Bamana Janma: କାହିଁକି ରାଜା ବଳିଙ୍କୁ ପାତାଳକୁ ଚାପିଦେଲେ ବାମନ? ଶ୍ରୀମନ୍ଦିରରେ କେମିତି ପାଳନ ହୁଏ ବାମନ ଜନ୍ମ?

ବାମନ ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର, ଯିଏକି ତ୍ରେତୟା ଯୁଗରେ ନରସିଂହ ଅବତାର ପରେ ଆବିର୍ଭାବ ହୋଇଥିଲେ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖ

04 September 2025 09:45 PM IST
Bamana Janma: କାହିଁକି ରାଜା ବଳିଙ୍କୁ ପାତାଳକୁ ଚାପିଦେଲେ ବାମନ? ଶ୍ରୀମନ୍ଦିରରେ କେମିତି ପାଳନ ହୁଏ ବାମନ ଜନ୍ମ?

ବାମନ ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର, ଯିଏକି ତ୍ରେତୟା ଯୁଗରେ ନରସିଂହ ଅବତାର ପରେ ଆବିର୍ଭାବ ହୋଇଥିଲେ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖଳା ପୁନଃସ୍ଥାପନ କରିବା।

ଯେତେବେଳେ ପୃଥିବୀରେ ଧର୍ମ ,ନୈତିକତା, ନ୍ୟାୟ, ସତ୍ୟଆଦି ଦୁର୍ବଳ ହୁଏ ଏବଂ ଅଧର୍ମ ,ଅନ୍ୟାୟ, ପାପ, ଅଶାନ୍ତିଆଦି ବୃଦ୍ଧି ପାଏ, ସେତେବେଳେ ସୃଷ୍ଟିର ସନ୍ତୁଳନ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ରୂପେ ପୃଥିବୀକୁ ଆଗମନ କରନ୍ତି।ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କୁ ପାଳନକର୍ତ୍ତା ବା ସଂରକ୍ଷକ ରୂପେ ବିବେଚନା କରାଯାଏ। ଏହା ହିଁ ବିଷ୍ଣୁଙ୍କ ଦଶାବତାରର ମୂଳ ଉଦ୍ଦେଶ୍ୟକୁ ସୂଚାଏ।

ତାଙ୍କର ସମସ୍ତ ଅବତାରମାନଙ୍କ ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି ଦଶାବତାର। ସୃଷ୍ଟିର ସନ୍ତୁଳନ ରକ୍ଷା କରିବା, ଧର୍ମ ପ୍ରତିଷ୍ଠା କରିବା ଏବଂ ଅଧର୍ମର ବିନାଶ ପାଇଁ ବିଷ୍ଣୁ ବିଭିନ୍ନ ରୂପରେ ପୃଥିବୀରେ ଅବତାର ଗ୍ରହଣ କରିଥାନ୍ତି। ଏହି ଅବତାରଗୁଡ଼ିକ ହିନ୍ଦୁ ପୁରାଣରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି ଏବଂ ଏହା ମାନବ ଜାତିର ବିକାଶ, ନୈତିକତା ଓ ଆଧ୍ୟାତ୍ମିକତାର ପ୍ରତୀକ ଅଟେ।

ବିଷ୍ଣୁଙ୍କ ଦଶ ଅବତାର

ସତ୍ୟଯୁଗରେ ବିଷ୍ଣୁ ତାଙ୍କର ପ୍ରଥମ ଅବତାର ମତ୍ସ୍ୟ ରୂପରେ ମନୁଙ୍କୁ ଏକ ନୌକାରେ ରକ୍ଷା କରିଥିଲେ ଏବଂ ବେଦମାନଙ୍କୁ ଅସୁର ହୟଗ୍ରୀବଠାରୁ ଉଦ୍ଧାର କରିଥିଲେ। ଦ୍ୱିତୀୟ ଅବତାରରେ ବିଷ୍ଣୁ କଚ୍ଛପ ରୂପ ଧାରଣ କରି ମନ୍ଦର ପର୍ବତକୁ ନିଜ ପିଠିରେ ସ୍ଥିର ରଖି ସମୁଦ୍ର ମନ୍ଥନ ସମୟରେ ଦେବତା ଓ ଅସୁରମାନଙ୍କୁ ସାହାଯ୍ୟ କରିଥିଲେ।

