Cab Driver Reveals Siya's Actions: ସିୟା ଓ ଚେତନ ପ୍ରି-ୱେଡିଂ ଶୁଟ୍ ପାଇଁ ଯିବା ରାସ୍ତାରେ କଣ ଘଟିଥିଲା? ଡ୍ରାଇଭରଙ୍କ ବଡ ଖୁଲାସା

Jun 29, 2026 - 11:32
Cab Driver Reveals Siya's Actions: ସିୟା ଓ ଚେତନ ପ୍ରି-ୱେଡିଂ ଶୁଟ୍ ପାଇଁ ଯିବା ରାସ୍ତାରେ କଣ ଘଟିଥିଲା? ଡ୍ରାଇଭରଙ୍କ ବଡ ଖୁଲାସା

"ପୁଣେର କେତନ ଅଗ୍ରୱାଲ ହତ୍ୟାକାଣ୍ଡରେ ଆଉ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରି-ୱେଡିଂ ଶୁଟ୍ ପାଇଁ କେତନ ଓ ତାଙ୍କ ଭାବୀ ପତ୍ନୀ ସିୟା ବାଲିକୁ ଯାଉଥିବା ବେଳେ କାର ଭିତରେ କ'ଣ କ'ଣ ଘଟିଥିଲା? ସେ ସମ୍ପର୍କରେ ଡ୍ରାଇଭର ବୈଭବ ଯାଦବ ସମସ୍ତ ତଥ୍ୟ ଦେଇଛନ୍ତି। 

ଡ୍ରାଇଭର ବୈଭବ ଯାଦବ କହିଛନ୍ତି, ସିୟା ବାଲି ଯିବାକୁ ଆଦୌ ପ୍ରସ୍ତୁତ ନଥିଲେ। ସେ କାରରେ ବସିବାକୁ ମଧ୍ୟ ରାଜି ହେଉନଥିଲେ। ତେଣୁ ସିୟାଙ୍କ ଭାଇ ସାହିଲ ତାଙ୍କ ହାତ ଧରି ଜବରଦସ୍ତି କାରରେ ବସାଇଥିଲେ। କାର ଭିତରେ ସିୟା ଓ ତାଙ୍କ ଭାଇ ସାହିଲଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା। ଏହା ପରେ ସେମାନେ କେତନ ଅଗ୍ରୱାଲ ଏବଂ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ କିୱାଲେ ଲୋଢାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ।

ବିମାନବନ୍ଦରରେ ପହଞ୍ଚିବା ପରେ ପାସପୋର୍ଟ ଗାଏବ ଥିଲା

ରାସ୍ତାରେ ସମସ୍ତେ ଏକ ଫୁଡ୍ କୋର୍ଟରେ ଚା' ଓ ଜଳଖିଆ ପାଇଁ ଅଟକିଥିଲେ। ସେହି ସମୟରେ ସିୟା କୌଣସି ବାହାନା କରି କାର ନିକଟକୁ ଆସିଥିଲେ ଏବଂ କାରରୁ କିଛି ସାମଗ୍ରୀ ବାହାର କରି ନିଜ ପକେଟରେ ରଖିଥିଲେ। ଏହି କଥା କାରର ଡ୍ରାଇଭରଙ୍କ ନଜରକୁ ଆସିଥିଲା।

ପରେ ଡ୍ରାଇଭର ସମସ୍ତଙ୍କୁ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଦେଇଥିଲେ। କିଛି ସମୟ ପରେ କେତନ ଡ୍ରାଇଭରଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କର କିଛି ସାମଗ୍ରୀ କାରରେ ରହିଯାଇଛି, ବିଶେଷକରି ତାଙ୍କ ପାସପୋର୍ଟ ମିଳୁନାହିଁ। ଡ୍ରାଇଭର ପୁଣି ଫେରି ସେମାନଙ୍କ ସହ ଦେଖା କରିଥିଲେ, କିନ୍ତୁ କେତନଙ୍କ ପାସପୋର୍ଟ ମିଳିନଥିଲା।

କେତନଙ୍କ ହତ୍ୟା ପାଇଁ କିପରି ପ୍ଲାନ ହୋଇଥିଲା?

