Bar Association Issues ₹5 Lakh Fine Warning: ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଲେ ୫ ଲକ୍ଷ ଜରିମାନା: ଓକିଲ ସଂଘର ଚେତାବନୀ

Jun 29, 2026 - 15:02
Bar Association Issues ₹5 Lakh Fine Warning:  ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ କେସ୍ ଲଢ଼ିଲେ ୫ ଲକ୍ଷ ଜରିମାନା: ଓକିଲ ସଂଘର ଚେତାବନୀ

ଉତ୍ତର ପ୍ରଦେଶର ଫୈଜାବାଦ ବାର ଆସୋସିଏସନ ଅଯୋଧ୍ୟାର ରାମ ମନ୍ଦିର ସହିତ ଜଡିତ ପାଣ୍ଠି ଆତ୍ମସାତ ମାମଲାରେ ଅଭିଯୁକ୍ତଙ୍କ କେସ୍ ନଲଢ଼ିବାକୁ ନିଷ୍ପତ୍ତି ନେଇଛି। ସୋମବାର ଦିନ ଏକ ସାଧାରଣ ପରିଷଦ ବୈଠକରେ ବାର୍ ଆସୋସିଏସନ ଚେତାବନୀ ଦେଇଛି ଯେ ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିଲେ ଯେକୌଣସି ସଦସ୍ୟ (ଓକିଲ)ଙ୍କୁ ୫ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ।

ବୈଠକ ସମୟରେ ଓକିଲମାନେ ବିବାଦ ସହିତ ଜଡିତ ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କୁ ତିନି ଦିନ ମଧ୍ୟରେ ଅଯୋଧ୍ୟା ଛାଡିବାକୁ ଦାବି କରିଥିଲେ । ଯଦି ସେମାନେ ଏହା ନ ମାନନ୍ତି, ତେବେ ସହର ଅବରୋଧ କରିବାକୁ ଧମକ ଦେଇଛନ୍ତି ଓକିଲ। ଚମ୍ପତ ରାୟ ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଥିଲେ ଏବଂ ସମ୍ପ୍ରତି ଅନ୍ୟ ଜଣେ ଟ୍ରଷ୍ଟି ମିଶ୍ରଙ୍କ ସହିତ ପଦରୁ ଇସ୍ତଫା ଦେଇଥିଲେ।

ଏହି ବାର୍ ଆସୋସିଏସନ୍ର ପଦକ୍ଷେପ ୨୦୦୫ ମସିହାରେ ରାମ ମନ୍ଦିର ଆତଙ୍କବାଦୀ ଆକ୍ରମଣ ମାମଲାରେ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ କରିବାକୁ ମନା କରିଦେବାର ନିଷ୍ପତ୍ତିକୁ ମନେ ପକାଇଦେଉଛି ।  "ମନ୍ଦିରର ଦାନ ଚୋରି ଆମର ଭାବନାକୁ ଗଭୀର ଭାବରେ ଆଘାତ ଦେଇଛି," ବାର୍ ଆସୋସିଏସନ୍ ସମ୍ପାଦକ ଶୈଳେନ୍ଦ୍ର ଜୟସ୍ୱାଲ୍ ଏହା କହିଛନ୍ତି। ଫୈଜାବାଦର ସମସ୍ତ ଓକିଲ ଗିରଫ ଅଭିଯୁକ୍ତଙ୍କ ପକ୍ଷ ନ ରଖିବାକୁ ରାଜି ହୋଇଛନ୍ତି।

ନିଷ୍ପତ୍ତି ପରେ ବାର ଆସୋସିଏସନର ସଭାପତି କାଳିକା ପ୍ରସାଦ ମିଶ୍ରଙ୍କର ଏକ ଭିଡିଓ ଭାଇରାଲ ହୋଇଛି। "କେହି ଓକିଲ ଏହି ମାମଲାରେ ଅଭିଯୁକ୍ତଙ୍କ ପ୍ରତିନିଧିତ୍ୱ କରିବେ ନାହିଁ ଏବଂ ଯଦି କେହି ଏପରି କରନ୍ତି, ତେବେ ସେମାନଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ," । ଭିଡିଓ କ୍ଲିପରେ ତାଙ୍କୁ ଏପରି କହୁଥିବାର ଶୁଣିବାକୁ ମିଳିଥିଲା, ଯେତେବେଳେ ତାଙ୍କ ଚାରିପାଖରେ ଥିବା ଓକିଲମାନେ ଏହି  ଘୋଷଣା ବେଳେ ତାଳି ମାରିଥିଲେ।

ବାର୍ ଆସୋସିଏସନ ସଭାପତି କହିଛନ୍ତି, "ଚମ୍ପତ ରାୟ, ଗୋପାଳ ରାଓ ଏବଂ ଅନିଲ ମିଶ୍ରଙ୍କ ଭଳି ଅନ୍ୟ ବ୍ୟକ୍ତିମାନଙ୍କ ଅଜାଣତରେ ଏତେ ବଡ଼ ଘଟଣା ଘଟିପାରିନଥାନ୍ତା।" ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରସିକ୍ୟୁସନର ମାମଲା ପରିଚାଳନା ପାଇଁ ବିଭିନ୍ନ ପଦାଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ଏବଂ ଏ ସମ୍ପର୍କରେ ଏକ ଆନୁଷ୍ଠାନିକ ଚିଠି ଖୁବ୍ ଶୀଘ୍ର ଜାରି କରାଯିବ।

ବାର ଆସୋସିଏସନର ସଭାପତି ଏବଂ ଏହାର ସାଧାରଣ ପରିଷଦ ଏହି ନିଷ୍ପତ୍ତି ଗୋଷଣା କରିବା ସହ କହିଛନ୍ତି, ଆଗାମୀ ଦିନରେ ଆହୁରି ରଣନୀତି ଯୋଜନା କରାଯିବ।
ଏହା ଚମ୍ପତ ରାୟ, ଅନିଲ ମିଶ୍ର ଏବଂ ଗୋପାଳ ରାଓଙ୍କ ବିରୁଦ୍ଧରେ ମାମଲା ପଞ୍ଜିକରଣ ପାଇଁ ଧାରା 156(3) ଅନୁଯାୟୀ କୋର୍ଟକୁ ଆବେଦନ କରିବ ଏବଂ ଏହି ମାମଲାରେ ସିବିଆଇ ତଦନ୍ତ ମଧ୍ୟ ଦାବି କରିବ।

ଅଯୋଧ୍ୟାରେ ମନ୍ଦିର ପାଣ୍ଠିର ଚୋରି କିମ୍ବା ଅନିୟମିତତା ଅଭିଯୋଗର SIT-ତଦାରଖରେ ଚାଲିଥିବା ତଦନ୍ତ ମଧ୍ୟରେ ଏହି ଘଟଣା ଘଟିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରାଯାଇଛି । ମନ୍ଦିର ଟ୍ରଷ୍ଟରୁ ଇସ୍ତଫା ଦେବା ପରେ ପୋଲିସ ଚମ୍ପତ ରାୟଙ୍କ ବୟାନ ମଧ୍ୟ ରେକର୍ଡ କରିଛି।