Black Diamond Library:ବ୍ଲାକ ଡାଇମଣ୍ଡ ଉଦ୍ଘାଟନକୁ ଅଢ଼େଇ ବର୍ଷ ବିତିଲାଣି, ଖତ ଖାଉଛି ୨୪ କମ୍ପ୍ୟୁଟର, ଜିଲ୍ଲା ପ୍ରଶାସନ ବେଫିକର
ଅନୁଗୁଳ ୦୧/୦୮: ପାଠକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା । କେବଳ ପାଠ୍ୟ ପୁସ୍ତକ ଉପଲବ୍ଧ ହେବନି, ୱାଇଫାଇ ସେବା ସାଙ୍ଗକୁ କମ୍ପ୍ୟୁଟରରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ବ୍ଲାକ୍ ଡାଇମଣ୍ଡରେ ପରିଚାଳିତ ବିଶ୍ୱସ୍ତରୀୟ ପାଠାଗାରକୁ ନେଇ ଏମିତି ରଙ୍ଗୀନ୍ ସ୍ୱପ୍ନ ଦେଖାଇଥିଲା ଜିଲ୍ଲା ପ୍ରଶାସନ । ମାତ୍ର ଉଦ୍ବେଗର ବିଷୟ, ବ୍ଲାକ ଡାଇମଣ୍ଡ ଉଦ୍ଘାଟନକୁ ଅଢ଼େଇ ବର୍ଷ ବିତିଲାଣି । ହେଲେ ଏଯାବତ୍ ଇ-ଲାଇବ୍ରେରୀ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ । ସେପଟେ ଇ-ଲାଇବ୍ରେରୀ ପାଇଁ କିଣାଯାଇଥିବା ୨୪ଟି କମ୍ପ୍ୟୁଟର ପଡ଼ିରହିଛି । ଏହାକୁ ଚାଲୁ କରିବାକୁ ଜିଲ୍ଲା ପ୍ରଶାସନର ସତେଯେମିତି ଆନ୍ତିରକତା ନାହିଁ । ବିନା କମ୍ପ୍ୟୁଟର ଓ ୱାଇଫାଇରେ ଇଏ କେମିତିକା ବିଶ୍ୱସ୍ତରୀୟ ଲାଇବ୍ରେରୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଧିକ ପଢ଼ନ୍ତୁ :- Pitabas Panda Murder Case: ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ
ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରାୟ ୩୬ କୋଟି ବିନିମୟରେ ନିର୍ମାଣ ହୋଇଛି ବ୍ଲାକ ଡାଇମଣ୍ଡ । କୋଇଲା ଆକୃତିର ଏହି କୋଠାରେ ଲାଇବ୍ରେରୀ ଓ ମ୍ୟୁଜିୟମ୍ ରହିଛି । ବିଶ୍ୱସ୍ତରୀୟ ପାଠାଗାର ବୋଲି ଜିଲ୍ଲା ପ୍ରଶାସନ କେବଳ ଡିଣ୍ଡିମ ପିଟୁଥିବା ବେଳେ ପ୍ରଶାସନିକ ଉଦାସୀନତା କାରଣରୁ ଇ-ଲାଇବ୍ରେରୀ ମାଟି କାମୁଡିଛି । ଭିତ୍ତିଭୂମି ଥିବା ସତ୍ତେ୍ୱ ବିଦ୍ୟାର୍ଥୀଙ୍କୁ ଏହାର ସୁଫଳ ମିଳୁନି ।
ଜିଲ୍ଲା ସଦର ମହକୁମାରେ ସଂସ୍କୃତି ବିଭାଗର ଏକ ପାଠାଗାର ରହିଛି । ଏହି ପୁରାତନ ପାଠାଗାର ନିଃଶୁଳ୍କ ଥିବା ବେଳେ ବ୍ଲାକ ଡାଇମଣ୍ଡକୁ ଦେୟଯୁକ୍ତ କରାଯାଇଛି । ପ୍ରତିଦିନ ୨୦ ଟଙ୍କାର ପ୍ରବେଶ ଫି’ ଦେବାକୁ ହେବ । ଏହାଛଡା ପାଠକ ପାଠିକା ମାସିକ ୧୫୦ ଟଙ୍କାର ଦେୟ ପୈଠ କରି ପାଠାଗାରର ସୁବିଧା ନେଉଛନ୍ତି । ଏହି ଅତ୍ୟାଧୁନିକ ପାଠାଗାରରେ ପ୍ରାୟ ୩୦ ହଜାର ପୁସ୍ତକ ରହିଛି । ଭଲ ପୁସ୍ତକ, ବିଶେଷ କରି ଅଧିକ ଇଂରାଜୀ ପୁସ୍ତକ ଉପଲବ୍ଧ ଥିବାରୁ ପାଠକ ଆଗ୍ରହ ପ୍ରକାଶ କରୁଛନ୍ତି । ମାତ୍ର ଇଣ୍ଟର୍ନେଟ୍ ଓ କମ୍ପ୍ୟୁଟର ସୁବିଧା ନଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ଝାଡୁଛନ୍ତି । ୨୪ଟି କମ୍ପ୍ୟୁଟର ଥିବା ସତ୍ତେ୍ୱ କାର୍ଯ୍ୟକ୍ଷମ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅପରପକ୍ଷରେ ପାଣ୍ଠିର ଅଭାବ ଦର୍ଶାଇ ପୂର୍ବରୁ ଜିଲ୍ଲା ପ୍ରଶାସନ ନିରବ ମୁଦ୍ରାରେ ବସିଥିଲା । ଏବେ ପ୍ରଶାସନ ଇ-ଲାଇବ୍ରେରୀକୁ ସମ୍ପୂର୍ଣ୍ଣ ଭାବେ ପାସୋରି ଦେଇଛି । ବ୍ଲାକ୍ ଡାଇମଣ୍ଡର ପରିଚାଳନା ଦାୟିତ୍ୱରେ ନିଜାରତ ବିଭାଗରେ ଥିବା ବେଳେ କତ୍ତୃ ର୍ପକ୍ଷ ବେଫିକର ହୋଇ ବସିଛନ୍ତି । ଏ ସଂକ୍ରାନ୍ତରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି, ଇ-ଲାଇବ୍ରେରୀ ତିଆରି କରିଥିବା ମୂଳସଂସ୍ଥା କାମ ସମ୍ପୂର୍ଣ୍ଣ ନକରି ଚାଲିଯାଇଛି । ଯେଉଁ ଢଙ୍ଗରେ ଇ-ଲାଇବ୍ରେରୀ ବ୍ୟବସ୍ଥା ହୋଇଛି, ଟେକ୍ନିକାଲ୍ କାମ କୌଣସି ସ୍ଥାନୀୟ ସଂସ୍ଥା କରିବା ସମ୍ଭବ ନୁହଁ । ପାଣ୍ଠିକୁ ନେଇ କୌଣସି ସମସ୍ୟା ନାହିଁ । ମୂଳସଂସ୍ଥା ସହିତ ଯୋଗାଯୋଗ କରି ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।