଜ୍ୟ ମେଳା ମଧ୍ୟରେ ରାଜ୍ୟରେ ନିବେଶ ଆକର୍ଷଣ ଓ ଶିଳ୍ପାୟନକୁ ଗତି ଦେବା ପାଇଁ ସରକାରଙ୍କ ପ୍ରୟାସ ଚର୍ଚ୍ଚାର ବିଷୟ ହୋଇଛି ।

ସେହିପରି କେନ୍ଦ୍ର ସହ ସମନ୍ୱୟ ବଢ଼ିବା ଫଳରେ କେତେକ ପ୍ରକଳ୍ପ ଓ ଯୋଜନାରେ ତ୍ୱରାନ୍ୱିତ ଅଗ୍ରଗତି ଦେଖିବାକୁ ମିଳିଛି । ରାଜ୍ୟରେ ରେଳ ଭିତ୍ତିଭୂମି, ବନ୍ଦର ଭିତ୍ତିଭୂମି, ବେସାମରିକ ବିମାନ ଚଳାଚଳ ଭିତ୍ତିଭୂମି ଇତ୍ୟାଦି କ୍ଷେତ୍ରରେ ବୈପ୍ଳବିକ ଊନ୍ନତି ସାଧିତ ହୋଇଛି । 

ମାଝୀ ସରକାର ୨୦୩୬ ସୁଦ୍ଧା ରାଜ୍ୟକୁ ଏକ “ସମୃଦ୍ଧ ଓଡ଼ିଶା”ରେ ପରିଣତ କରିବା ପାଇଁ ଏକ ମହତ୍ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କୁ ଅନେକ ବନ୍ଧୁର ପଥ ଅତିକ୍ରମ କରିବାକୁ ପଡ଼ିବ । ପଥରେ ସମସ୍ୟା ଏବଂ ଆହ୍ୱାନ ଅନେକ । ବେକାରୀ ସମସ୍ୟା, ନୂତନ ଶିଳ୍ପ ପ୍ରକଳ୍ପଗୁଡ଼ିକର ଧୀରଗତି, କୃଷକଙ୍କ ଆୟର ବାସ୍ତବ ବୃଦ୍ଧି, ସରକାରୀ ସେବାର ଗୁଣାତ୍ମକ ଉନ୍ନତି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଅଭାବ ଭଳି ଅନେକ ପ୍ରଶ୍ନର ସ୍ଥାୟୀ ସମାଧାନ ଏପର୍ଯ୍ୟନ୍ତ ଦୃଶ୍ୟମାନ ହୋଇନାହିଁ । 

ବିଭିନ୍ନ ସମୟରେ ପ୍ରଶାସନିକ ବିବାଦ, ଆଇନଶୃଙ୍ଖଳା ସମସ୍ୟା ଓ କେତେକ ନିଷ୍ପତ୍ତିକୁ ନେଇ ସମାଲୋଚନା ମଧ୍ୟ ସରକାରଙ୍କୁ ସମ୍ମୁଖୀନ ହେବାକୁ ପଡ଼ିଛି । ଯେ କୌଣସି ଶାସନ ବ୍ୟବସ୍ଥାରେ ପୋଲିସ୍ ବିଭାଗର କାର୍ଯ୍ୟ ଦକ୍ଷତା ଏବଂ ଜନସେବା ମନୋଭବ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଭଲପାଇବାର ପରିମାଣକୁ ବୃଦ୍ଧି କରିବା ବା ହ୍ରାସ କରିବାରେ ଏକ ବଡ଼ ଅବଦାନ ରଖିଥାଏ । ପୋଲିସ୍ ଜନାଭିମୁଖୀ ହେଲେ ସରକାରଙ୍କ ଛବି ଉଜ୍ଜ୍ୱଳ ହୋଇଥାଏ । ପୋଲିସ୍‌ର କାର୍ଯ୍ୟ ଅତିଶୟ ହେଲେ ତାହା ସରକାରଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଇଥାଏ । 

ଦୁଇ ବର୍ଷ ସମୟ...

୨୦୨୯ ମସିହାରେ ମାଝୀ ସରକାରଙ୍କ ଧ୍ୟାନ ନିର୍ବାଚନୀ ପ୍ରସ୍ତୁତି, ରାଜନୈତିକ ଅଭିଯାନ ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଉପରେ ଅଧିକ କେନ୍ଦ୍ରୀଭୂତ ହେବ । ଫଳରେ ବୃହତ୍ ନୀତିଗତ ନିଷ୍ପତ୍ତି, ସଂସ୍କାରମୂଳକ ପଦକ୍ଷେପ ଓ ଦୀର୍ଘମିଆଦୀ ପ୍ରକଳ୍ପ ପାଇଁ ସମୟ ସୀମିତ ହୋଇଯିବ । ସେହି ଦୃଷ୍ଟିରୁ ଦେଖିଲେ, ଏବେଠାରୁ ୨୦୨୮ ପର୍ଯ୍ୟନ୍ତ ସମୟ ହିଁ ତାଙ୍କ ସରକାରଙ୍କ ପାଇଁ ନିଜର କାର୍ଯ୍ୟଦକ୍ଷତା ପ୍ରମାଣ କରିବାର ଏକ ପ୍ରକୃତ ସୁଯୋଗର କାଳଖଣ୍ଡ ।

