Bahuda Yatra: ଜନ୍ମବେଦୀରେ ସରି ଆସୁଛି ଶ୍ରୀଜୀଉଙ୍କ ଲୀଳାଖେଳା, ଆସନ୍ତାକାଲି ବାହୁଡା

Jul 23, 2026 - 19:49
Bahuda Yatra: ଜନ୍ମବେଦୀରେ ସରି ଆସୁଛି ଶ୍ରୀଜୀଉଙ୍କ ଲୀଳାଖେଳା, ଆସନ୍ତାକାଲି ବାହୁଡା

ଜନ୍ମବେଦୀରେ ସରି ସରି ଆସୁଛି କାଳିଆ ଠାକୁରଙ୍କ ଲୀଳାଖେଳା। ରତ୍ନବେଦୀକୁ ବାହୁଡିବା ପୂର୍ବରୁ ଆଡପ ମଣ୍ଡପରେ ଶ୍ରୀଜୀଉଙ୍କ ଅନ୍ତିମ ଦର୍ଶନ.. ନବମୀ ସନ୍ଧ୍ୟା ଦର୍ଶନ। ବର୍ଷକରେ ଥରେ କୋଟି ଜନ୍ମର ପୂଣ୍ୟ ପ୍ରାପ୍ତି ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଦେଶର କୋଣ ଅନୁକୋଣରୁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଜନସମୁଦ୍ର ଶରଧାବାଲି। ଚର୍ମଚକ୍ଷୁରେ ଚତୁର୍ଦ୍ଧା ବିଗ୍ରହଙ୍କ ଦୁର୍ଲଭ ଦର୍ଶନ କରି କୃତକୃତ୍ୟ ଭକ୍ତ। 

ସନ୍ଧ୍ୟା ଦର୍ଶନ ସରୁ ସରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶୋଧ କରାଯିବା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି। ରାତିରେ ଶ୍ରୀଜିଉଙ୍କ ଗୁପ୍ତନୀତି ସାରି ସକାଳୁ ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ଚତୁର୍ଦ୍ଧା ମୂରତି। ଶ୍ରୀଗୁଣ୍ଡିଚା ଯାତ୍ରାର ବ୍ୟତିକ୍ରମକୁ ସୁଧାରି ସଅଳ ନୀତିକାନ୍ତି ଉପରେ ଗୁରୁତ୍ବ ଦେଉଛି ପ୍ରଶାସନ। ନିର୍ଦ୍ଧାରିତ ସମୟରେ ପହଣ୍ଡି, ଛେରାପହଁରା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ନୀତି କାନ୍ତି ଠିକ୍ ଚାଲିଲେ ଅପରାହ୍ଣ ୪ଟା ପୂର୍ବରୁ ଆରମ୍ଭ ହୋଇଯିବ ରଥଟଣା। ବାହୁଡ଼ା ଯାତ୍ରା ନୀତି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ସମାପନ କରିବାକୁ ସବୁ ସେବାୟତ ନିଯୋଗର ସହଯୋଗ ଲୋଡିଛି ପ୍ରଶାସନ। 

ବ୍ୟାପକ ପ୍ରସ୍ତୁତି ଭିତରେ ବି ବାହୁଡା ଯାତ୍ରାରେ ପ୍ରଶାସନ ପାଇଁ ବର୍ଷା ସାଜିପାରେ ଚ୍ୟାଲେଞ୍ଜ। ତେବେ ବଡଦାଣ୍ଡରୁ ଜଳ ନିଷ୍କାସନ ସହ ରଥକୁ ଆଗେଇ ନେବାକୁ ହୋଇଛି ବଡ ଯୋଜନା। ବାହୁଡା ପରଦିନ ଶ୍ରୀଜିଉଙ୍କ ସୁନାବେଶ ସାଙ୍ଗକୁ ବଡ ଏକାଦଶୀ। ତେଣୁ ତିନି ରଥକୁ ନିର୍ଦ୍ଧାରିତ ସମୟରେ ସିଂହଦ୍ବାର ସମ୍ମୁଖରେ ପହଁଚାଇଲେ ହିଁ ପରଦିନ ନୀତିକାନ୍ତି ହେବ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କୁ ତତ୍ପର ହେବାକୁ ପଡିବ।

ଏବେ ଅପେକ୍ଷା ସକାଳକୁ। ବଡଦାଣ୍ଡରେ ପୁଣି ଏକାକାର ହେବେ ଭକ୍ତ ଓ ଭଗବାନ। ସାଙ୍ଗରେ ବଡ ଭାଇ ଓ ଭଉଣୀଙ୍କୁ ନେଇ ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।