Bhubaneswar Hit-and-Run Horror: ରାଜଧାନୀରେ ପୁଣି ଛାତିଥରା ହିଟ୍ ଆଣ୍ଡ୍ ରନ୍ କେସ୍, କିଲ୍ ବିଲ୍ କରି କରି ମାରିଲା କିଲର୍ ଗାଡ଼ି

Jul 26, 2026 - 20:26
Bhubaneswar Hit-and-Run Horror: ରାଜଧାନୀରେ ପୁଣି ଛାତିଥରା ହିଟ୍ ଆଣ୍ଡ୍ ରନ୍ କେସ୍, କିଲ୍ ବିଲ୍ କରି କରି ମାରିଲା କିଲର୍ ଗାଡ଼ି

ରବିବାର ଭୋରରେ ଏଭଳି ଏକ ଛାତିଥରା ଦୁର୍ଘଟଣା ଘଟିଛି ଭୁବନେଶ୍ବର ପାତ୍ରପଡ଼ା ଫୁଟ୍ ଓଭର ବ୍ରିଜ୍ ନିକଟରେ। ଆଉ ମୃତଦେହ ଉଦ୍ଧାର ହୋଇଛି ବରମୁଣ୍ଡା ବସଷ୍ଟାଣ୍ଡ ସମ୍ମୁଖ ରାସ୍ତାରୁ। ଏ କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏ ଦୁର୍ଘଟଣା ଘଟିଛି ଜାତୀୟ ରାଜପଥ ଉପରେ। ଏହି ହିଟ୍ ଆଣ୍ଡ ରନ୍ ମାମଲାରେ ଚାଲିଯାଇଛି ଖୋର୍ଦ୍ଧା ବେଗୁନିଆର ହାଡୁ ମଲ୍ଲିକଙ୍କ ନାମକ ଜଣେ ମାଛ ବ୍ୟବସାୟୀଙ୍କ ଜୀବନ। ବଡ଼ି ଭୋରରୁ ମାଛ ନେବା ପାଇଁ ଭୁବନେଶ୍ବର ଆସୁଥିଲେ। ହେଲେ ଭୋର୍ ୪ଟା ବେଳେ ଓଭର ବ୍ରିଜ୍ ନିକଟରେ ଜଗି ବସିଥିଲା ଯମ। ରାସ୍ତା କଡ଼ରେ ନିଜର ଜଣେ ସହଯୋଗୀଙ୍କ ସହ ଛିଡା ହୋଇଥିବା ବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡ଼ି। ରାସ୍ତା ଉପରେ ସେ ଗୁରୁତର ଅବସ୍ଥାରେ ପଡ଼ିଥିବା ବେଳେ ଆଉ ଏକ ଗାଡ଼ି ତାଙ୍କୁ ପ୍ରାୟ ୨ କିଲୋମିଟର ଦୂରକୁ ଟାଣି ନେଇଯାଇଥିଲା। ଆଜି ସକାଳୁ ବରମୁଣ୍ଡା ନିକଟରୁ ଉଦ୍ଧାର ହୋଇଥିଲା ମୃତଦେହ। ଦୁର୍ଘଟଣା ଘଟାଇ ଫେରାର୍ ହୋଇଯାଇଥିବା ଗାଡ଼ିଟିି ଏକ ଡଂପର ବୋଲି ପୋଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଗୁରୁତର ଆହତ ହୋଇଥିବା ସହଯୋଗୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିବା ପରେ ଘଟଣାସ୍ଥଳରେ ଡିସିପି ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ତୁରନ୍ତ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଏହି ଘଟଣା ନୁହେଁ, ଗତକାଲି ମଧ୍ୟ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଦୁର୍ଘଟଣାରେ ଚାଲିଯାଇଥିଲା ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ। ଦଶମ ଶ୍ରେଣୀରେ ପଢୁଥିବା ନିଜ ଝିଅକୁ ଧରି ସ୍କୁଲରୁ ସ୍କୁଟିରେ ଧରି ଫେରୁଥିବା ବେଳେ ବାପା-ଝିଅଙ୍କୁ ପଛରୁ ପିଟିଥିଲା ହାଇୱା। ଆଉ ଘଟଣା ସ୍ଥଳରେ ହିଁ ଚାଲି ଯାଇଥିଲା ବାପାଙ୍କ ଜୀବନ। ଝିଅ ଗୁରୁତର ଆହତ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।  ସେପଟେ ରାଜପଥ ଉପରେ ବଢୁଥିବା ଦୁର୍ଘଟଣା, ତାସହିତ ହିଟ୍ ଆଣ୍ଡ ରନ୍ ମାମଲାକୁ ନେଇ ଚିନ୍ତା ବଢିଛି।

ସଚେତନତା ପରେ ବି ବଢୁଛି ଦୁର୍ଘଟଣା, ବଢୁଛି ମୃତ୍ୟୁସଂଖ୍ୟା। ବିଧାନସଭା ତଥ୍ୟ ଅନୁଯାୟୀ, ୨୦୨୪ରେ ରାଜ୍ୟରେ ଦୈନିକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୧୭ ଥିବା ବେଳେ ଆହତଙ୍କ ସଂଖ୍ୟା ଥିଲା ୩୦। ୨୦୨୫ରେ ଦୈନିକ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।