ମୋହନ ମାଝୀଙ୍କ ସମ୍ମୁଖରେ ଥିବା ଦାୟିତ୍ୱ କେବଳ ଏକ ସଫଳ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକାଳ ସମାପ୍ତ କରିବା ନୁହେଁ । ତାଙ୍କ ଉପରେ ଆହୁରି ବଡ଼ ଦାୟିତ୍ୱ ରହିଛି—ଓଡ଼ିଶାରେ ଭାଜପାକୁ ଏକ ସ୍ଥାୟୀ, ବିଶ୍ୱସନୀୟ ଓ ଦୀର୍ଘମିଆଦୀ ରାଜନୈତିକ ଶକ୍ତି ଭାବେ ପ୍ରତିଷ୍ଠିତ କରିବା । ୨୦୨୪ର ବିଜୟ ଐତିହାସିକ ଥିଲା, କିନ୍ତୁ ରାଜନୀତିରେ ଗୋଟିଏ ନିର୍ବାଚନୀ ସଫଳତା କେବେ ବି ସ୍ଥାୟୀ ଜନାଦେଶର ନିଶ୍ଚିତତା ଦିଏ ନାହିଁ । ଜନସାଧାରଣ ଶେଷ ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ଓ ପରିଣାମକୁ ହିଁ ବିଚାର କରନ୍ତି ।

ବିଜେପିର ରାଜନୈତିକ ଭବିଷ୍ୟତ

ତେଣୁ ଆଗାମୀ ଦୁଇ ବର୍ଷରେ ସରକାର କେତେ ଦୂର ପ୍ରତିଶ୍ରୁତିକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିପାରୁଛି, ତାହା ହିଁ ନିର୍ଣ୍ଣୟ କରିବ ସରକାରଙ୍କ ରାଜନୈତିକ ଭବିଷ୍ୟତ । ଏହି ସମୟ ହିଁ ନିର୍ଣ୍ଣୟ କରିବ ଯେ ଭାଜପା ଓଡ଼ିଶାରେ କେବଳ ଏକ ପାଞ୍ଚ ବର୍ଷ କାର୍ଯ୍ୟକାଳର ରାଜନୈତିକ ଘଟଣା ହୋଇ ରହିଯିବ, ନା ରାଜ୍ୟର ଦୀର୍ଘମିଆଦୀ ଶାସନର ଏକ ପ୍ରମୁଖ ବିକଳ୍ପ ଭାବେ ନିଜକୁ ସ୍ଥାପିତ କରିପାରିବ ।

ଗତ ଦୁଇ ବର୍ଷର ଯାତ୍ରା ଆକର୍ଷଣୀୟ, କେବେ କେବେ ପ୍ରଶଂସନୀୟ ଏବଂ କେତେକ ସମୟରେ ବିବାଦୀୟ ରହିଛି । କିନ୍ତୁ ପ୍ରକୃତ ପରୀକ୍ଷା ଏବେ ଆରମ୍ଭ ହେଉଛି । ଆଗର ଦୁଇ ବର୍ଷ ହିଁ ନିର୍ଣ୍ଣୟ କରିବ ମୋହନ ମାଝୀ ସରକାରଙ୍କ ସଫଳତା, ତାଙ୍କ ରାଜନୈତିକ ଉତ୍ତରାଧିକାର ଏବଂ ଓଡ଼ିଶାର ଭବିଷ୍ୟତ ରାଜନୀତିରେ ଭାଜପାର ସ୍ଥାନ ।

ଓଡ଼ିଶାରେ ଏବେ ନୂଆ ରାଜନୈତିକ ଶକ୍ତିମାନଙ୍କର ଅଭ୍ୟୁଦୟ ହେଉଛି । ଆଗାମୀ ଦିନରେ ସେମାନେ ଅଧିକ ବଳ ସଂଗ୍ରହ କରି ସରକାରଙ୍କୁ ଦୋଷତ୍ରୁଟିକୁ ପାଥେୟ କରି ବଳ ସାଉଁଟିବା ପାଇଁ ପ୍ରୟାସ କରିବେ । ତେଣୁ ସରକାରଙ୍କୁ ନିର୍ଭୁଲ୍ ଶାସନ ପଦ୍ଧତିର ଏକ ପ୍ରକ୍ରିୟା ସୃଷ୍ଟି କରି ଆଗକୁ ବଢିବା ପାଇଁ ପଡ଼ିବ ବୋଲି ଅନେକ ମତ ପ୍ରକାଶ କରନ୍ତି । ଅନ୍ୟଥା ବିଜୁ ଜନତା ଦଳ, କଂଗ୍ରେସ ଓ ଓଡ଼ିଶା ଜନତା କଂଗ୍ରେସ ଭଳି ଦଳମାନେ ଏହାକୁ ଆୟୁଧ କରି ଗଣଆନ୍ଦୋଳନ ସୃଷ୍ଟି କରି ରାଜ୍ୟରେ ରାଜନୈତି ଝଡ଼ ସୃଷ୍ଟି ଯେ ନକରିବେ, ତାହା କହିହେବ ନାହିଁ ।

ବି.ଦ୍ର. - ଏହା ଲେଖକଙ୍କ ନିଜସ୍ୱ ମତ । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।