ତୃତୀୟ ଅବତାରରେ ବିଷ୍ଣୁ ମହାପ୍ରଳୟ କାଳରେ ପୃଥିବୀ ଜଳମଗ୍ନ ହୋଇଥିବା ସମୟରେ ବରାହ ଅବତାର ହୋଇ ତାହାକୁ ଦାନ୍ତରେ ଧାରଣ କରିଥିଲେ। ଚତୁର୍ଥ ଅବତାରରେ ବିଷ୍ଣୁ ଅର୍ଦ୍ଧ ମନୁଷ୍ୟ ଓ ଅର୍ଦ୍ଧ ସିଂହ ରୂପେ ଅସୁର ହିରଣ୍ୟକଶିପୁକୁ ବଧ କରି ତାଙ୍କ ଭକ୍ତ ପ୍ରହ୍ଲାଦଙ୍କୁ ରକ୍ଷା କରିଥିଲେ। ଏହା ଧର୍ମ ଓ ଭକ୍ତିର ବିଜୟକୁ ଦର୍ଶାଏ। ପଞ୍ଚମ ଅବତାରରେ ବିଷ୍ଣୁ ବାମନ ରୂପରେ ରାଜା ବଳିଙ୍କଠାରୁ ତିନି ପାଦରେ ତିନି ଲୋକ ମାଗି ନେଇ ଅହଂକାରର ଦମନ କରିଥିଲେ। ଷଷ୍ଠ ଅବତାରରେ ବିଷ୍ଣୁ ପର୍ଶୁରାମ ରୂପେ କ୍ଷତ୍ରିୟମାନଙ୍କ ଅତ୍ୟାଚାରରୁ ପୃଥିବୀକୁ ମୁକ୍ତ କରିଥିଲେ। ସପ୍ତମ ଅବତାର ଶ୍ରୀରାମ ରାମାୟଣର ନାୟକ ଅଟନ୍ତି। ସେ ରାବଣକୁ ବଧ କରି ଧର୍ମ, ନୈତିକତା ଓ ମର୍ଯ୍ୟାଦାର ଆଦର୍ଶ ପ୍ରତିଷ୍ଠା କରିଥିଲେ। ବିଷ୍ଣୁଙ୍କ ଅଷ୍ଟମ ଅବତାର ରୂପ ହେଉଛନ୍ତି କୃଷ୍ଣ ।ସେ ମହାଭାରତର ମୁଖ୍ୟ ଚରିତ୍ର। ସେ ଅସୁରମାନଙ୍କୁ ବଧ କରି ଓ ଗୀତା ମାଧ୍ୟମରେ ଜ୍ଞାନ ପ୍ରଚାର କରି ଧର୍ମ ପ୍ରତିଷ୍ଠା କରିଥିଲେ।ନବମ ଅବତାରରେ ଗୌତମ ବୁଦ୍ଧ ବିଷ୍ଣୁଙ୍କ ଅବତାର ରୂପେ ଅହିଂସା, ଜ୍ଞାନ ଓ ସମ୍ୟକ ଜୀବନଶୈଳୀର ଶିକ୍ଷା ଦେଇଥିଲେ। ଦଶମ ଓ ଶେଷ ଅବତାର କଳ୍କି ରୂପ କଳିଯୁଗରେ ଆଗମନ କରିବେ ବୋଲି ବିଶ୍ୱାସ କରାଯାଏ। ସେ ଅଧର୍ମର ବିନାଶ କରି ସତ୍ୟଯୁଗର ପୁନଃପ୍ରତିଷ୍ଠା କରିବେ। ଦଶାବତାରର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ହେଲା, ଏହାର କାହାଣୀ କେବଳ ଧାର୍ମିକ ନୁହେଁ, ଏହା ମାନବ ଜାତିର ବିକାଶଗତ ଓ ଆଧ୍ୟାତ୍ମିକ ଯାତ୍ରାର ପ୍ରତୀକ।

