10 JULY 2026

Welcome!

Unlock your personalized experience.
Sign Up

Blue revolution: ଓଡ଼ିଶାରୁ ନୀଳ ବିପ୍ଳବ ଆରମ୍ଭ: ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

Jul 10, 2026 - 02:43
Blue revolution: ଓଡ଼ିଶାରୁ ନୀଳ ବିପ୍ଳବ ଆରମ୍ଭ: ଅନ୍ତର୍ଜାତୀୟ ଜଳସୀମାରେ ମାଛ ଧରିବେ ଓଡ଼ିଆ ମତ୍ସ୍ୟଜୀବୀ

ଭୁବନେଶ୍ବର: ଦେଶର ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ର ଓ ପ୍ରଗତିଶୀଳ ‘ନୀଳ ଅର୍ଥ ବ୍ୟବସ୍ଥା’ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଉପରାଷ୍ଟ୍ରପତି ସି.ପି.ରାଧାକୃଷ୍ଣନ୍ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ପ୍ରାଧିକରଣପତ୍ର (ଏଲ୍‌ଓଏ)ର ଜାତୀୟ ଶୁଭାରମ୍ଭ କରିଛନ୍ତି। ଏହାସହ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିସନ ଡକୁମେଣ୍ଟ (୨୦୨୬-୨୦୩୬)କୁ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି।

Customs Duty: ଇଲେକ୍ଟ୍ରୋନିକ୍ସ, ବ୍ୟାଟେରି ଉପକରଣ ସୀମା ଶୁଳ୍କ ଛାଡ଼

ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ରାଧାକୃଷ୍ଣନ୍ କହିଲେ, ଭାରତୀୟ-ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର-ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା ୨୦୨୫ ଅଧୀନରେ ପ୍ରାଧିକରଣପତ୍ର ହାସଲ ବାଧ୍ୟତାମୂଳକ। ଏହି ‘ଏଲଓଏ’ କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ। ଏହା ଅଣ-ହସ୍ତାନ୍ତରଯୋଗ୍ୟ ଓ ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଏହା ‘ରିଅଲକ୍ରାଫ୍ଟ ମାଛଧରା ଜାହାଜ ପଞ୍ଜୀକରଣ ପୋର୍ଟାଲ୍’ ସହିତ ସମନ୍ୱିତ ହୋଇଥିବାରୁ ବ୍ୟବସ୍ଥିତ, ତଥ୍ୟ ପରିଚାଳିତ ଓ ପ୍ରତ୍ୟକ୍ଷ ନିରୀକ୍ଷଣଯୋଗ୍ୟ କାର୍ଯ୍ୟ ସୁନିଶ୍ଚିତ ହୋଇଥାଏ। ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଥିଲେ, ଦେଶର ଦୀର୍ଘ ଉପକୂଳ ଓ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ୍‌) ଦେଶର ପ୍ରାୟ ୫୦ ନିୟୁତ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ କରୁଛି। ଏହି ଏଲ୍‌ଓଏ କାର୍ଯ୍ୟକ୍ରମ ଦ୍ୱାରା ଦେଶର ମତ୍ସ୍ୟଜୀବୀ ପରିବାରଗୁଡିକ ସ୍ୱଚ୍ଛଳ ଓ ସମୃଦ୍ଧ ହୋଇପାରିବେ। ଓଡ଼ିଶା ଭଳି ରାଜ୍ୟ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେବ। 

