Bank Loan Pushes Family into Misery: ତଳିତଳାନ୍ତ କରିଦେଲା ବ୍ୟାଙ୍କ ଲୋନ୍, ଗୁହାଳରେ ଜୀବନ ବିତାଉଛନ୍ତି ୫ଜଣ
ତଳିତଳାନ୍ତ କରିଦେଲା ବ୍ୟାଙ୍କ ଲୋନ୍
୨ ମହଲା କୋଠାରୁ ସିଧା ଗୁହାଳ
ଋଣ ବୋଝ ତଳେ ଚାପି ହୋଇଗଲା ୫ ଜୀବନ
ଦିନେ ଦୁଇ ମହଲା କୋଠା ଘର ହସଖୁସିରେ ଫାଟି ପଡୁଥିଲା। ହେଲେ ଆଜି ସେହି ଘର କବାଟରେ ଝୁଲୁଛି ବ୍ୟାଙ୍କର ତାଲା। ଯେଉଁ ଗୁହାଳରେ କାଲି ଗାଈ ବନ୍ଧା ହେଉଥିଲା, ଆଜି ସେଠି ଆଶ୍ରୟ ନେଇଛନ୍ତି ବିଧବା ମାଆ, ସାନପୁଅ, ବୋହୁ, ନାତି ଓ ବଢ଼ିଲା ଝିଅ। ନା କବାଟ ଅଛି, ନା ଝରକା। ମୁଣ୍ଡଉପରେ ଛାତ ନାଁରେ ଭଙ୍ଗା ଟିଣ। ନାଳ କଡ଼ରେ ରୋଷେଇ ହେଉଛି, ଆଉ ରାତି ହେଲେ ଅନ୍ଧାର ଭୟରେ ଥରି ଥରି ଏମାନେ ଶୋଇପଡ଼ୁଛନ୍ତି।
ଋଣର ନିଷ୍ଠୁର ପରିଣତି ଭୋଗୁଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ନଳାଙ୍ଗ ଗାଁର ସ୍ୱର୍ଗତ ବାବାଜୀ ସାହୁଙ୍କ ପରିବାର। ସେମାନଙ୍କ ଅଭିଯୋଗ ମୁତାବକ, ବାବାଜୀ ବଞ୍ଚିଥିବା ବେଳେ ବଡ଼ପୁଅ କାହ୍ନୁଚରଣ ବ୍ୟାଙ୍କରୁ ଋଣ ନେଇ ଏଇ ଦୁଇ ମହଲା ଘର ତିଆରି କରିଥିଲେ। କିନ୍ତୁ ପରେ ଋଣ ନଶୁଝିବାରୁ ସୁଧ ବଢ଼ି ବଢ଼ି ୧୩ ଲକ୍ଷ ୧୫ ହଜାର ୩୦୬ ଟଙ୍କାରେ ପହଞ୍ଚିଲା। ବ୍ୟାଙ୍କ ବାରମ୍ବାର ନୋଟିସ ଦେଲା, କିନ୍ତୁ କୌଣସି ସମାଧାନ ବାହାରିଲା ନାହିଁ। ଶେଷରେ ଗତ ଜୁନ୍ ୨୪ ତାରିଖରେ ବ୍ୟାଙ୍କ ଅଧିକାରୀ ପହଞ୍ଚି ଘର ଖାଲି କରାଇ ସିଲ୍ କରିଦେଲେ।
ମାତ୍ର ଚାରି ମାସ ତଳେ ପରିବାରର ମୁରବି ବାବାଜୀ ସାହୁଙ୍କ ମୃତ୍ୟୁ ହୋଇଥିଲା। ସେହି ଦୁଃଖ ନ ସରୁଣୁ ଏବେ ମୁଣ୍ଡ ଉପରୁ ଛାତ ମଧ୍ୟ ଚାଲିଗଲା। ଏବେ ୫ ପ୍ରାଣୀ କୁଟୁମ୍ୱ ବାହାର ଗୁହାଳରେ ଦିନ କାଟୁଛନ୍ତି। ସେପଟେ ଏବେ ପରିବାରର ସବୁ ଦାୟିତ୍ୱ ସାନପୁଅ କମଳାକାନ୍ତଙ୍କ ଉପରେ। ହେଲେ ସେ ଜଣେ ରଙ୍ଗମିସ୍ତ୍ରୀ, ଦିନକୁ ଯାହା ମିଳୁଛି, ସେଥିରେ ପେଟ ପୋଷିବା କଷ୍ଟ। ଏତେ ବଡ଼ ଋଣ ଶୁଝିବା ତାଙ୍କ ପାଇଁ ଅସମ୍ଭବ ବୋଲି କହୁଛନ୍ତି ପରିବାର ଲୋକେ।
ପରିବାରର ଅଭିଯୋଗ, ବଡ଼ପୁଅ କାହ୍ନୁଚରଣ ଋଣ ନେଇଥିଲେ । ହେଲେ ଚାକିରି ପାଇବା ପରେ ସବୁ ଦାୟିତ୍ୱରୁ ଦୂରେଇ ଗଲେ । ଏନେଇ ଆମେ ବଡ଼ପୁଅ କାହ୍ନୁଚରଣଙ୍କୁ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ଅନ୍ୟପଟେ ବ୍ୟାଙ୍କର ଏନଫୋର୍ସମେଣ୍ଟ ଏଜେନ୍ସି କହିଛି, ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଘରକୁ ସିଲ୍ କରାଯାଇଛି। ବର୍ତ୍ତମାନ ନିଲାମ ପୂର୍ବରୁ ପରିବାରକୁ ଋଣ ସୁଝିବାକୁ ୩୦ ଦିନର ସମୟ ଦିଆଯାଇଛି ।
ପ୍ରଶ୍ନ ଉଠୁଛି, ଏଠି ଦୋଷ କାହାର? ଋଣ ନେଇଥିବା ଲୋକର? ପରିସ୍ଥିତିର? ନା ଏହି ନିର୍ଦ୍ଦୋଷ ପରିବାରର? ଯେଉଁମାନେ ଆଜି ନିଜ ଘର ସାମ୍ନାରେ ଠିଆ ହୋଇ ମଧ୍ୟ ବାସହରା ।