ବାମନ ଅବତାର

ବାମନ ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର, ଯିଏ ତ୍ରେତୟା ଯୁଗରେ ନରସିଂହ ଅବତାର ପରେ ଆବିର୍ଭାବ ହୋଇଥିଲେ। ବେଦ, ପୁରାଣ ଓ ହିନ୍ଦୁ ମହାକାବ୍ୟରେ ତାଙ୍କୁ ତ୍ରିବିକ୍ରମ, ଉରୁକ୍ରମ, ଉପେନ୍ଦ୍ର, ଦଧିବାମନ ଏବଂ ବଳିବନ୍ଧନ ନାମରେ ମଧ୍ୟ ଜଣାଯାଏ। ମାତା ଅଦିତି ଏବଂ ଋଷି କଶ୍ୟପଙ୍କ ପୁତ୍ର ହେଉଛନ୍ତି ବାମନ। ଅଦିତିଙ୍କ ଅନ୍ୟ ପୁତ୍ରମାନଙ୍କ ମଧ୍ୟରେ ବାମନ ସବୁଠାରୁ କନିଷ୍ଠ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ତ୍ରୈଲୋକ୍ୟ (ସ୍ୱର୍ଗ, ମର୍ତ୍ୟ ଓ ପାତାଳ) ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖଳା ପୁନଃସ୍ଥାପନ କରିବା।

ମହାବଳି ଜଣେ ନ୍ୟାୟପରାୟଣ ଧାର୍ମିକ ରାଜା ଥିଲେ। ଜାଗଯଜ୍ଞ କରି ସେ ବହୁ ପୁଣ୍ୟର ଅଧିକାରୀ ହେଲେ। କିନ୍ତୁ ତାଙ୍କର ଅଧିକାର ଦେବତାମାନଙ୍କୁ ବିପଦରେ ପକାଇଥିଲା। ବାମନ ଏକ କ୍ଷୁଦ୍ର ବ୍ରାହ୍ମଣ ବାଳକ ରୂପରେ ମହାବଳିଙ୍କ ରାଜସଭାରେ ଉପସ୍ଥିତ ହୋଇଥିଲେ। ସେ ମହାବଳିଙ୍କଠାରୁ ତିନିପାଦ ଜମି ଦାନ ମାଗିଥିଲେ। ମହାବଳି ଦାନ ଦେବାକୁ ରାଜି ହେବା ପରେ, ବାମନ ନିଜର ବିରାଟ ତ୍ରିବିକ୍ରମ ରୂପ ଧାରଣ କରିଥିଲେ। ପ୍ରଥମ ପାଦରେ ସେ ପୃଥିବୀ, ଦ୍ୱିତୀୟ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦ ପାଇଁ ମହାବଳିଙ୍କ ମସ୍ତକ ଉପରେ ପାଦ ରଖି ତାଙ୍କୁ ପାତାଳକୁ ପଠାଇଥିଲେ।

କିଏ ଏହି ମହାବଳି

ଅସୁର ବଂଶରେ ଜନ୍ମିତ ମହାବଳି ହେଉଛନ୍ତି ବିଷ୍ଣୁଙ୍କ ପରମ ଭକ୍ତ ପ୍ରହ୍ଲାଦଙ୍କ ନାତି ଏବଂ ବିଲୋଚନଙ୍କ ପୁତ୍ର। ପ୍ରହ୍ଲାଦଙ୍କର ବିଷ୍ଣୁଭକ୍ତିର ପରମ୍ପରାରେ ଅନୁପ୍ରାଣିତ ମହାବଳି ମଧ୍ୟ ବିଷ୍ଣୁଙ୍କ ପ୍ରତି ଭକ୍ତି ରଖୁଥିଲେ। ଅସୁର ବଂଶରେ ଜନ୍ମିତ ମହାବଳି ଜଣେ ଦୟାଳୁ, ନ୍ୟାୟପରାୟଣ ଏବଂ ଦାନବୀର ରାଜା ଥିଲେ। ତାଙ୍କର ଶାସନ କାଳରେ ସେ ସ୍ୱର୍ଗ, ମର୍ତ୍ୟ ଓ ପାତାଳ ଆଦି ତିନିଲୋକରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ।ସେ ନିଜର ଦାନବୀରତା ପାଇଁ ଅହଙ୍କାରୀ ହୋଇପଡ଼ିଥିଲେ।