ଫେବୃଆରୀ ୧୧ରେ ନିର୍ବନ୍ଧ ସରିବା ପରେ ସିୟା, କେତନଙ୍କ ଟ୍ରେକିଂ ପ୍ରତି ଥିବା ଆଗ୍ରହକୁ ହିଁ ତାଙ୍କ ବିରୋଧରେ ବ୍ୟବହାର କରିବାର ଯୋଜନା କରିଥିଲେ। ସେ ଜୁନ୍ ୪ରେ ପ୍ରଥମ ଷଡ଼ଯନ୍ତ୍ର ରଚିଥିଲେ, ଯେତେବେଳେ ସେ କେତନଙ୍କୁ ଲୋହାଗଡ଼ କିଲ୍ଲାକୁ ନେବା ପାଇଁ ଜିଦ୍ କରିଥିଲେ।

ଜୁନ୍ ୬ରେ କେତନ, ତାଙ୍କ ଭଉଣୀ, ଜଣେ ବନ୍ଧୁ ଓ ସିୟାଙ୍କ ବାଲି ଯାତ୍ରା ନିର୍ଦ୍ଧାରିତ ଥିଲା। ଏହି ଯାତ୍ରାକୁ ବାତିଲ କରି ଭାରତରେ ହିଁ ରହିବା ପାଇଁ ସିୟା କେତନଙ୍କ ପାସପୋର୍ଟ ଲୁଚାଇ ଦେଇଥିବା ଅଭିଯୋଗ ରହିଛି, ଯାହାଦ୍ୱାରା ସେ ନିଜ ଯୋଜନା ଅନୁଯାୟୀ କେତନଙ୍କୁ ଲୋହାଗଡ଼ କିଲ୍ଲାକୁ ନେଇ ହତ୍ୟା କରିବାକୁ ଚାହୁଁଥିଲେ।

ପ୍ରଥମ ଚେଷ୍ଟା ବିଫଳ ହେବା ପରେ, ସିୟା ଜୁନ୍ ୧୪ରେ ଦ୍ୱିତୀୟ ଥର ପାଇଁ କେତନଙ୍କୁ ଲୋହାଗଡ଼ କିଲ୍ଲାକୁ ଯିବାକୁ ରାଜି କରିଥିଲେ। ସେଠାରେ ସେ କେତନଙ୍କୁ ଏକ ଖାଇକୁ ଠେଲି ଦେଇଥିବା ଅଭିଯୋଗ ରହିଛି। କିନ୍ତୁ ଭାଗ୍ୟବଶତଃ ଏକ ଗଛର ସାହାରାରୁ କେତନଙ୍କ ଜୀବନ ବଞ୍ଚିଯାଇଥିଲା।

ଏହି ଘଟଣା ବିଷୟରେ କେତନ ପଚାରିବା ପରେ, ସିୟା ସାପଠାରୁ ବଞ୍ଚାଇବାକୁ ଯାଇ ଏପରି କରିଥିବା କହି ମିଛ ବାହାନା କରିଥିଲେ। କେତନ ତାଙ୍କ କଥାକୁ ସତ ବୋଲି ବିଶ୍ୱାସ କରିଥିଲେ।

ଏହା ପରେ, ଜୁନ୍ ୧୯ରେ ସିଆଙ୍କ ଜନ୍ମଦିନ ପାଳନ ପାଇଁ କେତନ ମହାବଳେଶ୍ୱରର ଏକ ବିଳାସପୂର୍ଣ୍ଣ ରିସର୍ଟ ବୁକ୍ କରିଥିଲେ। କିନ୍ତୁ ତା'ର ଠିକ୍ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଜୁନ୍ ୧୮ରେ, ସିୟା ପ୍ରି-ୱେଡିଂ ଫଟୋଶୁଟ୍‌ର ବାହାନା ଦେଇ କେତନଙ୍କୁ ତୃତୀୟ ଥର ପାଇଁ ସେହି ଲୋହାଗଡ଼ କିଲ୍ଲାକୁ ଡାକିଥିଲେ। କେତନ ପାହାଡ଼ର ଦୃଶ୍ୟ ଦେଖିବା ସମୟରେ ସିୟା ଓ ଚେତନ ମିଶି ତାଙ୍କୁ ପଛପଟୁ ଠେଲି ଦେଇଥିଲେ। ଘଟଣାସ୍ଥଳରେ କେତନଙ୍କ ମୃତ୍ୟୁ ହୋଇଥିଲା।