Bhadrak Faces Rising Snake Threat: କେବେ ଡ୍ରଇଂ ରୁମ୍, ପୁଣି କେବେ ବେଡ୍ ରୁମ; ଭଦ୍ରକ ଜିଲ୍ଲାରେ ବିଷଧର ସାପ ଆତଙ୍କ
କେତେବେଳେ ଡ୍ରଇଂ ରୁମର ସୋଫା ଭିତରୁ... ତ କେତେବେଳେ ଶୋଇବା ଘର ମଶାରୀ ଭିତରୁ... ଆଉ କେତେବେଳେ ବେଡ୍ ରୁମର ତକିଆ ତଳୁ। କେବେ ବିଷଧର ନାଗ, ତେବେ ମହାବିଷଧର ଗୋଖର। ଭଦ୍ରକ ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାର ଏ ଚିତ୍ର ନିତିଦିନିଆ। ଜୁଲାଇ ୧୧ ତାରିଖ। ଭଣ୍ଡାରିପୋଖରୀ ବ୍ଲକ ବାହାଦୁଲ ନଗରରେ ଜଣେ ମହିଳା ଘର ଭିତରେ ଶୋଇଥିଲା ବେଳେ ଏକ ନାଗ ତାଙ୍କ ମୁଣ୍ଡ ଉପରେ ଗର୍ଜନ କରୁଥିଲା। ପରେ ତାକୁ ଉଦ୍ଧାର କରିଥିଲେ ସ୍ନେକ୍ ହେଲପ୍ ଲାଇନ ସଦସ୍ୟ। ଜୁନ୍ ୧୯। ଭଦ୍ରକ ବ୍ଳକ୍ ଭଟପୁର ଗାଁରେ ସନାତନ ବେହେରାଙ୍କ ଘରୁ ବାହାରିଥିଲା ୨ଟି ବଡ଼ ନାଗ ସହ ୨୭ଟି ନାଗଛୁଆ, ତା ସହ ପୁଳା ପୁଳା ଅଣ୍ଡା। ସେହିଭଳି ଜୁନ୍ ୨୩ ତାରିଖରେ ବନ୍ତ ବ୍ଳକ୍ ତରାଗ ଗାଁରେ ସୁରେନ୍ଦ୍ର ସାମଲଙ୍କ ଘରୁ ବାହାରିଥିଲେ ୨ଟି ବଡ଼ ନାଗ ସାପ ସହ ୨୯ଟି ସାପଛୁଆ। ତେବେ କ୍ୟାମେରାରେ କଏଦ ହୋଇଥିବା ଇଏ କେବଳ ନମୂନା ମାତ୍ର। କୁହାଯାଉଛି ଭଦ୍ରକ ଜିଲ୍ଲାର ଏଇ ଭଳି ବିଷଧର ସାପ ଉଦ୍ଧାର ଘଟଣା ବାରମ୍ବାର ସାମ୍ନାକୁ ଆସୁଛି।
ଇଏତ ଗଲା ସାପ ଉଦ୍ଧାର ଘଟଣା। ଏବେ ଜାଣନ୍ତୁ ଭଦ୍ରକ ଜିଲ୍ଲାର ସାପ କାମୁଡାରେ ଗଲାଣି କେତେ ଜୀବନ। ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭଦ୍ରକ ଜିଲ୍ଲାରେ ଗତ ୫ ବର୍ଷରେ ସାପ କାମୁଡ଼ାରେ ପ୍ରାଣ ହରାଇଲେଣ ୬୦ ଜଣ ଲୋକ। ସେହିପରି ସାପକାମୁଡ଼ାର ଶିକାର ହୋଇଛନ୍ତି ୧୩ ହଜାର ୮୭୧ ଜଣ। ଚଳିତ ବର୍ଷ ଜାନୁଆରୀରୁ ମେ ଭିତରେ ୬୨୨ ଜଣଙ୍କୁ ସାପ କାମୁଡ଼ିଥିବା ବେଳେ କେବଳ ଜୁନ୍ ମାସରେ ୫୧୦ ଜଣ ସାପ କାମୁଡ଼ାର ଶିକାର ହୋଇଛନ୍ତି। ତେବେ କେବଳ ଭଦ୍ରକ ଜିଲ୍ଲାର ଏ ସ୍ଥିତି କାହିଁକି ?
ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ଷାଦିନେ ସାପ ଗାତରେ ସାଧାରଣତଃ ପାଣି ପଶିଯାଉଥିବାରୁ ସାପ ନିଜ ବାସସ୍ଥାନରୁ ବାହାରି ସାମୟିକ ଆଶ୍ରୟ ଖୋଜିଥାଏ। ଏହି ସମୟରେ ସାପ ଜନବସତି କିମ୍ବା ଘରେ ପଶିଯିବାର ଆଶଙ୍କା ଥାଏ। ତେବେ ସାପକୁ ଦେଖିବା ମାତ୍ରେ ଏହାକୁ ଭୟ ନକରି ସାହସର ସହ ସ୍ଥିତି ମୁକାବିଲା କଲେ, ଜୀବନ ଯିବାର ଆଶଙ୍କା କମ୍। ସାପକୁ ଦେଖିବା ମାତ୍ରେ, ଏହାଠାରୁ ନିରାପଦ ଦୂରତା ରକ୍ଷା ସ୍ନେକ୍ ହେଲପ ଲାଇନ୍ ସଦସ୍ୟ କିମ୍ବା ପ୍ରଶିକ୍ଷତ ବ୍ୟକ୍ତିଙ୍କ ସହାୟତା ନେବା ଦରକାର। ସେହିଭଳି ଆକସ୍ମିକ ଭାବେ ସାପ କାମୁଡ଼ାର ଶିକାର ହେଲେ, ଘରୋଇ ଉପଚାର ନକରି ତୁରନ୍ତ ମେଡିକାଲ ଯିବା ଉଚିତ। ଯାହା ଏ କ୍ଷେତ୍ରରେ ହେଉଥିବା ଅଘଟଣର ଆଶଙ୍କାକୁ ରୋକି ପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।