ବିଷ୍ଣୁ, ବାମନ ରୂପରେ ମହାବଳିଙ୍କଠାରୁ ତିନିପାଦ ଜମି ମାଗିଥିଲେ। କିନ୍ତୁ ଅସୁର ଗୁରୁ ଶୁକ୍ରାଚାର୍ଯ୍ୟ, ଭଗବାନଙ୍କର ପ୍ରକୃତ ସ୍ୱରୂପ ଜାଣିପାରି ମହାବଳି ରାଜାଙ୍କୁ ଚେତାବନୀ ଦେଇଥିଲେ। ମାତ୍ର ଦାନୀ ହେବାର ଅହଙ୍କାର ହେତୁ ରାଜା କୌଣସି କଥାକୁ ଗୁରୁତ୍ୱ ନଦେଇ ବାମନଙ୍କୁ ତିନିପାଦ ଜମି ଦାନ ଦେବାର ପ୍ରତିଜ୍ଞା କରିଦେଲେ। ଫଳରେ ବାମନ ନିଜର ବିରାଟ ତ୍ରିବିକ୍ରମ ରୂପ ଧାରଣ କରି, ପ୍ରଥମ ପାଦରେ ପୃଥିବୀ, ଦ୍ୱିତୀୟ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦ ପାଇଁ ମହାବଳିଙ୍କ ମସ୍ତକ ଉପରେ ପାଦ ରଖି ତାଙ୍କୁ ପାତାଳକୁ ପଠାଇଥିଲେ।

ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି

ସକାଳ ଧୂପ ଶେଷ ହେବା ପରେ ମହାସ୍ନାନ ଓ ସର୍ବାଙ୍ଗ ହୁଏ। ଗତଦିନ ଅଧିବାସ ହୋଇଥିବା ପବିତ୍ର ଚାଙ୍ଗୁଡ଼ିକୁ, ପଣ୍ଡା, ପତି, ମୁଦିରସ୍ତ ଓ ତିନିଜଣ ପାଳିଆ ପୁଷ୍ପାଳକ ବିଧି ଅନୁସାରେ ପଟୁଆର ହୋଇ ଜୟବିଜୟ ଦ୍ଵାର ଦେଇ ବଡ଼ ଦେଉଳକୁ ତିନି ଘେରା ବୁଲି ରତ୍ନସିଂହାସନରେ ବିଜେ କରାନ୍ତି। ପବିତ୍ରା ଓ ଛଅ ମୂର୍ତ୍ତି ଅଳଙ୍କାର ଶ୍ରୀଜୀଉମାନେ ଲାଗି ହୁଅନ୍ତି। କର୍ପୂର ଲାଗି ପରେ ବେଶ ହୁଏ।

ମଧ୍ୟାହ୍ନ ଧୂପ ଉଠିଲେ ଜୟ ବିଜୟ ଦ୍ଵାର ବନ୍ଦ ହୋଇ, ଭିତର ଚନ୍ଦନ ଅର୍ଗଳିଠାରେ ପାଣି ପଡ଼ି ପୋଛା ମରାଯିବା ପରେ, ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରନ୍ତି। ତିନି ବାଡ଼ରେ ବନ୍ଦାପନା ପରେ ପୂଜାପଣ୍ଡା କଳସ ବରୁଣ ପୂଜା କରନ୍ତି। ଏହାପରେ ପତି ଓ ମୁଦିରସ୍ତ ଥାଇ ବ୍ରହ୍ମା ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ ମହାଜନମାନେ କୃଷ୍ଣଙ୍କୁ ହାତରେ ଧରି ଭିତର ସିଂହାସନକୁ ବିଜେ କରାନ୍ତି। ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡି ପ୍ରସାଦ ଲାଗି କଲା ପରେ ମହାଜନେ କୃଷ୍ଣଙ୍କୁ ସର୍ବତ୍ର ଭଦ୍ରମଣ୍ଡଳ ଉପରେ ବିଜେ କରାନ୍ତି।