ଜାହାଜ ପାଇଁ ‘ଏଲ୍‌ଓଏ’ ବାଧ୍ୟତାମୂଳକ, ସମୁଦ୍ର ମାଛଧରାରେ ସ୍ୱଚ୍ଛତା ଆସିବ: ଉପରାଷ୍ଟ୍ରପତି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ, ଗତବର୍ଷ ଡିସେମ୍ବରରେ ଗୁଜରାଟର ଭେରାଭଲରୁ ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର (ଇଇଜେଡ୍‌)ରେ ମାଛ ଧରିବା ପାଇଁ ‘ଆକ୍ସେସ୍ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଏପର୍ଯ୍ୟନ୍ତ ଦେଶର ୫ ହଜାର ମତ୍ସ୍ୟଜୀବୀ ଏହି ପାସ୍ ପାଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୮୬୬ ଜଣ ଅଛନ୍ତି। ସେହିପରି ପ୍ରାଧିକରଣପତ୍ର (ଏଲ୍‌ଓଏ) ପ୍ରଦାନ ପ୍ରକ୍ରିୟାରେ ଓଡ଼ିଶାର ୮ ଜଣ ମତ୍ସ୍ୟଜୀବୀଙ୍କୁ ଦିଆଯାଇଛି। ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ ଅଧୀନରେ ଭାରତୀୟ ଇଇଜେଡ୍ ଅଞ୍ଚଳରେ ମାଛ ଧରିବା ପାଇଁ ୨ଟି ଗଭୀର ସମୁଦ୍ର ମାଛଧରା ଜାହାଜକୁ ମଧ୍ୟ ଅନୁମତି ଜାରି କରାଯାଇଛି। 

GDP: ଆଇଏମ୍‌ଏଫ୍‌ ପରେ ଏଡିବି କମାଇଲା ଅଭିବୃଦ୍ଧି ଆକଳନ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ପାରାଦୀପ, ଧାମରା, ଗୋପାଳପୁର ବନ୍ଦର ସହିତ ଚାନ୍ଦିପୁର, ଅସ୍ତରଙ୍ଗ ଭଳି ସ୍ଥାନରେ ଫିସ୍ ଲ୍ୟାଣ୍ଡିଂ ସେଣ୍ଟର, ହୋଲ୍‌ସେଲ୍‌ ମାର୍କେଟ୍‌, ଆକ୍ୱା ପାର୍କ ଆଦି ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ‘ରିଅଲ୍ କ୍ରାଫ୍ଟ’ ପୋର୍ଟାଲ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ଅନ୍‌ଲାଇନ୍ ଓ ସ୍ୱଚ୍ଛ ପ୍ରକ୍ରିୟାରେ ଏହି ବ୍ୟବସ୍ଥା ପରିଚାଳିତ ହେଉଛି। ଆଗାମୀ ୧୦ ବର୍ଷ ମଧ୍ୟରେ ସମୁଦ୍ରରେ ୧୫୦ଟି ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରାଧିକରଣପତ୍ରର ଶୁଭାରମ୍ଭ ମତ୍ସ୍ୟଜୀବୀମାନଙ୍କୁ ଆଧୁନିକ ଓ ସଶକ୍ତ କରିବ। ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନି ପାଇଁ ବିପୁଳ ସମ୍ଭାବନା ରହିଛି। ପଡ଼ୋଶୀ ରାଜ୍ୟଗୁଡ଼ିକ ଏ କ୍ଷେତ୍ରରେ ଆଗରେ ଥିଲେ ମଧ୍ୟ ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ଓ ବ୍ୟବସାୟ ବଢ଼ିବାରେ ଲାଗିଛି। ମତ୍ସ୍ୟଜୀବୀମାନଙ୍କୁ ଯେଉଁ ସୁବିଧା ସୁଯୋଗ ଦିଆଯାଉଛି, ତାହା ଜାରି ରହିଲେ ଓଡ଼ିଶା ଖୁବ୍‌ଶୀଘ୍ର ମତ୍ସ୍ୟ ଉତ୍ପାଦନ ଓ ରପ୍ତାନିରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିବ। କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଲେ, ଗଭୀର ସମୁଦ୍ରର ବିପୁଳ ସାମୁଦ୍ରିକ ସମ୍ପଦର ସ୍ଥାୟୀ ଓ ସୁନିୟୋଜିତ ବ୍ୟବହାର ପାଇଁ ବ୍ୟାପକ ନୀତିଗତ ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହୋଇଛି। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ, ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କେନ୍ଦ୍ର ମତ୍ସ୍ୟ ବିଭାଗ ସଚିବ ଅଭିଲାଖ ଲିଖୀ ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।