ଏଠାରେ ବଣିଆ ନିର୍ମାଣ କରିଥିବା ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମା ବିଜେ କରିଥା’ନ୍ତି। ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ନିମନ୍ତେ ପଞ୍ଚ ଉପଚାରରେ ପୂଜା କରାଯାଇଥାଏ। ପରେ ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ହୁଏ। ଏହା ପରେ ପୂଜାପଣ୍ଡା କୋରା, କ୍ଷୀର ଓ ଲହୁଣୀ ମଣୋହି କରନ୍ତି ଓ ମୁଦିରସ୍ତ ପ୍ରସାଦ ଲାଗି କରନ୍ତି। ପରେ ମହାଜନେ ଠାକୁରଙ୍କୁ ବିଜେ କରାଇ ଜୟ ବିଜୟ ଦ୍ଵାର ତଳେ ଠିଆ ହୁଅନ୍ତି। ଏଠାରେ ମାର୍କଣ୍ଡେଶ୍ଵର ସାହିର ଲୋକେ ଗୋଟିଏ ବାମନ ମୂର୍ତ୍ତି ପଟି ଦିଅନ୍ତି।

ବଟଦ୍ଵାର ଦେଇ ସୋମନାଥ ମଣ୍ଡପ (ମାଜଣା ମଣ୍ଡପ)ରେ ଖଟ ଉପରେ ବିଜେ କରାଯାଏ। ଭଣ୍ଡାରରୁ ଦୁର୍ଗା ପ୍ରତିମାଙ୍କୁ ପତି ମହାପାତ୍ର ହାତରେ ବିଜେ କରାଇ ଆଣି, ପଣ୍ଡା ଆଜ୍ଞାମାଳ ଦେବା ପରେ, ଉକ୍ତ ମଣ୍ଡପ ଖଟ ଉପରେ ବିଜେ କରାନ୍ତି। ଏଠାରେ ପୂଜାପଣ୍ଡା ବସୁଧାରା କରନ୍ତି ଓ ଯଜ୍ଞ ପବିତ୍ରା ଦିଅନ୍ତି । ପାଣି ପଡ଼ି ଶୀତଳ ଭୋଗ ପନ୍ତି ହୁଏ। ଦୁଧ ମଣୋହି କରି ମୁଦିରସ୍ତ ପ୍ରସାଦ ଲାଗି ପରେ ପୂଜାପଣ୍ଡା ପଞ୍ଚ ଉପଚାରରେ ପୂଜା କରନ୍ତି । ବନ୍ଦାପନା ଓ ପ୍ରସାଦ ଲାଗି ହୋଇ କୃଷ୍ଣ (ବାମନ) ଦକ୍ଷିଣ ଘରକୁ ଓ ଦୁର୍ଗା ଭଣ୍ଡାର ଘରକୁ ବିଜେ ହୁଅନ୍ତି।

ଭଗବାନ ବିଷ୍ଣୁଙ୍କର ବାମନ ଅବତାର ବୁଦ୍ଧି, ନମ୍ରତା ଓ ଦୈବୀ ଶକ୍ତିର ପ୍ରତୀକ। ଏହା ଦୈତ୍ୟ ଓ ଦେବତାଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବାର ଏକ ଉଦାହରଣ। ବାମନଙ୍କ ଜନ୍ମ ତାଙ୍କର କ୍ଷୁଦ୍ର ରୂପ ଓ ତ୍ରିବିକ୍ରମ ରୂପ ଦୁଇଟି ମନୁଷ୍ୟର ନମ୍ରତା ଏବଂ ଦୈବୀ ଶକ୍ତିର ସମନ୍ୱୟକୁ ଦର୍ଶାଏ।

Disclaimer: This content has been automatically aggregated from television for informational purposes. To read the original article, please visit television.